Latest Odisha News

BREAKING NEWS

ଗାନ୍ଧୀ ଚର୍ଚ୍ଚା: ଅଧା ନଙ୍ଗଳା ଫକୀର ଗାନ୍ଧୀ ମହାରାଜ

ପ୍ରହଲାଦ କୁମାର ସିଂହ

‘ପ୍ରିୟ ପ୍ରଧାନ ମନ୍ତ୍ରୀ,

ଆପଣ ନଙ୍ଗଳା ଫକୀରକୁ ଦଳି ଦେବାକୁ ଇଚ୍ଛା କରୁଥିବା ଜଣାଣୁଣା । ମୋତେ ଆପଣ ନଙ୍ଗଳା ଫକୀରଭାବେ ବର୍ଣ୍ଣନା କରନ୍ତି । ଦୀର୍ଘ ଦିନ ଧରି ମୁଁ ଗୋଟିଏ ଫକୀର ହେବାକୁ ସାଧନା କରୁଛି । ନଙ୍ଗଳା ଫକୀର ହେବା ତ’ ଆହୁରି କଷ୍ଟ । ତେଣୁ ଆପଣଙ୍କ ନାମକରଣଟିକୁ ମୁଁ ପ୍ରଶଂସା ସୂଚକ ମଣେ । ଯଦିଚ ଏପରି ଉଦ୍ଦେଶ୍ୟ ଆପଣଙ୍କର ନାହିଁ । ନଙ୍ଗଳା ଫକୀରଭାବେ ମୁଁ ଆପଣଙ୍କୁ ଅନୁରୋଧ କରୁଛି, ମୋତେ ବିଶ୍ୱାସ କରନ୍ତୁ । ଆପଣଙ୍କ ଦେଶର ଲୋକ, ମୋ ଦେଶର ଲୋକ ଓ ସେମାନଙ୍କ ଜରିଆରେ ସମଗ୍ର ପୃଥିବୀ ପାଇଁ ମୋତେ ବ୍ୟବହାର କରନ୍ତୁ । ଆପଣଙ୍କର ବିଶ୍ୱସ୍ତ ବନ୍ଧୁ-ଏମ୍‌.କେ.ଗାନ୍ଧୀ’
ବିଲାତି ଆଦବ କାଇଦାକୁ ନ ମାନି ଆଣ୍ଠୁ ଲୁଚା ଖଦି ଖଣ୍ଡେ ପିନ୍ଧି ମହାତ୍ମା ଗାନ୍ଧୀ ଯେତେବେଳେ ବ୍ରିଟିଶ୍ ସାମ୍ରାଜ୍ୟର ରାଜା ପଞ୍ଚମ ଜର୍ଜ ଓ ରାଣୀଙ୍କୁ ବଙ୍କିମ୍‌ହାମ୍ ପ୍ୟାଲେସ୍‌ରେ ଭେଟିଲେ ସେତେବେଳେ ଗାନ୍ଧୀଙ୍କୁ ତାତ୍ସଲ୍ୟ କରି ୱିନ୍‌ଷ୍ଟନ୍ ଚର୍ଚ୍ଚିଲ୍ ଅଧାନଙ୍ଗଳା ଫକୀରବୋଲି କହିଥିଲେ । ଏହାର ପ୍ରତିକ୍ରିୟା ଗାନ୍ଧୀଜୀ ପରେ ଉପରୋକ୍ତ ପତ୍ର ମାଧ୍ୟମରେ ପ୍ରକାଶ କରିଥିଲେ । ଗାନ୍ଧୀଜୀଙ୍କୁ ଏହି ଗସ୍ତବେଳେ ପଞ୍ଚମଜର୍ଜ ପୋଷାକ ପ୍ରସଙ୍ଗରେ ପଚାରିବାରେ ହସି ହସି ଗାନ୍ଧୀଜୀ କହିଥିଲେ ଯେ ରାଜା ଯେତିକି ପୋଷାକ ପିନ୍ଧିଛନ୍ତି ତାହା ତ ଦୁଇଜଣଙ୍କ ଆବଶ୍ୟକତାଠାରୁ ଅଧିକ ।

