Latest Odisha News

BREAKING NEWS

ପୁସ୍ତକ ପରିଚୟ : ଆର୍ଯ୍ୟ ଜାତିର ଇତିହାସ

ରାଜ କିଶୋର ମହାପାତ୍ରଙ୍କ ସମୀକ୍ଷା

ଆର୍ଯ୍ୟ ଜାତିର ଇତିହାସ
ସୁରେନ୍ଦ୍ର କୁମାର ମିଶ୍ର, ପୁରୀ
ପ୍ରକାଶକ ‐ ଏସ୍. ବି. ପବ୍ଲିକେଶନ, କଟକ

ଭାରତର ଇତିହାସ ଯେବେଠୁ ବିଦେଶୀ ଐତିହାସିକମାନଙ୍କ ଦ୍ବାରା ଲିପିବଦ୍ଧ ହେଲା ସେବେଠୁ ଗୁଡାଏ ଅନାବଶ୍ୟକ ବିଭ୍ରାନ୍ତିକର ତଥ୍ୟ ଆମକୁ ଘୋଷାଇ ଦିଆଯାଇଛି । ଦୀର୍ଘଦିନ ଧରି ସେଇ ଭୁଲ୍ ତଥ୍ୟ ହିଁ ଇତିହାସର ମୂଳପିଣ୍ଡ ହୋଇଯାଇଛି । ଅବଶ୍ୟ ଏଥିରେ ସାମଗ୍ରୀକ ଭାବରେ କେତୋଟି ଲାଭ ମଧ୍ୟ ହୋଇଛି । ଯଥା କିଛି ଉତ୍ସାହୀ ଗବେଷକ, ଐତିହାସିକ ସେଇ ସବୁ ଭ୍ରାନ୍ତିକୁ ଦୂର କରିବା ପାଇଁ ପ୍ରତ୍ୟହ ନୂତନ ତଥ୍ୟ ଉଦ୍ଘାଟନରେ ବ୍ରତୀ ହୋଇଛନ୍ତି । ଭାରତ, ଓଡିଶା ତଥା ଆମ ଐତିହ୍ୟ, ସଂସ୍କୃତି, ପରମ୍ପରା ଓ ଇତିହାସର ନବଲେଖନରେ ନିଜର ବହୁମୂଲ୍ୟ ସମୟ ଅତିବାହିତ କରିଆସୁଛନ୍ତି । ଆମ ପୋଥି, ପୁରାଣ, ପ୍ରାଚୀନ ଗ୍ରନ୍ଥ, ଲୋକକଥା, କିମ୍ବଦନ୍ତୀକୁ ଗୁରୁତ୍ବ ଦେଇ ପ୍ରତିଦିନ ନୂତନ ତଥ୍ୟମାନ ଯୋଡି ଚାଲିଛନ୍ତି । ଯାହାକୁ ବିଦେଶୀ ପଣ୍ଡିତଗଣ ନିର୍ଜୀବ କହି ଜାଣିଶୁଣି ଦୂରେଇ ଦେଇଥିଲେ ବା ଆମକୁ ଅନ୍ଧକାରରେ ରଖିଥିଲେ, ସେଇ ଅଦରକାରୀ, ଅନାବଶ୍ୟକ ଉତ୍ସ ହିଁ ଗବେଷକମାନଙ୍କ ପାଇଁ ଗବେଷଣାର ପୁଞ୍ଜି ଭାବେ ଉଭା ହୋଇଛି । ଏହା ନିଶ୍ଚିତ ଭାବରେ ଆମ ପାଇଁ ଗୌରବର କଥା । ଇତିହାସର ନବଲେଖନର ଏଇ ଯେଉଁ ସୁବର୍ଣ୍ଣ ସମୟ,
ସେଇ ସମୟର ଜଣେ ବିଚକ୍ଷଣ ପ୍ରତିଭାଧର ଐତିହ୍ୟ ସଚେତନ ଗବେଷକ ତଥା ଜଗନ୍ନାଥ ସଂସ୍କୃତିର ବରିଷ୍ଠ ପ୍ରଚାରକ ହେଲେ  ସୁରେନ୍ଦ୍ର କୁମାର ମିଶ୍ର । ଡ. ମିଶ୍ର ଏକାଧାରରେ ଜଣେ ଗବେଷକ, ଗାଳ୍ପିକ, ଐତିହାସିକ ତଥା ଶ୍ରୀଜଗନ୍ନାଥ ସଂସ୍କୃତିର ବିଶିଷ୍ଟ ଚିନ୍ତାନାୟକ । ସଙ୍ଗଠନ, ସଙ୍କଳନ, ସମ୍ପାଦନା ଭଳି ବହୁବିଧ କର୍ମରେ ବ୍ୟାପ୍ତ ଡ. ମିଶ୍ର ବହୁ ମୂଲ୍ୟବାନ ଗ୍ରନ୍ଥର ପ୍ରଣେତା । ତାଙ୍କ ରଚିତ ଅନେକ ଗ୍ରନ୍ଥ ବଙ୍ଗଳା, ହିନ୍ଦୀ, ଅସମୀୟା, ଇଂରାଜୀ ଭାଷାରେ ଅନୂଦିତ ଓ ବହୁଳ ପ୍ରଶଂସିତ । ଓଡିଶାର ସାହିତ୍ୟ, ସଂସ୍କୃତି, ଇତିହାସକୁ ନେଇ ଗବେଷଣାରତ ଏହି ଦୂରଦର୍ଶୀ ସ୍ରଷ୍ଟାଙ୍କ ଏକ ଅନନ୍ୟ ଗ୍ରନ୍ଥ ହେଉଛି “ଆର୍ଯ୍ୟଜାତିର ଇତିହାସ” । ଏଥିରେ ଲେଖକ ଆର୍ଯ୍ୟଜାତିର ମୂଳ ଉତ୍ସ, ଉତ୍ପତ୍ତି ଓ ବିସ୍ତାରକୁ ନେଇ ବହୁ ନୂତନ ତଥ୍ୟ ଭେଟି ଦେଇଛନ୍ତି ।

