ଦେଖଇ ନେତ୍ର : ଉତ୍କଳକ୍ଷେତ୍ର ନା ଉତ୍କଟ କ୍ଷେତ୍ର

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର…

ଓଡିଶା ଗୋଟିଏ ମନୁଷ୍ୟକୃତ ମହାମରୁଡିର ମୁଲକ । ଏ ମହାମରୁଡି କେବଳ ଖାଦ୍ୟାଭାବ କ୍ଷେତ୍ରରେ ଅନୁଭୂତ ହେଉନାହିଁ – ଅନ୍ୟାନ୍ୟ ଅନେକ ‘ଅଭାବ’ କ୍ଷେତ୍ରରେ ମଧ୍ୟ ଅନୁଭୂତ ହେଉଛି । ସେଥିରୁ ମୁଖ୍ୟ ଅଭାବଟି ହେଉଛି ସାରା ଓଡିଶାରେ ବ୍ୟାପିସାରିଥିବା ଜନ-ସଚେତନତାର ଅଭାବ । ଏ ମୁଲକରେ ମଣିଷମାନଙ୍କୁ ଶାସନର ସାହେନ୍‌ସାମାନେ ମୁଣ୍ଡା ଏବଂ ପ୍ରଶାସନର ସାହେବମାନେ ମେଣ୍ଢା ବନାଇ ଆସିଥିବାର ଅଜବ ଅବସ୍ଥା ବଜାୟ ରହିଲାଣି ବର୍ଷବର୍ଷ । ମୁଣ୍ଡା, ମେଣ୍ଢାମାନଙ୍କ ମେଳିଗୁଡାକୁ ଖତମ୍ କରିଦେଇ ଗୁଣ୍ଡାଗେଣ୍ଡାମାନେ ଏଠି ଅକ୍ତିଆର କରିନିଅନ୍ତି ଦପ୍ତର ଓ ଦରବାର । କଳାଟଙ୍କାର କୁମ୍ଭୀରକୁଳ କେଳି କରନ୍ତି ଧଳାହାତୀମାନଙ୍କ ଧରାବନ୍ଧା ପହରାଦାରି ଭିତରେ । କବି ସାଲବେଗ ଯଦି ବଂଚିଥାନ୍ତେ ଆଜିଯାଏଁ, ତା’ହେଲେ ଏଠାକାର ଏ କୁତ୍ସିତ କୁମ୍ଭୀର ଆଉ ଧୋବ ଧାଉଳିଆ ହାତୀପଲଙ୍କର ଏଭଳି ଅଭେଦ୍ୟ ପ୍ରୀତି ଦେଖିସାରିବା ପରେ ନିଜ ଭଜନରୁ ସେଇ ପ୍ରସିଦ୍ଧ ପଦଟିକୁ ପ୍ରତ୍ୟାହାର କରିନେଇଥାନ୍ତେ ନିଶ୍ଚୟ – ‘ଗଜରାଜ ଡାକଦେଲା ଥାଇ ଘୋର ଜଳେଣ / ଚକ୍ର ପେଷି ନକ୍ର ନାଶି ଉଦ୍ଧରିଲ ଆପଣ !’

