ମତେ ଠକି ଦେଇଥିଲ

(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’) 

ସେତେବେଳେ ମାତ୍ର ପାଞ୍ଚ ବର୍ଷର ହୋଇଥିଲା ଶାନ୍ତନୁ । ପ୍ରଥମ ଶ୍ରେଣୀରେ ପଢୁଥାଏ । ତିନି ଚାରି ବର୍ଷରୁ ହିଁ ବିଛୁଆତିଟାଏ ଶାନ୍ତନୁ। ସିଏ ଯାହା ବୁଝିଥିବ ସେଇଆ । ବ୍ରହ୍ମା କହିଲେ ବି ଶୁଣିବାର ନାହିଁ । ନିଜ ଇଛାର ମାଲିକ ସିଏ । ଥରେ କୌଣସି କଥାରେ ଯଦି ଜିଦ୍ ଧରିଲା, ତାହେଲେ ଜେଜେ, ଜେଜେମା, ବାପା, ମାଆ, ନାନୀ  କେହି କହିଲେ ବି ତାର କୌଣସି ପ୍ରଭାବ ନାହିଁ । ତା ଜିଦ୍ ପୂରଣ ନହେଲା ଯାଏଁ, ସେ କାହାରି କଥା ଶୁଣିବା ପାଇଁ ପ୍ରସ୍ତୁତ ନୁହେଁ। କିନ୍ତୁ ସାରା ପୃଥିବୀରେ କେବଳ ଜଣକୁ ସେ ଡରେ । ସିଏ ହେଉଛି ତା ବଡ଼ଭାଇ ଆକାଶ । ହଁ, ତା ଭାଇନା ତାଠାରୁ ଦଶ ବର୍ଷ ବଡ଼ । ସେତେବେଳେ ସେ କଲେଜରେ ପ୍ଲସ୍ ଟୁ ପଢୁଥାଏ । ହଷ୍ଟେଲରେ ରହୁଥାଏ । କେବେ କେମିତି ଛୁଟିରେ ଘରକୁ ଆସିଲେ, ତାର ଘରେ ରହିବା ସମୟ ତକ ଶାନ୍ତନୁ ଘରର ସୁନାପିଲା । ନା ଘରେ ନା ବାହାରେ କୌଣସି ସ୍ଥାନରୁ କିଛି ବି ଅଭିଯୋଗ ଆସେନା ତା ନାଁରେ । ଆଉ ଭାଇନା ହଷ୍ଟେଲକୁ ଚାଲିଯିବା ପରେ, ପୁଣି ସେ ଘରର ଏକାଙ୍ଗ ଚକ୍ରବର୍ତ୍ତୀ ସମ୍ରାଟ । ତା ଅଧୀନରେ ପୂରା ବିଶ୍ୱ । ଗାଁ ପୋଖରୀରେ ଘଣ୍ଟା ଘଣ୍ଟା ଡେଇଁବାଠାରୁ ଆରମ୍ଭ କରି, ବିଲ ବନ୍ଧ ବାଡ଼ଠୁ ନେଇ ବଣ ଚଢ଼ିବା ଯାଏଁ ସବୁ କାମରେ ବ୍ୟସ୍ତ ଶାନ୍ତନୁ । ଜେଜେବାପା ଯେତେ ହୁରି ପକାଇଲେ ବି ତାକୁ କିଛି ଶୁଭେନି । ସେଥିପାଇଁ କେତେ ଥର ଯେ ତା ପିଚାରେ ପାଞ୍ଚ ଆଙ୍ଗୁଳିଆ ନୋଳା ପଡ଼ିଥିବ ଜେଜେଙ୍କ ହାତରେ, ତାର ହିସାବ ନାହିଁ । କିନ୍ତୁ ଶାନ୍ତନୁ ନିର୍ବିକାର । କାନ୍ଦିବାକୁ ତାକୁ ଲାଜ ଲାଗେ । ସେଥିପାଇଁ ଯେତେ ମାଡ଼ ଖାଇଲେ ବି କେବେ କାନ୍ଦେନି ସେ । କିନ୍ତୁ ସେତେବେଳେ ଯଦି ପାଖ ପଡ଼ୋଶୀ କେହି ଟିକିଏ ଆକଟ କରିଦେଇ, ତା ଦେହ ହାତ ଆଉଁସି ଦେଇ ଆହା ଚୁ ଚୁ କରିଦିଅନ୍ତି, ତାହେଲେ ଆରମ୍ଭ ହୁଏ ବୋବାଳି । ଭୋ ଭୋ ହୋଇ କାନ୍ଦେ ସେ । ଆଉ ଥରେ କାନ୍ଦ ଆରମ୍ଭ ହେଲେ, ତାକୁ ତୁନି କରାଇବା ସବୁଠୁ କାଠିକର ପାଠ ।

