Latest Odisha News

BREAKING NEWS

ରେଳମନ୍ତ୍ରୀଙ୍କୁ ଭେଟିଲେ ଅରିନ୍ଦମ, ଦଳ ବଦଳ ନେଇ ଚର୍ଚ୍ଚା ଜୋର

ଭୁବନେଶ୍ୱର: ଗତକାଲି ରବିବାର ଜାନୁଆରୀ ୭ ତାରିଖରେ ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବଙ୍କୁ ଅଭିନେତାରୁ ନେତ ପାଲଟିଥିବା ଅରିନ୍ଦମ ରୟ ସାକ୍ଷାତ କରିଥିଲେ। ଏକ ରୁଦ୍ଧଦ୍ୱାର ବୈଠକରେ ଉଭୟଙ୍କ ମଧ୍ୟରେ ଗୁରୁତ୍ତ୍ୱପୂର୍ଣ୍ଣ ଆଲୋଚନା ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି। ତେବେ ଏହି ଖବର ସାମ୍ନାକୁ ଆସିବା ପରେ କଟକ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। ରାଜନୈତିକ ବିଶେଷଜ୍ଞଙ୍କ ମହଲରୁ ଏଭଳି ମଧ୍ୟ ଚର୍ଚ୍ଚା ହେଉଛି ଯେ ବିଜେଡ଼ିରେ ଅସନ୍ତୋଷ କାରଣରୁ ସେ ଖୁବ ଶୀଘ୍ର ଦଳ ବଦଳ କରିପାରନ୍ତି। ଖୁବ ଶୀଘ୍ର ବିଜେପିରେ ଯୋଗଦେବା ନେଇ ମଧ୍ୟ ରାଜନୈତିଜ୍ଞ ବିଶେଷଜ୍ଞମାନେ ଅନୁମାନ କରିବା ଆରମ୍ଭ କରିଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ୨୦୦୯ରୁ ବିଜେଡ଼ି ସହିତ ଯୋଡ଼ି ହୋଇଥିଲେ ସୁଦ୍ଧା ଦଳରେ ସେଭଳି ଦବଦବା ଜାହିର କରିପାରିନାହାନ୍ତି ଅରିନ୍ଦମ। ୨୦୧୬ରେ ସାଂଗଠନିକ ସମ୍ପାଦକ ବବି ଦାସଙ୍କ ଭଉଣୀ ଅନୁପା ଦାସଙ୍କୁ ବିବାହ କରିଥିଲେ ଅରିନ୍ଦମ। ଏହାପରେ ଦଳରେ ସେ କିଛି ମାତ୍ରାରେ ସକ୍ରିୟ ହୋଇ ଉଠିଥିଲେ। ବିଭିନ୍ନ ପ୍ରକାର ସାଂଗଠନିକ କାର୍ଯ୍ୟରେ ନିଜକୁ ସାମିଲ କରିଥିଲେ। ତାଙ୍କର ଉପସ୍ଥିତିକୁ ଜାହିର କରିବାକୁ ପ୍ରୟାସ କରିଥିଲେ ଅରିନ୍ଦମ। ଦଳ ପାଇଁ ବେଶ ଝାଳବୁହା ପରିଶ୍ରମ କରିଥିଲେ ସେ। କଟକରେ ସାଂଗଠନିକ କାର୍ଯ୍ୟକ୍ରମରେ ନେତୃତ୍ୱ ନେଉଥିବା ମଧ୍ୟ ତାଙ୍କୁ ଦେଖିବାକୁ ମିଳିଥିଲା। ଗତ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କଟକ ଲୋକସଭା ନିର୍ବାଚନୀ ମଣ୍ଡଳୀରେ ବିଭିନ୍ନ ପଞ୍ଚାୟତରେ ଲୋକଙ୍କ ସହିତ ମିଶିଥିଲେ। ଅରିନ୍ଦମଙ୍କ ସକ୍ରିୟତା ଦେଖି ସେହି ସମୟରେ ତାଙ୍କୁ ଦଳ ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା ଜୋର ହୋଇଥିଲା। କିନ୍ତୁ ଟିକେଟ ନ ପାଇ ସେ ନିରାଶ ହୋଇଥିଲେ।

୨୦୧୯ ସାଧାରଣ ନିର୍ବାଚନ ପରେ ମଧ୍ୟ ରାଜ୍ୟରେ ଉପନିର୍ବାଚନ ଓ ମେୟର ଏବଂ କର୍ପୋରେଟର ନିର୍ବାଚନ ହୋଇଛି। ମାତ୍ର ଏ ସବୁ ନିର୍ବାଚନରେ ତାଙ୍କୁ କୌଣସି ଟିକେଟ ଦେଇନଥିଲା ଦଳ। ମାତ୍ର ମେୟର ନିର୍ବାଚନ ପୂର୍ବରୁ ୨୦୨୨ ମସିହାରେ ଅରିନ୍ଦମଙ୍କୁ ଦଳ ସାଧାରଣ ସମ୍ପାଦକ ପଦବୀ ମିଳିଥିଲା। ମେୟର ପଦବୀ ପାଇଁ ଅରିନ୍ଦମଙ୍କୁ ନେଇ ଉଭୟ ରାଜନୈତିକ ବିଶେଷଜ୍ଞ ଓ ରାଜନେତାମାନେ ଅଙ୍କକଷା ଆରମ୍ଭ କରିଦେଇଥିଲେ। ଅରିନ୍ଦମ ମଧ୍ୟ ମେୟର ପଦ ପାଇଁ ଆଶାୟୀ ଥିବା ନେଇ ତାଙ୍କର ନିକଟତମ ସୂତ୍ରରୁ ଖବର ସାମ୍ନାକୁ ଆସିଥିଲା। କିନ୍ତୁ ସେହି ସମୟରେ ମଧ୍ୟ ସେ ନିରାଶ ହୋଇଥିଲା।

ଫଳରେ ଦୀର୍ଘ ଦିନରୁ ଅରିନ୍ଦମ ଏକ ପ୍ରକାର ଅଲୋଡା ହୋଇ ପଡ଼ିଛନ୍ତି। କିଛି ଦିନ ପୂର୍ବରୁ ସେ କଥା ଛଳରେ ମଧ୍ୟ ନିଜ ଅସନ୍ତୋଷ ବଖାଣିଥିଲେ। ସେ କଥା ଛଳରେ କହିଥିଲେ କି ଯଦି ଆମେ ଦଳୀୟ କାମରେ ନ ଆସିବୁ ତେବେ ଦଳରେ କାହିଁକି ରହିବୁ। ତାଙ୍କର ଏହି ପଦକ କଥା ସେହି ସମୟରେ ରାଜନୀତି ନିଆଁରେ ଘିଅ ଢାଳିଥିଲା। ପରେ କାଁ ଭାଁ ଦଳୀୟ କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳିଥିଲା। କିନ୍ତୁ ଏବେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିବା ପରେ ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା ବଢିଛି।

Leave A Reply

Your email address will not be published.