ନୂଆଦିଲ୍ଲୀ: ଚଳିତ ବର୍ଷ ମେଡିସିନ୍ କ୍ଷେତ୍ରରେ ୩ ବୈଜ୍ଞାନିକଙ୍କୁ ମିଳିବ ନୋବେଲ ପୁରସ୍କାର। ଜଣେ ଆମେରିକୀୟ ଓ ଦୁଇ ଜର୍ମାନ ବୈଜ୍ଞାନିକଙ୍କୁ ମେଡିସିନରେ ନୋବେଲ ପୁରସ୍କାର ୨୦୨୬ ଘୋଷଣା ହୋଇଛି। ସେମାନେ ହେଉଛନ୍ତି – କାର୍ଲ ଡିସେରୋଥ, ପିଟର ହେଗେମାନ ଏବଂ ଜର୍ଜ ନାଗେଲ। ଅତ୍ୟନ୍ତ ସୂକ୍ଷ୍ମତାର ସହ ମସ୍ତିଷ୍କର ସ୍ନାୟୁ ଉପରେ ବିଶେଷ ଗବେଷଣା ପାଇଁ ଏହି ତିନି ବୈଜ୍ଞାନିକଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯିବ।
ଆଲୋକ ଦ୍ୱାରା ନିୟନ୍ତ୍ରିତ ଆୟନ୍ ଚ୍ୟାନେଲ୍ ଏବଂ ‘ଅପ୍ଟୋଜେନେଟିକ୍ସ’ (Optogenetics) ସମ୍ପର୍କିତ ଯୁଗାନ୍ତକାରୀ ଆବିଷ୍କାର ପାଇଁ ସେମାନଙ୍କୁ ଏହି ନୋବେଲ ପୁରସ୍କାର ମିଳିବ। ସ୍ୱିଡେନର ପ୍ରସିଦ୍ଧ କାରୋଲିନସ୍କା ଇନ୍ଷ୍ଟିଚ୍ୟୁଟର ନୋବେଲ ଆସେମ୍ବ୍ଲି ପକ୍ଷରୁ ଆନୁଷ୍ଠାନିକ ଭାବେ ଏହି ନାମ ଘୋଷଣା କରାଯାଇଛି। ଓପ୍ଟୋଜେନେଟିକ୍ସ ହେଉଛି ଏକ ବୈଜ୍ଞାନିକ ପ୍ରଣାଳୀ, ଯାହା ସାହାଯ୍ୟରେ ଆଲୋକ ବ୍ୟବହାର କରି ନିର୍ଦ୍ଦିଷ୍ଟ ନ୍ୟୁରନ୍ ବା ତାନ୍ତ୍ରିକ କୋଷିକାର କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରାଯାଇପାରେ। ଏହାଦ୍ୱାରା କେଉଁ ନ୍ୟୁରନ୍ କେଉଁ କାମ କରୁଛି ଏବଂ ମସ୍ତିଷ୍କର ନିର୍ଦ୍ଦିଷ୍ଟ ସର୍କିଟ୍ କିପରି ସ୍ମୃତି, ଭାବନା ଓ ବ୍ୟବହାରକୁ ପ୍ରଭାବିତ କରୁଛି, ତାହା ଅଧିକ ସଠିକ୍ ଭାବେ ଅଧ୍ୟୟନ କରିବା ସମ୍ଭବ ହୋଇଛି।
ପୂର୍ବରୁ ମସ୍ତିଷ୍କର ଅନେକ ନ୍ୟୁରନ୍ ଏକାସାଙ୍ଗରେ ସକ୍ରିୟ ହେଉଥିବାରୁ କୌଣସି ନିର୍ଦ୍ଦିଷ୍ଟ କୋଷିକାର ଭୂମିକା ଜାଣିବା କଷ୍ଟକର ଥିଲା। କିନ୍ତୁ ଓପ୍ଟୋଜେନେଟିକ୍ସ ମାଧ୍ୟମରେ ଚୟନିତ ନ୍ୟୁରନ୍କୁ ଆଲୋକରେ ସକ୍ରିୟ କିମ୍ବା ନିଷ୍କ୍ରିୟ କରି ତାହାର ପ୍ରଭାବ ଅଧ୍ୟୟନ କରିହେଉଛି। ଏହା ମସ୍ତିଷ୍କର କାର୍ଯ୍ୟପ୍ରଣାଳୀ ବୁଝିବାରେ ଗବେଷକଙ୍କୁ ନୂଆ ଉପାୟ ଦେଇଛି। ଏହି ପ୍ରଯୁକ୍ତି ମାଧ୍ୟମରେ ସ୍ମୃତି, ଭାବନା, ବ୍ୟବହାର, ଯନ୍ତ୍ରଣା ଓ ବିଭିନ୍ନ ମସ୍ତିଷ୍କ ସର୍କିଟ୍ ଉପରେ ଗବେଷଣା ଆହୁରି ସଠିକ୍ ହୋଇଛି। ଡିପ୍ରେସନ୍, ପାର୍କିନସନ୍ସ୍, ଏପିଲେପ୍ସି ଓ ଦୀର୍ଘକାଳୀନ ଯନ୍ତ୍ରଣା ଭଳି ରୋଗ ସହ ଜଡ଼ିତ ନ୍ୟୁରାଲ୍ ସର୍କିଟ୍ ବୁଝିବାରେ ମଧ୍ୟ ଏହି ପ୍ରଯୁକ୍ତି ଗବେଷଣାର ନୂଆ ଦିଗ ଖୋଲିଛି। ତେବେ ଏହାକୁ ଏବେ ମୁଖ୍ୟତଃ ଏକ ଗବେଷଣା ଉପକରଣ ଭାବେ ଦେଖାଯାଉଛି।
ଏହି ତିନି ଜଣ ବୈଜ୍ଞାନିକଙ୍କ ଗବେଷଣା ‘ଅପ୍ଟୋଜେନେଟିକ୍ସ’ର ମୂଳଦୁଆ ପକାଇଥିଲା। ନୋବେଲ କମିଟିର ମତରେ, ଏହି ତିନି ବୈଜ୍ଞାନିକଙ୍କ ଆବିଷ୍କାର ଜୀବନ୍ତ ମସ୍ତିଷ୍କର ନ୍ୟୁରନ୍ଗୁଡ଼ିକୁ ନିୟନ୍ତ୍ରଣ କରି ସେମାନଙ୍କ କାର୍ଯ୍ୟ ବୁଝିବାର ଏକ ନୂଆ ରାସ୍ତା ଖୋଲିଛି। ୨୦୨୬ର ମେଡିସିନ୍ ନୋବେଲରେ ଏହି ଗବେଷଣାକୁ ମିଳିଥିବା ସ୍ୱୀକୃତି ନ୍ୟୁରୋସାଇନ୍ସ ଓ ଭବିଷ୍ୟତର ଚିକିତ୍ସା ଗବେଷଣା ପାଇଁ ମଧ୍ୟ ଗୁରୁତ୍ୱ ବହନ କରୁଛି।

