Latest Odisha News

BREAKING NEWS

ସଟ‌୍‍ଡାଉନ‌୍‍ର ସହର

କାହା ପାଇଁ ସାଇତିଛୁ ଏତେ ଅଭିମାନ
କାହା ଅପେକ୍ଷାରେ ଅୟୁତବର୍ଷର ନିଦ
ଏ ଯେଉଁ ସହର, ଯାହା ପାଇଁ ଏତେ ବୈଠକ
ଯାହା ପାଖରେ ନିଜ ପାଇଁ ନଥାଏ ସମୟ
ସେ ବି ଶୋଇପାରେ ନିଦରେ, ଲା-ପରବାଏ

କିଏ ଏଠି ଜମା କରିଥିଲା ଜୀବନ
ଏତେ ଅଳ୍ପ ପ୍ରେମ, ବାକି ସବୁ ତୁଚ୍ଛା ପବନ
ଏତେ ଲମ୍ୱା ତା ପିନ୍ଧାପାଟକୁ ବିଛେଇ
ତିଆରି କରିଛି ରାତି, ବୁଢା ପ୍ରେମିକକୁ ପତେଇ ଦେଇଛି ଛାତି

କୋଉଠି ଗୃହବନ୍ଦୀ ଅଛି ତୋ ପ୍ରେମିକା
ଫୁଲରେ କିଏ ବାନ୍ଧୁଛି ତା ବେଣୀ
ଜଡପ୍ରାୟ ଆଲୁଅ ଓ ନିଦ୍ରିତ ବୃକ୍ଷଲତା
ରାସ୍ତା, ବଗିଚା, ପାର୍ଲର ଓ ମାଆର କୋଳ
କୋଉ ମୋଡରେ ଠିଆ ଆମର ଏ ଦେଶ

ଏ ଯୋଉ ତୋର ଆକାଶ
ଏ ମଦିରାଳୟ ଓ ସଚିବାଳୟ
କିଏ ଏମାନଙ୍କୁ କରିଛି ବନ୍ଦୀ
ଅନଲାଇନରେ ମଗେଇଛୁ
କେତେ ପ୍ୟାକେଟ‌୍‍ ନିଦ
ଯୋଉ ହୋଟେଲକୁ ଯାଚୁଥିଲୁ ଭୋକ
କାହାଁନ୍ତି ସେମାନଙ୍କ ଲୋକ?

ଏ ସହର,
ଯିଏ ଶୋଇଛି ଏକ ବାଧ୍ୟତାମୂଳକ ନିଦ
ଯାହାର କେବେବି କେହି ନିଜର ବୋଲି ନଥିଲେ, କି ଆଗକୁ ବି ନଥିବେ,
ନା ଭାଟିରେ ନା ଖଟିରେ
ନା ହାଟରେ ନା ହୃଦୟରେ
ନା ଛାତିରେ ନା ପ୍ରୀତିରେ
ଫେରେଇ ଦେଇ ସମସ୍ତଙ୍କ ରାସନ କାର୍ଡ
ଖେଳଛୁଟିର ପିଲା ପରି ଛୁ ମାରିଛି ଘର

ଭଲ ହେଲା, ଏ ସହରର ପବନ ସବୁ
ଚାଲିଗଲେ ମାମୁଘର
ଚୋରି ହୋଇଗଲେ ରାସ୍ତାର ଆଲୁଅ
ଭଲ ହେଲା, ଲାଗୁହେଲା ସଟ‌୍‍ଡାଉନ‌୍‍
ଜୀବନ ପାଲଟି ଗଲା ନାଇଟଗାଉନ‌୍‍

ବନ୍ଧା ହେଲା ସ୍କୁଲ‌୍‍ ଝିଅର ବେଣୀ
ବହୁଦିନ ପରେ ଗୋଟିଏ ଫ୍ରେମ‌୍‍ରେ ଦିଶିଲା
ମମି ପାପାଙ୍କ ହସହସ ଫଟୋ
ମଣିଷ ପାଖରେ ଏତେ ଯେ ସମୟ ଥାଏ

