Latest Odisha News

BREAKING NEWS

ସ୍ୱଳ୍ପ ଗଳ୍ପ : ଏକ ବିରଳ ଧାରବାହିକତା, ମଧ୍ୟାନ୍ତର କଥା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୭୬ 

ଆଗ ଆମର ସ୍ମରଣରେ ରହୁ ଏତକ । ଶିଜୋ କାନାକୁରି ବୋଲି ଗୋଟିଏ ନାଆଁ । ଆଉ ଏହି କାନାକୁରି ନାମବାଚକ ବିଶେଷ୍ୟ ଜଣକ ହେଉଛନ୍ତି ଜଣେ ଧାବକ। ମାରାଥନ୍ ଧାବକ। ମାରାଥନ୍ ଧାବକମାନେ ଯେ ଲକ୍ଷ୍ୟ ପର୍ଯ୍ୟନ୍ତ ଏକ ଦୀର୍ଘପଥକୁ ନିରବଚ୍ଛିନ୍ନ ଭାବରେ ଅତିକ୍ରମ କରିବାପାଇଁ ଦୌଡିଥାନ୍ତି ,ଏକଥା କହିବା ଅନାବଶ୍ୟକ।

ଉଭୟ ଧାରାବାହିକତା ଏବଂ ମଧ୍ୟାନ୍ତର ଏଇ ଆଲେଖରେ ସମାନ ମର୍ଯ୍ୟଦା ରଖିବା ସହ ଉଭୟ ପରସ୍ପରର ପରିପୂରକ,ଏତିକି ମାତ୍ର ଦାର୍ଶନିକ ଅବବୋଧ ଆମପାଖରେ ଥିଲେ ଚଳିବ।

ଏହା ହେଉଛି ୧୯୧୨ ଷ୍ଟକହୋମ୍ ଅଲମ୍ପିକ ସମୟର କଥା।

ଶିଜୋ କାନାକୁରି ଙ୍କ ନାଆଁରେ ଆଗରୁ ଦ୍ରୁତତମ ମାରାଥନ୍ ଧାବକ ବୋଲି ବିଶ୍ୱ ରେକର୍ଡ ରହିଥିଲା । ସେହି ବିଶ୍ୱ ରେକର୍ଡର ସୁବାଦରେ ସେ ଷ୍ଟକହୋମ୍ ଅଲମ୍ପିକ ରେ ଭାଗ ନେବାପାଇଁ ସୁଯୋଗ ପାଇଥିଲେ।

ସେଦିନ ଥିଲା ଜୁଲାଇ ମାସର ୧୪ ତାରିଖ,୧୯୧୨ ମସିହା। ଅନେକ ଊତ୍ସାହର ସହ ଅଲମ୍ପିକ ପ୍ରତିଯୋଗିତାରେ ମାରାଥନ୍ ଦୌଡ ଆରମ୍ଭ ହୋଇଥିଲା ସେଦିନ। ସମସ୍ତ ଦର୍ଶକଙ୍କ ପ୍ରଚୁର ହାତତାଳି ଭିତରେ ଏହି ମାରାଥନ୍ ଦୌଡର ଏହି ପୂର୍ବତନ ବିଶ୍ୱ ରେକର୍ଡର ଅଧିକାରୀ ଶିଜୋ କାନାକୁରି ତାଙ୍କର ପଦକ ଦୌଡ ଆରମ୍ଭ କରିଥିଲେ।

ଶିଜୋ କାନାକୁରିଙ୍କ ମନରେ କିନ୍ତୁ ଟିକିଏ ବୋଲି ସରାଗ ନଥାଏ ।

ଦୌଡର ପରିଭାଷା ହେଉଛି ଦୌଡକର୍ମ ବେଳେ ଆମର ଗୋଟିଏ ସମୟରେ ନିଜର ଦୁଇଟିଯାକ ପାଦ ଶୂନ୍ୟରେ ରହିବା ଆବଶ୍ୟକ ଆଉ ଯଦି ସେଥିରୁ ଗୋଟିଏ ଭୂଇଁରେ ଲାଗିଥାଏ ତେବେ ତାହା ହେଉଛି ଚାଲି,ଦୌଡ ନୁହଁ।

