Latest Odisha News

BREAKING NEWS

ଅନନ୍ୟ ଶଙ୍ଖକ୍ଷେତ୍ର

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ”

ବିଷ୍ଣୁ ଧର୍ମୋତ୍ତର ପୁରାଣ ଅନୁସାରେ ମହାବିଷ୍ଣୁଙ୍କର ଚାରି ହାତରେ ରହିଥିବା ଚାରି ଆୟୁଧ ଯଥା ଶଙ୍ଖ, ଚକ୍ର, ଗଦା, ପଦ୍ମକୁ ନେଇ ପବିତ୍ର ଓଡ଼ିଶା ମାଟିର ଚାରିଗୋଟି ସ୍ଥାନର ମହତ୍ୱ ସୃଷ୍ଟି ହୋଇଛି । ସେଥି ମଧ୍ୟରୁ ଶ୍ରୀକ୍ଷେତ୍ର ପୁରୀ ଧାମ ଶଙ୍ଖକ୍ଷେତ୍ର, ଏକାମ୍ର ଭୁବନେଶ୍ୱର ଚକ୍ରକ୍ଷେତ୍ର, ବିରଜା କ୍ଷେତ୍ର ଯାଜପୁର ଗଦାକ୍ଷେତ୍ର ଓ ଅର୍କପୀଠ କୋଣାର୍କ ପଦ୍ମକ୍ଷେତ୍ର ଭାବେ ପରିଚିତ । ଭୌଗଳିକ ସ୍ଥିତି, ଶ୍ରୀମନ୍ଦିରର ଅବସ୍ଥିତି ତଥା ଅନ୍ୟାନ୍ୟ ତୀର୍ଥସ୍ଥଳୀ ଗୁଡ଼ିକର ଆଧାରରେ ପୁରୀକୁ ଶଙ୍ଖକ୍ଷେତ୍ର ଭାବେ ନାମିତ କରିବା ଯୁକ୍ତିଯୁକ୍ତ । ମହୋଦଧି କୂଳର ଅଳ୍ପ ଦୂରରେ ଅବସ୍ଥିତ ଶ୍ରୀମନ୍ଦିର ତଥା ତତ୍‌ପରିବେଷ୍ଟିତ ଅଞ୍ଚଳରେ ରହିଥିବା ଶତାଧିକ ସଂଖ୍ୟାର ମନ୍ଦିର, ତୀର୍ଥ ପୁଷ୍କରିଣୀ, ଆଶ୍ରମ ଓ ଦିବ୍ୟବୃକ୍ଷ ଆଦିକୁ ନେଇ ଏହି ନାମକରଣର ପରିକଳ୍ପନା କରାଯାଇଛି ।