ତେବେ ପ୍ରଶ୍ନ ଉଠେ ମୂଳତଃ ‘ଆର୍ଯ୍ୟ’ କିଏ ? ଲେଖକ ଏହାର ଉତ୍ତର ଦେବାକୁ ଯାଇ ଲେଖନ୍ତି ଯେ ବୈଦିକ ସାହିତ୍ୟରେ ପ୍ରଥମେ ଏହା ସମ୍ମାନସୂଚକ ଗୁଣବାଚକ ଭାବେ ବ୍ୟବହାର ହୋଇଛି । ଅର୍ଥାତ୍ ଜଣେ ବ୍ୟକ୍ତି ଅପର ଜଣଙ୍କୁ ‘ଆର୍ଯ୍ୟ’ ଭାବେ ସମ୍ବୋଧନ କରୁଥିଲା । ବସ୍ତୁତଃ ଭାରତୀୟ ସଂସ୍କୃତିରେ ଶ୍ରେଷ୍ଠ ବ୍ୟକ୍ତିଙ୍କୁ ଆର୍ଯ୍ୟ ସମ୍ବୋଧନ କରାଯାଉଥିଲା । ତେଣୁ ସେତେବେଳେ ସେଇ ସମ୍ମାନଜନକ ସୋପାନ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କର ଅଭିଳାଷ ରହୁଥିଲା । ଅତଏବ ନିମ୍ନଲିଖିତ ବ୍ୟକ୍ତିବିଶେଷଙ୍କୁ ଆର୍ଯ୍ୟ ସମ୍ବୋଧନ କରାଯାଉଥିଲା ।

୧. ସୁସଂସ୍କୃତ ବ୍ୟକ୍ତି
୨. ପୂର୍ଣ୍ଣ କୁଳୀନ ବ୍ୟକ୍ତି
୩. ଆଦର୍ଶ ବ୍ୟକ୍ତି
୪. ଶ୍ରେଷ୍ଠ ମାନବ
୫. ଶ୍ରେଷ୍ଠ ଆତ୍ମା
୬. ସ୍ତ୍ରୀ ସ୍ବାମୀଙ୍କୁ
୭. ପ୍ରଜା, ରାଜାଙ୍କୁ ସମ୍ବୋଧନ କରେ
୮. ଅତିମାନବ
୯. ଶିଷ୍ଟତା, ଭଦ୍ରତାର ପ୍ରତୀକ
୧୦. ଜଣେ ଆଉ ଜଣଙ୍କୁ ସମ୍ମାନସୂଚକ ଭାବେ ସମ୍ବୋଧନ କରନ୍ତି….

