ବାପାଙ୍କ ଦରମା

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’

ସେତେବେଳେ ଦଶମ ଶ୍ରେଣୀରେ ପଢୁଥାଏ ମୁଁ । କୈଶୋରର ଉଦ୍ଦାମତା କୁହାଯାଉ ବା ସଙ୍ଗଦୋଷ, ପ୍ରତିକଥାରେ ପ୍ରତିବାଦ କରିବା ସତେ ଯେମିତି ଏକ ଚିରାଚରିତ ଘଟଣା ପାଲଟି ଯାଇଥିଲା ମୋ ପାଇଁ। ମୋ ସାନ ଭଉଣୀ ହଷ୍ଟେଲରେ ରହି ପଢୁଥିଲା ଏବଂ ସାନଭାଇ ନୂଆ କରି ପ୍ରଥମ ଶ୍ରେଣୀରେ ପାଠପଢ଼ା ଆରମ୍ଭ କରିଥିଲା। ଜେଜେବାପା ଓ ଜେଜେମା’ ଖୁବ୍ ସକ୍ରିୟ ଥାଆନ୍ତି। ଯାହା ଅଳ୍ପ ବହୁତ ଜମିବାଡ଼ି ଅଛି, ସେଥିରୁ ଆମ ପରିବାର ପାଇଁ ବର୍ଷକର ଖାଇବାକୁ ହୋଇଯାଏ। ଅନ୍ତତଃ ଚାଉଳ ଓ ଡାଲି ଯୋଗାଡ଼ ହୋଇଯାଏ। ଜମିବାଡ଼ି କଥା ଜେଜବାପା ଓ ଜେଜେମା’ ବୁଝି ଦିଅନ୍ତି। ସେତେବେଳକୁ ଆମ ଗାଁ ପାଖ ଏକ ସ୍କୁଲରେ ବାପା ଚାକିରି କରୁଥାନ୍ତି। ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ। ଦରମା କେତେ ମିଳୁଥିଲା ମୋତେ ଜଣାନାହିଁ। କେବଳ ଏତିକି ଜାଣିଥିଲି ଯେ, ବାପାଙ୍କର କୌଣସି ବ୍ୟାଙ୍କ୍ ଆକାଉଣ୍ଟ ନାହିଁ। ମାସ ଶେଷରେ ଯେତେବେଳେ ବ୍ଲକ୍ ଅଫିସରୁ ଦରମା ମିଳେ, ସେତେବେଳେ ସେଇଟା ନଗଦ ମିଳେ।

ଦରମା ନେଇ ଆସିଲା ବେଳେ ଯେତେ ଯାହା ମିଳିଥାଉନା କାହିଁକି, ବାପା ଘରେ ପହଞ୍ଚିଲା ବେଳକୁ ପାଖରେ ମାତ୍ର ଶହେ ଦୁଇଶହ ଟଙ୍କା ଥାଏ। ବାକି ସବୁ ପାଇସା ବିଭିନ୍ନ ଦୋକାନିଆଙ୍କ ବକେୟା ପୈଠରେ ସରିଯାଇଥାଏ। ତେଜରାତି ଦୋକାନ, ଲୁଗା ଦୋକାନ, ବହି ଦୋକାନ, ଔଷଧ ଦୋକାନ ଓ ଗୁଡ଼ିଆଘର ମିଠା ଦୋକାନରେ ମାସିକ ବକେୟା ପୈଠ କରୁ କରୁ ବାପାଙ୍କ ପକେଟ୍ ଖାଲି। ତେବେ ଜେଜେବାପା ଯେତେବେଳେ ବାପାଙ୍କୁ ଓଲଟା ପଚାରନ୍ତି, ସାଇପ ଲାଳିମି? (ପଇସା ମିଳିଲା) ବାପା ଉତ୍ତର ଦିଅନ୍ତି ହଁ କିମ୍ବା ହିଁନା ରେ। ପ୍ରଥମେ ପ୍ରଥମେ ମୁଁ ଏଇଟା ବୁଝି ପାରୁନଥିଲି। କିଛି ଦିନ ଅନୁମାନ କରି ଠଉରାଇବା ପରେ ଜାଣି ପାରିଲି ଯେ, ବାପାଙ୍କ ଦରମାକୁ ନେଇ ଉଭୟଙ୍କ ଏକ ପ୍ରଶ୍ନୋତ୍ତରୀ।

