Latest Odisha News

BREAKING NEWS

ଥରୁଛି ସାରା ଓଡିଶା; ବିଭିନ୍ନ ସ୍ଥାନରେ ତୁଷାରପାତ

ଭୁବନେଶ୍ୱର: ସମଗ୍ର ରାଜ୍ୟରେ ପ୍ରଭାବିତ ହେଉଛି ଶୀତରଲହରୀ । ଅଧିକାଂଶ ସ୍ଥାନରେ ସୂର୍ଯ୍ୟାସ୍ତ ପରେ ଘରୁ ବାହାରିବା ମୁସ୍କିଲ ହୋଇଯାଉଛି ।

ପ୍ରାପ୍ତ ସୂଚନା ଅନୁଯାୟୀ ରାଜଧାନୀ ଭୁବନେଶ୍ବର ସମେତ ୧୯ଟି ସହରର ତାପମାତ୍ରା ୧୫ଡ଼ିଗ୍ରୀ ତଳେ ରହିଛି। ସର୍ବନିମ୍ନ ତାପମାତ୍ରା ସୋନପୁରରେ ୩.୪ ଡିଗ୍ରୀ ରେକର୍ଡ କରାଯାଇଛି ।

କେନ୍ଦୁଝର, ସୁନ୍ଦରଗଡ, କନ୍ଧମାଳ ଜିଲ୍ଲାରେ ଶନିବାର ରାତିରେ ବରଫ ଆସ୍ତରଣ ଦେଖିବାକୁ ମିଳିଛି। କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ କାଞ୍ଜିପାଣି ଅଞ୍ଚଳରେ ବରଫ ଆସ୍ତରଣ ପଡିଛି। ସୁନ୍ଦରଗଡର ବଣାଇ, ଟେନସା, କୋରଡା, ଡେଙ୍ଗୁଳାରେ ମଧ୍ୟ ବରଫ ଆସ୍ତରଣ ପଡିଛି। ଘାସ ଓ ବାହାରେ ରହିଥିବା ଗାଡିଗୁଡିକରେ ବରଫ ଆସ୍ତରଣ ଜମି ରହିଛି। ସେହିପରି କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡିରେ ତୁଷାରପାତ ହୋଇଥିବା ସୂଚନା ମିଳିଛି ।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ଦୁଇରୁ ତିନିଦିନ ଭିତରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୪ରୁ ୬ଡ଼ିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବା ସହ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ କୁହୁଡ଼ି ଅନୁଭୂତ ହେବ ବୋଲି ସୂଚନା ମିଳିଛି।

ଅନୁଗୁଳରେ ୪.୬ ଡିଗ୍ରୀ, ଫୁଲବାଣୀରେ ୫ ଡିଗ୍ରୀ, ଦାରିଙ୍ଗବାଡିରେ ୫.୫ ଡିଗ୍ରୀ, ଟିଟଲାଗଡରେ ୬.୧ ଡିଗ୍ରୀ, ଭବାନୀପାଟଣାରେ ୬.୫ ଡିଗ୍ରୀ, କେନ୍ଦୁଝରରେ ୬.୬ ଡିଗ୍ରୀ, ଝାରସୁଗୁଡାରେ ୭.୩ ଡିଗ୍ରୀ, ସମ୍ବଲପୁରରେ ୭.୪ ଡିଗ୍ରୀ, ବଲାଙ୍ଗିରରେ ୮ ଡିଗ୍ରୀ, ବାଲେଶ୍ଵରରେ ୮.୬ ଡିଗ୍ରୀ, କଟକରେ ୮.୮ ଡିଗ୍ରୀ, ସୁନ୍ଦରଗଡ ଓ ବାରିପଦାରେ ୯ ଡିଗ୍ରୀ, କୋରାପୁଟରେ ୯.୬ ଡିଗ୍ରୀ ରହିଛି।

ଗତ ସପ୍ତାହ ହେବ ସମଗ୍ର ରାଜ୍ୟରେ ପ୍ରବାହିତ ହେଉଥିବା ଶୀତଲହରୀ ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି । ହାଡ଼ଭଙ୍ଗା ଶୀତରେ ସାରା ଓଡ଼ିଶାରେ ସ୍ବାଭାବିକ ଜୀବନଯାତ୍ରା ପ୍ରଭାବିତ ହୋଇଛି। ପଶ୍ଚିମରୁ ଉପକୂଳ ଏବଂ ଉତ୍ତରରୁ ଦକ୍ଷିଣ ସବୁଠି ପାରଦ ଭୟଙ୍କର ଭାବେ ଖସୁଛି।

ଏହାଛଡ଼ା ନୂଆବର୍ଷ ଆରମ୍ଭରେ ଆସନ୍ତା ୧ତାରିଖରେ ରାଜ୍ୟରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.