ଇଂଲଣ୍ଡରେ ବାରିଷ୍ଟରୀ ପଢିବାବେଳେ ଗାନ୍ଧୀଜୀ ସାହେବୀ ଢାଞ୍ଚାରେ ସୁଟ୍‌ବୁଟ୍ ପରିଧାନ କରୁଥିଲେ । ଦକ୍ଷିଣ ଆଫ୍ରିକାରେ ସେ ତ ବାରିଷ୍ଟର ପୋଷାକ ପ୍ରଥମେ ପିନ୍ଧୁଥିଲେ । ପରେ ସେଠି ସତ୍ୟାଗ୍ରହ ଆନ୍ଦୋଳନ ବେଳେ ସାଧାରଣ ଲୋକଙ୍କଭଳି ଧୋତି କାମିଜ ଓ ଗୁଜୁରାଟୀ ପଗଡି ପିନ୍ଧିଲେ । ପଗଡିରେ ଅଧିକ କନା ଲାଗୁଥିବାରୁ ସେ ଜେଲ୍‌ର କଏଦୀମାନଙ୍କଭଳି ଟୋପି ପିନ୍ଧିଲେ ଯାହା ବହୁ ବର୍ଷ ଧରି ଗାନ୍ଧୀ ଟୋପି ନାମରେ ଖ୍ୟାତ । ୧୯୨୧ ମାର୍ଚ୍ଚ ୨୩ ରେ ପ୍ରଥମ ଓଡିଶା ଗସ୍ତବେଳକୁ ଗାନ୍ଧୀଜୀଙ୍କ ପରିଧାନ ଥିଲା ଧୋତି, କାମିଜ ଓ ଟୋପି । ସେତେବେଳେ ଓଡିଶାର ଦୁର୍ଭିକ୍ଷ ପ୍ରପୀଡିତ ଦରିଦ୍ରଲୋକଙ୍କ କଙ୍କାଳସାର ଚେହେରା ତାଙ୍କ ମନକୁ ଏମିତି ମନ୍ଥିଦେଲା ଯେ ଛଅମାସ ଭିତରେ ସେ ପୁଣି ପୋଷାକ ବଦଳାଇ ଆଣ୍ଠୁ ଲୁଚା ଖଦି ଖଣ୍ଡେ ପିନ୍ଧିଲେ ଓ ବେଳେବେଳେ ଚଦରଭଳି ଖଦି କନାଖଣ୍ଡେ ଦେହରେ ପକାଇଲେ । ବିଲାତରେ ତାଙ୍କୁ ଦିଆଯାଇଥିବା ଏକ ସମ୍ବର୍ଦ୍ଧନାର ଉତ୍ତରରେ ସେ କହିଥିଲେ, ‘ମୁଁ ନିର୍ଭୟରେ କହୁଛି ଯେ ଭାରତର ଲକ୍ଷ ଲକ୍ଷ ମୂକ, ଅର୍ଦ୍ଧ ବୁଭୁକ୍ଷୁଙ୍କର ମୁଁ ପ୍ରତିନିଧିତ୍ୱ କରୁଛି । ଭାରତର ସ୍ୱାଧୀନତା ଦାବି ଉପସ୍ଥାପନ ପାଇଁ କଂଗ୍ରେସ ମୋତେ ତାର ପ୍ରତିନିଧି କରି ପଠାଇଛି । କଂଗ୍ରେସ ସ୍ୱାଧୀନତା ଚାହେଁ, ସ୍ୱାଧୀନତା ଦାବି କରୁଛି ଓ ଭାରତର ଭୋକିଲା ଲୋକଙ୍କ ତରଫରୁ ଏ ଦାବି ଉଠାଉଛି ।’ ଗାନ୍ଧୀଜୀଙ୍କ ସ୍ୱଦେଶୀ ଆନ୍ଦୋଳନ ଯୋଗୁଁ ବିଲାତର ଲଙ୍କାସାୟାରର ବହୁ ଲୁଗାକଳର ବେପାର ବୁଡିଯାଇଥାଏ । ଏହାସତ୍ୱେ ବି ସେଠାକାର ଲୋକମାନେ ଫୁଙ୍ଗୁଳା ଫକୀରଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ପୋଷାକରେ ଥିବା ଗାନ୍ଧୀଜୀଙ୍କୁ ସେଠି ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ବିଦ୍ୱାନମାନଙ୍କ ସଭାରେ ଦେଖିବାକୁ ମିଳୁଥିଲା । ଜେନେରାଲ୍ ସ୍ମଟ୍ସ, ଲାସ୍କି, ବର୍ଣ୍ଣାଡଶ, ଚାର୍ଲିଚାପଲିନ୍‌ଙ୍କ ଭଳି ବିଶିଷ୍ଟ ବ୍ୟକ୍ତିମାନେ ସେଠି ଗାନ୍ଧୀ ଦର୍ଶନ ପାଇଁ ଆସୁଥିଲେ ।