ସମକାଳର ପ୍ରଖ୍ୟାତ ଲେଖକ ହାରୁକି ମୁରାକାମି ,ସୌଭାଗ୍ୟକୁ ସେ ବି ଜଣେ ଜାପାନୀ ଲେଖକ,ତାଙ୍କର ଆତ୍ମକଥାର ଶୀର୍ଷକ ହେଉଛି, “ହ୍ୱାଟ ଆଇ ଟକ୍ ଏବାଉଟ ହ୍ୱେନ୍ ଆଇ ଟକ୍ ଏବାଉଟ ରନିଙ୍ଗ୍”,ଯାହାର ଅର୍ଥ ହେବ ,” ମୁଁ କ’ଣ କହିବି ସେବିଷୟରେ ଯେବେ ମୁଁ ଦୌଡିବା ଉପରେ କହିବି “। ହାରୁକି ମୁରାକାମି ନିଜେ ଜଣେ ଧାବକ । ପ୍ରତିଦିନ ନିୟମିତ ଭାବରେ ସେ ପ୍ରାୟ କୋଡିଏ କିଲୋମିଟର ଦୌଡିଥାନ୍ତି। ସେ ତାଙ୍କର ଏଇ ଆତ୍ମକଥାରେ ଦୌଡିବା ସହିତ ତାଙ୍କର ଲେଖକ ଜୀବନର ଗଭୀର ସଂପର୍କ କଥା ବଖାଣ କରିଛନ୍ତି । ଦୌଡିବା ଦ୍ୱାରା ସେ ନିଜକୁ ଶାରିରୀକ ଭାବରେ ନିରନ୍ତର “ଫିଟ୍” ରଖିବା ସହିତ ନିଜର ଏକାଗ୍ରତାକୁ ତୀକ୍ଷଣ କରିବାକୁ ସମର୍ଥ ହୋଇଛନ୍ତି । କବିତା ଲେଖକ କଥା ଭିନ୍ନ ମାତ୍ର ଦୀର୍ଘମାପର ଉପନ୍ୟାସ ରଚନା ନିମନ୍ତେ ଲେଖକ ଶାରିରୀକ ଭାବରେ “ଫିଟ” ଏବଂ ମାନସିକ ଭାବରେ ଏକାଗ୍ର ,ଏଇ ଦୁଇଟି ହେଉଛି ଶାରିରୀକ ଅପରିହାର୍ଯ୍ୟତା। ନିରନ୍ତର ଦୌଡ ଅଭ୍ୟାସରୁ ସେ ଏଇ ଦୁଇଟି ସମ୍ପଦ ଅର୍ଜନ କରିଛନ୍ତି । ଏହା ବ୍ୟତୀତ ଲେଖକ ନିକଟରେ ବିଶେଷତଃ ଦୁଇପ୍ରକାର ଦୌଡ ର ବିକଳ୍ପ ବିଧାନ ରହିଛି। ଲେଖକ ଟିଏ ଶହେ ମିଟରର ଦୌଡ ଦୌଡିବ ନା ମାରାଥନ ଦୌଡିବ ? ଲେଖକ ଜୀବନରେ ସଂକ୍ଷିପ୍ତ ଦୌଡରେ ସବୁକିଛିକୁ ଉଜାଡିଦେବା ଭଳି ଲେଖନକର୍ମ ରହିଅଛି ଆଉ ସେମିତି ବି ରହିଛି ନିଜର ସମସ୍ତ ଦମ୍ କୁ ସାଇତି ସଜାଡି ସମ୍ଭାଳି ଶ୍ରେଷ୍ଠତାର ମାରାଥନ୍ ଦୌଡୁଥିବା ଲେଖକ ଜୀବନ ।

ଯଦି ଆମେ ଲେଖକ ହେଉ ତେବେ ଏଇ ଦୁଇଟି ଭିନ୍ନ କିସମର ଦୌଡରୁ ଆମେ କାହାକୁ ବାଛିବୁ ତାହା ଆମର ନିଜ ବିଚାର। ହାରୁକି ମୁରାକାମୀ କିନ୍ତୁ ମାରାଥନ ଧାବକ ଙ୍କ ସମର୍ଥନରେ ରହିଛନ୍ତି ।

