Latest Odisha News

BREAKING NEWS

ଗଳ୍ପ:ପ୍ରାସାଦର ଚିତ୍କାର

    ସନ୍ତୋଷ କୁମାର ରଣା

କିଛି ବର୍ଷ ତଳର କଥା  ମୁଁ କଳିଙ୍ଗ ପ୍ରଦେଶର ଉତ୍ତର ପାର୍ଶ୍ୱରେ ଥିବା ବଉଳା ପର୍ବତକୁ ବୁଲି ଯାଇଥିଲି । ପୂର୍ବଘାଟ ପର୍ବତମାଳାର ଅଂଶବିଶେଷ ଏହି ପର୍ବତରେ ଅଛି ଖୁବ୍ ସୁନ୍ଦର ଶୈଳନିବାସଟିଏ । ନାଆଁ ତାର କଳିଙ୍ଗ ଦୁଆର । କୁହାଯାଏ ମଧୁକୈଠପ ରାକ୍ଷସ ଏଇ ପର୍ବତକୁ ପାରକରି କଳିଙ୍ଗକୁ ପ୍ରବେଶ କରିଥିଲା । ଶୈଳନିବାସ ନିକଟସ୍ଥ ପଥରରେ ଦେଖିବାକୁ ମିଳେ ତାର କେତେଟା ବିଶାଳ ପାଦଚିହ୍ନ । ସେଇଥିପାଇଁ ତା ନାଆଁ ଦିଆଯାଇଛି କଳିଙ୍ଗ ଦୁଆର । ମୁଁ ଭଡ଼ାରେ ଆଣିଥିବା ଆମ୍ବାସାଡର କାରଟା ଛେନାପଦୀ ଛକଠୁ କଳିଙ୍ଗ ଦୁଆର ଆଡ଼କୁ ଯାଇଥିବା କଚ୍ଚା ରାସ୍ତାରେ ଧୀରେ ଧୀରେ ଅଗ୍ରସର ହେଉଥାଏ । ସହରର ବ୍ୟସ୍ତତା ଠାରୁ ଟିକେ ବିରତି ନେଇ ଜୀବନକୁ ଉପଭୋଗ କରିବାପାଇଁ ମୁଁ ଘରଠୁ ଦୁରକୁ ଏ ଶୈଳନିବାସକୁ ଏକାକୀ ଚାଲିଆସିଥିଲି । ଆମେ ସେଠି ପାଖାପାଖି ଦିନ ବାରଟା ବେଳକୁ ପହଞ୍ଚିଲୁ । ଫେବୃଆରୀ ମାସର ସୂର୍ଯ୍ୟ ପୁରା ମୁଣ୍ଡ ଉପରେ ଥିଲେ, କିନ୍ତୁ ଜାଡ଼ତି ଶୀତର ମୃଦୁ ସ୍ପର୍ଶରେ ସେ କିରଣସବୁ ଖୁବ୍ ଆରାମଦାୟକ ଲାଗୁଥିଲା । ବିଦାୟ ନେବା ଆଗରୁ ମୋ ଡ୍ରାଇଭର କହିଲା “ଆଜ୍ଞା ସନ୍ଧ୍ୟା ପରେ ବାହାରେ ବୁଲାବୁଲି କରିବେନି” । ମୁଁ ତା କଥାକୁ ଏତେ ଧ୍ୟାନ ନ ଦେଇ ପାନ୍ଥଶାଳା ଗେଟ ଖୋଲି ଭିତରକୁ ଗଲି । ପାନ୍ଥଶାଳାର ତ୍ୱତାବଧାନକାରୀ ହରି ମତେ ଭିତରକୁ ପାଛୋଟିନେଲା । ଦ୍ଵିତୀୟ ମହଲାର ମୋ କକ୍ଷ୍ର ଝରକାରୁ ଦେଖାଯାଉଥିଲା ମାତ୍ର କିଛି ମିଟର ଦୂରରେ ଥିବା ଗୋଟିଏ ବିରାଟ ପ୍ରାଚୀନ ପ୍ରାସାଦ । ପ୍ରାସାଦର ଚାରିପଟେ ଥିଲା ଗୋଟେ ଗଭୀର ଖାଇ । ତାର ଠିକ ବାହାରେ ଥିଲା ଗୋଟିଏ କଣ୍ଟକିତ ପ୍ରାଚୀର ।

