ଜୟପୁର: ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାରେ ଥିବା ‘କକ୍ରୋଚ୍ ଜନତା ପାର୍ଟି’ (ସିଜେପି) ର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ରାଜସ୍ଥାନର ଜୟପୁରରେ ଆକ୍ରମଣ କରାଯାଇଛି। ଜଣେ ଅଜ୍ଞାତ ଯୁବକ ତାଙ୍କୁ ସର୍ବସମ୍ମୁଖରେ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିବା ବେଳେ ପୋଲିସ ମାମଲାର ଯାଞ୍ଚ ଆରମ୍ଭ କରିଛି।
ସୂଚନା ଅନୁଯାୟୀ ଅଭିଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଜୟପୁର ଯାଇଥିଲେ। ସେଠାରେ ହଠାତ ଜଣେ ଯୁବକ ତାଙ୍କ ନିକଟକୁ ଆସି କୌଣସି କଥା ନକହି ସିଧାସଳଖ ତାଙ୍କ ଗାଲରେ ଚାପୁଡ଼ା ମାରିଥିଲେ। ଆକ୍ରମଣ କରିବା ପରେ ଉକ୍ତ ଯୁବକଜଣକ ସେଠାରୁ ଫେରାର ହୋଇଯାଇଥିଲେ। ସେଠାରେ ଉପସ୍ଥିତ ଥିବା ସମର୍ଥକ ଓ ସୁରକ୍ଷାକର୍ମୀ କିଛି ବୁଝିବା ପୂର୍ବରୁ ହିଁ ଏହି ଘଟଣା ଘଟିଥିଲା।
ଦେଶର ସୁପ୍ରିମକୋର୍ଟଙ୍କ ଏକ ମନ୍ତବ୍ୟ ପରେ ଅଭିଜିତ ଏହି ବ୍ୟଙ୍ଗାତ୍ମକ ରାଜନୈତିକ ଆନ୍ଦୋଳନ ବା ଦଳ ଗଠନ କରି ସାରା ଦେଶରେ ଚର୍ଚ୍ଚାକୁ ଆସିଛନ୍ତି। ବିଶେଷ କରି ବେକାରୀ ସମସ୍ୟା ଓ ନିକଟରେ ହୋଇଥିବା ନିଟ୍ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ବିରୋଧରେ ସେ ଦିଲ୍ଲୀର ଜନ୍ତର ମନ୍ତରରେ ବଡ଼ ପ୍ରତିବାଦ କରିଥିଲେ। ଏହି କାରଣରୁ ତାଙ୍କୁ ପୂର୍ବରୁ ମଧ୍ୟ ଅନେକ ଧମକ ମିଳିଥିବା ସେ ଅଭିଯୋଗ କରିଥିଲେ।
ଏହି ଆକ୍ରମଣ ଘଟଣାକୁ ନେଇ କକ୍ରୋଚ୍ ଜନତା ପାର୍ଟି ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି। ଗଣତାନ୍ତ୍ରିକ ଢଙ୍ଗରେ ଯୁବପିଢ଼ିଙ୍କ ସ୍ୱର ଉତ୍ତୋଳନ କରୁଥିବା ନେତାଙ୍କ ଉପରେ ଏଭଳି ଆକ୍ରମଣ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଦଳୀୟ ସଦସ୍ୟମାନେ କହିଛନ୍ତି। ଜୟପୁର ପୋଲିସ ଘଟଣାସ୍ଥଳର ସିସିଟିଭି ଫୁଟେଜ ଆଧାରରେ ଆକ୍ରମଣକାରୀ ଯୁବକକୁ ଚିହ୍ନଟ କରିବା ପାଇଁ ଅଭିଯାନ ଜାରି ରଖିଛି।