ଓଡିଶା ଗୋଟିଏ ମନୁଷ୍ୟକୃତ ମରୁପ୍ରଦେଶ । ଏ ମରୁପ୍ରଦେଶରେ ବର୍ଷା ବନେ ବତାସ, ଚଷା ହୁଏ ହତାଶ । ଏଠି ଜଗନ୍ନାଥ ନାଆଁରେ ଜଣେ କାଠ ହୋଇଯାଇଥିବା ଦିଅଁଙ୍କର ପୂଜାପାଠ ଚାଲେ ପଣ୍ଡାପଢିହାରୀଙ୍କ ଜରିଆରେ । ଏ ଦିଅଁଙ୍କ ହାତରେ ଚକ୍ରଟିଏ ମଧ୍ୟ ଅଛି – ସୁଦର୍ଶନ ଚକ୍ର । କିନ୍ତୁ କୁଦର୍ଶନ ନକ୍ର ବା କୁତ୍ସିତ କଳାକୁମ୍ଭୀରକୁଳ ମଧ୍ୟରୁ ଗୋଟିକୁ ବି ତାଙ୍କ ସୁଦର୍ଶନ ଚକ୍ର ନାଶିପାରିଥିବାର ନମୂନା କେହି ପ୍ରତ୍ୟକ୍ଷ କରିପାରିନାହାନ୍ତି ଏଯାବତ୍ । ବରଂ କୁମ୍ଭୀର କାନ୍ଦଣା ମଧ୍ୟରେ ବରାବର ଶୁଣିବାକୁ ମିଳିଥାଏ – ‘ଜୟ ଜଗନ୍ନାଥ‘ ! ଜଗନ୍ନାଥ ଏଠି ଶବରପଡାରୁ ଚୋରାରେ ଚାଲାଣ ହୋଇଆସିଥିବା ସେଇ ଦାରୁଦେବତା, ଯିଏ ବଡଦେଉଳ ବୋଲି ଉପକୂଳିଆଙ୍କର ଗୋଟାଏ କାରୁକାର୍ଯ୍ୟର କାରାଗାରରେ କେଉଁକାଳୁ କଇଦୀ ! ଜଗନ୍ନାଥଙ୍କୁ ରାଜନୀତିର ରାସ୍ତାରେ ଶସ୍ତା ସ୍ଲୋଗାନ୍‌ଟାଏ କରିସାରିଛନ୍ତି କୁଶଳୀ ମୂଷଳୀବର୍ଗ । ନିରୀହ ଆଦିବାସୀର ଧର୍ମଦେବତା ନୀଳମାଧବ ଆଜି କୁଟିଳ କପଟୀର କର୍ମକବଳିତ କଳାଠାକୁର ! ଚକ୍ରୀ ଆଜି କୁଚକ୍ରୀମାନଙ୍କ କର୍ତୃତ୍ୱରେ ! ଜଙ୍ଗଲ ଜଳୁଚି – ଜମି ଜବରଦଖଲ ହେଉଛି – ଜଳ ମାଡିଆସୁଛି ଲୁଣିଜିଭ ଲହଲହ କରି – ଜଗନ୍ନାଥ ଜଣାଣ କିନ୍ତୁ ଜାକଜମକରେ ପାଲଟିଛି ପାର୍ଟି ପଲିଟିକ୍‌ସ୍‌ର ପାମ୍ପ୍‌ଲେଟ… କାଏମୀସ୍ୱାର୍ଥର କଟ୍‌ଲେଟ୍ ! ଜଗନ୍ନାଥଙ୍କୁ ନେଇ ଏଠି ଗଢାହୁଏ ଅଜବ ଗୁଜବ – ପଢାହୁଏ ଗଡବଡ ଗଣତନ୍ତ୍ରର ଗୁପ୍ତଗାଥା ଲଢାହୁଏ ଇଲେକ୍‌ସନ୍ – କଢାହୁଏ କଳିଙ୍ଗ କଳ୍‌କୀର ପ୍ରସେସନ୍ – ଚଢାହୁଏ ଭୋଗୀଭଗତର ପୂଜାଫୁଲ – ଝଡାହୁଏ ବିତର୍କର ବତିଶଦାନ୍ତ – ତଢାହୁଏ ବସ୍ତିବାସୀର ମାଟିକାନ୍ଥ ! ଏଠି ଜଗନ୍ନାଥଙ୍କ ନାଆଁରେ ଜାଗୁଆର୍‌ଙ୍କୁ ଜୁଟେ ଜାଗିରି, ଡକାୟତଙ୍କୁ ମିଳେ ଡିଗିରି, ଚାକୁବାଲାଙ୍କୁ ଦିଆଯାଏ ଚାକିରି, ବେଠିଆଙ୍କୁ ବଂଟାଯାଏ ବେକାରୀ । ଜଗନ୍ନାଥଙ୍କ ରାଜ୍ୟ ରୂପେ ଚିହ୍ନଟ ହେଉଥିବା ଓଡିଶା – ଦାରିଦ୍ର‌୍ୟ ଓ ଦୁର୍ନୀତିର ପ୍ରଖର ପ୍ରତିନିଧିତ୍ୱ କରିଆସିଛି ଏକକାଳୀନ । ଏ ଗରିବ ରାଜ୍ୟରେ ଧର୍ମତନ୍ତ୍ରୀମାନେ ଧନୀ, ମନ୍ତ୍ରୀମାନେ ମହାଜନ, ହାକିମହୁକୁମମାନେ ଧର୍ମ୍ୟଧିରାଜ । ଆଖି ଥାଇ ସାକ୍ଷୀ ନୁହଁନ୍ତି ଚକାଆଖିଆ । ଦେବତା ଏଠି ଦାରୁ – ନେତା ଏଠି ମାରୁ – ଭୋଟର୍‌ମାନେ ଭୀରୁ । ଜୟ ଜଗନ୍ନାଥ – ହିନ୍ଦୁଧର୍ମର ହୁରି ଶୁଭୁଚି ହୁଣ୍ଡି ଭିତରୁ ।

ଓଡିଶା ଗୋଟିଏ ମନୁଷ୍ୟକୃତ ମଶାଣିପଦା । ଏଠି ଅନେକ ଶବଦାହ । ଶବଦାହ – ସ୍ୱପ୍ନର, ସଂକଳ୍ପର, ସଂସ୍କୃତିର, ସାହିତ୍ୟର, ସାମ୍ବାଦିକତାର, ସଭ୍ୟତାର, ସଭ୍ୟତାର ! ଶବଦାହ – ବିଦ୍ରୋହର, ବିପ୍ଲବର, ପ୍ରତିବାଦର, ପ୍ରତିଭାଦୀପ୍ତ ନବତାରୁଣ୍ୟର । କଳିଙ୍ଗର ସ୍ଫୁଲିଙ୍ଗ, କଙ୍ଗୋଦର କୌଳିନ୍ୟ, କୋଶଳର କୌମୁଦୀ, ଉତ୍କଳର ଉତ୍ପଳ ଏଠି ପାଉଁଶ ପାହାଡ ତଳେ ପ୍ରତ୍ନତତ୍ୱଜ୍ଞର ପ୍ରାପ୍ୟ କେବଳ ! ଭୋକର ଭୂଗୋଳ ଏ ଓଡିଶା – ନିଜ ଇତିହାସର ଇତିକଥା ଲେଖେ ସନନ୍ଦରେ, ଶିଳାଲିପିରେ, ପୋଥିପତ୍ରରେ, ପାଞ୍ଜି ଫର୍ଦ୍ଦରେ, ପୋକରା ପାଇକଖେଦାରେ, ଫିମ୍ପିମରା ପୂର୍ବମାଗଧୀରେ ! ଭୌମ, ସୋମ, କେଶରୀ, ଗଙ୍ଗ, ସୂର୍ଯ୍ୟବଂଶର ଅନେକ ଅବଶିଷ୍ଟାଂଶ ପାଲଟେ ଓଡିଶାର ଅସ୍ପଷ୍ଟ ଇତିହାସ । ଏ ଓଡିଆ ହେଉଛି ଏପରି ଏକ ବିଚିତ୍ର ଜାତି – ଯିଏ ନିଜ ଭୂଇଁକୁ ଭଲପାଇ ପାରେନା, ନିଜ ଭାଇକୁ ଭାଗ ପାଇଁ ଭଗାରି ବନାଇଦିଏ । ଯଦି ପାଂଚବର୍ଷ ଓଡିଶାଭୂଇଁରୁ ଏ ଓଡିଆମାନଙ୍କୁ ବିସ୍ଥାପିତ କରି ମରାଠୀ, ଜାଠ୍‌, ଶିଖ୍ ବା