ବାପାଙ୍କ ପାଖରେ କେତେ ପଇସା ଅଛି ବା କିଛି ନାହିଁ, ସେଥିରୁ ମୋର କ’ଣ ଯାଏ ଆସେ? ମୋତେ ଯାହା ଦରକାର ସେଇଟା ମିଳିଗଲେ ଗଲା। ମୋର ହାବଭାବ ଓ ଚଳଣି ସବୁ ସେମିତି ଥିଲା। ଦଶମ ଶ୍ରେଣୀରେ ଥିବାରୁ, ମୁଁ ଚାହୁଁଥିଲି ମୋ ପାଇଁ ଗୋଟିଏ ସାଇକିଲ୍ କିଣାଯାଉ। ମୋର ଜଣେ ଦି ଜଣ ସାଙ୍ଗ ସାଇକିଲ୍ ନେଇ ସ୍କୁଲ ଯାଉଥିଲେ। ଆଉ ମୁଁ ଚାଲି ଚାଲି ଯାଉଥିଲି। ସେଥିପାଇଁ ଦିନେ ବାପାଙ୍କୁ କଥା ପ୍ରସଙ୍ଗରେ ସାଇକିଲ୍ କଥା କିଛି ନକହି, ସିଧାସଳଖ ପଚାରିଦେଲି, ତମ ଦରମା କେତେ ? ବାପା କିଛି କହିଲେ ନାହିଁ। ତାଙ୍କ ମୁହଁଟା ହଠାତ୍ ମୋତେ ଗମ୍ଭୀର ଦେଖାଗଲା।

ମାତ୍ର ପାଞ୍ଚ ସାତ ସେକେଣ୍ଡ ପରେ ସେ ପଚାରିଲେ, କାହିଁକି.. ତୋର କିଛି ଅଭାବ ହେଲା କି ? କ’ଣ ତୋର ଡ୍ରେସ୍, ବହିପତ୍ର, ପେନ୍ ପେନସିଲ୍.. କିଛି ଅଭାବ ହେଲା? ମୋତେ ମୋର ଉତ୍ତର ମିଳିଯାଇଥିଲା। ମୁଁ ଆଉ ସାହସ କରିପାରିନଥିଲି ଆଉ କିଛି ପଚାରିବାକୁ ବା ଉତ୍ତର ଦେବାକୁ। ଚୁପ୍ ଚାପ୍ ଆସିଯାଇଥିଲି ତାଙ୍କ ସାମ୍ନାରୁ। ମୋ ମନରେ ଥିବା ସାଇକିଲ୍ କଥାଟା ମନରେ ହିଁ ରହିଗଲା। ମାଟ୍ରିକ୍ ସରିବା ପରେ କଲେଜରେ ହଷ୍ଟେଲରେ ରହିଲି। ତେଣୁ ଆଉ ସାଇକିଲ୍ ଦରକାର ପଡ଼ିଲାନି। କିନ୍ତୁ ସେଦିନ ବାପା ସିନା ଦରମା କେତେ କହିଲେନି, ହେଲେ ଦରମା ବା ରୋଜଗାର ପାଇଁ କେତେ ସଂଘର୍ଷ କରିବାକୁ ପଡ଼ିଛି ତାଙ୍କୁ ସେ କଥା କହିଲେ ସେ।