ଇଂଲଣ୍ଡରୁ ଏହି ଅଧା ନଙ୍ଗଳା ଫକୀର ଭାରତ ଫେରିବା ବାଟରେ ରୋମ୍‌ର ଏକଛତ୍ରବାଦୀ ଶାସକ ମୁସୋଲିନୀଙ୍କୁ ଭେଟିଥିଲେ । ରୋମ୍‌ରେ ତାଙ୍କୁ ଜଣେ ରାଷ୍ଟ୍ର ନାୟକ ଭଳି ତୋପ ସଲାମିରେ ସ୍ୱାଗତ କରାଯାଇଥିଲା । ରାଜସିଂହାସନରୁ ଉଠିଆସି ନିଜେ ମୁସୋଲିନୀ ତାଙ୍କୁ ସମ୍ବର୍ଦ୍ଧନା ଜଣାଇବା ଅବସରରେ କରମର୍ଦ୍ଦନବେଳେ ପଚାରିଥିଲେ, ‘ମିଷ୍ଟର ଗାନ୍ଧୀ, ମୋ ବ୍ୟବସ୍ଥାକୁ ତୁମେ କେମିତି ପସନ୍ଦ କରୁଛ?’ ଗାନ୍ଧୀ କହିଥିଲେ, ‘ହିଂସାରେ ଯେଉଁ ବ୍ୟବସ୍ଥାର ଜନ୍ମ ତାହାର ପରିସମାପ୍ତି ବି ସେହି ହିଂସାରେ ।’ ମୁସୋଲିନୀଙ୍କ ମୁଁହ ଉପରେ ଏଭଳି ଜବାବ୍ କେବଳ ଗାନ୍ଧୀହିଁ ଦେଇପାରନ୍ତି । ତାଙ୍କର ଏହି ଆପ୍ତବାଣୀର ପ୍ରତିଫଳନ ଇତିହାସର କଥାବସ୍ତୁ । ୧୯୪୧ ଡିସେମ୍ବର ୨୪ ତାରିଖରେ ହିଟଲର୍‌ଙ୍କୁ ପ୍ରିୟ ବନ୍ଧୁଭାବେ ସମ୍ବୋଧନ କରି ଗାନ୍ଧୀଜୀ ଯେଉଁ ଦୀର୍ଘ ପତ୍ର ଲେଖିଥିଲେ ତାହା ଏକ ବିରଳ ଦସ୍ତାବିଜ୍ । ଏଥିରେ ଗାନ୍ଧୀ ଲେଖିଥିଲେ, ‘ଆପଣଙ୍କ ସାହସ କିମ୍ବା ମାତୃଭୂମି ପ୍ରତି ମମତା ସମ୍ପର୍କରେ ମୁଁ ନିଃସନ୍ଦେହ । ଆପଣଙ୍କ ଶତୃମାନେ ଆପଣଙ୍କୁ ଯେମିତି ଦାନବଭାବରେ ବର୍ଣ୍ଣନା କରନ୍ତି ମୁଁ ସେଥିରେ ଏକମତ ନୁହେଁ, କିନ୍ତୁ ଆପଣଙ୍କ ଅନେକ କାର୍ଯ୍ୟ ରାକ୍ଷସୋଚିତ…ଆମେ ବ୍ରିଟିଶ୍ ସାମ୍ରାଜ୍ୟବାଦ ଓ ନାଜିବାଦର ବିରୋଧ କରୁ ….ବ୍ରିଟିଶ୍ ବିରୋଧରେ ଆମର ବିଦ୍ରୋହ ଅଂହିସ । ସେମାନଙ୍କୁ ଆମେ ପରିବର୍ତ୍ତିତ କରିପାରୁ ବା ନପାରୁ, ଅହିଂସା ଅସହଯୋଗ ଦ୍ୱାରା ସେମାନଙ୍କ ଶାଶନକଳକୁ ଆମେ ଅଚଳ କରିିଦେବୁ । ଅସହଯୋଗ ଏପରି ଏକ ପନ୍ଥା ଯେଉଁଥିରେ ବିଫଳତା କି ପରାଜୟ ନାହିଁ । କାହାକୁ ନ ମାରି ବା ଆଘାତ ନଦେଇ ନିଜେ ମରିବା ହେଉଛି ଅହିଂସାର ନୀତି….ନୃଶଂସ କାର୍ଯ୍ୟ ଯେତେ ଚତୁର ବୁଦ୍ଧି ସହିତ ସମ୍ପାଦିତ ହେଲେ ବି ଉତ୍ତର ପୁରୁଷମାନେ ଏଥିଲାଗି ଗର୍ବ ଅନୁଭବ କରିବେନାହିଁ । ତେଣୁ ମାନବିକତାର ଦ୍ୱାହି ଦେଇ ମୁଁ ଆପଣଙ୍କୁ ଯୁଦ୍ଧ ବନ୍ଦ ଲାଗି ନିବେଦନ କରୁଛି ।’