ନିରନ୍ତରତା ଅଥବା ଧାରାବାହିକତାକୁ ଯେତେବେଳେ କେହି ଅଗ୍ରାଧିକାର ଦେଇ ବସେ ତାହାକୁ ତାହାହେଲେ ଘଡିଏ ଫେରିଯିବାକୁ ହେବ ସେଦିନ ଅର୍ଥାତ୍ ୧୪ ଜୁଲାଇ ୧୯୧୨ ଷ୍ଟକହୋମ ଅଲମ୍ପିକ ର ମାରାଥନ ଦୌଡାଳି ଶିକୋ କାନାକୁରିଙ୍କ ବିଷାଦ ର ଗଭୀରକୁ।

ଜାପାନରୁ ଆସି ଷ୍ଟକହୋମ୍ ରେ ଅଲମ୍ପିକ ପ୍ରତିଯୋଗୀତାରେ ଭାଗନେବା ପାଇଁ କାନାକୁରିଙ୍କୁ ଯଥେଷ୍ଟ ପରିଶ୍ରମ କରିବାକୁ ପଡିଥିଲା । ଏହା କହିବାକୁ ଗଲେ ପ୍ରାୟ ଅଠର ଦିନର ଯାତ୍ରା ଥିଲା । ପ୍ରଥମେ ସେ ଜାହାଜରେ ଉତ୍ତର କୋରିଆରେ ପହଞ୍ଚିଥିଲେ । ସେଇଠୁ ଟ୍ରାନସ୍-ସାଇବେରିଆନ୍ ରେଳପଥରେ ମସ୍କୋ,ମସ୍କୋରୁ ଜାହାଜରେ ,ରେଳରେ ଆଉ ବିବିନ୍ନ ଲୋକବାହକ ଗାଡିରେ ଯାତ୍ରା କରି ସେ ଶେଷରେ ଆସି ସ୍ୱିଡେନ୍ ରେ ପହଞ୍ଚିଥିଲେ। ଏହି ଦୀର୍ଘ ଯାତ୍ରାକାଳୀନ ଯାହା ଆଉ ଯେଉଁଭଳି ଖାଦ୍ୟ ତାଙ୍କୁ ମିଳୁଥିଲା ତାହା ତାଙ୍କ ଭଳି ଜଣେ ମାରାଥନ୍ ଧାବକର ପୌଷ୍ଟିକତା ନିମନ୍ତେ ଅକୁଳାନ ଥିଲା। ଫଳରେ ସେ ଷ୍ଟକହୋମ୍ ଅଲମ୍ପିକ ରେ ଯୋଗଦେବାବେଳେ ଗମ୍ଭୀର ଅପୁଷ୍ଟି ଭୋଗୁଥିଲେ। ଏହି ଦୀର୍ଘ ମଧ୍ୟବର୍ତ୍ତି କାଳର ଯାତ୍ରା କାରଣରୁ ସେ ଉପଯୁକ୍ତ ବ୍ୟାୟାମ ବି କରିପାରୁନଥିଲେ। କେବଳ ଏତିକି ବ୍ୟାୟାମ କରିବା ତାଙ୍କ ପକ୍ଷରେ ସଂଭବପର ଥିଲା ବାଟରେ ରେଳରେ ଗଲାବେଳେ ଯଦି ରେଳଗାଡି କେଉଁଠି ଅଟକି ଯାଉଥିଲା ସେଇଠି ତଳକୁ ଓହ୍ଲାଇ ଟିକିଏ ନିଜର ହାତ ଗୋଡକୁ ହଲାଇବା। ତାଙ୍କର ସହଯାତ୍ରୀମାନେ ତାଙ୍କୁ ଏମିତି ଦେଖି ହସିବା ପଛରେ କୌଣସି ଅସ୍ୱାଭାବିକତା ନାହିଁ ।