ମନେହେଉଥିଲା ସତେ ଯେମିତି ଅଜେୟ, ଚଢ଼ିବାକୁ ଅସମ୍ଭବ । ଖାଇ ଉପରେ ଥିବା ପୋଲ ପ୍ରାସାଦକୁ ସେ କଣ୍ଟକିତ ପ୍ରାଚୀର ସହ ଯୋଡ଼ି ଥିଲା । କଣ୍ଟକିତ ପ୍ରାଚୀର ବାହାରେ ପଡ଼ିରହିଥିଲା କିଛି ଯୁଦ୍ଧରେ ବ୍ୟବହାର କରାଯାଉଥିବା ବାଟୁଳି ଖଡ଼ାର ଭଗ୍ନାବିଶେଷ । ତା ପାଖରେ କିଛି ଜରାଜୀର୍ଣ୍ଣ ସୈନ୍ୟ ପର୍ଯ୍ୟବେକ୍ଷଣ ମିନାର ସର୍ପ ଭଳି ମୁଣ୍ଡଟେକିଥିଲା । ଏସବୁକୁ ଘେରିଥିଲା ଆଉ ଗୋଟେ ପ୍ରାଚୀର । ଏହି ପ୍ରାଚୀର ସହ ଲାଗିଥିଲା ଏକ ସୁନ୍ଦର ଏବଂ ବିଶାଳକାୟ ଗେଟ ଯାହା ସେ ପ୍ରାସାଦର ପ୍ରଥମ ପ୍ରବେଶ ଦ୍ୱାର ଥିଲା । ପାନ୍ଥଶାଳାକୁ ଛାଡ଼ି ସେ ଅଞ୍ଚଳ ଜନମାନବ ଶୂନ୍ୟ ଥିଲା । ଲାଗୁଥିଲା ସେତେଯେମିତି ବୁଢ଼ିମା କାହାଣୀର ସେ ରାଜପ୍ରାସାଦ ଯୋଉଠି ରାଜକନ୍ୟାକୁ ରାକ୍ଷସ ବନ୍ଦୀ କରି ରଖିଛି ।