ଏହି ଅଧା ନଙ୍ଗଳା ଫକୀରଙ୍କ ପ୍ରସଙ୍ଗରେ ପଣ୍ଡିତ ଜବାହାରଲାଲ୍ ନେହୁରୁ ତାଙ୍କ ଆତ୍ମଜୀବନୀରେ ଲେଖିଛନ୍ତି, ‘ଏକଥା ସ୍ପଷ୍ଟ ଯେ ଏହି ବାଙ୍ଗରା, କ୍ଷୀଣ ଲୋକଟିର ଭିତର ଛାଞ୍ଚ ଇସ୍ପାତ ବା ସେହିଭଳି କିଛି ଉପାଦାନରେ ଗଢା । ପ୍ରଚଣ୍ଡ ବାହ୍ୟ ଶକ୍ତି ତାଙ୍କୁ ଭାଙ୍ଗି ପାରିବନାହିଁ । ତାଙ୍କର ଅନାକର୍ଷଣୀୟ ଚେହେରା, କୌପୁନି ପିନ୍ଧା ଫୁଙ୍ଗୁଳାଦେହରୁ ରାଜକୀୟ ଠାଣି ଓ ସମ୍ରାଟପଣ ଫୁଟିଦିଶୁଥାଏ ଯାହା ଫଳରେ ଲୋକମାନେ ସ୍ୱତଃ ତାଙ୍କ ପାଖରେ ମୁଣ୍ଡ ନୁଆଁନ୍ତି ।’ ଅନ୍ୟ ଏକ ଐତିହାସିକ ତଥ୍ୟକୁ ଉଦ୍ଧାର କରି ବିଶିଷ୍ଟ ସାହିତ୍ୟିକ ଶରତ କୁମାର ମହାନ୍ତି ଗାନ୍ଧୀ ମଣିଷ ଗ୍ରନ୍ଥରେ ଲେଖିଛନ୍ତି, ‘୧୯୪୬ ଜୁନ୍‌ରେ ଗାନ୍ଧୀଜୀ ଗୋଟିଏ ଟ୍ୟାକ୍ସିରେ ମସୌରୀରୁ ଦିଲ୍ଲୀ ଫେରୁଥାନ୍ତି । ରାତି ଅଧରେ ଯମୁନା ନଦୀ ପୋଲ ଉପରେ ବାପୁଙ୍କ ଗାଡି ଅଟକେଇ ଜଣେ ପୋଲିସ ଜଗୁଆଳ ଡ୍ରାଇଭରଙ୍କୁ ପଚାରିଲେ-ଗାଡିରେ କିଏ ଅଛନ୍ତି? ଶିଖ୍ ଡ୍ରାଇଭର ଗର୍ବମିଶା ବେପରୁଆ ଭାବେ ତାଙ୍କ ବିଶିଷ୍ଟ ଯାତ୍ରୀଙ୍କ ପରିଚୟ ଦେଇ କହିଲେ-ଦରିଦ୍ର ଭାରତବାସୀଙ୍କ ମହାରାଜ । ପୋଲିସ ଜଗୁଆଳ ନଇଁ ପଡି କାଚ ବାଟେ ପଛ ସିଟ୍‌କୁ ଚାହିଁଲେ । ମହାତ୍ମା ଗାନ୍ଧୀଙ୍କୁ ଦେଖିଦେଇ ସଂଭ୍ରମରେ ସିଧାଛିଡାହୋଇ ସ୍ୟାଲୁଟ୍ ଠୁଙ୍କିଲେ । ଡ୍ରାଇଭରଙ୍କୁ ଆଦେଶ ଦେବା ସ୍ୱରରେ କହିଲେ-ଆଗେ ବଢ଼ୋ….