Latest Odisha News

ସତରେ କ’ଣ ମୁଁ ଗପ ଲେଖିଛି?

ସତରେ କ’ଣ ମୁଁ ଗପ ଲେଖିଛି?

ନେତାଜୀ ଅଭିନନ୍ଦନ

ପିଲାଦିନେ ଗପ ନଶୁଣିଲେ ଆଖିକୁ ନିଦ ଆସୁନଥିଲା । ପ୍ରତି ରାତିରେ ମତେ ନୂଆ ଗପ ଶୁଣାଇବାର ଦାୟିତ୍ୱ ତୁଲାଉଥିଲେ ବାବା ଓ ବିବୁ (ଦାଦା ବିବୁଧରଂଜନ) । ହରେକ ରକମର ଓ କିସମର ନୂଆ ନୂଆ ଗପ । ମୁଁ ଉତ୍କଣ୍ଠାର ସହ ରାତିକୁ ଅପେକ୍ଷା କରି ରହୁଥିଲି ଗପ ଶୁଣିବା ପାଇଁ । ବେଳେ ବେଳେ ଗୋଟେ ଗପ ସରିଲା ପରେ ମୁଁ ଆଉ ଗୋଟେ ଗପ ପାଇଁ ଜିଦି ଧରୁଥିଲି ।

ଟି’କେ ବଡ଼ ହେଲା ପରେ, ମୁଁ ନିଜେ ଗପ ବହି ପଢିବା ଆରମ୍ଭ କରିଦେଲି । ଘର ଭିତରେ ମୋ ବୟସର କେହି ନଥିବାରୁ, ସ୍କୁଲରୁ ଫେରି ବହି ବସ୍ତାନି ଫୋପାଡି ଦେଇ ଗପ ବହିଟେ ଧରି ଖଟ ଉପରେ ଲେପ୍ଟେଇ ପଡିଯାଉଥିଲି । ସମୟ ବହିଯାଉଥିଲା ନଈର ଉଜାଣି ସୁଅ ଭଳି ।

ହଠାତ୍ ଦିନେ ବାବା କହିଲେ, “ଏତେ ଗପ ପଢୁଛୁ, ଏତେ ଗପ ଶୁଣୁଛୁ, ନିଜେ ଗୋଟେ ଗପ ଲେଖୁନୁ !” ମୁଁ ହାତରେ କଲମ ଧରିଲି, କାଗଜ ଆଣିଲି, ମୁଣ୍ଡକୁ ଘାଣ୍ଟିଲି, ଚକଟିଲି, ହେଲେ, ଧାଡିଟେ ବି ମନକୁ ଢୁକିଲାନି । ଶେଷରେ ବାବା ଦେଇଥିବା ଚ୍ୟାଲେଞ୍ଜରେ ଯେନତେନ ପ୍ରକାରଣେ ଉତ୍ତୀର୍ଣ୍ଣ ହେବା ପାଇଁ କୌଣସି ଗୋଟେ ପୁରୁଣା ଗପ ବହିରୁ ଗପଟେ ଅବିକଳ ଉତ୍ତାରି ଦେଲି । ଅପେକ୍ଷା କରି ରହିଲି କଲେଜରୁ ବାବାଙ୍କ ଫେରିବା ବାଟକୁ । ସେ ଫେରି ଘରେ ପାଦ ନ ଦେଉଣୁ, ତାଙ୍କୁ ବଢେଇଦେଲି ମୋ ବଙ୍କା ଟଙ୍କା ଅକ୍ଷରରେ ଲେଖା (ବା ଉତୁରା ହୋଇଥିବା) ଗପଟି । ସେ ଗପଟି ପଢିଲେ, ହସିଦେଲେ । ମୁଁ ତାଙ୍କୁ ଭିଡି ଓଟାରି ପଚାରିଲି – “କୁହ, କେମିତି ହୋଇଛି ?” ସେ କହିଲେ, “ଭଲ ଲେଖିଛୁଯେ, ହେଲେ ଅବିକଳ ଏମିତି ଗୋଟେ ଗପ ଆଗରୁ ଲେଖା ହୋଇଛି ।” ସେଇ ଥିଲା ଜୀବନରେ ଯନ୍ତ୍ରଣାର ପ୍ରଥମ ମୁହୂର୍ତ୍ତ । କେମିତି ମୁଁହ ଲୁଚେଇବି ଜାଣି ପାରିଲାନି ।

ବାବା ପୁଣି କହିଲେ, “ଚେଷ୍ଟା କର । ଭାବ୍ । ମନକୁ ଛାଡିଦେ ତା ବାଟରେ । ଦେଖିବୁ, ଗପ ଆପେ ଆପେ ଲେଖି ହୋଇଯିବ ।” କିଛି ଦିନ ବେଶ୍ କଷ୍ଟ ପାଇଲି । ହଠାତ୍ ଦିନେ ଗପଟେ ଲେଖି ହୋଇଗଲା ଅଜାଣତରେ । ବାବା ପଢି ଖୁବ୍ ଖୁସି ହେଲେ । ଘର ପଛପଟେ ବିବୁ କରିଥିବା ପ୍ରେସରେ ସେଇଟି ଛପେଇ ଆଣିଲେ । ଯଦିଓ ପାରିବାରିକ, ଗଳ୍ପ ଲେଖକ ଭାବରେ ସେଇଥିଲା ମୋର ସର୍ବପ୍ରଥମ ସୀକୃତି । ମୁଁ ଖୁସିରେ ବହେ ନାଚିଗଲି ।

