Latest Odisha News

BREAKING NEWS

ଭାବମୂର୍ତ୍ତି

ସମକାଳୀନ ଓଡ଼ିଆ କଥାସାହିତ୍ୟରେ ପବିତ୍ର ପାଣିଗ୍ରାହୀ ଜଣେ ସମର୍ଥ କଥାକାର ଭାବେ ଜଣାଶୁଣା! ପ୍ରକାଶିତ ଗଳ୍ପ ସଂକଳନ:
ପ୍ରେମିକର ଦଶାବତାର, ଖରାପ ପାଗ, ହାଇଫେନ୍‍, ଏକାଏକା ଅରୁନ୍ଧତୀ, ମନ ଅନ୍ଧାର, ଅଫେରା ଜହ୍ନରାତି, ଛୁଇଁଲେ ପ୍ରେମ, ସ୍ୱପ୍ନଚୋରି, ବରଂ ଅଂଧାର ଭଲ, ଗପର ମୁହଁ ! ଉପନ୍ୟାସ: ଡଅଁର ! କବିତା ସଂକଳନ: କଦମ୍ବ ବନର ସନ୍ନ୍ୟାସୀ ! ଫିଚର ସଂକଳନ: କେତେ କଥା କେତେ ନଥା ! ପ୍ରବନ୍ଧ ସଂକଳନ: ଜଗତୀକରଣ ଓ ଓଡ଼ିଆ ଗଳ୍ପ ! ଅନୂଦିତ ପୁସ୍ତକ: ସେବାସଦନ, କଳାପାଣି, ଭାରତର ସମ୍ବିଧାନ ! ଜୀବନୀ ପୁସ୍ତକ: ଐତିହାସିକ ମନ୍ମଥନାଥ ! ସଂପାଦିତ ଗଳ୍ପ ସଂକଳନ: ମୋହ, ମିଛ, ପ୍ରେମିକା, ପ୍ରେମଗଳ୍ପ, ଦାମ୍ପତ୍ୟ କଥା, ଗଳ୍ପଝର ଗଳ୍ପଗୁଚ୍ଛ, ଶେଷକଥା ! ସଂପାଦିତ କବିତା ସଂକଳନ: ଜଗନ୍ନାଥ ଦାଶ ଗ୍ରନ୍ଥାବଳୀ (୩ଖଣ୍ଡ), ବସନ୍ତ ବର୍ଣ୍ଣବିଭା !

ଭାବମୂର୍ତ୍ତି
ପବିତ୍ର ପାଣିଗ୍ରାହୀ

ଦୁର୍ବଳ ସ୍ୱାସ୍ଥ୍ୟ, ପତଳା ଚେହେରା ଓ ସାଧାରଣ ସ୍ୱଭାବର ବଂଧୁ ନବକିଶୋର ପିଲାବେଳୁ ଥିଲେ ଡରକୁଳା । ପିଲାଟି ଦିନେ ଅବଧାନଙ୍କୁ, ସୁସ୍ଥ ସବଳ ସହପାଠୀଙ୍କୁ, ଜହ୍ନରାତିରେ ସିନ୍ଦୁର ଟିପାଟିପି ଖେଳ ଖେଳିବାକୁ ଡାକୁଥିବା ପଡ଼ିଶାଘର ଝିଅକୁ, ଅଂଧାରକୁ, ବର୍ଷାପବନକୁ, ବିଜୁଳି ଘଡ଼ଘଡ଼ିକୁ, ଗୁଣ୍ଡା, ବଦମାସ, ଚୋର, ଡକାୟତ ଓ ଭୂତପ୍ରେତ ସମେତ ଆହୁରି ଅନେକ କିଛିକୁ ସେ ଡରୁଥିଲେ।