ଗୋଟିଏ ଦକ୍ଷିଣାବର୍ତ୍ତ ଶଙ୍ଖ ଆକୃତିର ପରିକଳ୍ପିତ ଅଞ୍ଚଳରେ ଏହିସବୁ ପ୍ରାଚୀନ କୀର୍ତ୍ତିରାଜିର ସ୍ଥିତି ଏହି ନାମକରଣକୁ ଦୃଢ଼ିକୃତ କରେ । ଆନୁମାନିକ ଭାବେ ଦଶବର୍ଗ ମାଇଲ ପରିମିତ ଏହି ଅଞ୍ଚଳର କିଛି ଭାଗ ସମୁଦ୍ର ମଧ୍ୟରେ ରହିଥିବା ଜଣାଯାଏ । ଏହି ଶଙ୍ଖକ୍ଷେତ୍ରର ପରିକଳ୍ପିତ ନକ୍ସାକୁ ଅନୁଧ୍ୟାନ କଲେ ଦେଖାଯାଏ ଯେ ଏହି କ୍ଷେତ୍ରର କେନ୍ଦ୍ରରେ ଶ୍ରୀମନ୍ଦିର ଅବସ୍ଥିି୍‌ତ । ଶ୍ରୀମନ୍ଦିର ମଧ୍ୟରେ ରତ୍ନ ସିଂହାସନରେ ଉପବିଷ୍ଟ ଶ୍ରୀଜଗନ୍ନାଥଙ୍କ ସମେତ ଚତୁର୍ଦ୍ଧାମୂର୍ତ୍ତି ଶଙ୍ଖନାଭି ମଣ୍ଡଳରେ ବିରାଜମାନ କରିଛନ୍ତି ବୋଲି ବିଶ୍ୱାସ କରାଯାଏ । ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଏହି କ୍ଷେତ୍ରର ଅଧିଷ୍ଠାତା ତଥା ମୁଖ୍ୟ ଆରାଧ୍ୟ ଦେବତା । ଏହାକୁ କେନ୍ଦ୍ର କରି ତାନ୍ତ୍ରିକ ନିୟମ ଅନୁସାରେ ସାତଗୋଟି ସ୍ତରରେ ବିଭିନ୍ନ ଦେବଦେବୀ ଓ ଗୁରୁତ୍ୱପୂର୍ଣ୍ଣ ଐତିହ୍ୟସ୍ଥଳୀ ରହିଅଛି । କ୍ଷେତ୍ରର ପଶ୍ଚିମରେ ତଥା କଳ୍ପିତ କ୍ଷେତ୍ରର ପୁରୋଭାଗରେ ଶ୍ରୀଲୋକନାଥଙ୍କ ମନ୍ଦିର ବିଦ୍ୟମାନ । ଠିକ୍ ସେଇଭଳି ଶେଷ ଭାଗରେ ଅନ୍ୟତମ ମହାଦେବ ଶ୍ରୀ ବିଲ୍ୱେଶ୍ୱରଙ୍କ ମନ୍ଦିର ରହିଅଛି । ରତ୍ନସିଂହାସନକୁ କେନ୍ଦ୍ରବିନ୍ଦୁ ଭାବେ ଧରିଲେ ।

ଦ୍ୱିତୀୟ ସ୍ତରରେ ଠାକୁରାଣୀ ଯଥା ମା’ ସର୍ବମଙ୍ଗଳା, ମା’ ବିମଳା, ମା’ ଭୁବନେଶ୍ୱରୀ, ମା’ ସରସ୍ୱତୀ, ମା’ ଗାୟତ୍ରୀ, ମା ମହାଲଷ୍ମୀ, ଓ ମା’ ଉତ୍ତରାୟଣୀଙ୍କ ମନ୍ଦିର ସହିତ ପବିତ୍ର ବୃକ୍ଷ କଳ୍ପବଟ ଏବଂ ପବିତ୍ର ତୀର୍ଥ ରୋହିଣୀ କୁଣ୍ଡ ରହିଅଛି । ଆହୁରି ନାଟମଣ୍ଡପରେ ବିଷ୍ଣୁଙ୍କ ବାହନ ଶ୍ରୀଗରୁଡ଼ ମଧ୍ୟ ସ୍ତମ୍ଭ ଉପରେ ରହିଛନ୍ତି । ଏହି ଦ୍ୱିତୀୟ ସ୍ତର କ୍ଷେତ୍ରର ସର୍ବୋଚ୍ଚ ସ୍ଥାନ ହୋଇଥିବାରୁ ଏହାକୁ ଏକ କଚ୍ଛପର ପୃଷ୍ଠଭାଗ ଭାବେ କଳ୍ପନା କରାଯାଇଛି । କ୍ଷେତ୍ରର ତୃତୀୟ ସ୍ତରର ଚତୁର୍ଦ୍ଦିଗରେ ଅଷ୍ଟଦଳ ପଦ୍ମର ପରିକଳ୍ପନା ସହିତ ଆଠଗୋଟି ଶିବ ମନ୍ଦିର ଓ ଅଷ୍ଟଚଣ୍ଡିକାଙ୍କ ମନ୍ଦିର ରହିଅଛି । ଏମାନେ ହେଲେ ଅଗ୍ନିଶ୍ୱର, ବଟେଶ୍ୱର, କ୍ଷେତ୍ରପାଳେଶ୍ୱର, ବୈକୁଣ୍ଠେଶ୍ୱର, ପାତାଳେଶ୍ୱର, ରାମେଶ୍ୱର, ଇଶାନେଶ୍ୱର ଓ ବେଢ଼ାଲୋକନାଥ । ଠାକୁରାଣୀମାନେ ହେଲେ ମହାବଜ୍ରେଶ୍ୱରୀ ବା ଇନ୍ଦ୍ରାଣୀ, କାତ୍ୟାୟନୀ, ଶ୍ୱାନଭୈରବୀ, ଭଗକାଳୀ, ଷଷ୍ଠୀ, ସାବିତ୍ରୀ, ବେଢ଼ାକାଳୀ, ଶିତଳା ।