ଆମ ଗାଁ ଇତିହାସରେ ମାତ୍ର ତିନି ଜଣ ଯେତେବେଳେ ମାଟ୍ରିକ୍ ପାସ୍ କରିଥିଲେ, ସେମାନଙ୍କ ଭିତରୁ ଜଣେ ଥିଲେ ବାପା। ଜଣେ ତାଙ୍କ ସିନିଅର। ସେ ମାଟ୍ରିକ୍ ପରେ ଶିକ୍ଷକ ତାଲିମ ନେଇ ଏକ ସ୍କୁଲରେ ଶିକ୍ଷକତା ଆରମ୍ଭ କରିସାରିଥିଲେ। ବାପା ଏବଂ ତାଙ୍କର ଜଣେ ସାଙ୍ଗ ଏକା ସାଙ୍ଗରେ ମାଟ୍ରିକ୍ ପାସ୍ କରିଥିଲେ ବି, ବାପାଙ୍କ ସାଙ୍ଗ କଲେଜରେ ନାଁ ଲେଖାଇ ପାରିଥିଲେ। କିନ୍ତୁ ଆର୍ଥିକ ସମସ୍ୟା ପାଇଁ ବାପା କଲେଜ ପଢ଼ିପାରିଲେ ନାହିଁ। ଘର ଚଳେଇବା ପାଇଁ ହେଉ ବା ରୋଜଗାରକ୍ଷମ ହେବା ଉଦ୍ଦେଶ୍ୟରେ ଅନ୍ୟମାନଙ୍କ ଜମିରେ କାମ କରିବାକୁ ଯିବାକୁ ପଡ଼ିଲା ତାଙ୍କୁ। ଦିନକୁ ମାତ୍ର ଦୁଇ ଟଙ୍କା ମଜୁରୀ। ତାରି ଭିତରେ ଜମି ମାଲିକର ତାଗିଦ୍, ସକାଳ ଆଠରୁ ସନ୍ଧ୍ୟା ସାତଟା ଯାଏଁ ଜମିରେ କାମ କରିବାକୁ ପଡ଼ିବ। ନଚେତ୍ ମୂଲ ନାହିଁ। ସେମିତି ସ୍ଥିତିରେ ବି କାମ କରିବାକୁ ପଡ଼ିଛି ତାଙ୍କୁ। ଖାଲି ସେତିକି ନୁହେଁ। କିଛି ଦିନ ପରେ ଡାକ ବିଭାଗରେ ଟେଲିଗ୍ରାମ୍ ଓ ରେଜିଷ୍ଟ୍ରେଡ୍ ଚିଠି ବାଣ୍ଟିବା ପାଇଁ ମେସେଞ୍ଜର ଭାବରେ କାମ କଲେ ବାପା। ଏଥିପାଇଁ ଦିନକୁ ପାଖାପାଖି ତିରିଶ କିଲୋମିଟର ବୁଲିବାକୁ ପଡୁଥିଲା ତାଙ୍କୁ। କିନ୍ତୁ ତାଙ୍କ ପାଖରେ ସାଇକିଲ୍ ଖଣ୍ଡେ ନଥିଲା। ପ୍ରତିଦିନ ତିରିଶ କିଲୋମିଟର ଚାଲି ଚାଲି ଚିଠି ବାଣ୍ଟୁଥିଲେ ସେ। ଆଉ ମାସ ଶେଷରେ ମିଳୁଥିଲା ମାତ୍ର ପଚାଶ ଟଙ୍କା ଦରମା।

କିଛି ଦିନ ପରେ ଶିକ୍ଷକତା ତାଲିମ୍ ଲାଗି ନାମଲେଖା ହେବାରୁ, ବାପା ଡାକ ବିଭାଗର ଏହି କାମ ଛାଡ଼ିଦେଲେ। ତାଲିମ୍ ଶେଷ କରି ଯେତେବେଳେ ସେ ପ୍ରାଥମିକ ବିଦ୍ୟାଳୟରେ ଚାକିରିରେ ଯୋଗଦେଲେ, ସେତେବେଳେ ପ୍ରଥମ ପୋଷ୍ଟିଂ ଗାଁଠୁ ପ୍ରାୟ ତିରିଶ କିଲୋମିଟର ଦୂରରେ ହେଲା। ଏଥିପାଇଁ ସେ ନିଜ ପ୍ରଧାନଶିକ୍ଷକଙ୍କଠାରୁ ଦୁଇ ଶହ ଟଙ୍କା ଧାର ନେଇ କିଣିଥିଲେ ନିଜର ପ୍ରଥମ ସାଇକିଲ୍। ସେହି ସାଇକିଲରେ ହିଁ ତାଙ୍କ ଶିକ୍ଷକତା ଜୀବନ ସରିଗଲା । ଅବସର ନେଲା ବେଳକୁ ପାଖରେ ଥିଲା ସେହି ସାଇକିଲ୍ ଖଣ୍ଡିକ। ବେଳେ ବେଳେ ଦିନକୁ ଶହେ କିଲୋମିଟର ସାଇକିଲ୍ ଚଳାଇ ମାଡ଼ିଯିବାର ଦେଖିଛି ବାପାଙ୍କୁ। ମୁଁ କିନ୍ତୁ କେବେ ସାହସ କରିପାରିନି।

