ମାଲକାନଗିରି: ଖୁସିର ମୁହୁର୍ତ୍ତ ବଦଳିଲା ଦୁଃଖରେ । ବିବାହ ଭୋଜି ଖାଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, ଏଥିରେ ୨୫ ଅଧିକ ଅସୁସ୍ଥ ହୋଇପଡିଛନ୍ତି । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅଧୀନ ନୂଆଗୁଡା ଗ୍ରାମରେ ।
ସୂଚନା ମୁତାବକ, ନୂଆଗୁଡା ଗ୍ରାମରେ ଜଣେ ବ୍ୟକ୍ତିଙ୍କର ବିବାହ ଭୋଜିଥିଲା । ଆଖପାଖ ଅଞ୍ଚଳର ଅନେକ ଲୋକ ଏହି ଭୋଜିରେ ଯୋଗ ଦେଇଥିଲେ । ଭୋଜି ଖାଇସାରି ଆସିବା ପରେ ବନ୍ଧଗୁଡା ଗ୍ରାମର ୨୫ରୁ ଅଧିକ ଶିଶୁ ଅସୁସ୍ଥ ହୋଇପଡ଼ିଥିଲେ । ଏହାପରେ ସେମାନଙ୍କର ଝାଡ଼ାବାନ୍ତି ହେବା ଆରମ୍ଭ ହୋଇଯାଇଥିଲା ।
ପରିବାର ଲୋକେ ସମସ୍ତଙ୍କୁ ମାଥିଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ୪ ଜଣ ଶିଶୁଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଶିଶୁର ମୃତ୍ୟୁ ଘଟିଛି । ତେବେ ଏପରି ଅଘଟଣ କିପରି ଘଟିଛି ଏଯାବତ୍ କିଛି ଜଣାପଡିନଥିବାବେଳେ, ଗାଁରେ ଡାକ୍ତରୀ ଟିମ୍ ପହଞ୍ଚି ଯାଞ୍ଚ କରୁଛନ୍ତି ଓ ଖାଦ୍ୟର ନମୂନା ପରୀକ୍ଷା ପାଇଁ ପଠଯାଇଛି ।
Comments are closed.