ସେଥର ରଥଯାତ୍ରା ସପ୍ତାହାନ୍ତ ଛୁଟି ସାଙ୍ଗରେ ପଡ଼ିଥିଲା । ତେଣୁ ଦୁଇଦିନ ଛୁଟି ଅଛି ଭାବି ଶୁକ୍ରବାର ରାତିରେ ହଷ୍ଟେଲରୁ ଘରକୁ ଆସିଥିଲା ଆକାଶ । ରାତିରେ ଭାଇ  ଭଉଣୀ ତିନିହେଁ ଖାଇ ପିଇ ଶୋଇଲେ । ସକାଳୁ ଶ୍ରୀଗୁଣ୍ଡିଚା । ତେଣୁ ମାଆ, ଜେଜେମା ସମସ୍ତେ ଭୋରରୁ ଉଠି ଗାଧୁଆ ପାଧୁଆ ସାରି ପୂଜାପାଠ କରିବାରେ ବ୍ୟସ୍ତ । ବଡି ଭୋରରୁ ଜେଜେ ତାଙ୍କର ନିତ୍ୟକର୍ମ ସାରି ଟ୍ରେନ୍ ଧରି ପୁରୀ ପଳେଇଗଲେ ରଥଯାତ୍ରାରେ ଠାକୁର ଦର୍ଶନ ପାଇଁ । ବାପା ଦୁଇ ଦିନ ପୂର୍ବରୁ କୌଣସି କାମରେ କୋରାପୁଟ ଯାଇଛନ୍ତି ଯେ, ଏ ଯାଏଁ ଫେରିନାହାନ୍ତି। ଏଣେ ଅଭ୍ୟାସଗତ ଭାବେ ବିଳମ୍ବିତ ସମୟ ଯାଏଁ ଶୋଉଥିବା ଆକାଶକୁ ସକାଳୁ ଜେଜେମା କେତେଥର ଯେ ଉଠାଇଲେଣି, ହେଲେ ତାକୁ କିଛି ଫରକ୍ ପଡୁନି । ରୁହ ଜେଜେମା, ଆଉ ଟିକିଏ ଶୋଇକି ଉଠି ପଡ଼ିବି । ଏତିକି ବେଳେ ଦାଣ୍ଡପଟ ଘରୁ ବୋବାଳି ଶୁଭିଲା । ଏଡେ ଜୋରରେ ରାହା ଧରି କାନ୍ଦୁଥିଲା ଶାନ୍ତନୁ ଯେ ପୂରା ସାହିଟା କମ୍ପୁଥିଲା । ଗାଁ ଦାଣ୍ଡରେ ଯିଏ ବି ଯାଉଥିଲା, ସିଏ ଘଡ଼ିଏ ଠିଆ ହୋଇ ଦେଖୁଥିଲା, ଆଉ ମାଆ ଏବଂ ଜେଜେମାଙ୍କୁ ପଚାରୁଥିଲା, କାହିଁକି କାନ୍ଦୁଛି ଶାନ୍ତନୁ? ତାକୁ କିଏ ମାରିଲା କି? ବିଚରା ମାଆ ଓ ଜେଜେମା କିଛି ଭୁଲ ନକରି ସମସ୍ତଙ୍କ ପ୍ରଶ୍ନବାଣର ଶିକାର ହୁଅନ୍ତି । ଆଉ ମନେ ମନେ ଏହାର ମଜା ନେଉଥାଏ ଶାନ୍ତନୁ ।

