Latest Odisha News

BREAKING NEWS

ପଂଚାୟତିରାଜ ଦିବସ ନୁହେଁ ଭ୍ରଷ୍ଟାଚାର ଦିବସ ପାଳିବ ବିଜେପି

ଭୁବନେଶ୍ୱର: ପଂଚାୟତରାଜ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ରାଜ୍ୟ ସରକାରଙ୍କ କୈାଣସି ଆନ୍ତରିକତା ନାହିଁ  । ଓଡ଼ିଶାରେ ପଂଚାୟତିରାଜ ବ୍ୟବସ୍ଥାକୁ ରାଜ୍ୟ ସରକାର ହତ୍ୟା କରିଛନ୍ତି ।  ପଂଚାୟତରାଜ ବ୍ୟବସ୍ଥାର ଆତ୍ମା ଏଠି କାନ୍ଦୁଛି । ରାଜ୍ୟ ଭ୍ରଷ୍ଟାଚାର ଓ ଦୁର୍ନୀତିର କେନ୍ଦ୍ର ବିନ୍ଦୁ ପାଲଟି ଯାଇଛି । ପଂଚାୟତରାଜ ବ୍ୟବସ୍ଥାକୁ ଭ୍ରଷ୍ଟାଚାର ଓ ଦୁର୍ନୀତି ଖଣିରେ ପରିଣତ କରିବାରେ ସର୍ବଶ୍ରେଷ୍ଠ ସ୍ଥାନରେ ଅଛି ଓଡ଼ିଶା ।  ବିଜେଡି ଆସନ୍ତାକାଲି ପଞ୍ଚାୟତି ରାଜ ଯୋଜନା ପାଳୁଥିବାବେଳେ ଏମିତି କହି ସମାଲୋଚନା କରିଛନ୍ତି ବିଜେପି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

ହରିଚନ୍ଦନ କହିଛନ୍ତି,  ଦେଶର ଆତ୍ମା ଗ୍ରାମାଂଚଳରେ ରହିଛି । ଗ୍ରାମାଂଚଳର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ପଂଚାୟତିରାଜ ବ୍ୟବସ୍ଥା ଆରମ୍ଭ କରାଯାଇଛି । ସର୍ବଭାରତୀୟ ସ୍ତରରେ ଏପ୍ରିଲ ୨୪ ତାରିଖକୁ ପଂଚାୟତିରାଜ ଦିବସ ଭାବେ ପାଳନ କରାଯାଉଛି । ହେଲେ  ଓଡିଶାରେ ବିଜେଡି ସରକାର ମାର୍ଚ୍ଚ ୫ ତାରିଖରେ ଏହି ଦିବସ ପାଳନ କରୁଛି । ଏହା କେବଳ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ  ।