ବଙ୍ଗୀୟମାନଙ୍କୁ ସୁଦ୍ଧା ଥଇଥାନ କରିଦିଆଯାଏ, ତା’ହେଲେ ଏ ଓଡିଶାରାଜ୍ୟ ନିଜ ଇଜ୍ଜତ ହରାଇଥିବାର ଲଜ୍ଜାକର ଲାଂଛନାରୁ ମୁକୁଳିପାରିବ ହୁଏତ । ପ୍ରତିକ୍ରିୟାହୀନ, ପ୍ରତିବାଦହୀନ ଓଡିଆ ଜାତି ସବୁପ୍ରକାର ଜୁଲୁମ୍‌କୁ ବରଦାସ୍ତ କରିନେଉଥିବାରୁ ହିଁ ଏଠି ଶାସନ ଲଙ୍ଗଳା, ପ୍ରଶାସନ ହୁଗୁଳା । ଛୋଟଛୋଟ ଖୁଚୁରା ଖେଳରେ ଏଠି ଖବରକାଗଜମାନେ ବ୍ୟସ୍ତ । ନା ସେମାନେ ଜନମତକୁ ଯଥାର୍ଥ ମାର୍ଗଦର୍ଶନ ଦେଇପାରନ୍ତି ନା ନୂତନ ଶକ୍ତିକୁ ମଦତ୍ । ଏଠି ସମ୍ବାଦପତ୍ର ପାଲଟେ ଶାସକ ଦଳର ପ୍ରଶସ୍ତିପତ୍ର ନହେଲେ ବିରୋଧୀଦଳର ବିରଜାପାଞ୍ଜି ! ଓଡିଶା ପାଇଁ ଆରିସି ନାହିଁ । ଓଡିଶାର ମୁହଁ ଦିଶେନାହିଁ ଓଡିଆ ଖବରକାଗଜ ଫର୍ଦ୍ଦରେ । ସାତଆଠଟା ସହରର ସକାଳସବୁ ସମ୍ବାଦ ହୁଏ ଏଠି, ଅଜଣାଅଶୁଣା ହୋଇ ରହିଯାଏ କିନ୍ତୁ ହଜାର ହଜାର ଗାଆଁଗଣ୍ଡାର ଧୂଳିସଞ୍ଜ ଆଉ ଆଦିବାସୀପଡାର ଅଧରାତି ।

ଓଡିଶା ଗୋଟିଏ ମନୁଷ୍ୟକୃତ ମେରୁପ୍ରଦେଶ । ଏଠି ସବୁ ଶୀତଳ । ସବୁ ଶିଥିଳ । ବରଫଠାରୁ ଆହୁରି ଥଣ୍ଡା ଓଡିଆମାନଙ୍କର କଲିଜା । ସବୁ ମଜଦୂର ଆନ୍ଦୋଳନ ଶେଷହୁଏ ଶୀତତାପ ନିୟନ୍ତ୍ରିତ ମାଲିକ ମହଲରେ, ସବୁ କୃଷକ ବିପ୍ଲବର ଅନ୍ତ ଘଟେ କୃପଣ ମହାଜନମାନଙ୍କ ବେଙ୍ଗଳା ବୁଲାରେ, ସବୁ କର୍ମଜୀବୀ ଧର୍ମଘଟ ଚର୍ମ ଘଷେ ପଦ୍ମ ଘୁଂଚିଘୁଂଚି ଯାଉଥିବା ସରକାରୀ ସରୋବରରେ । ନିୟମିତ ରତିକ୍ରିୟା ଓ ଅନିୟମିତ ପ୍ରତିକ୍ରିୟାକୁ ନେଇ ପ୍ରକୃତରେ ଏକ ଅଦ୍ଭୁତ ମେରୁପ୍ରଦେଶ ଏ ଓଡିଶା । ଏଠି ଅବିଚାର, ବ୍ୟଭିଚାର, ଭ୍ରଷ୍ଟାଚାର, ନଷ୍ଟାଚାର, ଅନାଚାର ଇତ୍ୟାଦି ଅନେକ ଆଚାର ମିଳୁଥାଏ ମାହାଳିଆ । କରଜର କୋରଡାମାଡରେ ମରୁଥାଏ ଚାଷୀ – ଅନ୍ନ ବିହୁନେ ହଂସହାନି ଦର୍ଶାଉଥାଏ ଉପାସୀ ଆଦିବାସୀ । ଭଣ୍ଡମାନେ ସାଜୁଥାନ୍ତି ସନ୍ନ୍ୟାସୀ – ଭାଣ୍ଡମାନେ ବନୁଥାନ୍ତି ଶିଳାନ୍ୟାସୀ । ଭଣ୍ଡ, ଭାଣ୍ଡ, ଭେରଣ୍ଡମାନଙ୍କୁ ନେଇ ଓଡିଶା ଶାସନର ଭୋଗମଣ୍ଡପ । ଗାଲୁଆଙ୍କ ଗଞ୍ଜେଇଡିହ ପରି ଦୂରରୁ ଦିଶୁଥାଏ ପ୍ରଶାସନର ପ୍ରାଚୀରବେଷ୍ଟିତ ପରିସର । ସୌଧଶୀର୍ଷରେ ଉଡୁଥାଏ ଜାତୀୟପତାକା । ଜନଗଣଙ୍କ ପାଇଁ ଜାରି ରହିଥାଏ ଜାତୀୟ ସଂଗୀତ । ଏମିତି ଏଠାକାର ଚିତ୍ର ଓ ଭୂଚିତ୍ର । ପାଳିତ ପାଳଭୂତମାନେ ଚଳାଇଥାନ୍ତି ସରକାର ରାଜ୍ – ପୁଲିସ୍ ପାଲଟୁଥାଏ ସରକାରୀ ବରକନ୍ଦାଜ୍ । ଦଳିତଙ୍କୁ ନେଇ ଦଳ, ରଇତକୁ ନେଇ ରାଜନୀତି, ମାଓଙ୍କୁ ନେଇ ମାମଲା, ମାଫିଆଙ୍କୁ ନେଇ ମୁକାବିଲା – ଏବର ଓଡିଶା ଆନ୍ଦୋଳନର ଏପାଖସେପାଖ । ଏଠି ତେଣୁ ସବୁ ଶୀତଳ – ଅବତଳ ଓ ସମତଳକୁ ଉପହାସ କରୁଚି ଶତସହସ୍ର ସପ୍ତତଳ ! ଏଇସବୁ ସପ୍ତତଳରେ ଗୁପ୍ତମନ୍ତ୍ରଣାରତ ତୃପ୍ତଘାତକଦଳ ।

ଓଡିଶା ଗୋଟିଏ ମନୁଷ୍ୟକୃତ ମୃଗୟାକ୍ଷେତ୍ର । ଏ ମୃଗୟାକ୍ଷେତ୍ରର ମୃଗୁଣୀସ୍ତୁତିକୁ କର୍ଣ୍ଣପାତ କରନ୍ତି ନାହିଁ କେବେ କୌଣସି ଈଶ୍ୱର କି ଠାକୁର । ମାଆଟିଏ ମଥା ନୁଆଉଁଥାଏ କଥାର ବାଟୁଳି ମାରୁଥିବା ପୁଅ ପାଖେ, ଭଉଣୀଟିଏ ଭଉଁରୀ ଖାଉଥାଏ ସହରୀ ଭାଇଙ୍କ ସଡକ ଚଡକ ଚକ୍ରରେ, ଝିଅଟିଏ ଝାଉଁଳି ପଡୁଥାଏ ଝାମଲାର ଝିନ୍‌ଝଟରେ । ବାଳିକା ପ୍ରତି ବଳାତ୍କାର, ମହିଳାଙ୍କ ପ୍ରତି ଅସଦାଚାର, ବ୍ଲୁ ଫିଲ୍‌ମ୍ ପାଇଁ ହିରୋଇନ୍ ହରଣ, କ୍ଲବ୍ କ୍ୟାବାରେ ପାଇଁ କଲ୍‌ଗାର୍ଲ ପ୍ରେରଣ – ଟଙ୍କାର ଟ୍ରେଜେରୀରେ ଲୁଚିରହିଚି ଟ୍ରକ୍ ଟ୍ରକ୍ ଟ୍ରାଜେଡି । ନୋଟ୍ ନିର୍ମାଣ କରୁଚି ନେଟ୍‌ୱାର୍କ । ଭୋଟ୍ କିଣାଯିବ କୋର୍ଟ କାନୁନ୍‌କୁ ଆଖି ମାରି । ଗାଆଁଗାଆଁକୁ ଚାଲିଲେଣି ସହରୀ ଶିକାରୀ ।