ଭାରତର ପ୍ରାଚୀନ ଇତିହାସ ଆମ ପୁରାଣ ଶାସ୍ତ୍ରରେ ଅଛି । ଏଥିପାଇଁ ଆମକୁ ବିଦେଶୀଙ୍କ ସାହାଯ୍ୟ ନେବା ଅନାବଶ୍ୟକ । ଶାସ୍ତ୍ର, ପୁରାଣ, ବୈଦିକ ଗ୍ରନ୍ଥର ସେହି ବିନ୍ଦୁଗୁଡିକୁ ବୁଝିବା ପାଇଁ ଗଭୀର ଅନ୍ତର୍ମନର ସହ ବିଶ୍ଳେଷଣ ଜରୁରୀ । ସାଗର ନିକଟରେ ଛିଡା ହୋଇ ତା’ ଜଳ ଉତ୍ସର ସନ୍ଧାନ କରାଯିବା ଉଚିତ୍, ମରୁଭୂମିରେ ନୁହେଁ । କହିବାର ଅର୍ଥ ଭାରତରୁ ହିଁ ଆର୍ଯ୍ୟ ଜାତିର ଉତ୍ସକୁ ଖୋଜାଯିବା ଉଚିତ, ବିଦେଶରୁ ନୂହେଁ । ମନୁଷ୍ୟ ସୃଷ୍ଟିର ବହୁ ବର୍ଷ ପରେ ଜାତି ଓ ଧର୍ମର ଉତ୍ପତ୍ତି ହୋଇଥିଲା । ବିଶ୍ବରେ ଭାରତ ହିଁ ଏକମାତ୍ର ରାଷ୍ଟ୍ର ଯେଉଁଠି ବିଜ୍ଞାନ ଓ ଆଧ୍ୟାତ୍ମିକତା, ସଂସ୍କୃତି ଓ ସଭ୍ୟତା, ଇତିହାସ ଓ ସାମାଜିକତା ଭିତରେ ଅଦ୍ଭୁତ ରହସ୍ୟ ଆତ୍ମଗୋପନ କରିଛି । ସହୃଦୟ ଦୃଷ୍ଟିରୁ ସନ୍ଧାନ କଲେ ଗୋଟିଏ ରହସ୍ୟ ଅନେକ ରହସ୍ୟର ପଥ ଉନ୍ମୋଚନ କରେ । ସେଇ ଦୃଷ୍ଟିକୋଣ ନେଇ ଯେଉଁ ଦେଶୀ ବିଦେଶୀ ବିଦ୍ବାନଗଣ ଅଗ୍ରସର ହୋଇଛନ୍ତି ସେମାନେ ହିଁ ଭାରତୀୟ ସଭ୍ୟତା, ଦର୍ଶନ, ଆଧ୍ୟାତ୍ମିକତା ଓ ଇତିହାସର ମୂଳ ତତ୍ତ୍ବକୁ ଖୋଜି ପାଇଛନ୍ତି । ଲେଖକ ଡ. ମିଶ୍ରଙ୍କୁ ଆମେ ଧନ୍ୟବାଦ ଜଣାଇବା ଯେଉଁ କଷ୍ଟସାଧ୍ୟ ବିଷୟଟିକୁ ସେ ଚୟନ କରିଛନ୍ତି ଯଦିଚ ତାହା ଅଯଥା ବିତର୍କିତ କିନ୍ତୁ ତାହାର ମୂଳ ଉତ୍ସ ଏଇ ଭାରତରେ । ଅର୍ଥାତ୍ ତାଙ୍କ ଅନୁସନ୍ଧାନ ଆରମ୍ଭ ହୋଇଛି ଭାରତୀୟ ପୁରାଣ ଶାସ୍ତ୍ର, ବେଦବେଦାନ୍ତ ପରିକ୍ରମାରୁ । ଯେଉଁମାନେ ଆର୍ଯ୍ୟଜାତିକୁ ବିଦେଶୀ ଏବଂ ସେମାନଙ୍କ ପ୍ରଣୀତ ବୈଦିକ ଗ୍ରନ୍ଥକୁ ଗୌଣ କରିଦେଇଛନ୍ତି ଲେଖକ ସେମାନଙ୍କ ମତ ଓ ମନ୍ତବ୍ୟକୁ ଦୃଢ ଭାବେ ଖଣ୍ଡନ କରିଛନ୍ତି । ଆର୍ଯ୍ୟୋତ୍ତର ଭାରତବର୍ଷ, ତାର ପୂର୍ବ ଓ ପରବର୍ତ୍ତୀ ଅବସ୍ଥାର ଏକ ସୁନ୍ଦର ବିଶ୍ଳେଷଣାତ୍ମକ ଚିତ୍ର ଦେଇଛନ୍ତି ।