ଏତିକିବେଳେ ହରି ଆସି ମତେ ଗରମାଗରମ ସ୍ୱାଦିଷ୍ଟ ମାଧ୍ୟାନ୍ନ ଭୋଜନ ପରଶି ଦେଲା । ମୁଁ ଭୋଜନ ସାରିଦେଇ ଟିକେ ବିଶ୍ରାମ କଲି । ତା ପରେ ମଧୁକୈଠପର ପାଦଚିହ୍ନ ଦେଖିବାକୁ ନିକଟସ୍ଥ ଝରଣା ଆଡ଼େ ବୁଲିବାକୁ ବାହାରିଗଲି । ଶୈଳନିବାସର ଅପୂର୍ବ ଦୃଶ୍ୟ ଯେମିତି ମନମୋହିନେଉଥିଲା । ପ୍ରତି ନିଶ୍ୱାସରେ ଶୀତଳ ସମୀର ଯେମିତି ମୋର ଶ୍ୱାସନଳୀକୁ ଆର୍ଦ୍ର କରିଦେଉଥିଲା । ମୋ ଦେହରୁ ସବୁ ଚିନ୍ତା ଦୂର ହେଲାଭଳି ଲାଗୁଥିଲା । କିଛି ସମୟ ପ୍ରକୃତିର ସୌନ୍ଦର୍ଯ୍ୟକୁ ଉପଭୋଗ କଲା ପରେ ସଞ୍ଜ ବୁଡ଼ିବା ଆଗରୁ ନିଜ ବାସକୁ ଫେରିଆସିଲି । ଗାଧେଇ ସାରି ମୁଁ ରାତ୍ରି ଭୋଜନ ଶେଷ କଲାପରେ କିଛିଦିନ ହେଲା ଲେଖୁଥିବା ଉପନ୍ୟାସ ଉପରେ କାମ କରିବା ଆରମ୍ଭ କରିଦେଲି । ଖୋଲା ଝରକାରୁ ଭାସି ଆସୁଥିବା ଶୀତଳ ସମୀର ଖୁବ୍ ଆରାମଦାୟକ ଥିଲା | କେତେବେଳେ ଆଖି ଲାଗିଯାଇଥିଲା ମୁଁ ଜାଣିପାରିଲିଣି । ମଧ୍ୟ ରାତ୍ରରେ ଗୋଟିଏ ଛୋଟ ଶିଶୁର କାନ୍ଦ ଶବ୍ଦ ଶୁଣି ମୋ ନିଦ ଭାଙ୍ଗିଗଲା । ମତେ ଟିକେ ଆଶ୍ଚର୍ଯ୍ୟ ଲାଗିଲା କାରଣ ଆଖପାଖରେ କୌଣସି ଘର ନଥିଲା । ମୁଁ ମୋ ଟର୍ଚ୍ଚ ଧରି ଶବ୍ଦ ଆସୁଥିବା ଦିଗରେ ଗଲି । ପାନ୍ଥଶାଳା ବାହାରେ ଖାଲି ଘନ ଅନ୍ଧକାର । ମୁଁ ଜୋରରେ ନିଶ୍ୱାସ ପ୍ରଶ୍ୱାସ ନେଉଥିଲି । ମତେ ଭାରି ଡର ଲାଗୁଥିଲା । ସାହସ ସଞ୍ଚୟ କରି ପ୍ରାସାଦରୁ ଆସୁଥିବା ସେ କ୍ରନ୍ଦନ ଧ୍ୱନିକୁ ଅନୁସରଣ କଲି । କିଛି ପାଦ ଆଗକୁ ଗଲାପରେ ଗୋଟେ ପଟ ବିଜ୍ଞାପନ ଦେଖିଲି । ଲେଖାଥିଲା “ସରକାରୀ ସମ୍ପତ୍ତି | ପ୍ରବେଶ ନିଷେଧ ” । ଏବେ ମୁଁ ସେ କ୍ରନ୍ଦନ ଧ୍ୱନି ସ୍ପଷ୍ଟଭାବେ ଶୁଣିପାରୁଥିଲି । ହଠାତ ସେ କ୍ରନ୍ଦନ ଧ୍ୱନି ବନ୍ଦ ହେଇଗଲା । କିଛିକ୍ଷଣ ପାଇଁ ଭାବିଲି ଗେଟ ଡେଇଁ ଭିତରକୁ ଯିବି । କିନ୍ତୁ ଡର ମୋର ସମଗ୍ର ଶରୀରକୁ ଗ୍ରାସ କରିସାରିଥିଲା । ମୁଁ ବରଡା ପତ୍ର ଭଳି ଥରୁଥିଲି । ଟର୍ଚ୍ଚ ଆଲୁଅରେ ଗୋଟେ ସବୁଜ ରଙ୍ଗର ସ୍ବେଟର ସେ ଗେଟରେ ଝୁଲୁଥିବା ଦେଖାଗଲା । ମୁଁ ଏକନିଶ୍ବାସରେ ପାନ୍ଥଶାଳାଆଡେ ଦଉଡ଼ିଲି । ଜୋରରେ ହରିର କବାଟ ବାଡ଼େଇଲି । ମୋ ଅବସ୍ଥା ଦେଖି ସେ ମୋ ଉପରେ କିଛି ପବିତ୍ର ଜଳ ସିଞ୍ଚନ କରି ହନୁମାନ ଚାଳିଶା ପଢ଼ିବାକୁ ଲାଗିଲା । ଭୁତ ପ୍ରେତ ନିବାରଣ କରିବାର ରୀତିନୀତି କରିବା ପରେ ସେ ମତେ କଣ ହେଲା ବୋଲି ପଚାରିଲା । ସବୁଶୁଣି ସରିଲାପରେ କହିଲା ଆଜ୍ଞା ଏମିତି କାନ୍ଦ ଶବ୍ଦ ସେ ପ୍ରାସାଦ ଭିତରୁ କେବେ କେବେ ଶୁଣାଯାଏ । କିନ୍ତୁ କାହାର କେବେ କିଛି କ୍ଷତି ହେଇନି । ତା ପରେ ସେ ପ୍ରାସାଦର ପୁରୁଣା ଇତିହାସ ଶୁଣେଇଲା ।

