କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ରବିବାର ଏକ ବଡ଼ ଘଟଣା ଦେଖିବାକୁ ମିଳିଛି। ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କ ଦ୍ୱାରା ଡକାଯାଇଥିବା ଦଳୀୟ ବିଧାୟକଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକକୁ ବାତିଲ କରାଯାଇଛି। ବୈଠକରେ ୮୦ ଜଣ ବିଧାୟକଙ୍କ ମଧ୍ୟରୁ ୬୦ ଜଣ ଅନୁପସ୍ଥିତ ରହିବା କାରଣରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି।
ଟିଏମସି ମୁଖପାତ୍ର କୁନାଲ ଘୋଷ ଏହି ଅନୁପସ୍ଥିତି ପାଇଁ ରାଜ୍ୟରେ ସୃଷ୍ଟି ହୋଇଥିବା ଜରୁରୀକାଳୀନ ପରିସ୍ଥିତିକୁ ଦାୟୀ କରିଛନ୍ତି। ଶନିବାର ସୋନାରପୁର ଠାରେ ନିର୍ବାଚନ ପରବର୍ତ୍ତୀ ହିଂସା ପ୍ରଭାବିତ ପରିବାରକୁ ଭେଟିବାକୁ ଯାଇଥିବା ବେଳେ ଦଳର ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କୁ ପଥର ମାଡ଼ କରାଯାଇଥିଲା। ଏହି ଆକ୍ରମଣରେ ତାଙ୍କ ଆଖିରେ ଗଭୀର ଆଘାତ ଲାଗିଥିଲା। ସେହିପରି ରବିବାର ହୁଗୁଳି ଜିଲ୍ଲାରେ ସାଂସଦ କଲ୍ୟାଣ ବାନାର୍ଜୀ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ।
ଏହିସବୁ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଜାରି ରହିଛି। ଅନେକ ବିଧାୟକ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ରହି ସ୍ଥିତି ନିୟନ୍ତ୍ରଣ କରୁଥିବାରୁ ସେମାନେ ବୈଠକରେ ସାମିଲ ହୋଇପାରିନଥିଲେ ବୋଲି କୁନାଲ ଘୋଷ କହିଛନ୍ତି। ବିଧାୟକମାନଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ବୈଠକକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ଅପରାହ୍ନ ୩ଟା ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଥିବା ୨୦ ଜଣ ବିଧାୟକଙ୍କ ସହ ମମତା ବାନାର୍ଜୀ ଆଲୋଚନା କରିଥିଲେ। ପରବର୍ତ୍ତୀ ସମୟରେ ଏହି ବୈଠକ ପୁଣି ଥରେ ଆୟୋଜନ କରାଯିବ।
ଦଳର ଶୀର୍ଷ ନେତାଙ୍କ ଉପରେ ହୋଇଥିବା ଆକ୍ରମଣକୁ ବିରୋଧ କରି ଟିଏମସି ଆଗାମୀ ଦୁଇ ଦିନ ପାଇଁ ବିକ୍ଷୋଭ ପ୍ରଦର୍ଶନକୁ ତୀବ୍ର କରିବ। ଜୁନ ୧ ତାରିଖରେ ବ୍ଲକ ତଥା ୱାର୍ଡ ସ୍ତରରେ ବିକ୍ଷୋଭ ଶୋଭାଯାତ୍ରା କରାଯିବ। ଏହା ସହିତ ଆସନ୍ତା ଜୁନ ୨ ତାରିଖରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ କୋଲକାତାରେ ଏକ ବିଶାଳ ଧାରଣାର ନେତୃତ୍ୱ ନେବେ ବୋଲି ଦଳ ପକ୍ଷରୁ ଘୋଷଣା କରାଯାଇଛି।