ଲେଖକ ଭାଗବତ ଓ ପୁରାଣରୁ ଉଦାହରଣ ନେଇ ଲେଖିଛନ୍ତି ଯେ ଭାରତରେ ମାନବ ସଂସ୍କୃତିର ସଂପୂର୍ଣ୍ଣ ବିକାଶ ପରେ ମୂଳ ଗୋଷ୍ଠୀରୁ କିଛି ଅଂଶ ବିଚ୍ଛିନ୍ନ ହୋଇ ବିଶ୍ବର ଅନ୍ୟପ୍ରାନ୍ତରେ ମାନବବାଦର ପ୍ରଚାର ଓ ପ୍ରସାର କରିବାକୁ ଚାଲିଯାଇଛନ୍ତି । କାଳକ୍ରମେ ସେମାନେ ସ୍ଥାନୀୟ ଗୋଷ୍ଠୀ ସହ ମିଶିଯାଇ ସେମାନଙ୍କ ଚାଲିଚଳଣ, ସଂସ୍କୃତି, ସଂସ୍କାର ସହ ଆପଣାର ପରମ୍ପରାକୁ ମିଶାଇ ଏକ ମିଶ୍ରିତ ବାତାବରଣ ସୃଷ୍ଟି କରିଛନ୍ତି । ପୁରୁଷ ପୁରୁଷ ପରେ ସେଇମାନେ ହିଁ ଭିନ୍ନ ଜାତି ଓ ଗୋଷ୍ଠୀରେ ପରିଣତ ମତ, ଧର୍ମ ଓ ଜାତିରେ ମତାନୈକ୍ୟ ଆଣିଛନ୍ତି । ଭାରତ ବାହାରେ ଅର୍ଥାତ ମଧ୍ୟ ଏସିଆ, ଇରାକ, ଇରାନ, ଓମାନ, ଆରବ, ମିଶର ସଭ୍ୟତାର ଖନନବେଳେ ଯେଉଁ ପ୍ରାମାଣିକ ନିଦର୍ଶନ ମିଳିଛି ସେଥିରେ ବୈଦିକ ଦେବାଦେବୀଙ୍କ ନାମ ହିଁ ଆସିଛି । ତେଣୁ ଆର୍ଯ୍ୟମାନେ ମୂଳତଃ ଭାରତର ଏବଂ ଏଠାରୁ ହିଁ ଅନ୍ୟସ୍ଥାନକୁ ସହାବସ୍ଥାନ ଭିତ୍ତିରେ ଯାଇ ସଭ୍ୟତା ସ୍ଥାପନ କରିବା ସହ ମାନବବାଦର ପ୍ରଚାର ଓ ପ୍ରସାର ଘଟାଇଥିଲେ । କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ ସେ ସମସ୍ତ ପ୍ରମାଣକୁ ଚଞ୍ଚକତା କରି ଅନ୍ୟର ଶ୍ରେୟ ଦିଆଯାଇ ଆର୍ଯ୍ୟ ଜାତିକୁ ଗୌଣ କରି ଦିଆଯାଇଛି । ଏହାଦ୍ବାରା ପ୍ରକୃତ ଇତିହାସ ପିଢି ପରେ ପିଢି ବିଭ୍ରାନ୍ତକର ଭାବେ ଲେଖାଚାଲିଛି ।

