Latest Odisha News

BREAKING NEWS

ବେଆଇନ ଖଣି ଖନନ: ଯାଜପୁର ଡ଼ଙ୍କାରୀ ପାହାଡ଼ରେ ଚଢଉ

ଧର୍ମଶାଳା: ଯାଜପୁର ଜିଲ୍ଲା ପ୍ରଶାସନ ଧର୍ମଶାଳା ବ୍ଲକରେ ବେଆଇନ ଖଣି ଖନନକୁ ବନ୍ଦ କରିବାକୁ ଦୃଢ ପଦକ୍ଷେପ ନେଇ ନିକଟସ୍ଥ ଡ଼ଙ୍କାରୀ ପାହାଡ଼ରେ ସୋମବାର ଦିନ ଚଢଉ କରିଛନ୍ତି ।

ମିଳିଥିବା ସୂଚନାନୁଯାୟୀ, ଯାଜପୁର ଜିଲ୍ଲାପାଳ, ଉପ-ଜିଲ୍ଲାପାଳ, ଏସପି, ଏଡ଼ିଏମଙ୍କ ତତ୍ତ୍ୱାବଧାନରେ ତଥା ଜଙ୍ଗଲ ଓ ପରିବେଶ ବିଭାଗର ବରିଷ୍ଠ ପଦାଧିକାରୀ, ଖଣି ଓ ଶକ୍ତି ବିଭାଗର ପଦାଧିକାରୀ ଏବଂ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ବରିଷ୍ଠ ଅଫିସରଙ୍କ ଉପସ୍ଥିତିରେ ଏହି ଚଢଉ କାର୍ଯ୍ୟ କରାଯାଇଛି ।

ଏହି ଚଢଉ ସମୟରେ ଶାନ୍ତି ଶୃଙ୍ଖଳା ବ୍ୟାହତ ନ ହେବାକୁ ଦୃଷ୍ଟିରେ ରଖି ପାହାଡ଼ ଚାରିକଡ଼ରେ ପୋଲିସ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯିବା ସହିିତ ୩ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି ।

ଜିଲ୍ଲାପାଳ ଏହି ଚଢଉ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, “ଓଏସପିବିସି ଦ୍ୱାରା ଖଣି ଖନନ କରିବାକୁ ୪ଟି ଖଣି ଅଞ୍ଚଳ ଖନନ କରିବାକୁ ଅଧିକାର ମିଳିଥିଲେ ମଧ୍ୟ ଡ଼ଙ୍କାରୀ ପାହାଡ଼ର ୧୬ଟି ସ୍ଥାନରେ ଖଣି ଖନନ ଚାଲିଥିବାର ସୂଚନା ମିଳିଛ”ି । ଆଜି ସମସ୍ତ ଖନନ ଅଞ୍ଚଳଗୁଡ଼ିକୁ ସିଲ୍ କରି ଦିଆଯାଇଥିବା କଥା କହିଛନ୍ତି ଜିଲ୍ଲାପାଳ ।

ଏହି ଚଢଉ ଛଡ଼ା ମାଇନିଂ ଅଞ୍ଚଳରେ ଥିବା କ୍ରସର ୟୁନିଟ୍ ଉପରେ ମଧ୍ୟ ପ୍ରଶାସନ ପକ୍ଷରୁ ଚଢଉ କରାଯାଇଛି । ଏସମ୍ପର୍କରେ ଅଧିକାରୀମାନେ ଏହି ୟୁନିଟ ଗୁଡ଼ିକର କାଗଜପତ୍ର ତନଖି କରୁଛନ୍ତି ।

ଯାଜପୁର ଜିଲ୍ଲାର ଆରଟିଆଇ କର୍ମୀ ତଥା ସାମାଜିକ କର୍ମୀ ସର୍ବେଶ୍ୱର ବେହେରା ଏନେଇ ଗତ ସେପ୍ଟେମ୍ବର ୭ ତାରିଖରେ ମାନ୍ୟବର ରାଜ୍ୟପାଳ ଗଣେଶି ଲାଲଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ଏହି ଅଭିଯୋଗ ପାଇ ରାଜ୍ୟପାଳ ଅକ୍ଟୋବର ୫ ତାରିଖ ଦିନ ରାଜ୍ୟ ଜଙ୍ଗଲ ବିଭାଗ ଉପ ମୁଖ୍ୟ ସଚିବଙ୍କୁ ଏହି ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଏହାପୂର୍ବରୁ ଶ୍ରୀଯୁକ୍ତ ବେହୁରା ଏସମ୍ପର୍କରେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲରେ ଡ଼ଙ୍କାରୀ ପାହାଡ଼ ଓ ଜଙ୍ଗଲରେ ବେଆଇନ ଖଣି ଖନନ ବନ୍ଦ କରିବାକୁ ଅଭିଯୋଗ କରିଥିଲେ । ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ ମଧ୍ୟ ରାଜ୍ୟ ସରକାରଙ୍କୁ ଏହାର ତଦନ୍ତ ନେଇ ଏକ ସ୍ୱତନ୍ତ୍ର କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଡ଼ଙ୍କାରୀ ଜଙ୍ଗଲ ଓ ପାହାଡ଼ରେ ଏକ ତୈଳ ଜଳାଶୟ ପରିଯୋଜନା ସମ୍ପର୍କରେ ଗତ ସେପ୍ଟେମ୍ବର ୪ ତାରିଖରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର କେନ୍ଦ୍ରୀୟ ସଂଯୁକ୍ତ ସଚିବ ସଞ୍ଜୟ ସୁଧୀର ରାଜ୍ୟ ସରକାରଙ୍କ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ସହିତ ଆଲୋଚନା କରିଥିଲେ ।

କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଠାରେ ଏହି ପ୍ରକଳ୍ପ କରିବାକୁ ୨୦୧୪ ଏପ୍ରିଲ ୧୨ ତାରିଖରେ ଘୋଷଣା କରିଥିଲେ । ତେବେ ଏହି ପ୍ରସ୍ତାବିତ ଯୋଜନା ଲାଗି ଆବଶ୍ୟକୀୟ ୪୦୦ ଏକର ଜମି ରାଜ୍ୟ ସରକାର ଯୋଗାଇ ଦେବାରେ ବିଳମ୍ବ ହୋଇଥିବାର ପ୍ରକାଶ ।

Leave A Reply

Your email address will not be published.