ଭୁବନେଶ୍ୱର: ବିଳମ୍ବିତ ରାତି ଯାଏ ଚାଲିଲା ବିଧାନସଭା ଅଧିବେଶନ। ଦୀର୍ଘ ୪ ଘଣ୍ଟା ଧରି ଆଲୋଚନା ପରେ ଓଡ଼ିଶା ସରକାରୀ ବିଶ୍ବବିଦ୍ୟାଳୟ (ଶିକ୍ଷକ କ୍ୟାଡରରେ ସଂରକ୍ଷଣ) ବିଧେୟକ, ବିଲ୍ ୨୦୨୬ ଗୃହରେ ପାରିତ ହେଲା। ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଉତ୍ତର ଆଇନ ପ୍ରଣୟନ କରି ଖୁବଶୀଘ୍ର ସମସ୍ତ ଖାଲି ପଦବୀ ପୂରଣ କରାଯିବ। ଏସସି, ଏସଟି ଓ ଏସ୍ଇବିସିଙ୍କ ପ୍ରତିନିଧିତ୍ୱକୁ କରାଯିବ ସୁନିଶ୍ଚିତ।
ଲଗାତାର ୯ ଦିନର ଅଚଳାବସ୍ଥା ପରେ ମଙ୍ଗଳବାର ବିଧାନସଭା ସ୍ବାଭାବିକ ହୋଇଥିଲା। ପୂର୍ବାହ୍ଣରେ ବିଜୁ ବାବୁଙ୍କ ଉପରେ ଆଲୋଚନା ହୋଇଥିଲା ବେଳେ ବ୍ୟୟମଞ୍ଜୁରି ବିଲ୍ ଉପରେ ଲମ୍ବା ବିତର୍କ ହୋଇଥିଲା। ଶେଷ ପର୍ଯ୍ୟାୟରେ ପ୍ରାୟ ୪ ଘଣ୍ଟା ଧରି ଓଡ଼ିଶା ସରକାରୀ ବିଶ୍ବବିଦ୍ୟାଳୟ (ଶିକ୍ଷକ କ୍ୟାଡରରେ ସଂରକ୍ଷଣ) ବିଧେୟକ, ୨୦୨୬ ଉପରେ ବିଧାୟକମାନେ ଚର୍ଚ୍ଚା କରିଥିଲେ। ରାତି ଅଧ ପର୍ଯ୍ୟନ୍ତ ଆଲୋଚନା ହୋଇ ବିଲ୍ ପାରିତ ହୋଇଥିଲା। ସୂଚନାଯୋଗ୍ୟ ଯେ ପୂର୍ବରୁ ଅଧ୍ୟାଦେଶ ଆକାରରେ ଜାନୁଆରୀ ୩୦ ତାରିଖଠାରୁ ଏହା ବଳବତ୍ତର ରହିଛି।
ବିଲ୍ ସମ୍ପର୍କରେ ସୂଚନା ଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ, କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନଗୁଡ଼ିକ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ଶିକ୍ଷକ କ୍ୟାଡରରେ ସଂରକ୍ଷଣ ଆଇନ, ୨୦୧୯ ପାଳନ କରନ୍ତି, ଯାହା ସମଗ୍ର ବିଶ୍ବବିଦ୍ୟାଳୟକୁ ଏକକ ୟୁନିଟ୍ ଭାବରେ ବିବେଚନା କରେ। କିନ୍ତୁ ରାଜ୍ୟ ସରକାରୀ ବିଶ୍ବବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ନିଯୁକ୍ତିରେ ସଂରକ୍ଷଣ ପାଇଁ ରାଜ୍ୟରେ ଏପରି କୌଣସି ଆଇନ ନାହିଁ। ଏବେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ୨୦୮୬ ମଞ୍ଜୁରିପ୍ରାପ୍ତ ଶିକ୍ଷକ ପଦବି ଥିଲା ବେଳେ ଅଛନ୍ତି କେବଳ ୬୫୯ ଶିକ୍ଷକ।
ତେଣୁ ଏକ ଆଇନ ପ୍ରଣୟନ କରି ଖୁବଶୀଘ୍ର ସେହି ଖାଲି ପଦବୀ ପୂରଣ କରିବା ଆବଶ୍ୟକ ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ସଂରକ୍ଷଣ ନୀତି ଅନୁଯାୟୀ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ସାମାଜିକ, ଶିକ୍ଷାଗତ ଭାବରେ ପଛୁଆବର୍ଗ (ଏସ୍ଇବିସି) ଏବଂ ଅନ୍ୟାନ୍ୟ ଯୋଗ୍ୟ ବର୍ଗର ପ୍ରତିନିଧିତ୍ବ ସୁନିଶ୍ଚିତ କରିବା ପାଇଁ ‘ବିଶ୍ବବିଦ୍ୟାଳୟକୁ ଏକକ’ ଭାବରେ ଗ୍ରହଣ କରି ଏହି ଆଇନ ପ୍ରଣୟନ କରୁଛନ୍ତି।