ରଞ୍ଜିତା ହୋତା
ପ୍ରଖର ସ୍ରୋତରେ ଭାଗୀରଥୀ ଯହିଁ ଫେନାୟିତ ଓଠ ଖୋଲି,
ଜୀବିକାର୍ଜନ ଆଶେ ମୁଁ ଧୀବର,ତରୀ ତହିଁ ଥିଲି ମେଲି।
ତୁମେ ଆସିଥିଲ ଶ୍ୟାମଳବରଣ,ଅନୁଜର ହାତ ଧରି,
ଶ୍ୟାମଳ ସୋହାଗେ ମୋତେ ଡାକିଥିଲ,”ପାରି କରିଦିଅ ବୋଲି।”
ତରୀ ମୋ ଜୀବନତରଣି,ଯେ ଆଣେ ଆଲୋକ ମୋ ପରିବାରେ,
ଯତ୍ନ ତାହାର ନେଇଥାଏ ଜାଣି, ରତ୍ନ ମଣି ମୁଁ ତା’ରେ।
ପାଦର ପରାଗ ଧୋଇଦେଇ ବେନି କିଶୋରକୁ ଆଣି ନାବେ,
ବସାଇଦେଲି ମୁଁ,ଜଗତ କହିଲା “ବିଜ୍ଞାନୀ”ବୋଲି ତେବେ।
ଜାଣେ ନାହିଁ ପୂଜାଅର୍ଚ୍ଚନା, ଦେବନୀତି,ଜପତପଧ୍ୟାନ,
ଯାତ୍ରୀକୁ ନଦୀ ପାରିକରିଦେବା ,କର୍ମ ମୋ ସାଧାରଣ।
ନିଇତି ନିଇତି ନଉକାରେ ପାରି କରିଛି ତ କେତେ କେତେ,
କେମିତି ଜାଣିବି, ଜୀବନତରୀ ମୋ ସେ କୂଳେ ଲାଗିବ ସତେ ?
କର୍ମ ମୋହର ମନ୍ତ୍ର,କରମ ସବୁଠାରୁ ବଳି ପ୍ରିୟ,
ସେ ପାଇଁ କି କୂଳେ ଲଗାଇଲ ମୋତେ ମୋ ପରମ ପ୍ରାଣପ୍ରିୟ।
Comments are closed.