ନୂଆଦିଲ୍ଲୀ: ଦିଲ୍ଲୀରେ ଆମ ଆଦମୀ ପାର୍ଟି ଓ କଂଗ୍ରେସ ମୁହାଁମୁହିଁ । ୮ମାସ ତଳେ ଦିଲ୍ଲୀରେ ଆପର ହାତ ଧରି ନିର୍ବାଚନ ଲଢିଥିଲା କଂଗ୍ରେସ। ହେଲେ ଏବେକାର ସ୍ଥିତି ଭିନ୍ନ । ପରସ୍ପର ବିରୋଧରେ ବିଷ ଓଗାରୁଛନ୍ତି ନେତା । ଲାଗୁଛି ଦୁଇ ଦଳ ମଧ୍ୟରେ ସଂଘର୍ଷ ବିରାମ ଶେଷ ହୋଇଥିବା ବେଳେ ନିର୍ବାଚନୀ ଯୁଦ୍ଧ ଜୋରଦାର ହୋଇଛି । ନିଜେ ରାହୁଲ ଗାନ୍ଧୀ ଆପକୁ ଜୋରଦାର ଟାର୍ଗେଟ୍ କରିବା ପରେ ଦଳର ନେତା ବି କେଜ୍ରିଓ୍ବାଲଙ୍କୁ ସିଧା ହମଲା କରୁଛନ୍ତି । ସେପଟେ କେଜ୍ରିଓ୍ବାଲ ବି ରାହୁଲଙ୍କୁ ଆଟାକ୍ କରୁଛନ୍ତି । ଇଣ୍ଡିଆ ମେଣ୍ଟ ଭିତରର ଅନ୍ତକନ୍ଦଳ ଦିଲ୍ଲୀ ନିର୍ବାଚନରେ ଖୋଲାଖୋଲି ପଦାରେ ପଡିଛି । ତେବେ ପ୍ରଶ୍ନ ଉଠୁଛି, ଇଣ୍ଡିଆ ମେଣ୍ଟର ଭବିଷ୍ୟତ କଣ ହେବ?
ଦ୍ବନ୍ଦ୍ବ ନୁହେଁ ଏବେ ସିଧା ଆଟାକ୍
ଦିଲ୍ଲୀ କଂଗ୍ରେସର ଅନେକ ନେତା ଆପ୍ ସହ ମେଣ୍ଟକୁ ନେଇ ସହମତ ନଥିଲେ । ଅସହମତି ସତ୍ବେ ଲୋକସଭା ନିର୍ବାଚନ ଆପ୍ ସହ ମିଶି ଲଢିଥିଲା କଂଗ୍ରେସ । ବିଧାନସଭା ନିର୍ବାଚନରେ ବି ମେଣ୍ଟକୁ ନେଇ ଆଶା ଆଶଙ୍କା ରହିଥିଲା । ହେଲେ ଶେଷରେ ଏକା ଏକା ନିର୍ବାଚନ ମଇଦାନକୁ ଓହ୍ଲାଇଲେ ଦୁଇ ଦଳ । ଏହାପରେ ଅଜୟ ମାକେନ୍, ସନ୍ଦୀପ ଦୀକ୍ଷିତଙ୍କ ପରି କଂଗ୍ରେସ ନେତା କେଜ୍ରିଓ୍ବାଲଙ୍କ ବିରୋଧରେ ମୁଖର ହେଲେ । ମହିଳା ଓ ବରିଷ୍ଠ ନାଗରିକଙ୍କ ଆପ୍ ଘୋଷଣା କରିଥିବା ଯୋଜନାର ପଂଜୀକରଣକୁ ନେଇ କଂଗ୍ରେସ ହିଁ କେଜ୍ରିଓ୍ବାଲ ଓ ସିଏମ୍ ଅତିସୀଙ୍କ ବିରୋଧରେ ଥାନାରେ ଏଫଆଇଆର ଦେଲା । ଆଉ ତା ପରେ ଇଣ୍ଡିଆ ମେଣ୍ଟରୁ କଂଗ୍ରେସକୁ ବାହାର କରିବାକୁ ଧମକ ଦେଲା ଆପ୍ । ରାହୁଲ ଗାନ୍ଧୀ ନିଜ ପ୍ରଥମ ନିର୍ବାଚନୀ ସଭାରେ କେଜ୍ରିଓ୍ବାଲଙ୍କୁ ସିଧା ଟାର୍ଗେଟ୍ କରିବା ପରେ ଦିଲ୍ଲୀ କଂଗ୍ରେସ ନେତାଙ୍କର ହମଲା ଆହୁରି ତୀବ୍ର ହେଲା ।
କାହିଁକି ଆପକୁ ଟାର୍ଗେଟ୍ କରୁଛି କଂଗ୍ରେସ?