ଶାନ୍ତନୁର କାନ୍ଦ ଶବ୍ଦରେ ଆଉ ଅଧିକ ସମୟ ଶୋଇପାରିନଥିଲା ଆକାଶ । ଅତ୍ୟନ୍ତ ବିରକ୍ତ ହୋଇ ସେ ଉଠିଆସି ପଚାରିଲା, କଣ ହେଲା, କାହିଁକି ଭେଁ ଭେଁ ହେଉଛୁ ସକାଳଟାରୁ? ଏତେ ବଡ଼ ପିଲାଟେ ହେଲୁଣୁ, ଯେତେବେଳେ ଦେଖିଲା ବେଳକୁ ଖାଲି ବୋବାଉଛୁ । କଣ ହେଲା, କହୁନୁ । ତେବେ ଅପ୍ରତ୍ୟାଶିତ ଭାବେ ଭାଇନାକୁ ସାମ୍ନାରେ ପାଇ, କଣ କରିବ କିଛି ବୁଝିପାରୁନଥିଲା ଶାନ୍ତନୁ । ସେ ହଠାତ୍ ଚୁପ୍ ହୋଇଗଲା । ତା ପରେ ଭାଇନା ପଛକୁ ବୁଲିଛି କି ନାହିଁ ପୁଣି ବାଜିଲା ମହୁରି । ବୋବା ଛାଡ଼ିଲା ଶାନ୍ତନୁ । ଏଥର ଯେତେବେଳେ ରାଗରେ ଭାଇନା ପଛକୁ ଫେରିଚାହିଁଲା, ଶାନ୍ତନୁ ପାଟିଭିତରେ ତା କାନ୍ଦ ଓ ସେ କହିବାକୁ ଚାହୁଁଥିବା ଶବ୍ଦକୁ ଅଧା ଗିଳିସାରିଥିଲା । ତେବେ ଅତି ଅସ୍ପଷ୍ଟ ଭାବରେ ଯାହା ଶୁଭିଲା, ସେଇଟା ହେଲା- ମୁଁ ପୁରୀ ଯିବି । ରଥଯାତ୍ରା ଦେଖିବି । କାଳେ ଆକାଶ ତାକୁ ବାଡ଼େଇଦେବ, ସେହି ଭୟରେ ତାର ପାଟି ଧୀରେ ଧୀରେ ଖନି ମାରିଯାଉଥିଲା । ଏତିକିବେଳେ ଜେଜେମା କହିଲେ, ବୁଝିଲୁ, ତୋ ଜେଜେ ସକାଳୁ ସକାଳୁ କ୍ଷେତ୍ର ଗଲେ ଦିଅଁ ଦେଖିବାକୁ । ଆଉ ସକାଳୁ ଉଠି, ଇଏ (ଶାନ୍ତନୁ) ଯେତେବେଳେ ଜାଣିଲା, ସେତେବେଳଠୁ ପାଲା ଲଗେଇଛି ପୁରୀ ଯିବ । ଯେତେ ଯାହା କହିଲେ ବି ଶୁଣିବାର କୌଣସି ନାଁ ଗନ୍ଧ ନାହିଁ ।

ଏହି କଥା ଶୁଣି ହସିଦେଲା ଆକାଶ । କହିଲା, ଏଇ କଥାକୁ ତୁ ଏତେ କାନ୍ଦୁଛୁ? ବ୍ୟସ୍ତ ହୁଅନା । ମୁଁ ଗାଧୁଆ ପାଧୁଆ ସାରି ଆସୁଛି, ଆମେ ଏକାଠି ଯିବା । ହଁ, ମୁଁ ଗାଧେଇକି ଆସିଲା ବେଳକୁ, ତୁ ଖାଇବା ପିଇବା ସାରି ଦେଇଥିବୁ । ନିତ୍ୟକର୍ମ ସାରି ଦୁଇ ଭାଇ ଯେତେବେଳେ ଘରୁ ବାହାରି ପଡ଼ିଲେ, ସେତେବେଳେ ସେ ଦୃଶ୍ୟ ଦେଖିଲା ଭଳି ଥିଲା । ଶାନ୍ତନୁ ମନ ଆନନ୍ଦରେ ଆଗରେ ଆଗରେ ଡେଇଁ ଡେଇଁ ଚାଲୁଥାଏ । ପଛରେ ଆକାଶ ଦେଖୁଥାଏ ତାକୁ । ମନେ ମନେ ଭାବୁଥାଏ, ପ୍ରଭୁ  ୟାର ସବୁ ମନୋବାଞ୍ଛା ପୂରଣ କରିବ  ପ୍ରଭୁ ।  ଗାଁ ଛକରେ ପହଞ୍ଚିଲେ ଦୁଇଭାଇ । ଆଖି ସାମ୍ନାରେ ଗୋଟିଏ ପରେ ଗୋଟିଏ ବସ୍ ପାସ୍ ହେଉଥାନ୍ତି । କିନ୍ତୁ ସେଗୁଡ଼ିକ ଏତେ ଯାତ୍ରୀରେ ଭର୍ତ୍ତି ଯେ, ସେଥିରେ ସୋରିଷ ମୁଠାଏ ପକେଇବାକୁ ବି ସ୍ଥାନ ନାହିଁ । ସେଥିରେ କେମିତି ବା ଯିବ ? ଏତିକି ବେଳେ ପଛରୁ ହର୍ଣ୍ଣ ମାରିଲା ଗୋଟିଏ ଟ୍ରେକର। ବାସ୍, ଆକାଶର ମୁଣ୍ଡକୁ ଆସିଯାଇଥିଲା ଆଇଡିଆ ।