ଦିଲ୍ଲୀର ପ୍ରଚଣ୍ଡ ଉତାପରୁ ରକ୍ଷା ପାଇବାକୁ ଓ କିଛିଦିନ ଏକୁଟିଆ ରହିବାକୁ ବୃଦ୍ଧ କାଳରେ ଗାନ୍ଧୀଜୀ ପଞ୍ଚଗନୀକୁ ବାଛିଥାନ୍ତି । ୧୯୪୬ ଜୁଲାଇ ଦ୍ୱିତୀୟ ସପ୍ତାହରେ ବାପୁ ସେଠାକୁ ଚାଲିଗଲେ । ସେତେବେଳେ ଭାରତବର୍ଷରେ ପ୍ରବଳ ଉତ୍ତେଜନା । ତାଙ୍କର ଦୀର୍ଘ କାଳର ଘନିଷ୍ଠ ସହଯୋଗୀମାନେ ଦୂରଛଡ଼ା ହୋଇଥାନ୍ତି । ଦେଶ ବିଭାଜନ ସ୍ପଷ୍ଟ ହୋଇଯାଇଥାଏ । ଗୋଟିଏ ଢ଼ାଳ, ପାଣି କାଢିବା ପାଇଁ ଖଣ୍ଡେ ଦଉଡି, ଗାମୁଛାରେ କିଛି ଅଟା, ଲୁଣ ଓ ଆଚାର ବାନ୍ଧି ବାପୁ ପହଞ୍ଚିଲେ ପଞ୍ଚଗନୀରେ । ସେଠରେ ପ୍ରତିଦିନ ୧୦/୧୨ ମାଇଲ୍ ଚାଲନ୍ତି । ଭୋକ ହେଲେ ଅଟା ଚକଟି ରୁଟି କରନ୍ତି । କାଠ ଗୋଟେଇ ନିଆଁ ଧରାନ୍ତି ଓ ରୁଟି ସେକି ଖାଆନ୍ତି (କେଉଁ ବୟସରେ) । ସମ୍ପୁର୍ଣ୍ଣ ନିଃସଙ୍ଗ, ସାଥିରେ କେବଳ ଈଶ୍ୱର । ହରିଜନରୁ ଏହି ସମ୍ବାଦ ଉଦ୍ଧାର କରି ପ୍ୟାରେଲାଲ୍ ମନ୍ତବ୍ୟ କରିଛନ୍ତି- ସେ ସମୟରେ ବାପୁ ସତେକି ଏକ ବିଶାଳ ସାମ୍ରାଜ୍ୟର ଅଧୀଶ୍ୱର । ତାଙ୍କର ବେପରୁଆଭାବ, ହାଲୁକାପଣ ସେତେବେଳେ ସମ୍ରାଟ୍‌, ବାଦ୍‌ଶାହାଙ୍କଠାରୁ ଅଧିକ ହୋଇଥାଏ ।’ ବାସ୍ତବରେ ଦେଶପାଇଁ ସ୍ୱେଚ୍ଛାକୃତ ଦାରିଦ୍ର‌୍ୟ ଓ ଯନ୍ତ୍ରଣା ବରଣ କରିଥିବା ଗାନ୍ଧୀ ଦରିଦ୍ରତମ ଲୋକଙ୍କ କଥା ଚିନ୍ତା କରୁଥିବାବେଳେ ତାଙ୍କ ହାବଭାବ କିନ୍ତୁ କୌଣସି ସମ୍ରାଟ୍‌, ବାଦ୍‌ଶାହା କିମ୍ବା ସେନାପତିଠାରୁ କମ୍ ନୁହେଁ । ୬୫ ବର୍ଷ ବୟସରେ ୧୯୩୪ ମଇ-ଜୁନ୍ ମାସର ମୁଣ୍ଡ ଫଟା ଖରା, ପ୍ରଚଣ୍ଡ ଗୁଳୁଗୁଳିରେ ପୁରୀରୁ ଭଦ୍ରକ ପର୍ଯ୍ୟନ୍ତ ବିନା ପୂର୍ବ ପ୍ରସ୍ତୁତିରେ ସେ କରିଥିବା ପଦ ଯାତ୍ରାବେଳେ ବି ଦିନକୁ ୧୦/୧୨ ମାଇଲ୍ ଚାଲୁଥିଲେ ଓ ଯେଉଁ ଗାଁରେ ଯାହା ମିଳୁଥିଲା ତାକୁ ଖାଉଥିଲେ । କେତେବେଳେ ନଈ ବନ୍ଧରେ ତ ଆଉ କେତେବେଳେ ଗଛ ମୂଳେ, ଖମାର ଘରେ, ଛାତ ଉପରେ ଯେଉଁଠି ଇଚ୍ଛା ସେଠି ଶୋଉଥିଲେ ।