ପାଖାପାଖି ଦୁଇଶହ ବର୍ଷ ତଳେ ଏ ପ୍ରାସାଦ ବୀରପୁରର ରାଜାଙ୍କ ଅଧୀନରେ ଥିଲା । ଏଠି ଶତାଧିକ ଯୁଦ୍ଧରେ ବନ୍ଦୀ ହେଇଥିବା ଯୁବତୀ ରହୁଥିଲେ । କୁହାଯାଏ ରାଜା ଗୋଟିଏ ବି ଯୁଦ୍ଧ ହାରିନଥିଲେ । ପ୍ରତି ବିଜୟ ସହ ସେ ପରାଜିତ ରାଜ୍ୟର ସୁନ୍ଦର ରାଜବଂଶୀ ତରୁଣୀ ମାନଙ୍କୁ ବନ୍ଦୀକରି ପ୍ରାସାଦର ମଧ୍ୟରେ ଥିବା ଗଡ଼ ଭିତରେ ରଖୁଥିଲେ । ସେମାନଙ୍କୁ ଦିନରାତି କିନ୍ନରମାନେ ପହରା ଦେଉଥିଲେ । ଗଡ଼ ଚାରିପଟେ ଥିବା ଖାଇରେ କୁମ୍ଭୀର ରହୁଥିଲେ । ଗଡ଼ ଭିତରକୁ ସୈନିକମାନଙ୍କ ପ୍ରବେଶ ନିଷେଧ ଥିଲା । ସୈନିକମାନେ ସେ କଣ୍ଟକିତ ପ୍ରାଚୀର ବାହାରେ ଅସ୍ତ୍ରଶସ୍ତ୍ର ସହ ଜଗୁଥିଲେ । ବଡ଼ ବଡ଼ ପର୍ଯ୍ୟବେକ୍ଷଣ ମିନାରଗୁଡାକ ବହୁତ ଦୂର ପର୍ଯ୍ୟନ୍ତ ନଜର ରଖିବାରେ ସାହାଯ୍ୟ କରୁଥିଲା । ହଟାଇଯାଇ ପାରୁଥିବା ଗୋଟିଏ ପୋଲ ସେ ଖାଇ ଉପର ଦେଇ ଭିତର ଗଡ଼କୁ ଯିବାର ଏକମାତ୍ର ରାସ୍ତା ଥିଲା । ଏ ପୋଲ କେବଳ ଖାଦ୍ୟ ସାମଗ୍ରୀ ପରିବହନ କିମ୍ବା ରାଜକୀୟ ଆଗମନ ବେଳେ ହିଁ ଯୋଡାଯାଉଥିଲା । ବିଚାରି ତରୁଣୀମାନଙ୍କର ପଳାୟନ କରିବାର କୌଣସି ଉପାୟ ନଥିଲା । ତରୁଣୀମାନଙ୍କୁ ବାହାରକୁ ଯିବାକୁ ଅନୁମତି ଦିଆଯାଉନଥିଲା । ସେମାନଙ୍କୁ କେବଳ ରାଜା ଏବଂ ତାଙ୍କ ରାଜକୀୟ ଅତିଥିଙ୍କ ଯୌନ ପିପାସା ମେଣ୍ଟେଇବା ପାଇଁ ବ୍ୟବାହାର କରାଯାଉଥିଲା । କାଳେ ସେମାନେ ରାଜାଙ୍କ ସିଂହାସନ ପ୍ରତି କୌଣସି ଅଧିକାର ଦାବି କରିବେ, ସେ ଭୟ ରେ ସେମାନଙ୍କ ଔରସରୁ ଜନ୍ମ ହେଉଥିବା ଶିଶୁମାନଙ୍କୁ ଗଡର ପଛପଟେ ଥିବା କଂସେଇଶାଳାରେ ଜନ୍ମର କିଛି ମୁହୂର୍ତ ଭିତରେ ହିଁ ମାରିଦିଆଯାଉଥିଲା । ସେ କଂସେଇଶାଳାର କାନ୍ଥଗୁଡା କେତେଯେ ଶିଶୁମାନଙ୍କର ଶେଷ ଚିତ୍କାରର ମୁକ ସାକ୍ଷୀ ତାର ହିସାବ ନାହିଁ । ଆଜିବି ରାତ୍ରିର ଅନ୍ଧକାରରେ ସେ ଚିତ୍କାର ଶୁଣାଯାଉଛି ।