ବାପା ଅବସର ନେବାର ପ୍ରାୟ ବାର ବର୍ଷ ହେଲାଣି। କିନ୍ତୁ ସେଦିନ ପରଠୁ ମୁଁ ଆଉ କେବେ ବି ପଚାରିନି ତାଙ୍କୁ, ଦରମା କେତେ ବୋଲି। ସେହି ସ୍ୱଳ୍ପ ଦରମା ଭିତରେ ବାପା ସମସ୍ତ ଦାୟିତ୍ୱ ସୁଚାରୁରୂପେ ତୁଲାଇ ପାରିଛନ୍ତି। ନିଜେ ପଢ଼ିନପାରିବାର ପୀଡ଼ାକୁ ସେ ନିଜ ପିଲାଙ୍କୁ ପଢ଼ାଇ ଲାଘବ କରିଛନ୍ତି। ମୁଁ ଚାକିରି କରିବା କୋଡ଼ିଏ ବର୍ଷରୁ ଅଧିକ ହେଲାଣି। କିନ୍ତୁ, ଦିନେ ବି କେବେ ବାପା ପଚାରିନାହାନ୍ତି ମୋ ଦରମା କେତେ? ମୋ ଭାଇ ଭଉଣୀଙ୍କୁ ବି ସେ ପ୍ରଶ୍ନ କେବେ କରିନାହାନ୍ତି ବାପା।

ଏବେ କିନ୍ତୁ ଦିନେ ମୋ ଛଅ ବର୍ଷର ଝିଅ ପାଇଁ ଯେତେବେଳେ ସାଇକିଲଟିଏ କିଣିଲି, ସେଦିନ ଘରେ ଗଣ୍ଡଗୋଳ ଆରମ୍ଭ କରିଦେଲା ମୋ ଚାରି ବର୍ଷର ପୁଅ। ତାର ଜିଦ୍, ତା ପାଇଁ ବି ଗୋଟିଏ ସାଇକିଲ୍ କିଣାଯାଉ। ମୁଁ କହିଲି, ଆରେ କିଛି ଦିନ ପାଇଁ ଏଇ ଗୋଟିଏ ସାଇକିଲ୍ ତମେ ଦି ଜଣ ଯାକ ଚଳାଅ। ଏବେ ମୋ ପାଖରେ ପଇସା ନାହିଁ। ତୁ ଆଉ ଟିକେ ବଡ଼ ହୋଇଗଲେ, ତୋ ପାଇଁ ଆଉ ଗୋଟିଏ ସାଇକିଲ୍ କିଣିଦେବି। ମୋର ଏତିକି କଥା ସରିଛି କି ନାହିଁ, ମୋ ଉପରେ ଆରମ୍ଭ ହେଲା ସଂଘବଦ୍ଧ ଆକ୍ରମଣ। ନୂଆ ସାଇକିଲକୁ ଛାଡ଼ି ଭାଇ ଭଉଣୀ ଉଭୟେ ଏକା ସାଙ୍ଗରେ ପଚାରିଲେ, ତମ ପାଖରେ ଯଦି ପଇସା ନାହିଁ, ତମେ କାହିଁକି ଅଫିସ୍ ଯାଉଛ? ଅଫିସ୍ କ’ଣ ତମକୁ ପଇସା ଦେଉନି? ପଇସା ନାହିଁ ବୋଲି ତମେ ମିଛ କହୁଛ। ଏତିକି ବେଳେ ମୋ ଝିଅର ପ୍ରଶ୍ନ.. ତମ ଦରମା କେତେ କି?

ମୁଁ କୌଣସି ଉତ୍ତର ଦେବା ଅବସ୍ଥାରେ ନଥିଲି। ମୋ ସାମ୍ନାରେ ଦେଖାଯାଉଥିଲା ତିରିଶ ବର୍ଷ ତଳେ ସେଦିନ ମୋ ପ୍ରଶ୍ନ ପରେ କେମିତି ଥିଲା ବାପାଙ୍କ ଚେହେରା। ମୁଁ ଅନୁଭବ କରିପାରୁଥିଲି, ସେଦିନ ବାପାଙ୍କୁ କ’ଣ ଅନୁଭବ ହୋଇଥିବ।

ବିଭାଗୀୟ ମୁଖ୍ୟ
ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍
ଚଣ୍ଡୀଗଡ଼ ୟୁନିଭରସିଟି
ମୋହାଲି, ପଞ୍ଜାବ
ଫୋନ୍- ୯୯୩୭୨୫୨୪୬୪