ପାଠଶାଠ ପଢ଼ି ଚାକିରି କରାପରେ ବି ସେଇ ଡରକୁଳା ଭାବଟି ତାଙ୍କ ସହ ରହି ଆସିଛି ଛାଇଭଳି । ଉପରିସ୍ଥ କର୍ମକର୍ତ୍ତାଙ୍କୁ ଡର, କୁହାଳିଆ ସହକର୍ମୀଙ୍କୁ ଡର, ସୁନ୍ଦରୀ ଓ ସ୍ମାର୍ଟ ଲେଡ଼ି ଷ୍ଟେନୋ ବା ଟାଇପିଷ୍ଟଙ୍କୁ ଡର, ପରିଚିତ ଅପରିଚିତ ଯେ କୌଣସି ସୁନ୍ଦରୀ ଯୁବତୀଙ୍କୁ ଡର, ନନ୍ଦନକାନନର ଜୀବଜନ୍ତୁଙ୍କ ସମେତ ରାସ୍ତାରେ ଯାଉଥିବା ଗାଡ଼ିମଟର, ବୁଲାଟିଆ ଗାଈ, ଷଣ୍ଢ ତଥା କୁକୁର ମାନଙ୍କୁ ଡର, ପୋଲିସକୁ ଡର, ମାଡ଼ ଗଣ୍ଡଗୋଳକୁ ଡର ପୁଣି ପ୍ରତିଦିନ ବୋମା ବିସ୍ଫୋରଣ କି ଭୂମିକଂପ/ସୁନାମୀର ଆଶଂକା,ବଢ଼ିଲା ନଈ ବା ଢେ଼ଉ ମାଡ଼ି ଆସୁଥିବା ସମୁଦ୍ର ପ୍ରତି ଭୟ, ସୂର୍ଯ୍ୟଙ୍କର ଶକ୍ତିହ୍ରାସ ଯୋଗୁଁ କଳ୍ପିତ ବିଭୀଷିକାର ଦୁଃସ୍ୱପ୍ନ ଇତ୍ୟାଦି ଯାବତୀୟ ନକାରାତ୍ମକ ଭାବନା ଥିଲା ତାଙ୍କର ଚିର ସହଚର ।

ତାଙ୍କ ବାହାଘର ଦିନ ଅପର୍ଯ୍ୟାପ୍ତ ଅଯଥା ଆଶଙ୍କା ଓ ଉଦବେଗ ଯୋଗୁଁ ସେ ନାଳଝାଡ଼ାରେ ଆକ୍ରାନ୍ତ ହୋଇ ପଡ଼ିଲେ । ଶେଷକୁ ବାରମ୍ବାର ପାଇଖାନା ଧାଇଁବା ଓ ଶ୍ୱଶୁରଘରେ ନୂଆ ଜାଗାରେ ଏକୁଟିଆ ପାଇଖାନା ଯିବାକୁ ଡରିବା ଘଟଣା ନବପରିଣୀତା ପତ୍ନୀ ପ୍ରିୟମ୍ବଦାଙ୍କୁ କେବଳ ଚକିତ କରିନଥିଲା ବରଂ କରିଥିଲା ବିଚଳିତ ମଧ୍ୟ ।

ଚୁପଚାପ ସ୍ୱଭାବର ନବବାବୁ କାହାରି ସହ ଯୁକ୍ତିତର୍କ କରିବା ଦୂରେଥାଉ ଉଚ୍ଚସ୍ୱରରେ ବି କଥାବାର୍ତ୍ତା କରୁନଥିଲେ । ଯିଏ ଯାହା କହିଲା ନିର୍ବିକାରରେ ସେ ମୁଣ୍ଡ ଟୁଙ୍ଗାରି ଗ୍ରହଣ କରିନେଉଥିଲେ । କେହି ଟାଣକରି କିଛି ପଦେ କହିଲେ ସେ ଥମ ଥମ ହେଇ ଯାଉଥିଲେ । ନିଜର ଏତାଦୃଶ ଦୁର୍ବଳ ବ୍ୟକ୍ତିତ୍ୱ ପାଇଁ ଶୈଶବରେ ପିତାଙ୍କୁ ହରାଇବା, ମାଆଙ୍କର ସରଳତା ଓ ଛୁଆଟିବେଳୁ କ୍ରମାଗତ ନାନାଦି ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ହୋଇରହିବାକୁ କାରଣ ବୋଲି ସେ ମନେ କରୁଥିଲେ କେବେକେବେ ଆତ୍ମଚିନ୍ତନ ବେଳେ । ବଂଧୁ ମେଳରେ, ବଜାର ଘାଟରେ, ଆତ୍ମୀୟ ସ୍ୱଜନଙ୍କ ମହଲରେ, ତାଙ୍କ ପଛରେ ସମସ୍ତେ ତାଙ୍କୁ ମାଇଚିଆ କହୁଥିଲେ । ତାଙ୍କର ସାଂସାରିକ ଜୀବନ ସୁଖମୟ ଥିବା ସତ୍ତେ୍ୱ ଓ ଗୋଟିଏ ସନ୍ତାନର ଜନକ ହେବାପରେ ବି ତାଙ୍କର ଏହି ଦୁର୍ବଳ ସ୍ୱଭାବ ପାଇଁ ପ୍ରିୟମ୍ବଦା ତାଙ୍କୁ ବାରମ୍ବାର ଝିଙ୍ଗାସୁଥିଲେ- ତମକୁ ବିଧାତା ପୁରୁଷଟିଏ କରି କାହିଁକି ଗଢ଼ିଥିଲେ କେଜାଣି! ଯିଏ ଯେତେ ଯାହା କହିଲେ ବି ତମେ ପଦେ ଉଁ କି ଚୁଁ କରିବନି, ତମ ଭଳିଆ ଲୋକକୁ ନେଇ କେମିତି ଚଳିବି ମୁଁ ସାରାଜୀବନ! ମୁଁ ବରଂ ପୁଅଟିଏ ହେଇ ତମେ ଝିଅଟିଏ ହେଇଥାଆନ୍ତ କି! ପତ୍ନୀଙ୍କର ଏଭଳି କଥାର କୌଣସି ଉତ୍ତର ନଦେଇ ସହଜ ହସଟେ କେବଳ ସେ ଫିଙ୍ଗି ଦିଅନ୍ତି ତାଙ୍କ ଆଡେ଼ । ବାସ ଆଉ କିଛି ପ୍ରତିକ୍ରିୟା ନଥାଏ ତାଙ୍କର । ପ୍ରିୟମ୍ବଦାଙ୍କ ରାଗ ଓ ଅଭିମାନ ସବୁ ମିଳେଇଯାଏ କ୍ରମଶଃ ଆଇସକ୍ରିମଟିଏ ଭଳି । ମାତ୍ର ସେଇ ନବବାବୁ ଜୀବନରେ ଥରୁଟିଏ ହେଲେବି ଏଭଳି ଦୁଃସାହସିକ ତଥା ବୀରୋଚିତ କାର୍ଯ୍ୟଟିଏ କରିଥିଲେ ଯେ ତାଙ୍କର ନିନ୍ଦୁକମାନେ ତାଜ୍ଜୁବ ହୋଇଯାଇଥିଲେ ।