ତାଙ୍କର ବ୍ୟକ୍ତିତ୍ୱ ଓ ନେତୃତ୍ୱ ପ୍ରତି ଆକର୍ଷିିତ ହୋଇ ବ୍ରିଟିଶ ନୌସେନା ଅଧ୍ୟକ୍ଷଙ୍କ ଝିଅ ମେଡଲିନ୍ ସ୍ଲେଡ୍ ସାବରମତୀ ଚାଲିଆସି ପାଲଟିଗଲେ ଗାନ୍ଧୀଜୀଙ୍କ ପଟ୍ଟଶିଷ୍ୟା ମୀରାବେନ୍ । ସି.ଏଫ୍ ଆଣ୍ଡୃଜ୍ ଓ ପିୟରସନ୍‌ଙ୍କ ଭଳି ଧର୍ମଯାଜକ ଗାନ୍ଧୀ ଆଦର୍ଶରେ ଅନୁପ୍ରାଣିତ ହୋଇ ଓଡିଶା ସମେତ ବିଭିନ୍ନ ରାଜ୍ୟରେ ବ୍ୟାପକ ସେବା କାମ କରିଛନ୍ତି । ରୋମାରୋଲାଁ ଆଇନ୍‌ଷ୍ଟାଇନ୍‌, ପୋଲକ୍‌, ଲୁଇଫିସର୍‌, ମାର୍ଟିନ୍ ଲୁଥର୍ କିଙ୍ଗ୍‌, ରେଜିନାଲଡ୍ ଡୋନାଲ୍ଡଙ୍କ ଠାରୁ ଆରମ୍ଭକରି ନେଲ୍‌ସନ୍ ମଣ୍ଡେଲା, ଆଙ୍ଗସାନ୍‌-ସୁ-କି, ବାରାକ୍ ଓବାମା, ସୁନ୍ଦରଲାଲ ବହୁଗୁଣା, ରମାଦେବୀଙ୍କ ପର୍ଯ୍ୟନ୍ତ ଅନେକ ବିଶିଷ୍ଟ ବ୍ୟକ୍ତି ଗାନ୍ଧୀ ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜ ପାଇଁ ସ୍ୱତନ୍ତ୍ର ପରିଚିତି ସୃଷ୍ଟି କରିଯାଇଛନ୍ତି । ହୋ-ଚି-ମିନ୍‌ଙ୍କ ଭଳି ବିପ୍ଳବୀ ନେତା ଗାନ୍ଧୀଜୀଙ୍କୁ ତାଙ୍କ ଗୁରୁ ବୋଲି ସ୍ୱୀକାର କରି କହିଛନ୍ତି, ‘ମୁଁ ଓ ଅନ୍ୟମାନେ ବିପ୍ଲବୀ ହୋଇପାରୁ, କିନ୍ତୁ ଆମେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ମହାତ୍ମା ଗାନ୍ଧୀଙ୍କ ଶିଷ୍ୟ । ମହାତ୍ମା ଗାନ୍ଧୀଙ୍କୁ ତାଙ୍କ ଆଦର୍ଶଭାବେ ବରଣ କରିନେଇଥିବା ମାର୍ଟିନ୍ ଲୁଥର୍ କିଙ୍ଗ୍ କୁହନ୍ତି ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେଉଁ ପବିତ୍ର ବାଣୀ ଶୁଣାଇଥିଲେ ତାହାର କାର୍ଯ୍ୟକାରିତା ପାଇଁ ସଠିକ୍ ମାର୍ଗଦର୍ଶନ ଦେଇଯାଇଛନ୍ତି ମହାତ୍ମା । ଗାନ୍ଧୀଙ୍କୁ ନୋବେଲ୍ ପୁରସ୍କାର ଦିଆଯାଇପାରି ନ ଥିବାରୁ ଅନୁତାପ କରି ଆନ୍ତର୍ଜାତିକ ନୋବେଲ୍ କମିଟି ଗୋଟିଏ ବର୍ଷ ଶାନ୍ତି ପାଇଁ କାହାକୁ ବି ନୋବେଲ୍ ପୁରସ୍କାର ଦେଇ ନଥିଲା । ତେବେ ପରେ ଅନେକ ଗାନ୍ଧୀ ଅନୁଗାମୀ ବିଶ୍ୱ ଶାନ୍ତି ପାଇଁ ନୋବେଲ୍ ଠାରୁ ମାଗାସେସି ପର୍ଯ୍ୟନ୍ତ ଅନେକ ପୁରସ୍କାର ପାଇଛନ୍ତି । ଏହି ଅଧା ନଙ୍ଗଳା ଫକୀରଙ୍କ ସେବା, ତ୍ୟାଗ, ନିଷ୍ଠା ଓ ସତ୍ୟାଗ୍ରହକୁ ସ୍ୱୀକାର କରି ମିଳିତ ଜାତିସଂଘ ପ୍ରସ୍ତାବ କ୍ରମେ ସାରା ବିଶ୍ୱରେ ତାଙ୍କ ଜନ୍ମ ଦିନକୁ ଆନ୍ତର୍ଜାତିକ ଅହିଂସା ଦିବସଭାବେ ପାଳନ କରାଯାଉଛି । ଗାନ୍ଧୀଙ୍କ ପାଇଁ ପ୍ରତି ଭାରତୀୟ ବିଶେଷ ଗର୍ବ ଅନୁଭବ କରିବା କଥା । ବିଦେଶରେ ସେ ହେଉଛନ୍ତି ଆମର ପରିଚିତି ।

