Latest Odisha News

BREAKING NEWS

‘ପିଥାଇ’ ଘୂର୍ଣ୍ଣିଝଡ଼ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ଓ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଅନୁଭୁତ ହୋଇଥିବା ‘ପିଥାଇ’ ଘୂର୍ଣ୍ଣିଝଡ଼ କ୍ରମେ ସିଭିୟର୍ ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେବାରେ ଲାଗିଛି । ‘ପିଥାଇ’ ଘୂର୍ଣ୍ଣିଝଡ଼ ପ୍ରଭାବ ଯୋଗୁଁ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ (ଆଇଏମଡ଼ି) ପକ୍ଷରୁ ରବିବାର ଦିନ ସତର୍କ ସୂଚନା ଦିଆଯାଇଛି ।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ଆସନ୍ତାକାଲି ଅପରାହ୍ନ ସୁଦ୍ଧା ଆନ୍ଧ୍ର ପ୍ରଦେଶର ମଚ୍ଛଲିପଟ୍ଟନମ ଏବଂ କାକିନାଡ଼ା ମଧ୍ୟରେ ଥିବା ସ୍ଥଳପଥ ଛୁଇଁବାର ଯଥେଷ୍ଟ ସମ୍ଭାବନା ରହିଛି । ତେବେ ଆନ୍ଧ୍ର ଉପକୂଳରେ ସ୍ଥଳପଥ ଛୁଇଁ ଏହି ‘ପିଥାଇ’ ଘୂର୍ଣ୍ଣିଝଡ କ୍ରମେ ଦୁର୍ବଳ ହୋଇଯିବ । ଏହାର ପ୍ରଭାବରେ ୧୬ ଏବଂ ୧୭ ତାରିଖରେ ଆନ୍ଧ୍ର ପ୍ରଦେଶ, ତାମିଲନାଡୁ, ଓଡ଼ିଶା ତଥା ଛତିଶଗଡ଼ରେ ବୃଷ୍ଟିପାତ ହେବାର ସମ୍ଭାବନା ରହିଥିବା ସୂଚନା ଦେଇଛନ୍ତି ପାଣିପାଗ ବିଭାଗ ।

‘ପିଥାଇ’ ଘୂର୍ଣ୍ଣିଝଡର ପ୍ରଭାବରେ ଓଡ଼ିଶାର ଗଜପତି, ଗଞ୍ଜାମ, ରାୟଗଡ଼ା ଏବଂ କୋରାପୁଟ ଜିଲ୍ଲାମାନଙ୍କରେ ୧୬ ତାରିଖରୁ ଲଗାଣ ବର୍ଷା ଜାରି ରହିବ । ତେବେ ଡ଼ିସେମ୍ବର ୧୭ ତାରିଖ ଆଡ଼କୁ ମାଲକାନଗିରି, ଗଜପତି, ରାୟଗଡ଼ା ଏବଂ କୋରାପୁଟ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଏହାର ପ୍ରଭାବରେ ଗଞ୍ଜାମ, ପୁରୀ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବରଗଡ଼, ବଲାଙ୍ଗିର, ଝାରସୁଗୁଡ଼ା, ସମ୍ବଲପୁର ଏବଂ ସୁନ୍ଦରଗଡ଼ ୍ଜିଲ୍ଲାମାନଙ୍କରେ ଡ଼ିସେମ୍ବର ୧୮ ରାତି ୮.୩୦ ମଧ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି ।

ତେବେ ‘ପିଥାଇ’ ଘୂର୍ଣ୍ଣିଝଡର ପ୍ରଭାବ ଯୋଗୁଁ ଦକ୍ଷିଣ ଓଡ଼ିଶାରେ ୩୦-୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ସୂତ୍ରରୁ ସୂଚନା ମିଳିଛି ।

ଏହି ଘୂର୍ଣ୍ଣିଝଡ଼ ସମୟରେ ନିରାପଦ ସ୍ଥାନରେ ରହିବା ସହିତ ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ମତ୍ସଜୀବୀମାନେ ସମୁଦ୍ର ମଧ୍ୟକୁ ନଯିବାକୁ ଆଇଏମଡ଼ି ପକ୍ଷରୁ ପରାମର୍ଶ ଦିଆଯାଇଛି ।

ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟସରକାରଙ୍କୁ ସମସ୍ତ ବନ୍ଦର ଗୁଡ଼ିକରେ ୨ନଂ ବିପଦ ସଙ୍କେତର ସତର୍କ ସୂଚନା ପ୍ରଦାନ କରିବାକୁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.