ବଡ଼ ହେଲି । ଶ୍ରେଣୀ ପରେ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇ ଆଗକୁ ବଢିଲି । କ୍ୟାରିୟର ଓ ଜୀବନକୁ ନେଇ ଚାଲିଥିବା ଅନ୍ଧଦୌଡରେ ମୁଁ ବି ସାମିଲ୍ ହେଲି । ଗପ ବହି ପଢା ଯଦିଓ ଜାରି ରହିଥାଏ, ଆଉ ଖଣ୍ଡେ ବି ଗପ ଲେଖିପାରିଲିନି । ୨୦୦୬ ମସିହା । ସାରା ଦେଶରେ ହୁରି ପକେଇଥିବା କୁନି ଧାବକ ବୁଦ୍ଧିଆ ହଠାତ୍ ଧସେଇ ପଶିଲା ମୋ ଭିତରକୁ ଗୋଟେ ଦିନ ଭୋରୁ ଭୋରୁ । ଗୋଟେ ଲହସରେ ବସି ଲେଖିଦେଲି ମୋର ସାବାଳିକ ଗାଳ୍ପିକ ଜୀବନର ପ୍ରଥମ ଗପ “ଦୌଡ଼” । ଅଗ୍ରଜ ବନୋଜ ତ୍ରିପାଠୀ ସହୃଦୟତାର ସହ ଏହାକୁ ସେ ବର୍ଷର ‘ପକ୍ଷୀଘର’ ପୂଜାସଂଖ୍ୟାରେ ସ୍ଥାନ ଦେଲେ । ଏହା ପରେ ଅନିୟମିତ ବ୍ୟବଧାନରେ କିଛି କିଛି ଘଟଣା, ଚରିତ୍ର ବା କାହାଣୀ ମୋତେ କଲବଲ କରିଛିନ୍ତି ଏବଂ ଶେଷରେ ଗପ ହୋଇ ଉତୁରିଛନ୍ତି । ଅଧିକାଂଶ ଥର ଏହି ପ୍ରକ୍ରିୟାଟି ବେଶ ସ୍ୱଚ୍ଛନ୍ଦରେ ସଂପନ୍ନ ହୋଇଛି । ଅବଶ୍ୟ ଏହା ସ୍ୱୀକାର କରିବାରେ ଦ୍ୱିଧା ନାହିଁ ଯେ, ଗୋଟେ ଯୋଡେ ଗପ ଲେଖିବାକୁ ମୋତେ ବେଶ୍ କସରତ ବି କରିବାକୁ ପଡିଛି । ମାତ୍ର ସାତବର୍ଷର ଅତି ସ୍ୱଳ୍ପ ଏଇ ସୃଜନ ଯାତ୍ରାରେ ବାରଟି କି ତେରଟି ଗପ ଲେଖିବାରେ ସକ୍ଷମ ହୋଇଛି ।

ଅନେକ ସମୟରେ ମୁଁ ଭାବେ, ସତରେ କ’ଣ ମୁଁ ଗପ ଲେଖିଛି ? ଅଥବା ମୁଁ ଯାହା ଲେଖିଛି, ସେଗୁଡିକ ପ୍ରକୃତ ଅର୍ଥରେ କ’ଣ ଗପ ପଦବାଚ୍ୟ ?? ମୋତେ ଲାଗେ କଥା କହିବାର କଳା ଓ କୌଶଳ ମୁଁ ଏଯାଏଁ ଆୟତ୍ତ କରିପାରିନାହିଁ । ସମସାମୟିକ ତଥା ଅଗ୍ରଜ କଥାକାରମାନଙ୍କୁ ପଢିଲା ବେଳେ, ମୁଁ ବିହ୍ୱଳିତ ହୋଇ ସେମାନଙ୍କ ଶବ୍ଦମାନଙ୍କୁ ଛୁଏଁ, ଅନୁଭବ କରେ । ଶବ୍ଦ, ଭାବ, ଅନୁଭବ ତଥା ପର୍ଯ୍ୟବେକ୍ଷଣ ମାମଲାରେ ସେମାନଙ୍କ ତୁଳନାରେ ମୋର ସୀମିତ ସାମର୍ଥ୍ୟକୁ ନିଜେ ନିଜେ ହିଁ ପ୍ରବୋଧନା ଦିଏ । ଅବଶ୍ୟ ଏମିତି ବି ଲାଗେ ଯେ, ଝୁଣ୍ଟି, ଖଣ୍ଡିଆ ଖାବରା ହୋଇ ଲହୁଲୁହାଣ ହେଲେ ସୁଦ୍ଧା, ଭିଡ ଭିତରେ ନିଜର ରାସ୍ତା କାଟି ଏକ୍ଲା ଚାଲିବାରେ ବି ଗୋଟେ ଅଲଗା ମଜା ଅଛି ।

Comments are closed.