ପୁଣି ‘ହିନ୍ଦୁ’ ଶବ୍ଦକୁ ନେଇ ଲେଖକ ଏକ ସୁନ୍ଦର ଚିତ୍ର ଦେଇଛନ୍ତି । ହିନ୍ଦୁ ଶବ୍ଦକୁ ଘୃଣାବାଚକ ଶବ୍ଦ ରୂପେ ଅବିହିତ କରାଯିବା ପୂର୍ବରୁ ତାର ପ୍ରାଚୀନତା ଓ ମୂଳଉତ୍ସକୁ ଖୋଜାଯାଉ । ମୁସଲମାନ ସଭ୍ୟତାର ବହୁ ପୂର୍ବରୁ ‘ସିନ୍ଧୁ’ ଶବ୍ଦଟି ବିଭିନ୍ନ ଅଧିବାସୀ ଓ ସେମାନଙ୍କ ଲିଖିତ କୋଷଗ୍ରନ୍ଥ ଓ ଧର୍ମଗ୍ରନ୍ଥ ଦ୍ବାରା ଅପଭ୍ରଂଶ ହୋଇ କିପରି ‘ହିନ୍ଦୁ’ରେ ପରିଣତ ହୋଇଯାଇଥିଲା, ତାକୁ ଲେଖକ ଉଲ୍ଲେଖ କରିଛନ୍ତି । ତା’ ସହ ମୁଷ୍ଟିମେୟ ଗବେଷକ ତଥା ମୁସଲମାନଙ୍କ ଅବଦାନ ସ୍ବରୂପ ଆଜି ‘ହିନ୍ଦୁ’ ଶବ୍ଦଟି କିପରି ଘୃଣାର ପ୍ରତୀକ ଭାବେ ବିବର୍ତ୍ତିତ ହୋଇଛି ତାର ଏକ ସ୍ପଷ୍ଟ ଚିତ୍ର ଦେଇଛନ୍ତି । ବାସ୍ତବିକ୍ ଏକ ସିଦ୍ଧାନ୍ତର ନିଷ୍କର୍ସରେ ପହଞ୍ଚିବା ପୂର୍ବରୁ ଗଭୀର ଅନୁଶୀଳନ ଓ ଅନୁସନ୍ଧାନ ନିହାତି ଆବଶ୍ୟକ ତାହା ଆମେ ଏହା ଗ୍ରନ୍ଥକାରଙ୍କ ଦୃଷ୍ଟିକୋଣରୁ ଆକଳନ କରିପାରିବା ।

ଏବଂ ଶେଷରେ……. ଆମର ଦୁର୍ଭାଗ୍ୟ ଯେ ସେହି ସବୁ ପ୍ରାଚୀନତାର ପ୍ରମାଣ ବହନ କରୁଥିବା ବହୁ ପ୍ରମାଣ ଏବେ ବିଦେଶୀମାନଙ୍କ କରଗତ ବା ବର୍ବର ଆକ୍ରମଣରେ ବିନଷ୍ଟ । ମାତ୍ର ଯେତିକି ଅଛି ସେତିକିରୁ ମଧ୍ୟ ଅନେକ କିଛି ଆକଳନ କରାଯାଇପାରେ । ଋଷିମୁନୀ, ବେଦ ଓ ପୁରାଣ ଶାସ୍ତ୍ରର ଦେଶ ହେଲା ଭାରତ । ସେଇଥିରେ ହିଁ ଅନେକ ପ୍ରମାଣ ନିହିତ । କେବଳ ନିରପେକ୍ଷ ବିଚାର ଓ ସ୍ବଚ୍ଛ ଦୃଷ୍ଟିକୋଣ ଆବଶ୍ୟକ । ଡ. ମିଶ୍ର ପୂର୍ବୋକ୍ତ ଉକ୍ତିକୁ ନିରାଧାର କରିବା ପାଇଁ ଯେଉଁ ଅବଲମ୍ବନମାନ ଗ୍ରହଣ କରିଛନ୍ତି ତାହା ସୁସ୍ପଷ୍ଟ । ଇତିହାସର ଏ ସମସ୍ତ ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ବାରମ୍ବାର ଚର୍ଚ୍ଚା ହେବା ଆବଶ୍ୟକ । ହିନ୍ଦୁ, ହିନ୍ଦୁତ୍ବ, ଆର୍ଯ୍ୟ ଜାତିକୁ ନେଇ ଯେଉଁ ହୀନମନ୍ୟତା ଅଛି ତାହା ସମୁଳେ ବିନାଶ ହେବା ସହ ପ୍ରକୃତ ଐତିହାସିକ ସତ୍ୟର ଉନ୍ମୋଚନ ନିହାତି ଜରୁରୀ ।

୭୩୭୭୮୮୯୯୧୬
ନୀଳଚକ୍ର ନଗର
ଅଠରନଳା
ପୁରୀ

Leave A Reply

Your email address will not be published.