ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଶିଷ୍ଟାଚାର କି ସଦାଚାର
ବ୍ୟଭିଚାର କି ମିଥ୍ୟାଚାର
କରିପାରିବା ଅଧିକାର
ଅନେକେ କରଂତି ସ୍ବୀକାର
ଏବେ ତ ନୂଆ ନବାଚାର
ସବୁଠି ପଡ଼େ ଦରକାର
ସାହସ ଦିଶୁନି କାହାର
କରିବେ ଏହାକୁ ସ୍ବୀକାର
ନ ହେଲେ ଶୀଘ୍ର ନବାୟନ
ଆମର ଭାଷାର ଉତ୍ଥାନ
ଘଟିବା ନୁହଇ ସଂଭବ
ଏ ସତ୍ୟ କରୁଁ ଅନୁଭବ
ଭିନ୍ନ ଭାଷାରେ ପାଇ ଶିକ୍ଷା
ନିଜର ଭାଷାକୁ ସୁରକ୍ଷା
ଯୋଗାଇ ନ ପାରିଲେ ଲୋକ
ଦେଖେନି ଜ୍ଞାନର ଆଲୋକ
ଯେଉଁ ପାଠକୁ ଜ୍ଞାନ ମଣେ
ତାହା ତ ଲେଖେ ଅନ୍ୟ ଜଣେ
ତାହାକୁ ସହସା ବିଶ୍ବାସ
କରିବା ହୁଏ ଉପହାସ୍ୟ
ବହିଟେ ପଢ଼ି ବିଶ୍ଳେଷଣ
କରିଲେ ମିଳେ ସଜ ଜ୍ଞାନ
ତାହାକୁ କାମରେ ପ୍ରୟୋଗ
କଲେ ହିଁ ମିଳଇ ସୁଯୋଗ
ଯେଉଁ କାମରୁ ଧନ ପ୍ରାପ୍ତି
କରି ସଂତୁଷ୍ଟ ହୁଏ ବ୍ୟକ୍ତି
ତାହାର ଉଦ୍ଭାବନୀ ଶକ୍ତି
ଚଂଚଳ ଲଭଇ ସମାପ୍ତି
ଜ୍ଞାନ ସ୍ବଭାବେ ନୁହେ ସ୍ଥିର
ତେଣୁ ସଂସ୍କାର ଦରକାର
ଏହା ବୁଝିଲେ ଜ୍ଞାନାନ୍ବେଷୀ
ହୁଅଂତି ସକ୍ରିୟ ସାହସୀ
ପୁନର୍ବିନ୍ୟାସ ବାରଂବାର
ଜ୍ଞାନ ନିମଂତେ ଦରକାର
ଏହାକୁ କଲେ ପ୍ରତ୍ୟାଖ୍ୟାନ
ହୁଏନି ଭାଷା ଉନ୍ନୟନ
ଭାଷୀଏ ଯାହା ବି କରଂତି
ତା ଯୋଗୁଁ ଲାଭ ଆଉ କ୍ଷତି
ହୋଇଚାଲିଛି ଅବିରତ
ନ ଖୋଜୁଁ ତହିଁରେ ଔଚିତ୍ୟ
Comments are closed.