ବିବାଦ ମଧ୍ୟରେ ସରକାରଙ୍କ ସ୍ପଷ୍ଟୀକରଣ: ‘ପ୍ରଥମ ଶ୍ରେଣୀ ପାଠ୍ୟପୁସ୍ତକରେ କୌଣସି ତ୍ରୁଟି ନାହିଁ’, କହିଲେ ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟରେ ନୂଆ ପାଠ୍ୟପୁସ୍ତକରେ ହୋଇଥିବା ବ୍ୟାପକ ତ୍ରୁଟିକୁ ନେଇ ଲାଗି ରହିଥିବା ବିବାଦ ମଧ୍ୟରେ ରାଜ୍ୟ ସରକାର ଏକ ବଡ଼ ସ୍ପଷ୍ଟୀକରଣ ରଖିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସ୍ପଷ୍ଟ କରିଛନ୍ତି ଯେ, ପ୍ରଥମ ଶ୍ରେଣୀ ପାଠ୍ୟପୁସ୍ତକରେ କୌଣସି ପ୍ରକାର ତ୍ରୁଟି ନାହିଁ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବହିରେ ପ୍ରାୟ ୧,୬୦୦ରୁ ଅଧିକ ଭୁଲ୍ ଥିବା ନେଇ ବିରୋଧୀ ଏବଂ ବିଭିନ୍ନ ସଙ୍ଗଠନ ପକ୍ଷରୁ ଯେଉଁ ଅଭିଯୋଗ ହେଉଛି, ତାହାକୁ ବିଭାଗ ପକ୍ଷରୁ ଖଣ୍ଡନ କରାଯାଇଛି। ବିଶେଷ କରି ପ୍ରଥମ ଶ୍ରେଣୀ ବହିରେ ତ୍ରୁଟି ଥିବା ନେଇ ଯେଉଁ ଗୁଜବ ସୃଷ୍ଟି ହୋଇଛି, ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ମନ୍ତ୍ରୀ ଦୃଢ଼ତାର ସହ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ ଯେ, ଜାତୀୟ ଶିକ୍ଷା ନୀତି ଆଧାରରେ ନିକଟରେ ଛାପା ହୋଇଥିବା ନୂତନ ପାଠ୍ୟପୁସ୍ତକଗୁଡ଼ିକରେ ଅନେକ ସାଂଘାତିକ ଭୁଲ୍ ଦେଖିବାକୁ ମିଳିଥିଲା। ମହାନ ବୈଜ୍ଞାନିକ ଆଇଜାକ୍ ନ୍ୟୁଟନଙ୍କୁ ଜଣେ ‘ପାଇଲଟ୍’ ବୋଲି ଦର୍ଶାଯିବା, ଜାତୀୟ ସଙ୍ଗୀତ ଓ ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ରେ ଶବ୍ଦଗତ ତ୍ରୁଟି ରହିବା ଏବଂ ଓଡ଼ିଶା ବିଧାନସଭା ବଦଳରେ କର୍ଣ୍ଣାଟକ ବିଧାନସଭାର ଫଟୋ ଛପାଯିବା ଭଳି ଘଟଣା ସାମ୍ନାକୁ ଆସିଥିଲା। ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହେବା ସହ ବିରୋଧୀ ଦଳ ଓ ଛାତ୍ର କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ। ଓଡ଼ିଆ ଅସ୍ମିତା ଓ କୋମଳମତି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ସରକାର ଖେଳୁଛନ୍ତି ବୋଲି ଅଭିଯୋଗ ହୋଇଥିଲା।
ତେବେ ଏହି ସମସ୍ତ ଅଭିଯୋଗର ଉତ୍ତର ରଖି ଗଣଶିକ୍ଷା ବିଭାଗ ଏବଂ ମନ୍ତ୍ରୀ କହିଛନ୍ତି ଯେ, ଗଣମାଧ୍ୟମ ଏବଂ ସୋସିଆଲ୍ ମିଡିଆରେ ତ୍ରୁଟି ସଂଖ୍ୟାକୁ ବଢ଼ାଇଚଢ଼ାଇ କୁହାଯାଉଛି। ଅନ୍ୟ ଶ୍ରେଣୀର ବହିଗୁଡ଼ିକରେ ଯେଉଁଠି ପ୍ରକୃତରେ ଛାପାଗତ ବା ତଥ୍ୟଗତ ଭୁଲ୍ ରହିଛି, ତାହାକୁ ସରକାର ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛନ୍ତି। ପିଲାମାନଙ୍କ ପାଠପଢ଼ା ଯେପରି ବାଧାପ୍ରାପ୍ତ ନହୁଏ, ସେଥିପାଇଁ ତୁରନ୍ତ ସମସ୍ତ ସ୍କୁଲକୁ ‘କରେକ୍ସନ୍ ସିଟ୍’ (ସଂଶୋଧନ ତାଲିକା) ପଠାଯାଇଛି ଏବଂ ଖୁବଶୀଘ୍ର ଛାତ୍ରଛାତ୍ରୀମାନଙ୍କୁ ସଂଶୋଧିତ ନୂଆ ବହି ପ୍ରଦାନ କରାଯିବ।
ଅନ୍ୟପକ୍ଷରେ ଏହି ପାଠ୍ୟପୁସ୍ତକ ବିଭ୍ରାଟ ପଛରେ କୌଣସି ବଡ଼ ଷଡ଼ଯନ୍ତ୍ର ଥିବା ସନ୍ଦେହ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଉଦ୍ଦେଶ୍ୟମୂଳକ ଭାବେ ନୂଆ ସରକାରଙ୍କୁ ବଦନାମ କରିବା ପାଇଁ ଏଭଳି ତ୍ରୁଟିପୂର୍ଣ୍ଣ ବହି ଛପାଯାଇଛି କି ନାହିଁ, ତାହାର ଖୋଳତାଡ଼ ଆରମ୍ଭ ହୋଇଛି। ଇତିମଧ୍ୟରେ ଉନ୍ନୟନ କମିଶନରଙ୍କ ନେତୃତ୍ୱରେ ଗଠିତ ଉଚ୍ଚସ୍ତରୀୟ କମିଟିର ରିପୋର୍ଟ ଆଧାରରେ ବିଭାଗର କିଛି ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇସାରିଛି। ଭବିଷ୍ୟତରେ ଯେପରି ଏହାର ପୁନରାବୃତ୍ତି ନଘଟେ, ସେଥିପାଇଁ ଆଗକୁ ଆହୁରି କଡ଼ା ପଦକ୍ଷେପ ନିଆଯିବ ବୋଲି ସରକାର ପ୍ରତିଶ୍ରୁତି ଦେଇଛନ୍ତି।