ଏହି ଦେବଦେବୀମାନେ ମୁଖ୍ୟ କେନ୍ଦ୍ରରେ ଅଧିଷ୍ଠିତ ଚତୁର୍ଦ୍ଧାମୂର୍ତ୍ତିଙ୍କ ସୁରକ୍ଷା ଦାୟିତ୍ୱରେ ରହିଛନ୍ତି । ଚତୁର୍ଥ ସ୍ତରରେ ଏକ ଚତୁସ୍କୋଣ କ୍ଷେତ୍ରରେ ରହିଥିବା ପ୍ରାଚୀର କୁର୍ମବେଢ଼ା ନାମରେ ଲୋକମୁଖରେ ପରିଚିତ । ପଞ୍ଚମ ସ୍ତରରେ ପୁନର୍ବାର ଅଷ୍ଟଶମ୍ଭୁ ଓ ଅଷ୍ଟଚଣ୍ଡୀଙ୍କ ଆସ୍ଥାନ ବିଦ୍ୟମାନ । ଏଥିରେ ଶ୍ରୀ ବିଶ୍ୱେଶ୍ୱର, ଶ୍ରୀ ଲୋକନାଥ, ଶ୍ରୀ ମାର୍କଣ୍ଡେଶ୍ୱର, ଶ୍ରୀ ମହାକାଳେଶ୍ୱର, ଶ୍ରୀ କର୍ଣ୍ଣାମେଶ୍ୱର, ଶ୍ରୀ ଜମେଶ୍ୱର, ଶ୍ରୀ କପାଳମୋଚନ ଓ ଶ୍ରୀ ନୀଳକଣ୍ଠଙ୍କ ସହିତ ଅଷ୍ଟଚଣ୍ଡିକାଙ୍କ ମଧ୍ୟରେ ମା’ ବିଶ୍ୱେଶ୍ୱରୀ, ମା’ ଦକ୍ଷିଣକାଳୀ, ମା’ ମର୍ଚ୍ଚିକା, ମା’ ଆଲମ୍ବେଶ୍ୱରୀ, ମା’ ବାରାହୀ, ମା’ ଅର୍ଦ୍ଧାସିନୀ ଏବଂ’ ବାସୁଳେଇଙ୍କ ମନ୍ଦିର ରହିଅଛି । ଭିନ୍ନ ଏକ ମତରେ ଏହି ଶ୍ରୀକ୍ଷେତ୍ରର ଏହି ଅଷ୍ଟଚଣ୍ଡିକାଙ୍କ ଚିହ୍ନଟରେ କିଛି ବ୍ୟତିକ୍ରମ ଦେଖାଯାଏ । ସେମାନେ ହେଲେ ହରଚଣ୍ଡୀ, ଚାମୁଣ୍ଡା, ତ୍ରିିପୁର ସୁନ୍ଦରୀ, ରାମାୟଣୀ,ବନଦୁର୍ଗା, ଶ୍ୟାମାକାଳୀ ଓ ଚର୍ଚ୍ଚିକା ପ୍ରଭୃତି ଠାକୁରାଣୀ ରହିଛନ୍ତି ।

