Latest Odisha News

BREAKING NEWS

ଆଜି ଦେବୀ ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ, ଟ୍ୱିନସିଟିରେ ଜୋରଦାର ପ୍ରସ୍ତୁତି

କଟକ/ଭୁବନେଶ୍ୱର : ପବିତ୍ର ଦଶହରା ସରିଲା ପରେ ଏବେ ସାରା ରାଜ୍ୟ ମା ଦୁର୍ଗାଙ୍କୁ ବିଦାୟ ଦେବା ପାଇଁ ଜୋରସୋରରେ ପ୍ରସ୍ତୁତି କାର୍ଯ୍ୟରେ ଲାଗିପଡିଛନ୍ତି । ଏହାକୁ ନେଇ ଟ୍ୱିନ୍ ସିଟିରେ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି ।

କଟକ ପୌରପାଳିକା ନିଗମ ପକ୍ଷରୁ କାଠଯୋଡି ନଦୀ ନିକଟବର୍ତ୍ତୀ ଦେବୀଗଡା ଘାଟରେ ୩ଟି କୃତ୍ରିମ ପୋଖରୀ ନିର୍ମାଣ କରିଛନ୍ତି । ଅନ୍ୟପକ୍ଷରେ ଏଥିସହିତ ଉଭୟ କଟକ/ଭୁବନେଶ୍ୱର କମିସନରେଟ ପୋଲିସ ପକ୍ଷରୁ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ।

ଦେବୀ ଦୁର୍ଗାଙ୍କର ପାଖାପାଖି ୧୬୦ଟି ପ୍ରତିମା ବିସର୍ଜନ ଅବସରରେ ସାହି ପରିକ୍ରମା କରିବା ସାରିବା ପରେ ମେଢଗୁଡିକ ବଜ୍ରକବାଟି ରୋଡ ଓ ମଙ୍ଗଳାବାଗ ରାଣିହାଟ, ମାଛୁଆ ବଜାର, ପଢିହାରି ପାଠାଗାର, ବକ୍ସି ବଜାର ଓ ଚୌଧୁରୀ ବଜାରଦେଇ ଦେବୀଗଡା ଘାଟରେ ପାଣିରେ ବିସର୍ଜନ ହେବ ।

ଏଥିସହିତ ସୁତ୍ରରୁ ପ୍ରକାଶ ଯେ ଶୁକ୍ରବାର ରାତିରେ ଦେବୀଗଡା ଘାଟରେ ୧୨ରୁ ଅଧିକ ମୂର୍ତ୍ତି ବିସର୍ଜନ କରାଯାଇସାରିଛି । ଆହୁରି ମଧ୍ୟ ଭସାଣୀ ଉତ୍ସବରେ ସୁରକ୍ଷା ଦୃଷ୍ଟିକୁ ନଜରରେ ରଖି ୫୭ ପ୍ଲାଟୁନ ଫୋର୍ସ ନିୟୋଜିତ କରାଯାଇଛି ।

ସେହିପରି ଭୁବନେଶ୍ୱର ପୌରପାଳିକା ନିଗମ ପକ୍ଷରୁ ମୂର୍ତ୍ତି ବିସର୍ଜନ ପାଇଁ କୁଆଖାଇ ଓ ଦୟା ନଦୀ ତଟରେ ପ୍ରାୟ ୪ଟି କୃତ୍ରିମ ପୋଖରୀ ପ୍ରସ୍ତୁତ କରାଯାଇଛି । ସୂଚନା ଅନୁଯାୟୀ ବିଭିନ୍ନ ପୂଜାମଣ୍ଡପରୁ ପାଖାପାଖି ୧୭୫ ଟି ମୂର୍ତ୍ତି ବିସର୍ଜନ ଏହି ୪ ଟି କୃତ୍ରିମ ପୋଖରୀରେ କରାଯିବା ନେଇ ଜଣାପଡିଛି ।

ଶାନ୍ତି ଶୃଙ୍ଖଳାର ସହିତ ମୂର୍ତ୍ତି ବିସର୍ଜନ ନିମନ୍ତେ କମିସନରେଟ ପୋଲିସ ପକ୍ଷରୁ ଆଜି ଭୁବନେଶ୍ୱର ସହରକୁ ୪ଟି ଜୋନରେ ବିଭକ୍ତ କରାଯାଇ ସୁରକ୍ଷା ବଳୟକୁ କଡାକଡି କରାଯାଇଛି ।

Leave A Reply

Your email address will not be published.