Latest Odisha News

BREAKING NEWS

ବିଭିନ୍ନ ସହରରେ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟର ସହର ବିକାଶ ଇତିହାସରେ ଆଜି ଏକ ନୂଆ ମାଇଲଷ୍ଟୋନ ସୃଷ୍ଟି ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି 5-T ଉପକ୍ରମରେ ସହରବାସୀଙ୍କ ନିମନ୍ତେ ଅନେକ ସୁବିଧା ଯଥା ପିଇବା ପାଣି ସୁବିଧା, ଡ୍ରିଙ୍କ ଫ୍ରମ୍ ଟ୍ୟାପ୍, ପକ୍କା ରାସ୍ତା, ସ୍ବରେଜ୍ ସିଷ୍ଟମ୍ ଓ ଅନେକ ନାଗରିକ ସେବା ସହିତ ବସ୍ତିବାସିନ୍ଦାଙ୍କୁ ଭୂମି ଅଧିକାର ଓ ବିଜୁ ଆଦର୍ଶ କଲୋନୀ ଲୋକାର୍ପଣ କରିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ସହର ହେଉଛି ଗୋଟିଏ ରାଜ୍ୟର ବିକାଶର ଦର୍ପଣ । ସମୃଦ୍ଧ ସହର ରାଜ୍ୟର ସମୃଦ୍ଧି ବିଷୟରେ ସୂଚନା ଦେଇଥାଏ । 5-T ଉପକ୍ରମରେ ହେଉଥିବା ଏହି ସବୁ ବିକାଶ କାର୍ଯ୍ୟକ୍ରମ ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିଛି । ଏହି ସବୁ ପ୍ରକଳ୍ପ ଆମର ନିରନ୍ତର ବିକାଶ ଲକ୍ଷ୍ୟ ହାସଲ କରିବାରେ ସହାୟକ ହେବ’ ।

ସୂଚନାଯୋଗ୍ୟ, ଆଜି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ରାଜ୍ୟର ୪ଟି ସହର ଯଥା କଟକ, ସମ୍ବଲପୁର, ବ୍ରହ୍ମପୁର ଓ ରାଉରକେଲାର ୨୧ ହଜାର ୪୨୭ ବସ୍ତି ବାସିନ୍ଦା ପରିବାରକୁ ଭୂମି ଅଧିକାର ପ୍ରମାଣ ପତ୍ର ଦିଆଗଲା । ଏଥି ସହିତ ରାଜ୍ୟର ୨୬ଟି ସହରରେ ୬୨୬ଟି ବିଜୁ ଆଦର୍ଶ କଲୋନୀ ଲୋକାର୍ପିତ ହେଲା । ଏହା ଦ୍ୱାରା ୨ ଲକ୍ଷ ପରିବାର ଉପକୃତ ହେବେ । ଏଥି ସହିତ ୨୬ଟି ସହରକୁ ବସ୍ତିମୁକ୍ତ କରାଗଲା । ସହରର ଅନ୍ୟମାନଙ୍କ ପରି ସେମାନେ ମଧ୍ୟ ସବୁ ମୌଳିକ ସୁବିଧା ସୁଯୋଗ ପାଇଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ‘ଆମ ରାଜ୍ୟର ‘ଡ୍ରିଙ୍କ ଫ୍ରମ୍ ଟ୍ୟାପ୍’ କାର୍ଯ୍ୟକ୍ରମ ଓ ସହରାଞ୍ଚଳ ବିକାଶ କ୍ଷେତ୍ରରେ ସାରା ଦେଶ ପାଇଁ ଏକ ମଡେଲ । ବ୍ରହ୍ମପୁର ସହରର ସବୁ ପରିବାର ଆଜିଠୁ ୨୪ ଘଣ୍ଟା ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ସୁବିଧା ପାଇବେ । ଏହା ସହିତ ରାଜ୍ୟର ୮ଟି ସହରରେ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ସୁବିଧା ମିଳିଲା ବୋଲି ସେ କହିଥିଲେ । ରାଜ୍ୟରେ ଜନସ୍ୱାସ୍ଥ୍ୟ ବ୍ୟବସ୍ଥାର ବିକାଶରେ ଏହା ଏକ ବଡ ପଦକ୍ଷେପ । ସୁଦ୍ଧ ପାନୀୟ ଜଳ ୫୦ ପ୍ରତିଶତ ସ୍ୱାସ୍ଥ୍ୟ ସମସ୍ୟା ସମାଧାନ କରିଥାଏ ‘।

ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ‘ଗାନ୍ଧିଜୀଙ୍କ ଭାଷାରେ ଏହା ସ୍ୱାଧୀନତାଠାରୁ ମଧ୍ୟ ଅଧିକ ଜରୁରୀ । ଆଜି କଟକ ଓ ଭୁବନେଶ୍ୱର ପାଇଁ ଓଡ଼ିଶା ସମନ୍ୱିତ ପରିମଳ ଉନ୍ନତି ଉତ୍ସର୍ଗ କରି ମୁଁ ବହୁତ ଖୁସି । ଏଥି ପାଇଁ ଜାଇକା ସହାୟତାରେ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏହା ଦ୍ୱାରା ଭୁବନେଶ୍ୱର ଓ କଟକ ସହରରେ ହୋଇଥିବା ଭୂତଳ ସ୍ବେରଜ ସିଷ୍ଟମ, ନୂଆ ସ୍ବେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ଓ ଉନ୍ନତ ଜଳ ନିଷ୍କାସନ ସୁବିଧା ଗୁଡିକ ଆମ ସହରର ପରିଚୟକୁ ଆହୁରି ଉଜ୍ଜଳ କରିବ’ ।

ପାନୀୟ ଜଳ ପ୍ରକଳ୍ପ ଉଦ୍‌ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ‘ଆଜି ମଧ୍ୟ ଝାରସୁଗୁଡା, ବ୍ରଜରାଜନଗର ଓ ବେଲପାହାଡ ସହର ସହିତ ଅନେକ ସହରରେ ପାନୀୟ ଜଳ ପ୍ରକଳ୍ପ ଆରମ୍ଭ କରାଗଲା । ଏହା ମାଧ୍ୟମରେ ୨.୬୫ ଲକ୍ଷ ବାସିନ୍ଦା ଉପକୃତ ହେବେ । ଏଥି ସହିତ ଉନ୍ନତି ଓ ମୁକ୍ତା ଯୋଜନାରେ ବିଭିନ୍ନ ସହରରେ ୩୬୯୯ଟି ନୂଆ ପକ୍କା ରାସ୍ତା ଏବଂ ୬୯୬୧ଟି ନାଗରିକ ସୁବିଧା ପ୍ରକଳ୍ପ ଉତ୍ସର୍ଗ କରାଗଲା । ମୁକ୍ତା ଯୋଜନାରେ ମା’ ମାନେ ବହୁତ ଭଲ କାମ କରୁଛନ୍ତି’ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ୨୪ଟି ସହରରେ ୧୧୬୪ କୋଟି ଟଙ୍କା ମୂଲ୍ୟର ୨୭ଟି ଜଳଯୋଗାଣ ପ୍ରକଳ୍ପ ପାଇଁ ଭିତ୍ତି ରଖିଛନ୍ତି ।

Leave A Reply

Your email address will not be published.