ଶିଜୋ କାନାକୁରି ଙ୍କର ନିମନ୍ତେ ସବୁଠୁ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଥିଲା ଯେତେବେଳେ ସେ ପ୍ରତିଯୋଗିତାର ମାରାଥନ ଦୌଡ କୁ ଦୌଡିବାକୁ ଆରମ୍ଭ କଲେ ଠିକ୍ ସେତିକିବେଳେ। ସେଦିନ ଷ୍ଟକହୋମରେ ପ୍ରଚଣ୍ଡ ଖରା। କାନାକୁରି ସେଇ ଖରାରେ ମାରାଥନ ପ୍ରତିଯୋଗୀତାର ନିର୍ଦ୍ଧାରିତ ଦୂରତ୍ୱର ଅଧାରୁ ଅଧିକ ଯେ କୌଣସି ମତେ ଦୌଡିପାରିଥିଲେ। ତାଙ୍କର ଦୁର୍ବଳ ଆଉ ଜଳଶୂନ୍ୟ ହୋଇଯାଇଥିବା ଦେହ ଆଉ ସକ୍ଷମ ହେଲା ନାହିଁ । ପ୍ରାୟ ୧୬ ମାଇଲ୍ ଦୌଡି ସାରିବା ପରେ ସେ ଅଚେତନ ହୋଇ ଭୂଇଁରେ ପଡିଗଲେ ।

ତାହାପରେ ଶିଜୋ କାନାକୁରିଙ୍କୁ ଗୋଟିଏ ସ୍ୱିଡିଶ୍ ପରିବାର ସାଥିରେ ନେଇ ତାଙ୍କର ସେବା ଶୁଶ୍ରୂଷା କରିଥିଲା ଆଉ ସେଇଠୁ ଏଇ ମାରାଥନ୍ ଧାବକ ଜଣକ ଗୋପନରେ ନିଜ ଦେଶକୁ ଯାତ୍ରା କରିଥିଲେ । ବିଫଳତାକୁ କେହି ସମ୍ମାନ ଦିଅନ୍ତି ନାହିଁ ତେଣୁ ସେ ଗୋପନ ରହିବାକୁ ଊଚିତ ମନେକରିଥିଲେ। ଏବଂ ଏପଟରେ ଯେହେତୁ ସେ ଅଲମ୍ପିକ କମିଟି ସହିତ ଆଉ କୌଣସି ଯୋଗାଯୋଗ କରିନଥିଲେ ତେଣୁ ସ୍ୱିଡିଶ ଅଲମ୍ପିକ କମିଟୀର ତାଲିକାରେ ସେ ଜଣେ ନିରୁଦ୍ଦିଷ୍ଟ ବ୍ୟକ୍ତି ଆକାରରେ ରହିଗଲେ।

କାହାଣୀଟି ଏଇଠି ଶେଷ ହୋଇନାହିଁ ।
ମଧ୍ୟାନ୍ତରରେ ସମାହିତ ହୋଇଥାଏ ଯେତେସବୁ ବିସ୍ତାରର ଆଳାପନ।

ସେଇ ମଧ୍ୟାନ୍ତରଟି କିନ୍ତୁ ବେଶ୍ ଦୀର୍ଘ।

ହଠାତ୍ ଦିନେ ଜଣେ ସ୍ୱିଡିଶ୍ ରେସିଙ୍ଗ୍ ଅଫିସିଆଲ୍ ଙ୍କ ଦୃଷ୍ଟି ଗୋଚର ହୋଇଥିଲା ଗୋଟିଏ ଖବର,ଏକ ପୁରୁଣା ପ୍ରୋଫାଇଲ୍, ନାଆଁଟି ଚିହ୍ନା ଭଳି ଲାଗୁଥାଏ । ତର୍ଜମା କଲାପରେ ଜଣାଗଲା ଏଇ ଟି ସେଇ ନାମ ଯାହା ୧୯୧୨ ଷ୍ଟକହୋମ ଅଲମ୍ପିକ ର ମାରାଥନ୍ ଦୌଡ କାଳରେ ନିରୁଦ୍ଦିଷ୍ଟ ହୋଇ ଯାଇଥିଲା। ସେ ଏବେ ବି ବଞ୍ଚିଛନ୍ତି । ଶିଜୋ କାନାକୁରି। ସ୍ୱିଡିଶ୍ ରେସିଙ୍ଗ୍ ଅଫିସିଆଲ୍ ଙ୍କ ଦୃଷ୍ଟିରେ ପଡିବା ବେଳର ସେଇ ଖବରରେ ରହିଥିଲା ଯେ, ସେ ପରପର ଦୁଇଟି ଅଲମ୍ପିକ ମାରାଥନ୍ ପ୍ରତିଯୋଗୀତାରେ ଯୋଗଦାନ କରିଛନ୍ତି।