ଓଡିଶା ଗୋଟିଏ ମନୁଷ୍ୟକୃତ ମହରଗ ମହକୁମା । ତୈଳଦର ଯେତେ ବଢୁ, ରାଜନୀତିର ତୈଳୀକରଣ ଆଭିମୁଖ୍ୟରେ କିନ୍ତୁ ଆଂଚ ଆସିବନି ଇଂଚଟିଏ । ଚେଲାଚାମୁଣ୍ଡା ଚାମ୍‌ଚାଙ୍କୁ ନେଇ ଗେହ୍ଲାଗୁଣ୍ଡାଙ୍କ ଗୁରୁ ଗୋଇାଇଁମାନେ ଶାସନର ଆସନରେ ସାଇଁ, ପ୍ରଶାସନର ପ୍ରାସନରେ ସାଇବ । ଗରିବମାନେ ଗହଳି କଲେ ଏ ଗୁଣ୍ଡାଗୁଡା ଗୁଣ୍ଡ ହେଇଯିବେ ଏକାଦିନକେ – କିନ୍ତୁ ସରକାରୀ ସାଇଁ-ସାଇବମାନଙ୍କ ଗୁପ୍ତ ମର୍ଡର-ଅର୍ଡର୍ ମାନି ଓଡିଶାର ପୁଲିସ୍ ଗୁଳି ଚଳଉଚି ଓଡିଶାର ଗରିବମାନଙ୍କୁ ! ୟା’ଠାରୁ ବଳି ବର୍ବରତା ଅଛି କ’ଣ ? ସେଥିପାଇଁ ଜେଲ୍ ଭିତରେ ଜହ୍ଲାଦ ଧରିଚି ମୋବାଇଲ୍ – ଥାନା ଥାକରୁ ଗାଏବ୍ ହେଉଚି ପୁଲିସ୍ ଫାଇଲ୍ ! ଆଇନ୍‌କୁ ଆଖି ମାରୁଚି ଅସୁମାରି ଅବିଚାର – କାନୁନ୍‌ର କିତାବରେ କଳାଗାର – ସବୁ ଅଂଗୀକାର ଓଡିଶା ପାଇଁ ଅଂଗାର !

ଓଡିଶା ଗୋଟିଏ ମନୁଷ୍ୟକୃତ ଦୁର୍ଭାଗ୍ୟର ଦୃଶ୍ୟପଟ । ଝଡି-ବଡି-ମରୁଡିର ମାନଚିତ୍ର ରୂପେ କୁଖ୍ୟାତ ଏ କଣପଟିଆ ରାଜ୍ୟ ଏଇନେ ଅପରାଧୀଙ୍କ ଅଭୟାରଣ୍ୟ । ଚୋରସର୍ଦ୍ଦାରଙ୍କ ଚରାଭୂଇଁ । ଖୁଲମ୍‌ଖୁଲ୍ଲା ଖୁଣୀଙ୍କ ଖାସ୍‌ସାହାଲ୍ । ଆତଙ୍କବାଦୀଙ୍କ ଆଖଡା । ଗୁପ୍ତଚରଙ୍କ ଗିରିଗୁମ୍ଫା । ସଇତାନ ସୁପୁତ୍ରଙ୍କ ସୁଡଙ୍ଗ । ଅଧିକାଂଶ ଅଯୋଗ୍ୟ ଅପାତ୍ର ଓଡିଆ ଏଠି ଦଖଲ କରନ୍ତି ରାଜନୈତିକ କ୍ଷମତା – ଅବଶିଷ୍ଟ ଓଡିଆଙ୍କୁ ତଳିତଳାନ୍ତ କରିବାରେ କାଣିଚାଏ କୁଣ୍ଠା ନଥାଏ ଏମାନଙ୍କର । ଯାହାର ଯେତେବେଶି ସମ୍ପତି, ସିଏ ଏଠି ସେତେବଡ ସମାଜପତି । ଧୁରନ୍ଧର ଧନିକ ଏଠି ପୁରନ୍ଦର – ତା’ ରଙ୍ଗସଭାରେ ଅନେକ ରମ୍ଭା, ମେନକା, ଉର୍ବଶୀ । ସିଏ ଏକାଧାରରେ ସର୍ବମୟ କର୍ତା – କେତେ କ୍ରିୟା, କେତେ କର୍ମର । ସେ ରାଜନୀତିର ବାଜପକ୍ଷୀ, ସଂସ୍କୃତିର ଶଂଖଚିଲ, ସାହିତ୍ୟର ସାରସ । ସେ ନଟକୂଟ ନାୟକ, ଛଟପଟ ପ୍ରେମିକ, ମଠମଠ ଧାର୍ମିକ । ଏ ହାତରେ ମୁଦ୍ରା, ସେ ହାତରେ ଭଦ୍ରା – ଏ ଆଖିରେ ଇସାରା, ସେ ଆଖିରେ ଉସ୍‌ମାନ୍ ତାରା – ଏ କାନରେ କିସ୍‌, ସେ କାନରେ ଫିସ୍ – ଏମିତି ଏମାନଙ୍କ କାରବାରସବୁ । ଭାରି ବଢିଆ ଭାଷଣ । ପରଦା ପଛରେ କିନ୍ତୁ ଚାଲିଥାଏ ସିଂହାସନ ସକାଶେ ଶହଶହ ଶତ୍ରୁଙ୍କୁ ସଂହାର କରିବାର ସବୁ ସରଗରମ୍ ଆୟୋଜନ । ଏପରିକି ସୁପାରି ସକାଶେ ସୁପାରିଶ୍ – ନହେଲେ ଡନ୍ ଡେପୁଟୀକୁ ଡିସ୍‌ମିସ୍ । କଳାଟଙ୍କାର କୁବେରତନ୍ତ୍ର ଆଜି କରାୟତ କରିସାରିଛି ଗଣତନ୍ତ୍ର । ଏ ଧୂର୍ତ ଧନତନ୍ତ୍ରୀ ଦଳ ଅପହରଣ କରିଛନ୍ତି ଗରିବର ଜମି, ଗିରିଜନର ଜଙ୍ଗଲ । ଆଜି ଓଡିଶାର ବିଲମାଳ ଉପରେ ବି ନଜର୍ ପଡିଲାଣି ଏମାନଙ୍କ ପୃଷ୍ଠପୋଷକତାରେ ମୁଣ୍ଡ ଟେକିଥିବା ବିଲଡର୍ ବଡିର । କମ୍ପାନୀମାନେ ଖଣି କିଣିନେବେ, କୁବେରମାନେ ଓଡିଶା ମୁଣ୍ଡରୁ ମଣି କାଢିନେବେ – ଆଦିବାସୀ ଆଉ ଅଧିବାସୀମାନଙ୍କ ଉତରପିଢି ଦାଣ୍ଡର ଭିକାରି ଭଳି ଭୁଆଁ ବୁଲିବା ଛଡା ଆଉ କରିବେ କ’ଣ ? ପୁଲିସ୍‌, ଓକିଲ, ଡାକ୍ତର ଡାକୁ – ସମସ୍ତଙ୍କୁ ଟଙ୍କା ବଳରେ କବଳିତ କରିପାରିଥିବା ଏଇ ଧନାଢ୍ୟ ଧନୁର୍ଦ୍ଧରବର୍ଗ ବିରୋଧରେ ମାତୁଛନ୍ତି ମାଓବାଦୀ । ତଥାପି ଓଡିଶାକୁ ଓଲୁ ବନାଇ ନିଜ ସୁଦୀର୍ଘ ଶାସନର ଶ୍ୱାସକ୍ରିୟା ଚାଲୁ ରଖିଛନ୍ତି ଏ ସୁରକ୍ଷିତ ସ୍ୱାର୍ଥପର ଶ୍ୱାପଦକୁଳ ।