ସଙ୍ଗେ ସଙ୍ଗେ ପୁଣି ଥରେ ଶାନ୍ତନୁକୁ କିଛି ନକହି, ସିଧା ତାକୁ ନେଇ ଟ୍ରେକରରେ ବସିଲେ ଉଭୟେ । ବାହାରକୁ ବାରମ୍ବାର ଦେଖୁଥାଏ ଶାନ୍ତନୁ । ତା ମନରେ ଅନେକ ପ୍ରଶ୍ନ ! କେମିତି ଦେଖାଯାଉଥିବ ତିନି ରଥ ? କେମିତି ଥିବ ଶ୍ରୀମନ୍ଦିର ? କେତେ ଲୋକ ଥିବେ ସେଇଠି? ସେଇଠି କଣ ମିଳିବ ଖାଇବାକୁ? ତା ପରେ ହଠାତ୍ ଭାଇନାକୁ ପଚାରୁଥିଲା, ଭାଇନା .. ପୁରୀ ପହଞ୍ଚିବାକୁ ଆଉ କେତେ ସମୟ ଲାଗିବ? ଏତିକିବେଳେ ଟ୍ରେକର ଯାଇ ପହଞ୍ଚିଲା ଖଲ୍ଲିକୋଟ ବସଷ୍ଟାଣ୍ଡରେ । ସେଥିରୁ ଓହ୍ଲାଇପଡ଼ି ପଛକୁ ଚାହିଁଦେଲା ବେଳକୁ ତିନିଟି ସୁସଜ୍ଜିତ ରଥ ଠିଆ ହୋଇଥାନ୍ତି ଭକ୍ତଙ୍କ ଅପେକ୍ଷାରେ । ଶାନ୍ତନୁ ତା ଜୀବନରେ ଏତେବଡ଼ ରଥ ଦେଖିନଥିଲା କେବେ । ତେଣୁ ତାକୁ ଆଉ କିଛି ଦେଖାଯାଉନଥାଏ । ତା ଆଖି ଲାଖି ଯାଇଥାଏ ସେହି ତିନି ରଥ ଉପରେ । ଆକାଶ ତା ହାତ ଧରି ଚଲାଇ ଚଲାଇ ଆଗକୁ ନେଲା । ପାହାଡ଼ ତଳେ ଥିବା ବିରାଟ ଶ୍ରୀଜଗନ୍ନାଥ ମନ୍ଦିରକୁ ଦେଖାଇଲା । ଶାନ୍ତନୁର ଖୁସି କହିଲେ ନସରେ । ହଁ , ଖଲ୍ଲିକୋଟର ଏହି ଶ୍ରୀଜଗନ୍ନାଥ ମନ୍ଦିର ପୁରୀ ଶ୍ରୀମନ୍ଦିରର ଏକ ପ୍ରତିକୃତି । କାରୁକାର୍ଯ୍ୟ ଦେଖିଲେ ଯେ କେହି ବି କହିବ, ଏହା ଆଉ ଏକ ଶ୍ରୀମନ୍ଦିର । ଶାନ୍ତନୁ ମନଭରି ତନ୍ନତନ୍ନ କରି ଦେଖୁଥାଏ ମନ୍ଦିରକୁ । ମନ୍ଦିର ଭିତରେ ପହଣ୍ଡି ବିଜେ ପାଇଁ ଚାଲିଥାଏ ପ୍ରସ୍ତୁତି । ତେଣୁ ସେଇଠି ଟିକିଏ ସମୟ ରହି ଶାନ୍ତନୁକୁ ପୁଣି ବସଷ୍ଟାଣ୍ଡ ଆଡ଼େ ବୁଲାଇନେଲା ଆକାଶ ।