ହରେକୃଷ୍ଣ ମହତାବଙ୍କୁ ୧୯୪୬ ମସିହାରେ ଗାନ୍ଧୀଜୀ କହିଥିଲେ, ‘ଓଡିଶାର କଙ୍କାଳ ଦୃଶ୍ୟକୁ ଆଖି ଆଗରେ ରଖି ମୁଁ ଭାରତରେ ସ୍ୱରାଜ୍ୟ ଆନ୍ଦୋଳନ ଆରମ୍ଭ କରିଥିଲି । ମୋର ପରିକଳ୍ପିତ ସ୍ୱରାଜ୍ୟ ତ ଭାରତକୁ ନିକଟ ଭବିଷ୍ୟତରେ ମିଳୁନାହିଁ; କିନ୍ତୁ ଓଡିଶାରୁ ଯେ ଭୟ ଓ ନିରାଶା ଦୂରୀଭୂତ ହୋଇଛି, ସେଥିରେ ମୁଁ ପରମ ସନ୍ତୋଷ ଲାଭ କରିଛି ।’ ଗଡଜାତ ମିଶ୍ରଣ କ୍ଷେତ୍ରରେ ଗାନ୍ଧୀଜୀଙ୍କ ଅବିସ୍ମରଣୀୟ ଅବଦାନ ସହିତ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ଭୂମିକାକୁ ମନେ ପକାଇ ମହତାବ ଲେଖିଛନ୍ତି, ‘ଗାନ୍ଧଜୀଙ୍କ ଆବିର୍ଭାବ ହୋଇ ନଥିଲେ, ଓଡିଶା ସେହିପରି ଏକ ଭୌଗୋଳିକ ନାମ ମାତ୍ର ହୋଇ ରହିଥାନ୍ତା ଯେପରି ୧୯୨୦ରେ ଏହା ଥିଲା । ଓଡିଶାର ନୂତନ ଜୀବନର ସ୍ରଷ୍ଟା ଗାନ୍ଧୀଜୀ, ସେ ଓଡିଶାକୁ ଭଲ ପାଉଥିଲେ, ଓଡିଶା ତାଙ୍କୁ ଭଲ ପାଉଥିଲା ।’

