ନୂଆଦିଲ୍ଲୀ: ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀ ଏବଂ ଫିଟନେସ୍ ସଚେତନତା ମଧ୍ୟରେ ‘ବୁଲେଟପ୍ରୁଫ୍ କଫି’ର ଲୋକପ୍ରିୟତା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବିଶେଷ କରି ଓଜନ କମାଇବା ଏବଂ କିଟୋ ଡାଏଟ୍ ଅନୁସରଣ କରୁଥିବା ଲୋକଙ୍କ ପାଇଁ ଏହା ଏକ ଚମତ୍କାର ତଥା ଫଳପ୍ରଦ ପାନୀୟ ପାଲଟିଛି । ସାଧାରଣ କଫି ଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ । ବ୍ଲାକ୍ କଫି ସହିତ ଲହୁଣୀ ଏବଂ ନଡ଼ିଆ ତେଲ ମିଶାଇ ଏହି ସ୍ୱତନ୍ତ୍ର କଫି ପ୍ରସ୍ତୁତ କରାଯାଏ, ଯାହାକି ଶରୀରକୁ ତୁରନ୍ତ ଶକ୍ତି ଯୋଗାଇବା ସହ ମେଦବହୁଳତା ହ୍ରାସ କରିବାରେ ବେଶ୍ ସହାୟକ ହୋଇଥାଏ ।
ଘରେ ବୁଲେଟପ୍ରୁଫ୍ କଫି ପ୍ରସ୍ତୁତ କରିବା ବହୁତ ସହଜ ଏବଂ ସରଳ
- ପ୍ରଥମେ ଗୋଟିଏ କପ୍ ଫୁଟନ୍ତା ପାଣିରେ କଫି ପାଉଡର ପକାଇ ନିଜ ପସନ୍ଦର ବ୍ଲାକ୍ କଫି କିମ୍ବା ଫିଲ୍ଟର୍ କଫି ପ୍ରସ୍ତୁତ କରନ୍ତୁ
- ଏବେ ଏକ ବ୍ଲେଣ୍ଡର ନେଇ ସେଥିରେ ପ୍ରସ୍ତୁତ ହୋଇଥିବା ଗରମ ବ୍ଲାକ୍ କଫିକୁ ଢାଳନ୍ତୁ
- ସେଥିରେ ୧ ରୁ ୨ ଚାମଚ ଲୁଣମୁକ୍ତ ଲହୁଣୀ କିମ୍ବା ଶୁଦ୍ଧ ଗାଈ ଘିଅ ପକାନ୍ତୁ
- ଏହାପରେ ସେଥିରେ ୧ ଚାମଚ ଭର୍ଜିନ୍ ନଡ଼ିଆ ତେଲ ବା ଏମସିଟି ଅଏଲ୍ ମିଶାନ୍ତୁ
- ଏବେ ଏହି ସମସ୍ତ ମିଶ୍ରଣକୁ ପ୍ରାୟ ୨୦-୩୦ ସେକେଣ୍ଡ୍ ପର୍ଯ୍ୟନ୍ତ ଭଲ ଭାବରେ ବ୍ଲେଣ୍ଡ୍ କରନ୍ତୁ, ଯେପରିକି ଏହା ଉପରେ ଏକ ମୋଟା ଫେଣ ସୃଷ୍ଟି ହେବ ଏବଂ ଏହାର ରଙ୍ଗ ହାଲୁକା ବାଦାମୀ ହୋଇଯିବ
- ପ୍ରସ୍ତୁତ ହୋଇଗଲା ଆପଣଙ୍କର ସ୍ୱାସ୍ଥ୍ୟକର ବୁଲେଟପ୍ରୁଫ୍ କଫି। ଏହାକୁ ଗରମ ଗରମ ପିଇବାର ମଜା ନିଅନ୍ତୁ ମନେରଖନ୍ତୁ, ଏଥିରେ ଚିନିର ବ୍ୟବହାର କରାଯାଏ ନାହିଁ
ଏହି ସ୍ୱତନ୍ତ୍ର କଫି ପିଇବା ଦ୍ୱାରା ଶରୀରକୁ ପ୍ରଚୁର ମାତ୍ରାରେ ସୁସ୍ଥକର ଫ୍ୟାଟ୍ ମିଳିଥାଏ । ସକାଳ ଜଳଖିଆ ବଦଳରେ ଏହାକୁ ପିଇବା ଦ୍ୱାରା ପେଟ ଦୀର୍ଘ ସମୟ ପର୍ଯ୍ୟନ୍ତ ଭର୍ତ୍ତି ରହିଥାଏ, ଫଳରେ ବାରମ୍ବାର ଭୋକ ଲାଗିନଥାଏ । ଅତିରିକ୍ତ ଖାଦ୍ୟ ନଖାଇବା ଯୋଗୁଁ ଓଜନ ନିୟନ୍ତ୍ରଣ କରିବାରେ ଏହା ଆଶ୍ଚର୍ଯ୍ୟଜନକ ଭାବେ କାମ କରେ । ଡାଏଟ୍ କରୁଥିବା ବ୍ୟକ୍ତିଙ୍କ ଶରୀରରେ ଏହା କାର୍ବୋହାଇଡ୍ରେଟ୍ ବଦଳରେ ସିଧାସଳଖ ଚର୍ବି ଜାଳି ଶକ୍ତି ଉତ୍ପନ୍ନ କରିଥାଏ । କେବଳ ସେତିକି ନୁହେଁ, ବୁଲେଟପ୍ରୁଫ୍ କଫି ମସ୍ତିଷ୍କକୁ ସକ୍ରିୟ ରଖିବା ସହ ଦିନସାରା କାମରେ ଏକାଗ୍ରତା ବୃଦ୍ଧି କରିଥାଏ । ସାଧାରଣ କଫି ପିଇଲେ ଶରୀରରେ ଯେଉଁ ହଠାତ୍ କ୍ଳାନ୍ତି ଅନୁଭବ ହୁଏ, ଏହା ପିଇଲେ ତାହା ହୁଏ ନାହିଁ ।
ତେବେ ଡାଏଟିସିଆନ୍ ଓ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ବୁଲେଟପ୍ରୁଫ୍ କଫିରେ କ୍ୟାଲୋରୀ ଏବଂ ସାଚୁରେଟେଡ୍ ଫ୍ୟାଟର ମାତ୍ରା ଅଧିକ ରହିଥାଏ । ତେଣୁ ଏହାକୁ ସୀମିତ ମାତ୍ରାରେ ଏବଂ ସଠିକ୍ ଡାଏଟ୍ ପ୍ଲାନ୍ ସହ ପିଇବା ଉଚିତ୍ । ହୃଦରୋଗ କିମ୍ବା ଉଚ୍ଚ କୋଲେଷ୍ଟ୍ରଲ୍ ସମସ୍ୟା ଥିବା ବ୍ୟକ୍ତି ଏହାକୁ ପିଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ବାଞ୍ଛନୀୟ ।

