ନୂଆଦିଲ୍ଲୀ: ଆଜିକାଲି ଫିଟ୍ ରହିବା ଏବଂ ମାଂସପେଶୀ ବୃଦ୍ଧି କରିବା ପାଇଁ ଲୋକମାନେ ନିଜ ଖାଦ୍ୟରେ ପ୍ରୋଟିନର ମାତ୍ରା ବଢ଼ାଇ ଦେଉଛନ୍ତି। ବିଶେଷ କରି ଜିମ୍ ଯାଉଥିବା ଯୁବପିଢ଼ିଙ୍କ ମଧ୍ୟରେ ପ୍ରୋଟିନ୍ ପାଉଡର ଏବଂ ହାଇ-ପ୍ରୋଟିନ୍ ଡାଏଟ୍ ର ଟ୍ରେଣ୍ଡ ଖୁବ୍ ଦେଖିବାକୁ ମିଳୁଛି। ପ୍ରୋଟିନ୍ ଆମ ଶରୀର ଗଠନ ପାଇଁ ଅତ୍ୟନ୍ତ ଜରୁରୀ, କିନ୍ତୁ ଆପଣ ଜାଣନ୍ତି କି ଆବଶ୍ୟକତା ଠାରୁ ଅଧିକ ପ୍ରୋଟିନ୍ ଗ୍ରହଣ କରିବା ଶରୀର ପାଇଁ ଲାଭଦାୟକ ହେବା ପରିବର୍ତ୍ତେ ଭୟଙ୍କର କ୍ଷତିକାରକ ସାବ୍ୟସ୍ତ ହୋଇପାରେ?
ନିକଟରେ ପ୍ରକାଶିତ କିଛି ସ୍ୱାସ୍ଥ୍ୟ ରିପୋର୍ଟ ଅନୁଯାୟୀ, ମାତ୍ରାଧିକ ପ୍ରୋଟିନ୍ ଯୋଗୁଁ ଶରୀରରେ ଅନେକ ଗମ୍ଭୀର ରୋଗ ସୃଷ୍ଟି ହେବାର ଆଶଙ୍କା ରହିଥାଏ। ଆସନ୍ତୁ ଜାଣିବା ହାଇ-ପ୍ରୋଟିନ୍ ଡାଏଟ୍ ଆମ ସ୍ୱାସ୍ଥ୍ୟ ଉପରେ କିପରି ଖରାପ ପ୍ରଭାବ ପକାଇଥାଏ।
ପ୍ରୋଟିନ୍ ହଜମ ହେବା ବା ମେଟାବୋଲିଜିମ୍ ସମୟରେ ଶରୀରରେ ନାଇଟ୍ରୋଜେନ୍ ସୃଷ୍ଟି ହୋଇଥାଏ। ଏହି ବର୍ଜ୍ୟବସ୍ତୁକୁ ଫିଲ୍ଟର୍ କରି ପରିସ୍ରା ବାଟେ ବାହାର କରିବା ପାଇଁ ଆମ କିଡନୀକୁ ଅଧିକ ପରିଶ୍ରମ କରିବାକୁ ପଡ଼ିଥାଏ। ଦୀର୍ଘ ଦିନ ଧରି ଅଧିକ ପ୍ରୋଟିନ୍ ଖାଇବା ଦ୍ୱାରା କିଡନୀ ଉପରେ ଚାପ ପଡ଼ିଥାଏ, ଯାହା ଫଳରେ କିଡନୀ ଷ୍ଟୋନ୍ ଏବଂ କ୍ରୋନିକ୍ କିଡନୀ ରୋଗ ହେବାର ଆଶଙ୍କା ବଢ଼ିଯାଏ।
ଅଧିକାଂଶ ଲୋକ ପ୍ରୋଟିନ୍ ପାଇଁ ରେଡ୍ ମିଟ୍ (ନାଲି ମାଂସ) ଏବଂ ଫୁଲ୍-ଫ୍ୟାଟ୍ ଡାଏରୀ ପ୍ରଡକ୍ଟ ଖାଇବାକୁ ପସନ୍ଦ କରନ୍ତି। ଏଥିରେ ପ୍ରଚୁର ପରିମାଣରେ ସାଚୁରେଟେଡ୍ ଫ୍ୟାଟ୍ ଏବଂ କୋଲେଷ୍ଟ୍ରୋଲ୍ ଥାଏ। ଏଗୁଡ଼ିକର ମାତ୍ରାଧିକ ସେବନ ଦ୍ୱାରା ରକ୍ତନଳୀରେ ଚର୍ବି ଜମି ହାର୍ଟ ଆଟାକ୍ ଓ ହୃଦରୋଗର ଆଶଙ୍କା ବହୁଗୁଣିତ ହୋଇଯାଏ।
