କରାଚୀ: ଏସିଆନ୍ ଗେମ୍ସ ର ପୁରୁଷ କ୍ରିକେଟ୍ ମ୍ୟାଚ ପୂର୍ବରୁ ପାକିସ୍ତାନ ଦଳର ମୁଖ୍ୟ କୋଚ୍ ମାଇକ୍ ହେସନ୍ ଭାରତୀୟ କ୍ରିକେଟ୍ ଦଳର ଭୂୟସୀ ପ୍ରଶଂସା କରିଛନ୍ତି। ବିଶ୍ବ କ୍ରିକେଟ୍ରେ ଭାରତୀୟ ଦଳର ଦବ୍ଦବାକୁ ସ୍ବୀକାର କରି ପାକ କୋଚ୍ କହିଛନ୍ତି ଯେ, ସୀମିତ ଓଭର କ୍ରିକେଟ୍ରେ ବର୍ତ୍ତମାନ ଭାରତ ସାରା ବିଶ୍ବ ପାଇଁ ଏକ ‘ବେଞ୍ଚମାର୍କ’ ବା ମାନଦଣ୍ଡ ସାଜିଛି । ସେମାନଙ୍କ ସ୍ତରରେ ପହଞ୍ଚିବା ଏବଂ ସେମାନଙ୍କୁ କଡ଼ା ଟକ୍କର ଦେବା ପାକିସ୍ତାନ ପାଇଁ ସବୁଠାରୁ ବଡ଼ ଆହ୍ବାନ।
ଜାପାନରେ ଆୟୋଜିତ ହେଉଥିବା ଏସିଆନ୍ ଗେମ୍ସ ପାଇଁ ଦଳ ପ୍ରସ୍ଥାନ କରିବା ପୂର୍ବରୁ କରାଚୀଠାରେ ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ହେସନ୍ ଏହି ବକ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି, ” ସୀମିତ ଓଭର କ୍ରିକେଟ୍ରେ ଭାରତୀୟ ଦଳ ସମସ୍ତଙ୍କ ପାଇଁ ଏକ ଆଦର୍ଶ । ଆମର ମୁଖ୍ୟ ଲକ୍ଷ୍ୟ ହେଉଛି ସେମାନଙ୍କ ସମକକ୍ଷ ହେବା।” ଯଦି ଏସିଆନ୍ ଗେମ୍ସରେ ଫାଇନାଲରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୁଅନ୍ତି, ତେବେ ପାକିସ୍ତାନୀ ଦଳ ଭାରତ ଉପରେ ଚାପ ସୃଷ୍ଟି କରିବାକୁ ପୂର୍ଣ୍ଣ ପ୍ରସ୍ତୁତି କରୁଛି ବୋଲି ହେସନ୍ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ଖାସ୍ କରି ଟି -୨୦ରେ ଭାରତ ସହ ପାକିସ୍ତାନର ରେକର୍ଡ ନିରାଶାଜନକ ରହିଛି। ଗତ ୬ଟି ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ରେ ଭାରତ ପାକିସ୍ତାନକୁ ପରାସ୍ତ କରିଛି । ତଥାପି, ବାବର ଆଜମ୍, ଶାହୀନ୍ ଆଫ୍ରିଦୀ ଓ ମହମ୍ମଦ ରିଜୱାନ୍ଙ୍କ ଅନୁପସ୍ଥିତି ସତ୍ତ୍ବେ ଏସିଆନ୍ ଗେମ୍ସରେ ପାକିସ୍ତାନର ଯୁବ ଦଳ ଭଲ ପ୍ରଦର୍ଶନ କରିବ ବୋଲି ହେସନ୍ ଆଶାବାଦୀ ଅଛନ୍ତି।