ଏହି ଅଧାନଙ୍ଗଳା ଫକୀରଟି ଭିତରେ ଏତେ ଶକ୍ତି ଭରି ରହିଥିଲାଯେ ତାଙ୍କର କର ବା ମର ଆହ୍ୱାନ୍ ଭାରତରୁ ବ୍ରିଟିଶ ଶାସନର ଅନ୍ତ ଘଟାଇଲା । ତଥାପି ମଧ୍ୟ ବ୍ରଟିଶ ଜାତି ତାଙ୍କ ପାର୍ଲିଆମେଣ୍ଟ ସମୁଖରେ ଗାନ୍ଧୀଜୀଙ୍କର ଏକ ବିଶାଳ ପ୍ରତିମୂର୍ତ୍ତୀ ସ୍ଥାପନ କରି ମଥାନତ କରୁଛି । ଏହି ପ୍ରତିମୂର୍ତ୍ତୀଟି ରହିଛି ତାଙ୍କୁ ଅଧା ନଙ୍ଗଳା ଫକୀର କହିଥିବା ଉଇନ୍‌ଷ୍ଟନ୍ ଚର୍ଚ୍ଚିଲ୍‌ଙ୍କ ସ୍ମାରକୀ ନିକଟରେ । ସମଗ୍ର ବିଶ୍ୱରେ ଗାନ୍ଧୀଜୀ ଭାରତର ପରିଚିତି । କିନ୍ତୁ, ସ୍ୱାଧୀନତା ପ୍ରାପ୍ତିର ୬ମାସ ନପୁରୁଣୁ କୃତଘ୍ନତାର ଶୀର୍ଷକୁ ଯାଇ କୁତ୍ସିତ ବିଚାରରେ ସଢୁଥିବା କିଛି ବ୍ୟକ୍ତି ତାଙ୍କୁ ହତ୍ୟା କଲେ । ସେତେବେଳକୁ ସେ ବ୍ୟକ୍ତିରୁ ବିଚାରରେ ପରିଣତ ହୋଇଯାଇଥିବାରୁ ମରି ବି ଅମର ହୋଇ ରହିଛନ୍ତି ।

E-mail: prahalladsinha@gmail.com

ମୋ-୯୪୩୭୦୧୭୩୯୫

Leave A Reply

Your email address will not be published.