ଅତୀତରେ ପଂଚାୟତ ତଥା ଗ୍ରାମାଂଚଳର ଉନ୍ନତୀକରଣ ଓ ବିକାଶ ପାଇଁ ପଲ୍ଲୀସଭା ଓ ଗ୍ରାମସଭା କରାଯାଇ ସାଧାରଣ ଗ୍ରାମବାସୀଙ୍କ ମତ ନିଅଯାଉଥିଲା । କିନ୍ତୁ ଏବେ ଶାସକ ଦଳର ବିଧାୟକ ଓ ନେତାମାନେ ନିଷ୍ପତି ନେବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ । ପଂଚାୟତିରାଜ ବ୍ୟବସ୍ଥାରେ ପ୍ରତ୍ୟେକ ବର୍ଷ ୫ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଦୁର୍ନୀତି ହେଉଛି ।   ତେଣୁ ଆସନ୍ତା କାଲି ରାଜ୍ୟ ସରକାରଙ୍କ ତରଫରୁ ପାଳନ କରାଯାଉଥିବା ପଂଚାୟତିରାଜ ଦିବସକୁ ଭ୍ରଷ୍ଟାଚାର ଦିବସ ପାଳନ କରିବ ବିଜେପି । ରାଜ୍ୟର ସମସ୍ତ ୩୧୪ଟି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି କାର୍ଯ୍ୟକର୍ତାମାନେ ହାତରେ କଳା ପଟି ବାନ୍ଧି ବିରୋଧ ପ୍ରଦର୍ଶନ କରିବେ ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ରାଜ୍ୟର ସମସ୍ତ ୩୧୪ ବ୍ଲକ ଆଜି ଦୁର୍ନୀତି ଓ ଭ୍ରଷ୍ଟାଚାରର ବାରୁଦ ଗଦାରେ ଛିଡା ହୋଇଛି । ଲୋକଙ୍କ ଟଙ୍କାକୁ ହରିଲୁଟ୍ କରିବାର ଶେଷ ସୀମାକୁ ପହଂଚି ଯାଇଛନ୍ତି ରାଜ୍ୟ ସରକାର । ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ରୋକିବା ପରିବର୍ତେ ଅଧିକ ପ୍ରୋତ୍ସାହିତ କରୁଥିବା ବିଜେଡି ସରକାରଙ୍କ ପଂଚାୟତିରାଜ ଦିବସ ପାଳନ କରିବା ଅତ୍ୟନ୍ତ ହାତ୍ସ୍ୟାସ୍ପଦ । ପଂଚାୟତି ବ୍ୟବସ୍ଥାକୁ ହତ୍ୟା କରିବା ପକ୍ରିୟାକୁ ବନ୍ଦ କରନ୍ତୁ ରାଜ୍ୟ ସରକାର ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।

ଗରୀବ ବାସହୀନଙ୍କ ପାଇଁ ଉଦ୍ଦିଷ୍ଟ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି କିଏ ଓ କାହିଁକି କରୁଛି ? କେନ୍ଦ୍ରରୁ ମନରେଗା ପାଇଁ ଆସୁଥିବା ବ୍ୟାପକ ଟଙ୍କାର ହରିଲୁଟ୍ ଓ ଦୁର୍ନୀତି କିଏ କରୁଛି ? ମିଛ ବିଲ୍ ଏବଂ ମିଛ ଜବ୍ କାର୍ଡ ଦ୍ୱାରା ସର୍ବନିମ୍ନ ହଡପ୍ ହେଉଥିବା ୩୦ ରୁ ୩୫ ପ୍ରତିଶତ ଟଙ୍କା କାହା ପକେଟକୁ ଯାଉଛି ?  ସିଏଫସି (ସେଂଟ୍ରାଲ ଫାନାନ୍ସ କମିଶନ) ଟଙ୍କାକୁ ସିଧାସଳଖ ପଂଚାୟତର ବିକାଶ ପାଇଁ ଖର୍ଚ୍ଚ କରାନଯାଇ କାହିଁକି ଡାଇଭର୍ଟ କରି ଅନ୍ୟ ଆଡେ ଖର୍ଚ୍ଚ କରାଯାଉଛି ? ଏହି ଟଙ୍କାକୁ ରାଜ୍ୟ ସରକାର “ରି ବ୍ରାଣ୍ଡିଂ” କରି ହଡପ୍ କରୁନାହାନ୍ତି କି ?  ଆସନ୍ତା କାଲି ପଂଚାୟତିରାଜ ଦିବସ ପାଳନ କରିବା ପୂର୍ବରୁ ରାଜ୍ୟ ସରକାର  ରାଜ୍ୟବାସୀଙ୍କ ଏସବୁ ପ୍ରଶ୍ନର ଜବାବ୍ ରଖିବା ଉଚିତ୍ ବୋଲି ଶ୍ରୀ ହରିଚନ୍ଦନ ଦାବି କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା, ରାଜେନ୍ଦ୍ର ପଣ୍ଡା ଓ ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.