ପୁଣେ : ଇଡ୍ଲି, ମସାଲା ଦୋସା, ବରା-ସମ୍ବର ହେଉଛି ଦକ୍ଷିଣ ଭାରତୀୟ ଖାଦ୍ୟ । କିନ୍ତୁ ମହାରାଷ୍ଟ୍ରରେ ଏହାକୁ ବହୁତ ପସନ୍ଦ କରାଯାଏ । ବିଶେଷକରି ପୁଣେରେ ଏହି ଖାଦ୍ୟଗୁଡ଼ିକ ପ୍ରାୟ ପ୍ରତ୍ୟେକ ଦୋକାନରେ ଉପଲବ୍ଧ । ପୁଣେ ସହରରେ ଅନେକ ଦକ୍ଷିଣ ଭାରତୀୟ ଖାଦ୍ୟ ହୋଟେଲ ଅଛି । ଇଡଲି, ଦୋସା, ବରା ଆଦି ପାଇଁ ଏଠାରେ ଲୋକଙ୍କ ଭିଡ ଜମେ । ଏଥିମଧ୍ୟରେ ପୁଣେରଏକ ଦୋକାନରେ ୫ ଫୁଟ ଲମ୍ବର ଦୋସା ମିଳିଥାଏ , ଯାହାକୁ ଲୋକେ ବହୁତ ପସନ୍ଦ କରିଥାନ୍ତି ।
୨୦୧୯ ମସିହାରେ ପୁଣେରେ ଶୁଭମ୍ ସାଙ୍ଗନୱାର ନାମକ ଜଣେ ଯୁବକ ‘ସା ଦୋସା କାଫେ\’ ନାମରେ ଏକ ଦୋକାନ ଖୋଲିଥିଲେ । ସେ କରୋନାର ଦୁଇ ମାସ ପୂର୍ବରୁ ଏହି କାଫେ ଆରମ୍ଭ କରିଥିଲେ । ଏହି ଦୋକାନ ଖୁବ୍ କମ ସମୟ ଭିତରେ ପ୍ରସିଦ୍ଧ ହୋଇଗଲା । କାରଣ ଏଠାରେ ମିଳୁଥିବା ଦୋସା ସବୁ ଦୋକାନଠାରୁ ପୂରା ଭିନ୍ନ । ଏଠାରେ ୫ ଫୁଟ ଲମ୍ବର ଦୋସା ମିଳିଥାଏ,ଯାହାକୁ ଏକାସାଙ୍ଗରେ ୪ ଜଣ ଖାଇପାରିବେ । ଏହି ଦୋକାନରେ ବେଶୀ ପ୍ରେମୀଯୁଗଳଙ୍କ ଭିଡ଼ ଜମିଥାଏ ।
ଶୁଭମ୍ କହିଛନ୍ତି ଯେ, ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଆମେ ୫ ଫୁଟ ଲମ୍ବର ଦୋସା ପ୍ରସ୍ତୁତ କରୁଛୁ । ଏହାର ସ୍ୱାଦ ମଧ୍ୟ ଅନ୍ୟଠାରୁ ପୁରା ଭିନ୍ନ । ସେଥିଲାଗି କମ ସମୟରେ ଏହା ଲୋକଙ୍କ ପ୍ରିୟ ହୋଇପାରିଛି । ଲମ୍ବା ଦୋସା ପାଇଁ ବହୁ ଦୂରରୁ ଲୋକେ ଏଠାକୁ ଆସନ୍ତି । ପୁଣେରେ ଏହି କାଫେର ୫ ଟି ଶାଖା ଅଛି । ଆମର ରୋଷେୟାମାନେ ଏହାକୁ ତିଆରି କରିବାରେ ଖୁବ୍ ପାରଙ୍ଗମ । ଏତେ ବଡ ଦୋସା ତିଆରି ହେଉଥିଲେ ମଧ୍ୟ ଏହା କୌଣସି ସ୍ଥାନରେ ଭାଙ୍ଗିଯାଏ ନାହିଁ । ଏହି ଦୋସାକୁ ଦୁଇ ଜଣ ବୟସ୍କ ଏବଂ ଦୁଇ ପିଲା ଆରାମରେ ଖାଇପାରିବେ । ଏହାର ମୂଲ୍ୟ ରହିଛି ୩୯୯ ଟଙ୍କା । ସବୁଠୁ ବଡ଼ କଥା ହେଲା, ଆମ ଦୋକାନରେ ସେନା କର୍ମଚାରୀଙ୍କ ପାଇଁ ସମସ୍ତ ଦୋସା ଏବଂ ଖାଦ୍ୟ ପୁରା ମାଗଣାରେ ଦିଆଯାଇଥାଏ ।
Comments are closed.