Latest Odisha News

BREAKING NEWS

ଦୃଷ୍ଟି

ଦୃଷ୍ଟି

ପ୍ରଜ୍ଞା ପାରମିତା ରଥ

ଗାଡ଼ି ଆଗକୁ ଚାଲିଲା ବେଳେ ବାହାରର ଗଛ ଲତା ରାସ୍ତା ସବୁ ପଛକୁ ଦୌଡ଼ିଲା ପରି ଲାଗେ, ଭିଡ଼ିକି ଧରି ରଖି ହୁଏନି, ଧରି ରଖି ହୁଏନି ବି ମନକୁ ଗାଡ଼ି ସହ ତାଳ ଦେଇ ଅତୀତର ଅରମା ଇଲାକା ଆଡେ଼ ଦୌଡ଼ିଲା ବେଳେ ।

ୱିଣ୍ଡୋ କାଚକୁ ଲାଗି ମୁଁ ବସିଥିଲି ପବନରେ ଚୁଟି ସବୁକୁ ଅଲରା କରି । ବର୍ଷର ଶେଷ ଦିନ ବୋଲି ଅନେକ କିଛି କରିବାକୁ ବାକି ଅଛି ଭାବି ଗାଡ଼ିଠୁ ମିନିମମ ଚାରି ପାଞ୍ଚ କିଲୋମିଟର ଆଗରେ ମନଟା ଦୌଡୁଥିଲା । ଗଛମାନେ ପରସ୍ପର ବାଡେ଼ଇ ହେଇଗଲା ପରି ମୋର ମନେ ହଉଥିଲା… କିନ୍ତୁ ହଉ ନଥିଲେ ।

ଭାବନାମାନେ ଧକ୍କା ଖାଉଥିଲେ । ଶବ୍ଦ କରୁନଥିଲେ ।

ଚାଲିଥିଲା ଗାଡ଼ି । ମୁଁ ଫେରୁଥିଲି ଘରେ ଯାଇ କଙ୍କଡ଼ା ଝୋଳ ଖାଇବାର ଆଉ ନୂଆବର୍ଷ ଆଗରୁ ମୋର ଅସଜଡ଼ା ସବୁକୁ ଟିକେ ସଜାଡ଼ି ଦବାର ବ୍ୟସ୍ତତାରେ ।

ଆଁ କରିଥିବା ପିଲାଟିକୁ ଚକେଲଟ ଦେଖେଇ ନିଜ ପାଟିରେ ପୂରେଇଦବା ପରି । ଭାଗ୍ୟ ବି ଖେଳେ ଆକୁଳ ମନ ସହ ।

କନ୍ଦରପୁର ପାଖରେ ହେଲା ବେଳକୁ ଲେଭଲ କ୍ରସିଂ ଗେଟ ପଡ଼ିଛି । କ’ଣ ବା କରାଯାଏ? ଭାଗ୍ୟଂ ଫଳତି ସର୍ବତ୍ରଂ ନ ବିଦ୍ୟା ନ ଚ ପୌରୁଷଂ ।

ଅଗତ୍ୟା ଭୋକ ଦାଉରେ ଗୋଟେ ଦହିବରା ଠେଲା ପାଖକୁ ଗଲି ।

ଡେଙ୍ଗା ପତଳା ଲୋକଟେ… ଲୋକ ତ ନୁହେଁ ତେଇଶ ଚବିଶ ବର୍ଷର ପିଲାଟେ ।

– ମ୍ୟାଡ଼ମ, ସେଉ ପକେଇବି? ପୋଦିନା ଚଟଣି…? ରାଗ ଦେବି ନା ସାଧା…?

ଦରକାରଠୁ ଅଧିକ ଖାତିର । ତା’ର ଅଦରକାରୀ ପ୍ରଶ୍ନରେ ଦାନ୍ତ କଡ଼ମଡ଼ କରୁଥିଲି । ସେ ବା କୋଉଠୁ ବୁଝିବ ମୋ ବ୍ୟସ୍ତତା ।

ଯାହା ବି ହଉ, ଦି’ ଠୋଲା ଫୁଲ ପ୍ଲେଟ ସଜେଇକି ଦେଲା, ଲୋକଟାର ଚାହାଣୀ ବଡ଼ ଅସ୍ୱାଭାବିକ ଲାଗୁଥାଏ । କେମିତି ଗୋଟେ ବିକିଳିଆ ହେଇ ମୁହଁକୁ ଅନାଉଥାଏ । ମୁଁ ଘୃଣାରେ ମୁହଁ ଫେରେଇନେଲି ।

ଛ୍ୟା… ନୁଙ୍ଗୁରା ।

ଠୋଲା ଦି’ଟା ହାତକୁ ବଢେ଼ଇ କହିଲା ମ୍ୟାଡମ ତରତର ହଉଛନ୍ତି କି? ଦେଖିକି ରାସ୍ତା ପାରିହେବେ । ଗାଡ଼ିଗୁଡା ଭାରି ଜୋରରେ ଯା’ ଆସ କରନ୍ତି ଏ ରୋଡ଼ରେ ।

ମୋ ମୁଣ୍ଡକୁ ତେନ୍ତୁଳିଆ ବିଛା କାମୁଡ଼ି ଦେଲା ଯେମିତି । ଛି ଛି ଛି ଏଇ ପ୍ରକୃତିରୁ ଉଧଉ ନାହାନ୍ତି ଏ ଛୋଟ ଲୋକଗୁଡ଼ା । ଏକୁଟିଆ ଝିଅ ଦେଖିଲେ ଭାରି ସୁଆଗ ଦେଖାନ୍ତି । କହିଲା କ’ଣ ନା ଦେଖିକି ଯିବେ… ନନସେନସ…

ତର ତର ହେଇ ଏକରକମ ଫୋପାଡ଼ିଲା ପରି ପଇସାଟା ଦେଇ ମୁଁ ଗାଡ଼ି ପାଖକୁ ଫେରିଆସୁଥିଲି ଘୃଣାରେ ଗରଗର ହେଇ । ସେ ଲୋକ ମୁହଁକୁ ବି ଚାହିଁନି ଥରେ । ଗାଡ଼ିରେ ବସିପଡ଼ି ଡୋରଟା ବାଡେ଼ଇଦେଲି ଜୋରରେ । ୟା ମୁହଁରେ ଚାପୁଡ଼ା ମାରିଲା ପରି ।

କ୍ଳାନ୍ତି ବିରକ୍ତିରେ ଆଖିଟା ଟିକେ ବୁଜିିକି ଆଉଜି ବସିଛି କି ନାଇଁ; ପାଟି ଶୁଭିଲାରୁ ବାହାରକୁ ଦେଖିଲି, ଲୋକଟା ଆସୁଛି ମୋ ଆଡ଼କୁ ।

ସେପଟୁ କାରଟେ ଆସୁଥିଲା । ଲୋକଟା ଏକବାର ରାସ୍ତା ମଝିରେ । ଦେଖାଯାଉନି ନା କ’ଣ…

ଗାଡ଼ିଟା କଡ଼ା ବ୍ରେକ୍ କଷିଲା, ଆଖି ବୁଜି ପକେଇଲି ମୁଁ…

……….
‘ଓଃ ଅଳ୍ପକେ ବଂଚିଗଲା’, ପାଖ ଲୋକଗୁଡ଼ା କହିଲେ ।

ଗାଡ଼ିବାଲା ଦୋଅକ୍ଷରି ଲଗେଇ ପାଟି କଲା ।

ଦୂରରୁ ହର୍ଣ୍ଣ ନମାରିଲେ ଅନ୍ଧମାନେ କେମିତି ରାସ୍ତା ପାରିହେବେ ବାବୁ । ମୁହଁ ତଳକୁ କରି ଏତିକି ଉତ୍ତର ଦେଲା ଲୋକଟା ।

ଗାଡ଼ିଟି ବଡ଼ଲୋକର ଭାଉ ଦେଖେଇ ଧୂଳି ଉଡେ଼ଇ ଚାଲିଗଲା ।

……….
ଏ ଭିତରେ ଟିକିଏ ଆଗରୁ ଘଟିଥିବା କଥା ସବୁକୁ ଥରେ ରିଭିଜନ କରି ମୁଁ ଭାବୁଥିଲି ୟା ଭିତରୁ ଅନ୍ଧ କିଏ ସତରେ? ଅନୁଭବରେ ମତେ ଦେଖି ଚାହିଁ ରାସ୍ତା ପାରି ହେବେ କହୁଥିବା ଲୋକଟା… ନା ମୋ ଆଲୋକିତ ଆଖିରେ ବି ତା’ ଅନ୍ଧାରକୁ ପଢ଼ିନପାରି ତା’ ଚାହାଣୀକୁ ଅନ୍ୟଥା ଭାବୁଥିବା ‘ମୁଁ’ ଟି?

: ‘ମ୍ୟାଡମ, କୋଡ଼ିଏ ଟଙ୍କା ଫେରି ପାଇବାର ଥିଲା ଆପଣଙ୍କର ।

ମତେ ଚମକେଇଦେଇ, ମୋ ହାତରେ ପଇସାଟା ଦେଇ ସେ ଫେରୁଥିଲା ରାସ୍ତା ସେପାରିକୁ । ତା’ ଫେରିବା ବାଟକୁ ଚାହିଁ ମୁଁ ଅନୁଭବ କଲି ତା’ର ‘ଦୃଷ୍ଟି’ଆଉ ମୋର ‘ନଜର’ ଭିତରେ ଥିବା ସୂକ୍ଷ୍ମ ଫରକ୍ ଟାକୁ ।

ଏଥର କନ୍ଦରପୁର ଗେଟ ଟପିଲେ ସେଇ ପିଲାଟାକୁ ଆଖି ଖୋଜେ, କିନ୍ତୁ ମୋ ମଇଳା ନଜରକୁ ସେଇ ପବିତ୍ର ଦୃଷ୍ଟିର ଆତ୍ମାଟି ଆଉ ଦେଖାଯାଇନି କେବେ ।

ଆମାଜନରେ ମିଳୁଛି ପ୍ରଜ୍ଞା ପାରମିତା ରଥଙ୍କ ‘ଟାଇମପାସ୍‍ ପ୍ରଥମା ପୁରସ୍କାର’ପ୍ରାପ୍ତ ଗଳ୍ପ ସଂକଳନ ‘ଅପହୃତ ଆବେଗ

Leave A Reply

Your email address will not be published.