ଓଡିଶା ଗୋଟିଏ ମନୁଷ୍ୟକୃତ ମରୀଚିାକର ମହୀମଣ୍ଡଳ । ସହି ନହେଉଥିବା ଅଧୀନରେ ରହିବାକୁ ବାଧ୍ୟ ହୋଇଥାନ୍ତି ଏଠି ଓଡିଶାବାସୀ । ଏଠି କୁଜୀନେତାକୁ କୁର୍ଣ୍ଣିସ୍ କରେ କୁଳପତି । ରାଜନେତାକୁ ରାଗିଣୀ ଶୁଣାଏ ରମଣୀମଣି । କାଲିର କୁଳାଙ୍ଗାର । ଯେଉଁଠି ଆଜିର ଅତିଥି ବେଶରେ ମଂଚ ମଣ୍ଡନ କରେ – ସେଇଠି ହିଁ ଦିଶିଯାଉଥାଏ ଓଡିଶା । ଅପରାଧୀର ଇଙ୍ଗିତରେ ଅଦଳବଦଳ ହୁଅନ୍ତି ଅଫିସର ଦଳ । କାହିଁକିନା ଶାସନର ସୁନାପୁଅ ହେଉଛି ଆଜିର ମସ୍ତାନ୍ । ହାକିମକୁ ହୁକୁମ୍ ଦିଏ ସେ । ନବାବ୍‌କୁ ଜବାବ୍ । ଗରିବ ବାଘମାନେ ନିଜ ଘରେ ଏଇ ସୁନାମିରିଗମାନଙ୍କ ନାଟ ଓ ନାଟକ ନିରେଖି ନିରେଖି ନୟାନ୍ତ । ଅଥଚ ଅଥର୍ବ ଓଡିଶାବାସୀ । ରକ୍ତରେ ଉତାପ ନାହିଁ, ଶିରା ପ୍ରଶିରାରେ ପ୍ରସ୍ତରଯୁଗର ହିମଶୀତଳତା । ରହିଲେ ଗୃହସ୍ଥ ଓଡିଶାବାସୀ ଜନଗଣ, ଯେଉଁମାନେ ଆଜି ଜାତୀୟକରଣର ଜତୁଗୃହରେ ଜର୍ଜରିତ ! କାହାକୁ ଗୁହାରି କରିବେ ଏମାନେ ? ଆଇନ୍ ଅନ୍ଧ, ପୁଲିସ୍ ମୂକ, ପ୍ରଶାସନ ବଧୀର ! ଅତଏବ ଅପଶାସନର ଶକୁନ ଛାୟାରେ ଆତଙ୍କିତ ଓଡିଶା ଆଉ ଏକ ତୁମୂଳ ପରିବର୍ତନ ଅପେକ୍ଷାରେ ଉର୍ଦ୍ଧ୍ୱଶାସ । ଏ ଅପେକ୍ଷା ଅନେକ ଦିନ ପରେ କ’ଣ ହାସଲ କରିପାରିବ ସୁଦିନର ଶୁଭସକାଳ ? ଏ ପ୍ରଶ୍ନର ପ୍ରତ୍ୟୁତରରେ ମୁରୁକିହସୁଚି ଏକ ମନୁଷ୍ୟକୃତ ମରୀଚିକାର ମହୀମଣ୍ଡଳ !

ବିନା ପ୍ରତିକ୍ରିୟା, ପ୍ରତିବାଦ, ପ୍ରତିବଦ୍ଧତାରେ କ’ଣ କୌଣସି ଜାତି ସୁଶାସନ ସକାଶେ ହକ୍‌ଦାର ହୋଇପାରେ କେବେ ? ଏବଠୁ ହିଁ ସାରା ଓଡିଶା ନିଜେ ନିଜକୁ ବଦଳାଇବାର ପଣ ନକଲେ, ଗଣତନ୍ତ୍ର ଏଠି ଏମିତି ପଡିରହିଥିବ ଗୋବରଗଦାରେ ଆଉ ଜନଗଣ ମିଶିଯାଇଥିବେ ମଶାଣିପଦାରେ !

ଯାଜପୁର ରୋଡ, ଯାଜପୁର ମୋ : ୯୮୬୧୦୩୪୧୬୩

(ଲେଖକ ଜଣେ ବରିଷ୍ଠ ଶ୍ରମିକ ନେତା ଓ ସ୍ତମ୍ଭକାର)
ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି www.odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।