ଲେଙ୍କା ହୋଟେଲରେ ଦୁଇ ଭାଇ ମସଲା ଉପମା, ପୁରୀ, ରସଗୋଲା ପେଟଭରି ଖାଇଲେ । ଶାନ୍ତନୁ ପାଇଁ କିଛି ଖେଳଣା କିଣିଦେଲା ଆକାଶ । ବେଲୁନ୍ ବି କିଣା ହେଲା । ଏଥର ଆକାଶ କହିଲା, ପୁଅ .. ତୁ ତ ମିଠା ଖାଇଲୁ, ଖେଳଣା କିଣିଲୁ, ରଥ ଦେଖିଲୁ, ମନ୍ଦିର ଦେଖିଲୁ, ଶ୍ରୀଜଗନ୍ନାଥଙ୍କୁ ଦେଖିଲୁ, ଚାଲ ଏଥର ଗାଁକୁ ପଳେଇବା । ବର୍ଷା ଆସିଲାଣି । ନହେଲେ ହଇରାଣ ହେବା । ଶାନ୍ତନୁ କି ମାନିବାର ପିଲା । ତାର ଏକା ଜିଦ୍ .. ନାଇଁ .. ମତେ ରଥ ଟାଣିବାର ଅଛି । ରଥ ଉପରେ ଜଗନ୍ନାଥଙ୍କୁ ଦେଖିବାର ଅଛି । ତେବେ ସେଇ ଘଣ୍ଟେ ଦୁଇଘଣ୍ଟା ଭିତରେ ଠାକୁର ରଥାରୂଢ଼ ହେବା ବା ରଥ ଟଣାଯିବାର କୌଣସି ଲକ୍ଷଣ ନଥିଲା । ତେଣୁ ବସଷ୍ଟାଣ୍ଡ ପାଖରେ ଥିବା ନୂଆସାହିକୁ ଚାଲିଲେ ଦୁଇଭାଇ । ସେହି ସାହିରେ ବାପାଙ୍କ ବନ୍ଧୁ, ପଟ୍ଟନାୟକ ମଉସାଙ୍କ ଘର । ଦୁଇ ଭାଇଙ୍କୁ ଦେଖି ଉଭୟ ମଉସା ମାଉସୀ ବଡ଼ ଖୁସ୍ । ମଧ୍ୟାହ୍ନ ଭୋଜନଟା ତାଙ୍କ ଘରେ ହେଲା । ସେତିକିବେଳକୁ ଘଣ୍ଟଘଣ୍ଟାର ଶବ୍ଦରେ ଉଛୁଳି ପଡୁଥିଲା ଚାରିଦିଗ । ସେହି ଶବ୍ଦ ଶୁଣି ଶାନ୍ତନୁର କାନ ଠିଆ ହୋଇଯାଇଥାଏ । ଧୀରେ ସେ ଆକାଶ କାନରେ କହିଲା, ଭାଇନା  ରଥଟଣା ହେଲାଣି ବୋଧେ । ଚାଲ ଆମେ ଶୀଘ୍ର ଯିବା। ଉଭୟେ ଆସି ବସଷ୍ଟାଣ୍ଡରେ ପହଞ୍ଚିଲା ବେଳକୁ ପହଣ୍ଡି ସରି ରଥଟଣା ପାଇଁ ପ୍ରସ୍ତୁତି ଚାଲିଥାଏ । ରଥ ଦଉଡ଼ି ବନ୍ଧା ସରିଥାଏ । ଲୋକମାନେ ଧାଡ଼ିରେ ଦଉଡ଼ି ଧରି ଠିଆ ହୋଇଥାନ୍ତି । ଦୁଇ ଭାଇ ଧାଡ଼ି ଭିତରେ ପଶି ଦଉଡ଼ି ଧରିଲେ । ହରିବୋଲ ହୁଳହୁଳି ଧ୍ୱନିରେ ଉଛୁଳି ପଡୁଥାଏ ଚାରିଦିଗ । ଆରମ୍ଭ ହେଲା ରଥଟଣା । ଶାନ୍ତନୁର କି ଆନନ୍ଦ ।

ସନ୍ଧ୍ୟାରେ ଘରକୁ ଫେରିଲା ପରେ, ଶାନ୍ତନୁ ଆଉ ଘରେ ନାହିଁ । ସାହିର ଯେତେ ଛୋଟ ବଡ଼ ପିଲା ଥିଲେ, ସମସ୍ତଙ୍କୁ ସେ ବୁଲି ବୁଲି ବଖାଣୁ ଥାଏ ତାର ରଥଯାତ୍ରାର ଅଭିଜ୍ଞତା । ସେ କେମିତି ପୁରୀ ଗଲା, କେମିତି ମନ୍ଦିର ଦେଖିଲା, କେମିତି ରଥ ଟାଣିଲା .. ସେ ସବୁ ଅନୁଭୂତିକୁ ପ୍ରଗଳ୍ଭଙ୍କ ଭଳି କହିଚାଲିଥିଲା ସମସ୍ତଙ୍କୁ । ତାକୁ ଅନୁଭବ ହେଉଥିଲା ସତେ ଯେମିତି ସେ ଗଡ଼ଜୟ କରି