ଭୁଲ୍ ବୁଝାମଣା
ବଳଭଦ୍ର ରଥ
ଦେଖ ଗୋଟେ ଭୁଲ୍ ବୁଝାମଣା ହିଁ
କେମିତି ଗଢିଦେବାକୁ ଯାଉଛି ବିରାଟ ପ୍ରାଚୀର
ଦୁଇଭାଗ କରିଦେବାକୁ ବସିଛି ସଂପର୍କର ସୌଧ…
ଏ ପ୍ରାଚୀରର ପରିଚୟ କ’ଣ ହେବ,
ଅଧାଗଢା ସ୍ୱପ୍ନ ନା ଅବିଶ୍ୱାସ ଓ
ଆହତର ମନ, ନା ହେବ
ଅସୀମ ଅଭିଶପ୍ତର ଅଭିଲେଖ…
ପ୍ରାଚୀର ପରେ ଗୋଟିଏ ପାର୍ଶ୍ଵକୁ ଆପେ ଭୁଲି ହେଇଯିବ
ସେଇ ଆଢୁଆଳ ଦିଗନ୍ତବିସ୍ତାରୀ ଯାଏଁ ଲମ୍ବିଥିବ,
ଏକଲାପଣରେ ନୀରବତା ଥିବ
କିନ୍ତୁ ନିଜ ଇଚ୍ଛାର ମଲ୍ଲାର ଭାସି ଆସୁଥିବ…
ଏବେ ପ୍ରାଚୀର ଆରମ୍ଭରୁ ବିଶ୍ୱାସ ରଖ
ଶେଷ ଯାଏଁ ସାରିବାର ସଂକଳ୍ପରେ ସଂକଳ୍ପିତ ହୁଅ, ଦୃଢମନା ହୁଅ,
ତୁମେ ପାରିବ-ମୋର ପ୍ରଚଣ୍ଡ ବିଶ୍ୱାସ
ଏକାନ୍ତରେ ଜାଗ୍ରତ କର ପ୍ରଖର ସାହସ…
ପ୍ରାଚୀରରେ ପଥର ଖଣ୍ଡେ ଯୋଡିବ
ସେଇଠି ନିଜ ନାଁକୁ ଲେଖିବ
ଦେଖିବ-ତୁମେ କେମିତି କରୁଣାର ମୂର୍ତ୍ତିମନ୍ତ ପ୍ରତୀକ ହେଇଯାଇଥିବ,
ଆଉ ସେ ପ୍ରାଚୀରକୁ ମୋର ଆଖି ପାଉନଥିବ
ସେତେବେଳକୁ ମୋ ଭାଗ୍ୟ ଧୂସରିତ ଆଉ କଳଂକିତ ହେଇଯାଇଥିବ…
ତଥାପି ଅଛି ଅଭିଳାଷ- ମୁଁ
ପ୍ରେମ ଶବ୍ଦର ଅର୍ଥ ଜାଣୁନଥବା ଅଥର୍ବଟିଏ ହେବି
ଭଲପାଇବାକୁ ରୂପ ଦେଇ ଶିଖିନଥିବା
ପଥରଟେ ହେବି…
ଏ ଆଲେଖ୍ୟ ସରିବା ବେଳକୁ
ଅନ୍ଧାରକୁ ଆବୋରି ନେଇଥିବି
ସଂପର୍କର ସେତୁରେ ଏକା ବସି
ଶୂନ୍ୟକୁ ହିଁ ଆଉଁଶି ଯାଉଥିବି…
ଚାପ ସୃଷ୍ଟି କରୁଥିବା ଚରିତ୍ରକୁ ନେଇ
ସଂପର୍କର ସ୍ୱାକ୍ଷର ଅସମ୍ଭବ
ତେଣୁ ଫେରେଇ ନେଇପାର ନିଜ ସଂକଳ୍ପ
ପାଗଳର ଭାଗ୍ୟ ଓ ପ୍ରାପ୍ୟ-ଚିରକାଳ ତ ବିପର୍ଯ୍ୟସ୍ତ…