ହସିବାକୁ, ଶୋଇବାକୁ, ଗାଇବାକୁ
ଓ ଅନ୍ୟର କଥା ଭାବିବାକୁ
ମନେପଡିଲା, ଆକାଶରେ ଥାଏ ଏକ ଜହ୍ନ
କ୍ୱାର୍ଟର ପଛ ଜାମୁଗଛରୁ ଆସେ ପବନ
ଚାକିରିଆ ସ୍ତ୍ରୀ ପାଖରେ ବି ବାକି ଅଛି ଯୌବନ

ଏତେସବୁ ଅକଥା ଘଟୁଥିଲା ପତ୍ରରେ ପତ୍ରରେ
ପ୍ରେମିକା ପିଠିରେ ଲେଖା ହେଉଥିଲା କବିତା
ଅଫିସ‌୍‍ ପ୍ରେମିକାଠୁ ଭଲ ଦିଶୁଥିଲା ସବିତା
ଦୋକାନରେ ମିଳୁଥିଲା ଦୁଇଟି ସୌଦା
ଅଧକିଲେ କୋଳାହଳ, କିଲେ ହଳାହଳ

ହେ ମୋ ସହର
କାହା ପାଇଁ ସାଇତିଥିଲୁ ଏତେ ଶୂନ୍ୟତା
କାହା ପାଇଁ ନିଦ, ଖୁଦ ଓ ଶୀତ
କୋଉଠି ଲୁଚେଇଛୁ ଚୋରାପୀରତିର ଖାତା
କୋଉ ଦୋକାନରେ ମିଳୁଛୁ
ସେଇ ଆମେରିକୀୟ ଜୋତା

ତୋ ଭିତରେ କୋଉଠି ଲୁଚିଥିଲା
ଏମିତି ଏକ କୁର୍ତିପିନ୍ଧା ଝିଅର ସୌନ୍ଦର୍ଯ୍ୟ
ବଡ ବଡ କୋଠାଙ୍କୁ କିଏ ଦେଲା ନିଦ ବଟିକା
ଏତେ ବି ନିରବତା ଶୋଭା ପାଏନା ତତେ
କାହାକୁ ଫେରେଇ ଦେଲୁ
ଧୂଆଁ ଧୂଳି ଓ ନିଆଁ
ତୁ କ’ଣ କ୍ରମେ ଭୁଲି ହେଉଥିବା ଏକ ନାଁ?

ଏବେ ସୋସିଆଲ‌୍‍ ମିଡିଆରେ ବୁଲୁଛି
ତୋ ଶାନ୍ତ ସୌନ୍ଦର୍ଯ୍ୟର ଛବି
ତୋ ଭିତରେ କୋଉଠି ଥିଲା ଏ ଦେବୀ
ନିଦରେ ଶୋଇଥିବା ରାସ୍ତାରେ
ଏବେ ବୁଲୁଚି ଅବିଶ୍ୱାସର ଚାବି

କର୍ଫ୍ୟୁ, ଲକ‌୍‍ଡାଉନ‌୍‍, ସଟ‌୍‍ଡାଉନ‌୍‍
କିଏ ମାନୁଛି ଏତେ ସବୁ ସମ୍ୱିଧାନ
ଆମ ଭିତରେ ତ ଲୁଚିଛି
ପରସ୍ତ ପରସ୍ତ ଏ-କେ ଫର୍ଟିସେଭେନ‌୍‍

ଏବେ ସବୁଠି ତୋଅରି ଚର୍ଚ୍ଚା
କଟା ହେବାକୁ ଥିବା ଧାନବିଲ
ବଟା ହେବାକୁ ଥିବା ବାଟଣ
ଓ ଭଙ୍ଗା ହେବାକୁ ଥିବା ଖିଲିପାନ
ତୁ ଯେତେ ଡରୋଉଛୁ ଡରା
ସତରେ କ’ଣ
କେବେ କାହାକୁ ଡରିଛି ଏ ଜୀବନ ?

ପ୍ଲଟ‌୍‍ ନଂ-୫୨୫/୧୨୬୦୩, ସମେଇଗାଡିଆ, ରସୁଲଗଡ, ଭୁବନେଶ୍ୱର ମୋ-୯୮୬୧୪୧୫୩୭୭

Leave A Reply

Your email address will not be published.