ଶଙ୍ଖକ୍ଷେତ୍ରର ଷଷ୍ଠସ୍ତରରେ ବୈଦିକ ଯୁଗର ଚାରିଜଣ ମହାନ ଋଷିଙ୍କ ନାମାଙ୍କିତ ଆଶ୍ରମମାନ ବିଦ୍ୟମାନ । ପୂର୍ବରେ ଅଙ୍ଗିରାଶ୍ରମ, ପଶ୍ଚିମରେ ଋଷି ପଣ୍ଡୁଙ୍କ ଆଶ୍ରମ, ଉତ୍ତରରେ ଋଷି କଣ୍ଡୁଙ୍କ ଆଶ୍ରମ ଓ ଦକ୍ଷିଣରେ ଭୃଗୁମୁନିଙ୍କ ଆଶ୍ରମ ରହିଅଛି । କ୍ଷେତ୍ରର ସପ୍ତମ ତଥା ବାହ୍ୟ ସ୍ତରରେ ପ୍ରମୁଖ ତୀର୍ଥ କ୍ଷେତ୍ର ଯଥା ଦକ୍ଷିଣରେ ଶ୍ୱେତଗଙ୍ଗା ଓ ମହୋଦଧି, ବାୟୁ କୋଣରେ ମାର୍କଣ୍ଡେୟ ପୁଷ୍କରିଣୀ, ଉତ୍ତରରେ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ତଥା ଯଜ୍ଞନୃସିଂହ ଓ ନୀଳକଣ୍ଠେଶ୍ୱର ମହାଦେବଙ୍କ ମନ୍ଦିର ରହିଅଛି ।

ସେହିପରି ପୂର୍ବରେ ଚକ୍ରତୀର୍ଥ, ଚକ୍ରନୃସିଂହ ଓ ବେଡ଼ିହନୁମାନ ଏହା ବ୍ୟତୀତ ଏହି କ୍ଷେତ୍ରରେ ଶ୍ରୀମନ୍ଦିର ଭିତରେ ଓ ବାହାରେ ଅନେକଗୋଟି ହନୁମାନଙ୍କ ମନ୍ଦିର ମଧ୍ୟ ରହିଅଛି । ଶ୍ରୀମନ୍ଦିର ଭିତରେ ପୂର୍ବରେ ଫତେ ମହାବୀର, ଦକ୍ଷିଣରେ ବାରଭାଇ ହନୁମାନ, ପଶ୍ଚିମ ଦ୍ୱାରରେ କାନପତା ହନୁମାନ, ଉତ୍ତର ଦ୍ୱାର ନିକଟରେ ତପସ୍ୱୀ ହନୁମାନ ରହିଛନ୍ତି । ଶ୍ରୀମନ୍ଦିର ବାହାରେ ରହିଥିବା ହନୁମାନ ମନ୍ଦିର ମଧ୍ୟରେ ତ୍ରେତୟା ଯୁଗରେ ଶ୍ରୀରାମଙ୍କ ସେବା କରିଥିବା ସପ୍ତ ମହାବୀର ଯଥା ନଳ, ନୀଳ, ସୁଷେଣ, ସୁଗ୍ରୀବ, ତାରାକ୍ଷ, ଅଙ୍ଗଦ ଓ ହନୁମାନ ପ୍ରଭୃତି ଅନ୍ତର୍ଭୁକ୍ତ ।