ଆସିଛି । ରଥଯାତ୍ରା, ଶ୍ରୀମନ୍ଦିର କହିଲେ, ତା ଆଖିରେ ସବୁବେଳେ ନାଚିଉଠୁଥିଲା ସେହି ଦୃଶ୍ୟ । ସବୁଦିନ ପାଇଁ ସାଇତା ହୋଇଯାଇଥିଲା ସେ ଅନୁଭୂତି । ତେବେ ଏହାର ଦଶ ବର୍ଷ ପରେ ଯେତେବେଳେ ମାଟ୍ରିକ୍ ପରୀକ୍ଷା ଦେଇ ଖରାଛୁଟିରେ ଘରେ ଥିଲା, ସେତେବେଳେ ବାପାଙ୍କ ସହିତ ପ୍ରଥମ ଥର ପାଇଁ ପୁରୀ ଯିବାର ସୁଯୋଗ ପାଇଲା ସେ । ପୁରୀରେ ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ପରେ ତା ଆଖି ଆଗରେ ଭାସି ଉଠୁଥିଲା ତା ପିଲାଦିନର ସେହି ସ୍ମୃତି । ତେବେ ସେ ଭାବି ପାରୁନଥିଲା ଯେ, ସେ ଦୁଇଟି ଭିନ୍ନ ଭିନ୍ନ ସ୍ଥାନ ବୋଲି ।

ତା ମନ ଗୋଳେଇ ଘାଣ୍ଟି ହେଉଥାଏ । ସେ ଘରକୁ ଗଲେ ନିଶ୍ଚୟ ଭାଇନାକୁ ପଚାରିବ। ପ୍ରକୃତରେ ତା ଜୀବନର ପ୍ରଥମ ରଥଯାତ୍ରା ଦେଖାଇବା ପାଇଁ ଭାଇନା ତାକୁ ପୁରୀ ନେଇଥିଲା ନା ଆଉ କୁଆଡ଼େ? ଘରେ ପହଞ୍ଚିବା ପରେ ଆକାଶକୁ ତାର ପ୍ରଥମ ପ୍ରଶ୍ନ .. ଭାଇନା, ମତେ ତମେ ଯେଉଁ ରଥଯାତ୍ରା ଦେଖାଇବାକୁ ନେଇଥିଲ, ସେଇଟା ପୁରୀ ନା ଆଉ କେଉଁଠି? ଏତିକିବେଳେ ମାଆ ଜୋରରେ ହସିଦେଲା । କହିଲା, ତୁ କାନ୍ଦୁଥିଲୁ ବୋଲି, ଭାଇନା ତତେ ଖଲ୍ଲିକୋଟ ନେଇ ରଥଯାତ୍ରା ଦେଖାଇଥିଲା । ଏତକ ଶୁଣି, ବଡ଼ ଅଭିମାନଭରା ଦୃଷ୍ଟିରେ ଭାଇନା ଆଡ଼କୁ ଅନାଇ ଶାନ୍ତନୁ କହିଲା, ମୁଁ ଜାଣି ନଥିଲି ବୋଲି ତମେ ମତେ ଠକି ଦେଇଥିଲ। ଆକାଶ ଆଉ କିଛି ନକହି, ତାକୁ ଟାଣିନେଲା ନିଜ ଆଡ଼କୁ ଏବଂ କୁଣ୍ଢାଇ ଧରିଲା । ତା କାନରେ କହିଲା, ନାଁରେ ବାୟା .. ଜଗନ୍ନାଥ ଯେଉଁଠି ଅଛନ୍ତି ସେଇଟା ପୁରୀ । ସେଇଟା ହିଁ ଶ୍ରୀକ୍ଷେତ୍ର । ତୁ ଜଗନ୍ନାଥଙ୍କୁ ଦେଖିଛୁ ନା .. ଆଉ ମନଦୁଃଖ କାହିଁକି ?

ବିଭାଗୀୟ ମୁଖ୍ୟ,
ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍
ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ ।
ଫୋନ୍- ୯୯୩୭୨୫୨୪୬୪