ଏକମାତ୍ର ପୁଅର ପାଠପଢ଼ା ସମୟ ହେବାରୁ ଗାଁରେ ରହୁଥିବା ତାଙ୍କ ସ୍ତ୍ରୀ ଓ ପୁଅଙ୍କୁ ଚାକିରୀ ଜାଗାକୁ ଆଣିବା କଥା ସ୍ଥିର କଲେ ନବବାବୁ । ସହରରେ ଭଡ଼ାଘରଟିଏ ତା’ ପୁଣି ମନମୁତାବକ ମିଳିବା ବଡ଼ କଷ୍ଟସାଧ୍ୟ ଥିଲା । ତଥାପି ଅନେକ ଖୋଜାଖୋଜି କରି ଗୋଟିଏ ଘର ଆପାତତଃ ସେ ଠିକ କରିଥିଲେ । ତାହାଥିଲା ଦୁଇଟି ପରିବାର ପାଇଁ ଉଦ୍ଧିଷ୍ଟ ଗୋଟିଏ ଟ୍ୱିନ କ୍ୱାର୍ଟର । ସେଇଥିରୁ ଗୋଟିକରେ ସେ ସଜାଡ଼ିଥିଲେ ତାଙ୍କର ନୂଆନୀଡ଼, ଆରପଟ ଘରେ କିଛିଦିନ ଆଗରୁ ଆସି ରହୁଥିଲେ ଜଣେ ଜୁନିୟର ଇଂଜିନିୟର ପ୍ରେମକରି ବାହା ହୋଇଥିବା ତାଙ୍କର ସୁନ୍ଦରୀ ସଦ୍ୟବିବାହିତା ପତ୍ନୀଙ୍କ ସହ । ରହିବାର ଦି ଚାରିଦିନ ପରେ ସେ ଜାଣିବାକୁ ପାଇଲେ ଯେ ପଡେ଼ାଶିନୀ ଜଣକ କୌଣସି ଗ୍ରାମ୍ୟ ହାଇସ୍କୁଲରୁ ମ୍ୟାଟି୍ରକଟା କୌଣସି ମତେ ପାଶ କରିଥିବା ସତ୍ତେ୍ୱ ତାଙ୍କର ସୁଗଠିତ ଲାବଣ୍ୟ ମଣ୍ଡିତ ରୂପ ପାଇଁ ଯୁବ ଇଂଜିନିୟର ଜଣକ ତାଙ୍କ ପ୍ରେମରେ ପଡ଼ିଯାଇଥିଲେ ଓ ଯାହା ପରେ ବିବାହରେ ପରିଣତ ହେଲା । ତେବେ ସବୁଠାରୁ ଯାହା ଚର୍ଚ୍ଚାର ବିଷୟ ଥିଲା ତା’ହେଲା ତାଙ୍କର ଆଜାନୁଲମ୍ବିତ କଳାଘୁମର କେଶରାଶି ।

ଦୁଇଟି କ୍ୱାର୍ଟରର ମଧ୍ୟଭାଗରେ ଦୁଇ ପରିବାର ପାଇଁ ଉଦ୍ଧିଷ୍ଟ ଥିଲା ଦୁଇଟି ବାଥରୁମ, ମାତ୍ର ତାହା ଦୁଇଭାଗ ହୋଇଥିଲା ଗୋଟିଏ ଅଧାକାନ୍ଥି ଦ୍ୱାରା । ତା’ର ଉପରି ଭାଗରେ ଦୁଇ ପଟକୁ ଅଳ୍ପ ଚଉଡ଼ାର ଦୁଇଟି ସେଲଫ ବାହାରିଥିଲା । ଆର ପାଖ ବାଥରୁମରେ କେହି ନଥିଲାବେଳେ ବେଳଜାଣି ତରବରିଆ ଭାବେ ନିଜର ଦୈନିକ ଗାଧୁଆକାମ ସାରୁଥିଲେ ନବକିଶୋର ସ୍ୱାଭାବିକ ଲଜ୍ଜା ଯୋଗୁଁ । ଅବଶ୍ୟ ସପ୍ତାହେ ଭିତରେ ଜାଣି ଯାଇଥିଲେ କେଉଁ କେଉଁ ସମୟରେ ବାଥରୁମର ଅପରପାଶ୍ୱର୍ ଫାଙ୍କା ଥିବ ।

