Latest Odisha News

BREAKING NEWS

କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ସୁପ୍ରିମକୋର୍ଟ ଗଲେ କେଜ୍ରିୱାଲ୍, ୩ରେ ଜାଳିବେ କପି

ନୂଆଦିଲ୍ଲୀ: ଦିଲ୍ଲୀରେ ଅଧିକାରୀଙ୍କ ନିଯୁକ୍ତି ଓ ସ୍ଥାନାନ୍ତରଣକୁ ନେଇ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ । ଶୁକ୍ରବାର ଦିଲ୍ଲୀ ସରକାର ଅଧ୍ୟାଦେଶ ବିରୋଧରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । କେନ୍ଦ୍ର ଆଣିଥିବା ଅଧ୍ୟାଦେଶ ଅସାମ୍ବିଧାନିକ ଏବଂ ଏହା ଉପରେ ତୁରନ୍ତ ପ୍ରତିବନ୍ଧକ ଲଗାଇବା ଲାଗି ସର୍ବୋଚ୍ଚ ନ୍ୟାୟାଳୟରେ ଆପ୍ ନିବେଦନ କରିଛି ।

ଗତ ମାସରେ କେନ୍ଦ୍ର ସରକାର ଦିଲ୍ଲୀରେ ଗୁପ୍ ଏ ଅଧିକାରୀଙ୍କୁ ନିୟନ୍ତ୍ରଣ ନେଇ ଅଧ୍ୟାଦେଶ ଆଣିଥିଲେ । ଯାହାକୁ ଦିଲ୍ଲୀର କେଜ୍ରିୱାଲ୍ ସରକାର ବିରୋଧ କରୁଛି । ଦୀର୍ଘ ବର୍ଷ ଧରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଓ ଦିଲ୍ଲୀ ଉପରାଜ୍ୟପାଳଙ୍କ ମଧ୍ୟରେ କ୍ଷମତାକୁ ନେଇ ଲାଗି ରହିଥିବା ଟଣାଓଟରା ପରେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଥିଲେ ଦିଲ୍ଲୀ ସରକାର ହେଉଛନ୍ତି ଦିଲ୍ଲୀର ବସ୍ ।

ଆଉ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିର ଠିକ୍ ସପ୍ତାହ ପରେ କେନ୍ଦ୍ର ସରକାର ଅଧ୍ୟାଦେଶ ଆଣିଥିଲେ । ଏହି ମାମଲାରେ କେଜ୍ରିୱାଲ୍ ସମର୍ଥନ ହାସଲ ପାଇଁ ବିଭିନ୍ନ ରାଜ୍ୟରେ ବିଜେପି ବିରୋଧୀ ଦଳ ଓ ନେତାଙ୍କୁ ଭେଟୁଛନ୍ତି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଏନସିପି ମୁଖ୍ୟ ଶରଦ ପାୱାର, ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ସମେତ ଅନେକ ବିରୋଧୀ ନେତା ଆପକୁ ଅଧ୍ୟାଦେଶ ନେଇ ସମର୍ଥନ ଦେବେ ବୋଲି କହିଛନ୍ତି ।

ଅଧ୍ୟାଦେଶକୁ ବିରୋଧ ଭିତରେ ଜୁଲାଇ ୩ ତାରିଖରେ ଆପ୍ ମୁଖ୍ୟାଳୟରେ କେଜ୍ରିୱାଲ୍ ଅଧ୍ୟାଦେଶ କପିକୁ ପୋଡ଼ିବେ । ଜୁଲାଇ ୫ରୁ ୧୩ ଯାଏ ଦିଲ୍ଲୀର ସମସ୍ତ ୭୦ ବିଧାନସଭା ଆସନରେ ଅଧ୍ୟାଦେଶ କପିକୁ ଜାଳିବେ ଆପ୍ ନେତା ଓ କର୍ମୀ ।

Leave A Reply

Your email address will not be published.