ସ୍ୱିଡିଶ ଅଲମ୍ପିକ ନେସନାଲ୍ କମିଟୀର କାନକୁ ତାହାପରେ କଥାଟି ଯାଏ ଆଉ ସେମାନେ ଶିଜୋ କାନାକୁରିଙ୍କୁ ନିମନ୍ତ୍ରଣ କରନ୍ତି ,ସେ ଏବେ ଆସି ତାଙ୍କର ସେହି ଅସମାପ୍ତ ମାରାଥନ୍ କୁ ଯେମିତି ସଂପୂର୍ଣ୍ଣ କରନ୍ତି ।

ତାହା ୧୯୬୭ ମସିହା ମାର୍ଚ୍ଚ ମାସର କଥା।

ଯାହା ଆଗରୁ କୁହାଯାଇଛି,ଏଇ ମଧ୍ୟବର୍ତ୍ତି ସମୟ ଟି ବେଶ୍ ଦୀର୍ଘ ।

ଏହା ଭିତରେ ବିତିଯାଇଛି ଚଉବନ ବର୍ଷ ର ଦୀର୍ଘ ସମୟ ।

ଶିଜୋ କାନାକୁରି ଆସିଥିଲେ ଏବଂ ତାଙ୍କର ଅସମାପ୍ତ ମାରାଥନ୍ ଦୌଡକୁ ସଂପୂର୍ଣ୍ଣ କରିଥିଲେ। ମାରାଥନ୍ ଦୌଡର ବିଧିବଦ୍ଧ ନଥିରେ ତାଙ୍କର ନାମ ଆଉ ଦୌଡିବା ପାଇଁ ନେଇଥିବା ଅଫିସିଆଲ୍ ସମୟଟି ଦର୍ଜ ହୋଇଥିଲା।

ଶିଜୋ କାନାକୁରିଙ୍କ ମାରାଥନ୍ ର ସରକାରୀ ସମୟ ଯାହା ନଥିଭୂକ୍ତ ଅଛି ତାହା ହେଉଛି:
୫୪ ବର୍ଷ,୮ ମାସ, ୬ ଦିନ,୫ ଘଣ୍ଟା,୩୨ ମିନିଟ ,ଏବଂ ୨୦.୩୭୯ ସେକେଣ୍ଡ ।

ଲକ୍ଷ୍ୟର ଆରମ୍ଭରୁ ଶେଷ ବିନ୍ଦୁ,ଏହାର ମଧ୍ୟାନ୍ତର ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ, ତାହା ଜଣେ ଲେଖକର ହେଉ କି ଜଣେ ଧାବକର ହେଉ।ଏଇଠି ରହିଥାଏ ଯାବତୀୟ ପ୍ରୟାସର ଆଉ ଅଭିଳାଷର ଆଉ ଆନନ୍ଦର ତୁଙ୍ଗିମାର ବିନ୍ଦୁ ସମୂହ ।

ନିଜର ମାରାଥନ ଦୌଡକୁ ସଂପୂର୍ଣ୍ଣ କରିବାର ଠିକ୍ ପରେ ଶିଜୋ କାନାକୁରି ସେଦିନ କହିଥିଲେ :

“ଏଇଟି ସତରେ ଗୋଟିଏ ଦୀର୍ଘ ଯାତ୍ରା। ଯିବାବେଳେ ମୁଁ ବିବାହ କଲି ,ମୋର ଛଅଟି ସନ୍ତାନ ଆଉ ଦଶଟି ନାତି ନାତୁଣୀ ହୋଇଛନ୍ତି।”

Comments are closed.