ବେଶ ପୋଷାକରେ ସାଦାସିଧା ନବକିଶୋର କେବେ ସାର୍ଟ ଇନକରି ପିନ୍ଧୁନଥିଲେ ବି ଥିଲେ ଖୁବ ମାର୍ଜିତ ଓ ପରିଚ୍ଛନ୍ନ । ସେ ମୂଳରୁ ଥିଲେ ଟିକେ ରସିକ ପ୍ରକୃତିର । ପାଖରେ ସ୍ତ୍ରୀଙ୍କୁ ଆଣି ରଖିଲା ପରେ ଏହା ତାଙ୍କର ଅଭ୍ୟାସରେ ପରିଣତ ହୋଇଯାଇଥିଲା । ଦାମୀ ଇମ୍ପୋଟେଡ ସାବୁନ ଲଗାଇବା, ମୁଣ୍ଡ ସାମ୍ପୋକରିସାରି ସୁବାସିତ ତେଲ ଲଗାଇବା ଥିଲା ତାଙ୍କର ନିତ୍ୟ ନୈମିତ୍ତିକ କାର୍ଯ୍ୟକ୍ରମ। ଦାମୀ ପରଫ୍ୟୁମ ବ୍ୟବହାର କରିବା ଥିଲା ତାଙ୍କର ଅନ୍ୟତମ ରୁଚି । ଏଣୁ ତାଙ୍କ ବାଥରୁମ ସେଲଫରେ ଲୁଗାକଚା ପାଉଡର ସମେତ ଇମ୍ପୋଟେଡ ସାବୁନ, ଦାମୀ ସାମ୍ପୋ ଓ ସୁବାସିତ ତେଲ ସର୍ବଦା ମହଜୁଦ ରହୁଥିଲା ।

ଅଳ୍ପଦିନ ତଳେ ଆଣିଥିବା ଦାମୀ କଂପାନୀର ସାମ୍ପୋଟି ଏତେ ଶୀଘ୍ର କିପରି ସରିଗଲା ବୋଲି ସେ ଯୋଉଦିନ ପ୍ରଶ୍ନକଲେ କଦବା କ୍ୱଚିତ ମଥାରେ ସାମ୍ପୋ ଲଗାଉଥିବା ପ୍ରିୟମ୍ବଦା କହିଲେ-ଲଗେଇବା ଲୋକତ ତମେ, ମୁଁ ତ କୋଉଠି ମାସେ ଦିମାସରେ ଥରେ ଲଗାଏ, କେମିତି ସରିଲା ମୁଁ କାହୁଁ ଜାଣିବି? ଏଇ କଥାକୁ ନେଇ କୌଣସି କଥାରେ କେବେ ତର୍କ କରୁନଥିବା ନବବାବୁ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ବେଶ କେଇକ୍ଷଣ କଥା କଟାକଟି ହୋଇଥିଲା । ଆଉଥରେ ସାବୁନ ତେଲ ଇତ୍ୟାଦି ଶିଘ୍ର ସରିଯାଉଛି ବୋଲି ଅନୁରୂପ ଅଭିଯୋଗ କରିଥିଲେ ପି୍ରୟବଂଦା ସ୍ୱାମୀ ନବକିଶୋରଙ୍କ ପାଖରେ । ଏହାପରେ ଏହି ସମସ୍ୟା ପ୍ରାୟ ଲାଗିରହିଲା । ହେଲେ ନବବାବୁ ଏସବୁ ଛୋଟଛୋଟ କଥାକୁ ମାସମାସ ଧରି ତାଙ୍କ ସ୍ୱଭାବସୁଲଭ ଢ଼ଙ୍ଗରେ ନିରବତାର ସହ ହଜମ କରିଚାଲିଥିଲେ । ତଥାପି ନା ସେ ନିଜର ରୁଚି ବଦଳାଇ ପାରୁଥିଲେ ନା ପ୍ରିୟମ୍ବଦା କିମ୍ବା ସେ ନିଜେ କଥାଛଳରେ ଭଲସଂପର୍କଥିବା ପଡେ଼ାଶିନୀଙ୍କୁ ଏକଥା ପଚାରି ପାରୁଥିଲେ! ଖାଲି ଯାହା ନବବାବୁ ବାରମ୍ବାର ଅଭ୍ୟାସବଶତଃ ସେସବୁ କିଣି ଅର୍ଥଶ୍ରାଦ୍ଧ କରି ନୟାନ୍ତ ହେଉଥିଲେ । ସ୍ୱାମୀ ସ୍ତ୍ରୀଙ୍କ ଭିତରେ ତୁଚ୍ଛାଟାରେ ଅଶାନ୍ତି କୁହୁଳୁ ଥିଲା । ଏମିତି ଅସହାୟତାରୁ ମୁକ୍ତି ପାଇବାର ବାଟ ତାଙ୍କୁ ଦିଶୁନଥିଲା ।

