Latest Odisha News

ଭକ୍ତ ଦାସ କହିଲେ ସେ କାହିଁକି ଲଢ଼ିଲେ ବିଧାନସଭା ନିର୍ବାଚନ

ପାରମ୍ପରିକ ଗଡ଼ରେ ପୁଣି ରାଜୁତି କରିପାରିବ କଂଗ୍ରେସ?

ଭୁବନେଶ୍ୱର: ଏକଦା କଳାହାଣ୍ଡି ବାଘ ଭାବେ ପରିଚିତ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ ପ୍ରାୟ ୪ ଦଶନ୍ଧି ପରେ ପୁଣି ଥରେ ବିଧାନସଭା ନିର୍ବାଚନରେ ଅଂଶ ଗ୍ରହଣ କରିଛନ୍ତି। ୧୯୮୫ରେ ଜନତା ପାର୍ଟି ଟିକେଟରେ ବିଧାୟକ ଭାବରେ ତାଙ୍କର ରାଜନୈତିକ ଯାତ୍ରା ଆରମ୍ଭ ହୋଇଥିଲା ଏବଂ ପରେ ସେ ତିନି ଥର ସାଂସଦ ଏବଂ ମନ୍ତ୍ରୀ ହୋଇଥିଲେ ।

ଭକ୍ତ ଦାସ ଏବେ ନର୍ଲା ବିଧାନସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଅଛନ୍ତି, ଯେଉଁଠାରେ ଭୂପିନ୍ଦର ସିଂହ ୨୦୧୯ରେ ବିଜୟୀ ହୋଇଥିଲେ। କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିରୋଧୀ ଦଳ ନେତା ଭୂପିନ୍ଦର ସିଂହ ୨୦୧୪ରେ ବିଜେଡିରେ ଯୋଗ ଦେଇଥିଲେ। ହେଲେ ଏଥର ବିଜେଡି ତାଙ୍କୁ ପ୍ରାର୍ଥୀ କରିନାହିଁ। ନର୍ଲା କଂଗ୍ରେସର ପାରମ୍ପରିକ ଗଡ଼ ହୋଇଥିବାରୁ ଭକ୍ତ ଦାସଙ୍କ ପାଇଁ ଆଗକୁ ବଢ଼ିବାର ସୁଯୋଗ ରହିଛି।

୨୦୧୯ ନିର୍ବାଚନରେ କଂଗ୍ରେସ ଏହି ଆସନରେ ତୃତୀୟ ସ୍ଥାନରେ ରହିଥିଲା। ଯେଉଁଥିରେ କଂଗ୍ରେସ ପ୍ରାର୍ଥୀ ଚିତ୍ତରଂଜନ ମଣ୍ଡଳ ୩୫,୬୨୯ ଖଣ୍ଡ ଭୋଟ ପାଇଥିଲେ। ବିଜେଡି ପ୍ରାର୍ଥୀ ଭୂପିନ୍ଦର ଏହି ଆସନରେ ୫୩,୧୪୨ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଥିଲେ। ୨୦୦୦ରୁ ୨୦୧୯ ମଧ୍ୟରେ କଂଗ୍ରେସ ଥରେ ଏହି ଆସନରେ ବିଜୟୀ ହୋଇଥିଲା। ତେବେ ୧୯୭୭ରୁ ୧୯୯୫ ମଧ୍ୟରେ କଂଗ୍ରେସ ୪ ଥର ବିଜୟୀ ହୋଇଥିଲା।

ଭକ୍ତ ଦାସ ଏଥର କଡ଼ା ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହୋଇଛନ୍ତି। ତାଙ୍କର ମୁକାବିଲା ବିଜେଡିର ମନୋରମା ମହାନ୍ତି ଓ ୨୦୧୯ ନିର୍ବାଚନରେ ନର୍ଲାରୁ ପରାଜିତ ହୋଇଥିବା ବିଜେପିର ଅନିରୁଦ୍ଧ ପ୍ରଧାନଙ୍କ ସହ ହେବାକୁ ଯାଉଛି।

ସେ କହିଛନ୍ତି, ସାଂସଦ ଭାବେ କାର୍ଯ୍ୟ କରିବା ଏବଂ ବିଭିନ୍ନ ପଦବୀରେ ରହିବା ପରେ ତୃଣମୂଳ ସ୍ତରରେ ଭୋଟରଙ୍କ ସହ ରହିବାକୁ ଚାହୁଁଥିବାରୁ ବିଧାନସଭା ଆସନକୁ ନିର୍ବାଚନ ଲଢ଼ିବାକୁ ଆସିଛି। କଳାହାଣ୍ଡିର ଚିତ୍ରରେ ବଡ଼ ପରିବର୍ତନ ଆସିଛି ଏବଂ କଳାହାଣ୍ଡି ଆଜି ଯାହା ହୋଇଛି ସେଥିରେ ତାଙ୍କର ଗୋଟିଏ ବଡ଼ ପ୍ରମୁଖ ଭୂମିକା ରହିଛି ବୋଲି ଭକ୍ତ ଦାସ କହିଛନ୍ତି। ତେଣୁ ଲୋକଙ୍କ ଛୋଟ ଛୋଟ ସମସ୍ଯା ବୁଝି ସମାଧାନ କରିବାରେ ଗୋଟିଏ ବଡ଼ ଆନନ୍ଦ ରହିଛି। ଆଉ ଏଥିରେ ସେ ବହୁତ ଖୁସି ହୁଅନ୍ତି ବୋଲି କହି ବିଧାନସଭାରେ ପ୍ରାର୍ଥୀ ହୋଇଛନ୍ତି ବୋଲି ସେ କହିଛନ୍ତି।

Leave A Reply

Your email address will not be published.