ନୂଆଦିଲ୍ଲୀ: ଦେଶ ପାଇଁ ଆସିଛି ଆଶ୍ୱସ୍ତିକର ଖବର । କୋଭିଡ-୧୯ରେ ଏଯାଏଁ ରେକର୍ଡ ସଂଖ୍ୟକ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଦେଶରେ ଦୁଇ ତୃତୀୟାଂଶ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି । ଏନେଇ ଆଜି ଗ୍ରୁପ୍ ଅଫ୍ ମିନିଷ୍ଟର୍ସ ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ.ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଗତ ୨୪ ଘଣ୍ଟାରେ କୋଭିଡ୍-୧୯ରୁ ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ଟପିଛି। ଅଦ୍ୟାବଧି ୧୦, ୫୭, ୮୦୫ ଲୋକ କରୋନାରୁ ମୁକ୍ତ ହୋଇ ସାରିଛନ୍ତି। ଦେଶରେ ମୋଟ୍ ସଂକ୍ରମିତ ସଂଖ୍ୟା ୧୬, ୩୮, ୮୦୫ ରହିଛି। ହର୍ଷବର୍ଦ୍ଧନଙ୍କ ଅନୁଯାୟୀ, ଭାରତର ସୁସ୍ଥ ହାର ଉନ୍ନତ ଘଟି ୬୪.୫୪ ପ୍ରତିଶତରେ ପହଞ୍ଚିଛି। ମୃତ୍ୟହାର ମଧ୍ୟ ହ୍ରାସ ଘଟିଛି। କରୋନା ଜନିତ ମୃତ୍ୟୁହାର କମି ୨.୧୮ ପ୍ରତିଶତ ହୋଇଛି।
ହର୍ଷବର୍ଦ୍ଧନ କହିଛନ୍ତି ଭାରତରେ କରୋନା ମାମଲା ୨୧ ଦିନରେ ଦ୍ଵିଗୁଣିତ ହେଉଛି। ଗତ ୨୪ ଘଣ୍ଟାରେ ସମଗ୍ର ଦେଶରେ ୬.୪୨ ଲକ୍ଷରୁ ଅଧିକ ନମୂନା ପରୀକ୍ଷଣ ହୋଇଛି। ଗତ ଏକ ମାସରେ ସାରା ଦେଶରେ ପ୍ରାୟ ଏକ କୋଟି ଟେଷ୍ଟ ହୋଇଥିବା ସ୍ଵାସ୍ଥ୍ୟମନ୍ତ୍ରୀ ଦାବି କରିଛନ୍ତି। ଦେଶରେ ୦.୨୭ ପ୍ରତିଶତ ରୋଗୀ ଭେଣ୍ଟିଲେଟରରେ ଥିଲେ । ୧.୫୮ ପ୍ରତିଶତ ଆଇସିୟୁରେ ଭର୍ତ୍ତି ଥିଲେ।
କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ନିର୍ମାଣ ଭବନରେ ଅନୁଷ୍ଠିତ ହୋଇଛି। ଏଥିରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଓ ବେସାମରିକ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ମଧ୍ୟ ଉପସ୍ଥିତ ଥିଲେ।