ହଠାତ ଦିନେ ପଡେ଼ାଶୀଙ୍କ ପଟ ବାଥରୁମରୁ ଶୁଭିଲା ତାଙ୍କ ସୁନ୍ଦରୀ ପତ୍ନୀଙ୍କର ଦାରୁଣ ଭୟାର୍ତ୍ତ ଚିକ୍ରାର, ତାହା ଏତେ ଶକ୍ତିଶାଳୀ ଥିଲା ଯେ ଦୋହଲାଇ ଦେଇଥିଲା କଲୋନୀବାସୀଙ୍କ ରବିବାର ସକାଳର ଗତାନୁଗତିକ ଜୀବନଚର୍ଯ୍ୟାକୁ । ପଡେ଼ାଶିନୀଙ୍କ ଚିକ୍ରାର ଥିଲା ଯୁଗପତ ଭୟ, ବିସ୍ମୟ ଓ ଆକସ୍ମିକତାର ଏକ ସମ୍ମିଳିତ ପରିପ୍ରକାଶ । ବାଥରୁମକୁ ଧାଇଁ ଆସିଲେ ବଜାର ଯିବାକୁ ବାଇକ ଷ୍ଟାର୍ଟ କରୁଥିବା ପଡେ଼ାଶିନୀଙ୍କ ଇଂଜିନିୟର ସ୍ୱାମୀ ଓ ଗାଧୋଇସାରି ଠାକୁର ପୂଜାରେ ବ୍ୟସ୍ତଥିବା ପ୍ରିୟମ୍ବଦା । ପଡେ଼ାଶୀଙ୍କ ଘରମୁହାଁ ଧାଇଁଲେ କଲୋନୀଟାଯାକର ମହିଳା ଓ କିଛି ପୁରୁଷ ମଧ୍ୟ ପଛେ ପଛେ ଆସିଲେ । ସଭିଙ୍କ ଆଖିରେ ଥିଲା କୌତୁହଳ ଓ ଆଶଙ୍କା-ମିଶ୍ରିତ ପ୍ରଶ୍ନବାଚୀ । କଣ ବାଥରୁମରେ ମ୍ୟାଡ଼ାମଙ୍କ ଗୋଡ଼ଖସିଗଲା ନା ସାପଫାପ କିଛି ବାହାରିଲା ଗାଧୁଆ ଘରୁ? ଏମିତି ନାନା ପ୍ରଶ୍ନରେ ବ୍ୟସ୍ତ ହେଇପଡ଼ିଲେ ବିଚରା ଇଂଜିନିୟର ସ୍ୱାମୀ । ମାତ୍ର ନବବାବୁ ଘରୁ ବାହାରିନଥିଲେ । ବରଂ ସ୍ଥିତପ୍ରଜ୍ଞ ତପସ୍ୱୀଟିଏ ପରି ଡ୍ରଇଂରୁମ ସୋଫାରେ ବସି ଏକଲୟରେ ଟି.ଭି.ର ରବିବାର ସକାଳର ସୁଦୃଶ୍ୟ ‘ରଙ୍ଗୋଲୀ’ ପ୍ରୋଗ୍ରାମ ଉପଭୋଗ କରୁଥିଲେ । ପ୍ରିୟମ୍ବଦାଙ୍କ ଡାକରାରେବି ସେ ଉଠି ବାହାରକୁ ଆସିଲେ ନାହିଁ ।

