Latest Odisha News

BREAKING NEWS

ଏଇଥି ପାଇଁ ଇସ୍ତଫା ଦେଇଥିଲେ ଜଗଦୀପ ଧନଖଡ଼ !

ନୂଆଦିଲ୍ଲୀ: କାହିଁକି ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଲେ ଜଗଦୀପ ଧନଖଡ଼? ଏହାକୁ ନେଇ ଗତ କିଛି ଦିନ ହେଲା ଅନେକ ଥିଓରୀ ନେଇ ଚର୍ଚ୍ଚା ଚାଲିଛି । ତେବେ ଜାତୀୟ ଗଣମାଧ୍ୟମରେ ଇସ୍ତଫା ପଛର ଚାଞ୍ଚଲ୍ୟକର କାରଣ ନେଇ ଚର୍ଚ୍ଚା ହେଉଛି । କୁହାଯାଉଛି, ବିଜେପି ଓ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ମଧ୍ୟରେ ଅବିଶ୍ବାସ ଏତେ ବଢି ଯାଇଥିଲା ଯେ, ବିଜେପି ଶୀର୍ଷ ନେତୃତ୍ବଙ୍କ ପାଖରେ ଆଉ କିଛି ବାଟ ନଥିଲା । ଏଭଳି ସ୍ଥିତିରେ କୁଆଡେ କେନ୍ଦ୍ର ସରକାରଙ୍କ ଜଣେ ବରିଷ୍ଠ ମନ୍ତ୍ରୀ ଉପରାଷ୍ଟ୍ରପତିଙ୍କୁ ଫୋନ୍ କରି ଇସ୍ତଫା ଦେବାକୁ କହିଥିଲେ । ଆଉ ଇସ୍ତଫା ନଦେଲେ ତାଙ୍କ ବିରୋଧରେ ସରକାର ଅନାସ୍ଥା ପ୍ରସ୍ତାବ ଆଣିବେ ବୋଲି କହିଥିବା ଚର୍ଚ୍ଚା ହେଉଛି । ତେବେ ପ୍ରଶ୍ନ ଉଠୁଛି, ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପଛର ଇନସାଇଡ୍ ଷ୍ଟୋରୀ କ’ଣ?

ସଚିବଙ୍କ ସାମନାରେ ମନ୍ତ୍ରୀଙ୍କୁ ଗାଳି !

ଉପରାଷ୍ଟ୍ରପତି ପଦରେ ଥିବା ବେଳେ ଅନେକ ମନ୍ତ୍ରୀଙ୍କୁ ଜଗଦୀପ ଧନଖଡ଼ ଗାଳି କରିଥିବା କୁହାଯାଉଛି । ଚର୍ଚ୍ଚା ହେଉଛି, ଥରେ ଜଣେ ମନ୍ତ୍ରୀ ତାଙ୍କୁ ଭେଟିବାକୁ ଯିବା ବେଳେ ଅନେକ ସଚିବ ସେଠାରେ ବସିଥିଲେ । ସଚିବଙ୍କ ସାମନାରେ ହିଁ ମନ୍ତ୍ରୀଙ୍କୁ ଗାଳି କରିବା ଆରମ୍ଭ କରିଥିଲେ ଧନଖଡ଼ । ଏହାପରେ ମନ୍ତ୍ରୀ ତାଙ୍କ ସହ ଏକାକୀ କଥା ହେବା ପାଇଁ କହିବା ସହ ସଚିବଙ୍କୁ ବାହାରକୁ ଯିବା ପାଇଁ କହିବାକୁ କହିଥିଲେ । ଯାହା କହିବାକୁ ଚାହୁଁଛନ୍ତି ସେକଥା ଏକା ଥିବା ବେଳେ କୁହନ୍ତୁ, ସମସ୍ତଙ୍କ ସାମନାରେ ନକହିବାକୁ ମନ୍ତ୍ରୀ ଜଣକ କହିଥିବା ଚର୍ଚ୍ଚା ହେଉଛି ।

ପ୍ରଧାନମନ୍ତ୍ରୀଙ୍କୁ ପଚାରିକି ଆସ !

ଜୁଲାଇ ୨୧ତାରିଖ ଦିନ ସାଢେ ୧୨ଟାରେ ବସିଥିବା ବିଜନେସ୍ ଆଡଭାଇଜରୀ କାଉନସିଲ ବୈଠକରେ ସରକାରଙ୍କ ପକ୍ଷରୁ ଜେପି ନଡ୍ଡା, କିରଣ ରିଜ୍ଜୁ, ଅର୍ଜୁନ ରାମ ମେଘାଓ୍ବଲ, ଏଲ୍ ମୁରୁଗନ ସାମିଲ ଥିଲେ । ଏଥିରେ ବିରୋଧୀ ଅପରେସନ୍ ସିନ୍ଦୂର ଚର୍ଚ୍ଚା ବେଳେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ ଉପସ୍ଥିତ ରହିବା ସହ ପ୍ରଧାନମନ୍ତ୍ରୀ ଜବାବ ରଖିବାକୁ ଦାବି କରୁଥିବା ଧନଖଡ଼ କହିଥିଲେ । ତେବେ ବିଏସି ପ୍ରସଙ୍ଗ ଓ ସମୟ ନିର୍ଣ୍ଣୟ କରେ, କିଏ ଜବାବ ଦେବେ ତାହା ସରକାର ସ୍ଥିର କରନ୍ତି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜ୍ଜୁ କହିଥିଲେ । ଏନେଇ ନିଷ୍ପତ୍ତି ହୋଇନପାରିବାରୁ ଧନଖଡ଼ ପ୍ରଧାନମନ୍ତ୍ରୀଙ୍କୁ ପଚାରି ଆସିବାକୁ ରିଜ୍ଜୁଙ୍କୁ କହିଥିବା ଚର୍ଚ୍ଚା ହେଉଛି । ଏହାପରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବୈଠକ ହୋଇଥିଲା । ସରକାରଙ୍କ ବରିଷ୍ଠ ମନ୍ତ୍ରୀ ଉପସ୍ଥିତ ଥିଲେ । ବୈଠକରେ ଧନଖଡ଼ଙ୍କୁ ମନାଇବାକୁ ସ୍ଥିର ହୋଇଥିଲା ।

