ଭୁବନେଶ୍ବର: ଅଗ୍ନିଶମ ବିଭାଗରେ ସାମିଲ ହେବେ ମହିଳା। ସେମାନଙ୍କ ପଦବୀକୁ ଫାୟାର ଫାଇଟର ବା ଅଗ୍ନିଯୋଦ୍ଧା ଭାବେ ନାମିତ କରାଯିବ। ଆଗାମୀ ଦିନରେ ଫାୟାର ମ୍ୟାନ ପଦବୀରେ ମହିଳାଙ୍କ ନିଯୁକ୍ତି ବିଷୟକୁ ବିଚାରକୁ ନିଆଯିବ। ଏଥିପାଇଁ ଆବଶ୍ୟକୀୟ ସଂଶୋଧନ ଜରିଆରେ ପଦବୀକୁ ଫାୟାର ଫାଇଟର ବା ଅଗ୍ନିଯୋଦ୍ଧା ଭାବେ ନାମିତ କରାଯିବ। ଫଳରେ ମହିଳାମାନେ ମଧ୍ୟ ଅଗ୍ନିଶମ ବିଭାଗରେ ନିଯୁକ୍ତିର ପାଇ ପାରିବେ ବୋଲି ଆଜି ରାଜ୍ୟ ସ୍ତରୀୟ ଅଗ୍ନିଯୋଦ୍ଧା ନିଯୁକ୍ତି ସମାରୋହରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।
ସେ କହିଥିଲେ , ରାଜ୍ୟରେ ମୋଟ ୩୮୩୨ଟି ଆଗ୍ନିକ ଓ ୩୮୭ଟି ଆଗ୍ନିକ ଗାଡିଚାଳକ ପଦବୀ ରହିଛି। ଆଜି ଖାଲି ଥିବା ୮୨୬ଟି ଆଗ୍ନିକ ଓ ୧୧୫ଟି ଆଗ୍ନିକ ଗାଡିଚାଳକ ପଦବୀ ପୂରଣ ହେଲା। ଗୋଟିଏ ଦିନରେ ସମ୍ପୂର୍ଣ୍ଣ ପଦବୀ ସଂଖ୍ୟାର ୨୨ ଭାଗ ପଦବୀ ପୂରଣ କରାଗଲା। ୯୪୧ ଜଣ ନୂଆ ଅଗ୍ନିଯୋଦ୍ଧାଙ୍କ ଯୋଗଦାନ ବିଭାଗକୁ ସୁଦୃଢ କରିବା ସହିତ ଲୋକଙ୍କ ଧନଜୀବନ ସୁରକ୍ଷା କରିବା ପାଇଁ ଅଧିକ ସକ୍ଷମ ହେବା ନେଇ ମୁଖ୍ୟମନ୍ତ୍ରୀ କହିଥିଲେ।
ଏହି କାର୍ଯ୍ୟକ୍ରମରେ ଉପ-ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଉପସ୍ଥିତ ରହି ଅଗ୍ନିଶମ ବାହିନୀରେ ମହିଳାମାନଙ୍କୁ ସୁଯୋଗ ଦେବା ପାଇଁ ପ୍ରସ୍ତାବ ରଖିଥିଲେ। ଏହା ଉପରେ ବିଚାର କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଆଗାମୀ ୫ ବର୍ଷ ମଧ୍ୟରେ ଆମ ସରକାର ୧.୫ ଲକ୍ଷ ସରକାରୀ ପଦବୀ ପୂରଣ କରିବା ପାଇଁ ସ୍ଥିର କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି କହିଥିଲେ।
ଏହି କାର୍ଯ୍ୟକ୍ରମରେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଭୁବନେଶ୍ଵର ଏକାମ୍ର ବିଧାୟକ ବାବୁ ସିଂହ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଗୃହ ବିଭାଗର ଅତିରକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ ଏବଂ ଅଗ୍ନିଶମ, ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ମହାନିର୍ଦ୍ଦେଶକ ଡଃ ସୁଧାଂଶୁ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।