ଘଟଣାଟି ଯେତିକି ଅଭାବନୀୟ ଥିଲା, ଥିଲା ତତୋଧିକ ହୃଦୟ ବିଦାରକ । ନିଜର ସୌନ୍ଦର୍ଯ୍ୟ ତଥା ସଘନ କେଶରାଶି ପାଇଁ ଚର୍ଚ୍ଚାରେ ଥିବା ପଡେ଼ାଶିନୀ ଲଣ୍ଡିତ-ମସ୍ତକା ହୋଇ ଦରଗାଧୁଆ ଅବସ୍ଥାରେ ଓଦାଲୁଗାରେ ନିର୍ବାକ ହୋଇ ଠିଆ ହୋଇଥିଲେ ବାଥରୁମ ଭିତରେ ନତମସ୍ତକ ହେଇ । ତାଙ୍କ ସଘନ ଓ ସୁଦୀର୍ଘ କୃଷ୍ଣକେଶରାଜି ମସ୍ତକ ବିଚ୍ୟୁତ ହୋଇ ଭୂପତିତ ହୋଇଥିଲା ସମୂଳେ। ଏହି ରହସ୍ୟମୟ ଦୁର୍ଘଟଣାର କୂଳକିନାରା କିଛି କେହି ପାଉନଥିଲେ ।

ହଠାତ କରୁଣ କୋହରେ ଫାଟି ପଡ଼ିଥିଲେ ପଡେ଼ାଶିନୀ, ‘ଏମିତି ଅଭଦ୍ର ଓ ଚକ୍ରାନ୍ତକାରୀ ପଡେ଼ାଶୀଙ୍କ ନିକଟରେ ରହିବାଠାରୁ ଜଙ୍ଗଲରେ ରହିବା ବରଂ ଭଲ । ଜୀବଜନ୍ତ୍ରୁଙ୍କ ଠାରୁ ଏମାନେ ଆହୁରି ଭୟଙ୍କର ।’ ସ୍ୱାମୀ ତାଙ୍କର ଯୋଡ଼ିଥିଲେ- ‘ପୋଲିସରେ ଏଫ.ଆଇ.ଆର. ଦେଇ ଶଳାକୁ ଥାନାକୁ ନେଇ ମାମୁଁଘର ମଜା ନଚଖେଇ ମୁଁ ଛାନିବିନି ଆଜି ।’ ପଡ଼ିଶାମାନେବି ସମସ୍ୱରରେ ସମର୍ଥନ ଜଣାଇଥିଲେ ସୁନ୍ଦରୀ ପଡେ଼ାଶିନୀ ଓ ତାଙ୍କ ସ୍ୱାମୀଙ୍କୁ । ସମସ୍ତଙ୍କ ଦୃଷ୍ଟି ନିବଦ୍ଧ ଥିଲା ନବବାବୁଙ୍କ କ୍ୱାର୍ଟର ଉପରେ । ଉତ୍ସାହୀ ଯୁବପଡେ଼ାଶୀ ଜଣେ ଦୁଇଜଣ ମାଡ଼ିଗଲେ ତାଙ୍କଘର ଦୁଆର ମୁହଁକୁ ଓ କଲିଂବେଲ ମାରି ଚାଲିଲେ ଅନବରତ । ଏତେବେଳେ ଯାଏ ଘରେ ଅବିଚଳିତ ଭାବେ ବସିଥିବା ନବବାବୁ କବାଟ ଖୋଲି ବାହାରକୁ ଆସି ପ୍ରଶ୍ନ କଲେ- ‘ମୋତେ ଡାକୁଥିଲେ କି ଆପଣମାନେ?’ ଉତ୍ତର ନଥିଲା କାହାରି ପାଖରେ । ସମସ୍ତେ ସମସ୍ତଙ୍କ ମୁହଁକୁ ଅନାଅନି ହେଲେ । ଘଟଣାଟା କଣ ଠଅରେଇ ନେଇ ନବବାବୁ କହିଲେ- ଆପଣ ଆଜ୍ଞା କହିଲେ, ଆପଣ ଯଦି ନିଜ ଘରର ଅଧାକାନ୍ଥି ଉପରେ ବିଷ ବୋତଲଟେ ରଖନ୍ତି, ଆପଣଙ୍କୁ ନକହି ମାଗଣା ପାଇଲି ବୋଲି ମୁଁ କଣ ପିଇଦେବି? ସମସ୍ତେ ତଥାପି ଥିଲେ ନିରୁତ୍ତର ।