ଇସ୍ତଫା ଦିଅ, ନହେଲେ…

ଅପରାହ୍ନରେ ହୋଇଥିବା ବିଏସିର ବୈଠକରେ ୬୩ଜଣ ବିରୋଧୀ ସାଂସଦ ଆଣିଥିବା ଜଷ୍ଟିସ ବର୍ମାଙ୍କୁ ଅପସାରଣ ମୋସନକୁ ଆଗକୁ ବଢାଇଥିଲେ ଧନଖଡ଼ । ଏହାପରେ ଗୃହମନ୍ତ୍ରୀ ଅମିତ ଶାହା ଓ ରାଜନାଥ ସିଂହ ବୈଠକ କରିବା ସହ ପ୍ରଧାନମନ୍ତ୍ରୀଙ୍କୁ ବ୍ରିଫ କରିଥିଲେ । ଲୋକସଭାରେ ସରକାର ସମସ୍ତ ବିରୋଧୀ ଦଳଙ୍କ ସହ ମିଶି ଅନାସ୍ଥା ପ୍ରସ୍ତାବ ଆଣିଥିଲେ । ହେଲେ ରାଜ୍ୟସଭାରେ ଧନଖଡ ଏପରି ନକରିବାକୁ ତାଙ୍କୁ ବୁଝାଇଥିଲେ ରିଜ୍ଜୁ । ଲୋକସଭାରେ ମିଳିତ ପ୍ରସ୍ତାବ ଥିବା ବେଳେ ପୂର୍ବରୁ କହିଥିଲେ ରାଜ୍ୟସଭାରେ ବି ମିଳିତ ପ୍ରସ୍ତାବ ଅଣାଯାଇ ପାରିଥାନ୍ତା । କିରଣ ରିଜ୍ଜୁ ଓ ଅର୍ଜୁନ ମେଘଓ୍ବାଲ ଧନଖଡ଼ଙ୍କୁ ବାରମ୍ବାର ବୁଝାଇଥିଲେ ମଧ୍ୟ ସେ ବୁଝିନଥିଲେ । ଏହାପରେ ସଂଧ୍ୟାରେ ଜଣେ ବରିଷ୍ଠ ମନ୍ତ୍ରୀ ଧନଖଡ଼ଙ୍କୁ ଫୋନ୍ କରି ଇସ୍ତଫା ଦେବାକୁ କହିଥିବା ଚର୍ଚ୍ଚା ହେଉଛି । ଏପରିକି ଇସ୍ତଫା ନଦେଲେ ତାଙ୍କ ବିରୋଧରେ ରାଜ୍ୟସଭାରେ ଅନାସ୍ଥା ପ୍ରସ୍ତାବ ଅଣାଯିବ ବୋଲି କୁହାଯାଇଥିଲା ।

ସଂସଦର ଗୃହକାର୍ଯ୍ୟ ସରିବା ପରେ ୧୦ଜଣ ମନ୍ତ୍ରୀଙ୍କ ଦଳ ପ୍ରସ୍ତୁତ କରାଯାଇଥିଲା । ପ୍ରତି ମନ୍ତ୍ରୀଙ୍କ ଘରେ ୧୦ଜଣ ଲେଖାଏଁ ସାଂସଦ ପହଞ୍ଚିଥିଲେ । ସେମାନଙ୍କୁ ପୂରା ଘଟଣା ନେଇ ବ୍ରିଫ୍ କରାଯାଇଥିଲା । ଗତ ୬ମାସ ହେଲା କେମିତି ଧନଖଡ଼ ସରକାରଙ୍କ ସହ ସମନ୍ବୟ ରକ୍ଷା କରିନାହାନ୍ତି ସେନେଇ ଆଲୋଚନା ହୋଇଥିଲା । ଧନଖଡ଼ଙ୍କୁ ଇସ୍ତଫା ଦେବାକୁ ଫୋନ୍ ଯିବା ପରେ ସେ ରାଷ୍ଟ୍ରପତି ଭବନକୁ ଯାଇଥିଲେ । ପଦରୁ ଇସ୍ତଫା ଦେବା ପରେ ସ୍ବାସ୍ଥ୍ୟଗତ କାରଣରୁ ଏଭଳି ନିଷ୍ପତ୍ତି ନେଇଥିବା ଏକ୍ସରେ ପୋଷ୍ଟ କରିଥିଲେ । ଧନଖଡ଼ଙ୍କ ଇସ୍ତଫା ପଛରେ ଅନେକ କାରଣ ନେଇ କୁହାଯାଉଥିବା ବେଳେ ଜାତୀୟ ଗଣମାଧ୍ୟମର ଏହି ରିପୋର୍ଟ ନୂଆ ଚର୍ଚ୍ଚାକୁ ଖୋରାକ ଯୋଗାଇଛି ।

Comments are closed.