ଶଙ୍ଖକ୍ଷେତ୍ର ନାମକରଣ ପଛରେ ରହିଥିବା ପୁରାଣ ବର୍ଣ୍ଣିତ ତଥ୍ୟର ବର୍ଣ୍ଣନା ଏହିପରି । ଶ୍ରୀ ବିଷ୍ଣୁଙ୍କ ମୀନ ଅବତାର ବେଳେ ମଧୁକାସୁର ବ୍ରହ୍ମାଙ୍କୁ ମାରିବା ପାଇଁ ଉଦ୍ୟମ କରିଥିବାରୁ ପ୍ରଭୁ ତା’ର ବଧ କରିଥିଲେ । ମଧୁକାସୁରର ସ୍ୱେଦରୁ ଶଙ୍ଖାସୁର ଜନ୍ମ ନେଇଥିଲା । ଶଙ୍ଖାସୁର ମଧୁବଧର ପ୍ରତିଶୋଧ ନେବା ପାଇଁ ଚେଷ୍ଟା କରି ବିଫଳ ହେଲା ପରେ ମହାଦେବଙ୍କ ଶରଣ ପଶିଥିଲା । ବହୁକାଳ ସ୍ତୁତି କରିବା ପରେ ମହାଦେବ ସନ୍ତୁଷ୍ଟ ହୋଇ ତାକୁ ତନ୍ତ୍ରବିଦ୍ୟା ଶିକ୍ଷା ଦେଇଥିଲେ । ସେହି ସମୟରେ ଋଷି ଯାଜ୍ଞବଳ୍କ୍ୟ ବ୍ରହ୍ମାଙ୍କଠାରୁ ଯର୍ଜୁବେଦ ଶିକ୍ଷା କରୁଥିଲେ । ଶଙ୍ଖାସୁର ବେଦମନ୍ତ୍ର ଶିକ୍ଷା କରିବା ପାଇଁ ମହାଦେବଙ୍କୁ ପ୍ରାର୍ଥନା କରିଥିଲେ । ସେ ତାକୁ ବ୍ରହ୍ମାଙ୍କ ପାଖକୁ ଯିବାକୁ କହିଲେ । ମାତ୍ର ସେତେବେଳକୁ ବ୍ରହ୍ମା ତାଙ୍କର ଭକ୍ତମାନଙ୍କୁ ବେଦମନ୍ତ୍ର ପ୍ରଦାନ କରିସାରିଥିଲେ ବୋଲି କହିବାକୁ ଶଙ୍ଖାସୁର କ୍ରୋଧରେ ସେହି ଭକ୍ତମାନଙ୍କଠାରୁ ବଳପୂର୍ବକ ଚାରିବେଦ ଛଡ଼ାଇ ନେଇ ସମୁଦ୍ର ଭିତରେ ଆତ୍ମଗୋପନ କରିଥିଲା । ଶ୍ରୀ ବିଷ୍ଣୁ ମୀନ ଅବତାର ଧାରଣ କରି ତାକୁ ସମୁଦ୍ର ଭିତରେ ଖୋଜିଥିଲେ । ଶଙ୍ଖାସୁର ପୁଣିଯାଇ ପ୍ରଥମେ କଳ୍ପବଟ ଭିତରେ ଲୁଚିଲା ଏବଂ ପରେ ଏକ ଶଙ୍ଖ ମଧ୍ୟରେ ଆତ୍ମଗୋପନ କଲା । ବିଷ୍ଣୁଙ୍କ ସୁଦର୍ଶନ ଚକ୍ର ସେ ଶଙ୍ଖର ଶକ୍ତ ଆବରଣଙ୍କୁ ଭେଦ କରି ପାରିଲା ନାହିଁ । ଶେଷରେ ବିଷ୍ଣୁ ବ୍ରହ୍ମାସ୍ତ୍ର ପ୍ରୟୋଗ କରି ତା’ର ନିଧନ କରିଥିଲେ । ଶଙ୍ଖ ଖଣ୍ଡବିଖଣ୍ଡିତ ହୋଇ ଯେଉଁ କ୍ଷେତ୍ରରେ ପଡ଼ିଥିଲା ମହାଦେବଙ୍କ ପ୍ରସ୍ତାବରେ ସେହି କ୍ଷେତ୍ରର ନାମ ଶଙ୍ଖକ୍ଷେତ୍ର ବୋଲି ରଖାଗଲା ।

ବିଂଶ ଶତାବ୍ଦୀର ଅଶୀ ଦଶକର ଶେଷ ଭାଗରେ ପ୍ରସିଦ୍ଧ ଶ୍ରୀମନ୍ଦିର ଗବେଷକ ପଣ୍ଡିତ ସ୍ୱର୍ଗତ ସଦାଶିବ ରଥଶର୍ମା ପ୍ରଥମେ ଶଙ୍ଖକ୍ଷେତ୍ରର ଏକ ପରିକଳ୍ପିତ ନକ୍ସା ପ୍ରସ୍ତୁତ କରି ପ୍ରକାଶ କରିଥିଲେ । ଅନ୍ୟ ପଣ୍ଡିତମାନଙ୍କ ଦ୍ୱାରା ବହୁ ବିତର୍କିତ ହେବା ପରେ ସାଧାରଣ ଭକ୍ତ ସମାଜରେ ତାହା ଗୃହୀତ ହୋଇଥିଲା ।

 କୁଣ୍ଢେଇବେଣ୍ଟ ସାହି,
ପୁରୀ , ମୋ: ୯୪୩୭୧୬୬୩୬୯

Leave A Reply

Your email address will not be published.