କଥାଟା ହେଲା ପ୍ରତିଦିନର ଘଟଣାରେ ଅତିଷ୍ଠ ହୋଇ କାହାକୁ କିଛି ନକହି ଏପରିକି ପତ୍ନୀ ପ୍ରିୟମ୍ବଦାଙ୍କୁ ବି ଲୁଚେଇ ଆଗଦିନରୁ ଆଣିଥିବା ସୁଦୃଶ୍ୟ ଆନିଫ୍ରେଞ୍ଚ ବୋତଲଟିକୁ ନେଇ ଠିକ ବେଳଜାଣି ନବବାବୁ ରଖିଦେଇଥିଲେ ତାଙ୍କ ବାଥରୁମ ସେଲଫରେ । ପଡେ଼ାଶିନୀ ବାଥରୁମକୁ ଆସି ନୂଆଶିଶିଟାଏ ଦେଖି ଖୁସି ହେଇ ତରବରିଆ ଭାବେ ଦି ତିନି ଚକି ଢ଼ାଳିଆଣି ମଥାରେ ଲଗାଇ ନେଇଥିଲେ । ତାପରେ ଟାୱେଲଟିଏ ମଥାରେ ଗୁଡ଼ାଇ ନେଇ ଲୁଗାପଟା କାଚିବାରେ ମନ ଦେଲେ । କଚାକଚି ସାରି ମୁଣ୍ଡଧୋଇ କୌଣସି ସାମ୍ପୋର ବିଜ୍ଞାପନ ଶୈଳୀରେ ଡାହାଣକୁ ସାମାନ୍ୟ ବେକଝୁଙ୍କଇ ତାଙ୍କ ବିରଳ କେଶରାଶିକୁ ଯେମିତି ପଛକୁ ଛାଟି ଦେଲେ ସମୁଦାୟ କେଶ ମଥାଚ୍ୟୁତ ହେଇ ତାଙ୍କୁ ଚକିତ କରି ବିଗଳିତ ହୋଇ ପଡ଼ିରହିଲା ବାଥରୁମର ଚଟାଣରେ ।

କହିବା ବାହୁଲ୍ୟ ଯେ ଲଣ୍ଡିତମସ୍ତକା ସୁନ୍ଦରୀ ପଡେ଼ାଶିନୀ ଓ ତାଙ୍କ ସ୍ୱାମୀ କିଛିଦିନଯାଏଁ ଘରୁ ବାହାରିପାରିନଥିଲେ ପଦାକୁ ଏବଂ ଏହାର କିଛିଦିନ ପରେ ଅନ୍ୟତ୍ର ଘର ଠିକକରି ସେଠିକୁ ଉଠିଯାଇଥିଲେ ଚୁପଚାପ । ଆଉ ସେଇ ଘଟଣାଟି ଏମିତି କ୍ଷୀପ୍ରବେଗରେ ଅମ ସହରରେ ପ୍ରଚାରିତ ହେଲାଯେ ତୁରନ୍ତ ବଦଳି ଯାଇଥିଲା ନବକିଶୋରଙ୍କର ଭାବମୂର୍ତ୍ତି ତାଙ୍କ ବଂଧୁ ତଥା ସହକର୍ମୀ ଏପରିକି ଖୋଦ ତାଙ୍କ ଧର୍ମପତ୍ନୀ ପ୍ରିୟମ୍ବଦାଙ୍କ ପାଖରେ । ତା ପରଠୁ କେବେବି ସାର୍ଟ ଇନ କରୁନଥିବା ନବକିଶୋର ପେଣ୍ଟସାର୍ଟ ଇନକରି ବେଲଟ ଭିଡ଼ି ଫୁଲସୋ ପିନ୍ଧି ଯେତେବେଳେ ଅଫିସ ବାହାରୁଥିଲେ ତାଙ୍କୁ ଦେଖି ଆଉ କେହି ଆଶ୍ଚର୍ଯ୍ୟ ହୋଇନଥିଲେ ।

Leave A Reply

Your email address will not be published.