ଦିଲ୍ଲୀରେ କଂଗ୍ରେସ ପାଇଁ ଏଥର କର ବା ମର ସ୍ଥିତି । ୧୫ବର୍ଷ ଧରି ଦିଲ୍ଲୀରେ କ୍ଷମତାରେ ରହିଥିବା କଂଗ୍ରେସ ଗତ ଦୁଇଟି ନିର୍ବାଚନରେ ଖାତା ଖୋଲିପାରିନି । ଆପର ଉଦୟ ସହ ଦିଲ୍ଲୀ ଓ ପଞ୍ଜାବରେ କ୍ଷମତାରୁ ଦୂରେଇ ଯାଇଥିଲା କଂଗ୍ରେସ । ଉଭୟ ସ୍ଥାନରେ ଆପ୍ ହିଁ କଂଗ୍ରେସକୁ କ୍ଷମତାରୁ ବେଦଖଲ କରିଥିଲା । ଗତ ୧୦ବର୍ଷ ମଧ୍ୟରେ ବିଜେପି ପରେ କଂଗ୍ରେସ ହିଁ ଏକମାତ୍ର ଦଳ ଯିଏ କଂଗ୍ରେସ ହାତରୁ ଶାସନ ଛଡାଇ ଆଣିଛି । କଂଗ୍ରେସ ବି ଜାଣିଛି, ଦିଲ୍ଲୀରେ ପୂର୍ବ ସ୍ଥିତି ପାଇବାକୁ ହେଲେ ଆପ ପ୍ରତି ଆକ୍ରାମକ ହେବାକୁ ପଡିବ । କାରଣ କଂଗ୍ରେସର ପାରମ୍ପରିକ ବସ୍ତି, ସଂଖ୍ୟାଲଘୁ ଓ ଦଳିତ ଭୋଟବ୍ୟାଙ୍କ ଉପରେ କବଜା କରିଛି ଆପ୍ ।
ମେଣ୍ଟ ନେତୃତ୍ବକୁ ନେଇ ପ୍ରଶ୍ନ
ଦିଲ୍ଲୀ ନିର୍ବାଚନରେ କଂଗ୍ରେସକୁ ନୁହେଁ ବରଂ ଆପକୁ ଇଣ୍ଡିଆ ମେଣ୍ଟର ଅନ୍ୟତମ ସହଯୋଗୀ ମମତା ବାନାର୍ଜୀ, ଅଖିଳେଶ ଯାଦବ, ଉଦ୍ଧବ ଠାକରେ ଓ ତେଜସ୍ବୀ ଯାଦବ ସମର୍ଥନ କରିଛନ୍ତି । କଂଗ୍ରେସକୁ ସିଧାସଳଖ ବିରୋଧ କରିନଥିଲେ ବି ଆପକୁ ସମର୍ଥନ ଦେଇ ମମତା ଓ ଅଖିଳେଶ ନିଜ ରାଜନୈତିକ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ସେପଟେ ହରିୟାଣା ଓ ମହାରାଷ୍ଟ୍ର ନିର୍ବାଚନରେ ପରାଜୟ ପରେ ଇଣ୍ଡିଆ ମେଣ୍ଟର ନେତୃତ୍ବ ପରିବର୍ତ୍ତନକୁ ନେଇ ବି ସ୍ବର ଉଠିଛି । ପଶ୍ଟିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଇଣ୍ଡିଆ ମେଣ୍ଟର ନେତୃତ୍ବ ଦିଆଯିବା ନେଇ ଆରଜେଡି ମୁଖ୍ୟ ଲାଲୁପ୍ରସାଦ ଯାଦବଙ୍କ ସହ ବହୁ ବରିଷ୍ଠ ନେତୃତ୍ବ କହିଥିଲେ ।
ଇଣ୍ଡିଆ ମେଣ୍ଟର ଭବିଷ୍ୟତ କଣ?
କେବଳ ଦିଲ୍ଲୀରେ ନୁହେଁ ପୂର୍ବରୁ ମଧ୍ୟ ଇଣ୍ଡିଆ ମେଣ୍ଟ ସହଯୋଗୀ ପରସ୍ପର ବିରୋଧରେ ନିର୍ବାଚନ ଲଢିଛନ୍ତି । ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗରେ ଟିଏମସି, ବାମଦଳ ଓ କଂଗ୍ରେସ ମଧ୍ୟରେ ଲଢେଇ ଦେଖିବାକୁ ମିଳିଥିଲା । ସେହିପରି କେରଳରେ କଂଗ୍ରେସ ବନାମ ବାମଦଳ ମୁକାବିଲା ହୋଇଥିଲା । ହରିୟାଣାରେ ବି ଆପ୍ ଓ କଂଗ୍ରେସ ମଧ୍ୟରେ ମେଣ୍ଟ ହୋଇନଥିଲା, ପରସ୍ପର ବିରୋଧରେ ପ୍ରତିଦ୍ବନ୍ଦ୍ବିତା କରିଥିଲେ ଦୁଇ ଦଳ । ମହାରାଷ୍ଟ୍ର ପରାଜୟ ପରେ ଉଦ୍ଧବ ଠାକରେ ଅଲଗା ବାଟ ଧରିବା ନେଇ ବି ଚର୍ଚ୍ଚା ହେଉଛି । ତେବେ ଆଗକୁ ବିହାର ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ କଂଗ୍ରେସ ଆରଜେଡିର ସହଯୋଗୀ ଦଳ ଭୂମିକାରେ ରହିଛି । ତେଣୁ ଦିଲ୍ଲୀ ନିର୍ବାଚନ ପରେ ଯେ, ଇଣ୍ଡିଆ ମେଣ୍ଟ ଭାଙ୍ଗିଯିବ, ସେକଥା ଏବେଠୁ କହିବା ଭୁଲ ହେବ । ତେବେ କଂଗ୍ରେସର ବିଜୟ ଗ୍ରାଫ ତଳମୁହାଁ ହୋଇଥିବା ବେଳେ ନେତୃତ୍ବ ପରିବର୍ତ୍ତନର ସ୍ବର ଜୋରଦାର ହୋଇପାରେ ।
Comments are closed.