ଉଚ୍ଚ ପ୍ରୋଟିନ୍ ଯୁକ୍ତ ଖାଦ୍ୟରେ ସାଧାରଣତଃ ଫାଇବର (Fiber) ର ପରିମାଣ ବହୁତ କମ୍ ଥାଏ। ଫାଇବର ଅଭାବରୁ ଖାଦ୍ୟ ସଠିକ୍ ଭାବରେ ହଜମ ହୋଇପାରେ ନାହିଁ, ଯାହା ଫଳରେ ଗ୍ୟାସ୍, ବଦହଜମି, ପେଟ ଫୁଲିବା ଏବଂ ଗମ୍ଭୀର କୋଷ୍ଠକାଠିନ୍ୟ (Constipation) ଭଳି ସମସ୍ୟା ନିତିଦିନିଆ ହୋଇଯାଏ।
ଅଧିକ ପ୍ରୋଟିନ୍ ଖାଇଲେ ଏହାକୁ ଫିଲ୍ଟର୍ କରିବାକୁ ଶରୀରକୁ ଅଧିକ ଜଳର ଆବଶ୍ୟକତା ପଡ଼ିଥାଏ, ଯାହା ଫଳରେ ବାରମ୍ବାର ପରିସ୍ରା ଲାଗେ। ଏହାଦ୍ୱାରା ଶରୀରରେ ଜଳୀୟ ଅଂଶ କମିଯାଇ ଡିହାଇଡ୍ରେସନ୍ ହୋଇପାରେ।
ବିଶେଷଜ୍ଞଙ୍କ ମତରେ, ଅତ୍ୟଧିକ ପ୍ରୋଟିନ୍ ଗ୍ରହଣ କଲେ ଶରୀରରୁ କ୍ୟାଲସିୟମ୍ ପରିସ୍ରା ଆକାରରେ ବାହାରିଯାଏ। କ୍ୟାଲସିୟମ୍ ଅଭାବରୁ ହାଡ଼ ଦୁର୍ବଳ ହୋଇଯାଏ ଏବଂ ଭବିଷ୍ୟତରେ ଅଷ୍ଟିଓପୋରୋସିସ୍ ଭଳି ଗଣ୍ଠି ଓ ହାଡ଼ ରୋଗ ଦେଖାଦେଇଥାଏ।
ଲୋକେ ଭାବନ୍ତି ପ୍ରୋଟିନ୍ ଖାଇଲେ ଓଜନ କମେ, କିନ୍ତୁ ଆବଶ୍ୟକତା ଠାରୁ ଅଧିକ କ୍ୟାଲୋରୀ ଓ ପ୍ରୋଟିନ୍ ନେଲେ ତାହା ଶରୀରରେ ଫ୍ୟାଟ୍ ବା ଚର୍ବି ଆକାରରେ ସଞ୍ଚିତ ହୋଇ ରହେ, ଯାହା ଶେଷରେ ମୋଟାପଣର କାରଣ ସାଜେ।
ସୁସ୍ଥ ରହିବା ପାଇଁ ଶରୀରକୁ ସମସ୍ତ ପୋଷକ ତତ୍ତ୍ୱ ସମାନ ପରିମାଣରେ ଦରକାର। କେବଳ ପ୍ରୋଟିନ୍ ଉପରେ ନିର୍ଭର ନକରି ନିଜ ଖାଦ୍ୟରେ କାର୍ବୋହାଇଡ୍ରେଟ୍, ଫ୍ୟାଟ୍ ଏବଂ ଭିଟାମିନ୍ ଯୁକ୍ତ ସନ୍ତୁଳିତ ଆହାର ସାମିଲ କରନ୍ତୁ। କୌଣସି ବି ନୂଆ ଡାଏଟ୍ ଆରମ୍ଭ କରିବା ପୂର୍ବରୁ ଜଣେ ଅଭିଜ୍ଞ ଡାକ୍ତର କିମ୍ବା ଡାଏଟିସିଆନଙ୍କ ପରାମର୍ଶ ନିହାତି ନିଅନ୍ତୁ।