ହରି ପାଖରୁ ଆଶ୍ୱାସନା ପାଇଁ ମୁଁ ମୋ କକ୍ଷ ଫେରିଆସିଲି କିନ୍ତୁ ସେ ସବୁଜ ରଙ୍ଗର ସ୍ବେଟରଟା ମତେ ମନେପଡ଼ୁଥିଲା । ହରି ଖାଲି କହିଲା ମତେ ଡରରେ ଏଆଡ଼ୁ ସିଆଡ଼ୁ କିଛି ଦେଖିଲା ଭଳିଆ ଲାଗିଥିବା । ଗଲା ବର୍ଷର ଏମ୍ସର ପ୍ରସବ କେନ୍ଦ୍ରର ଦୃଶ୍ୟ ମୋ ଆଖି ଆଗରେ ନାଚିଯାଉଥାଏ । ମୁଁ କୁନି ଝିଅଟିର ସବୁଜ ରଙ୍ଗର ସ୍ବେଟର ଆବୃତ ଛୋଟିଆ ଶରୀରଟା ନିଶ୍ୱାସ ପାଇଁ ଛଟପଟ ହେଉଥିବା ଅନୁଭବ କରିପାରୁଥିଲି । ମୁଁ ମୋ ପତ୍ନୀକୁ ଏତିକି କହିଲିଯେ ତାର ମଲା ଛୁଆଟେ ହେଇଛି । ବର୍ଷେ ହେଲା ଏଇ କଥା ମତେ ଭିତରୁ ଖାଇ ଚାଲିଛି । ୟା ଠୁ ମୁକ୍ତି ପାଇବା ପାଇଁ ମୁଁ କଳିଙ୍ଗ ଦୁଆର ଆସିଥିଲି । କିନ୍ତୁ ବିଧିର ବିଧାନ ମୋ ଭାଗ୍ୟରେ କିଛି ଅଲଗା ଲେଖିଥିଲା । ମୁଁ ଯାହାକୁ ଡରୁଥିଲି ତାକୁ ହିଁ ଭେଟିଲି । କିନ୍ତୁ ତାକୁ ସାମ୍ନା କରିବାର ସାହସ ମୋ ଭିତରେ ନଥିଲା । ସେ ସ୍ବେଟରଟା ମତେ ପ୍ରଶ୍ନ କରୁଥିଲା, “କାହିଁକି ?” ଆଉ କାହାର ଔରସରୁ ଜନ୍ମ ହେଇଥିବା ଝିଅଟିକୁ ଦେଖି ମୁଁ ସତେ ଯେମିତି ପିଶାଚ ପାଲଟି ଯାଇଥିଲି । ଥରୁଟିଏ ବି ଭାବିଲିନି ମୋ ସ୍ତ୍ରୀ କେମିତି ଅନୁଭବ କରିଥିବ ଯେତେବେଳେ ସେ ରା଼କ୍ଷସ ତା ଶରୀରକୁ ତିଳ ତିଳ କରି ଉପଭୋଗ କରୁଥିଲା । ସେ ନିଷ୍ପାପ ଶିଶୁଟିର ବା କି ଦୋଷ ଥିଲା? ମୁଁ ସେତେବେଳେ ବି ଭୀରୁ ଥିଲି ଯେତେବେଳେ ମୁଁ ସେ ଶିଶୁର ଜୀବନଦୀପ ଲିଭେଇଥିଲି । ଆଉ ଆଜି ବି ଭୀରୁ ଅଛି । ଆଉ ଗୋଟେ ଭୀରୁର ବଞ୍ଚିବାର କୌଣସି ଅଧିକାର ନାହିଁ ।ପରଦିନ ଆଞ୍ଚଳିକ ଖବର କାଗଜର ପ୍ରଥମ ପୃଷ୍ଠାରେ କଳିଙ୍ଗ ଦୁଆର ପାନ୍ଥଶାଳାରେ ଝୁଲନ୍ତା ଶବ ଉଦ୍ଧାର ର ଖବର ଟା ଆସିବାର ଥିଲା।

ଡାଲାସ, ଟେକ୍ସାସ୍

Leave A Reply

Your email address will not be published.