Latest Odisha News

BREAKING NEWS

ସେ ବି ଏକ ଦଶହରା ଥିଲା

ବିଷ୍ଣୁପ୍ରିୟା ହୋତାଙ୍କ ସ୍ମୃତିର ଫରୁଆରୁ ……

ନିୟମିତ ପ୍ରାତଃ ଭ୍ରମଣ ମୋର ବହୁଦିନର ଅଭ୍ୟାସ। ବଡିଭୋରରୁ ଉଠି ବଜାର ଆଡ଼େ ଘେରାଏ ବୁଲି ଆସିଲେ ବୁଲା ବୁଲି ସାଙ୍ଗରେ ପରିବା କିଣା ବି ହେଇଯାଏ। ହେଲେ କୋଭିଡ଼ ଲାଗି ଏବେ ଆଉ ବଜାର ରାସ୍ତାରେ ଚାଲିବାଟା ସୁବିଧା ଲାଗୁନାହିଁ । ଏଣୁ ଗଲା କିଛି ମାସହେଲା ଅପେକ୍ଷାକୃତ କମ ଭିଡ଼ ଥିବା ରେଳଷ୍ଟେସନ ରୋଡ ଆଡେ ମୋର ଗତି। ସେଦିନ ବୁଲୁ ବୁଲୁ କୌତୁହଳରେ କ୍ଷେତରାଜପୁର ରେଳଷ୍ଟେସନ ଭିତରକୁ ପଶି ଯାଇଥିଲି। ସକାଳ ଛଅଟାରେ ସମ୍ବଲପୁର-ରାୟଗଡା ଏକ୍ସପ୍ରେସ। ଦଶହରା ଛୁଟି ସମୟ , ବେଶ କିଛି ଲୋକ ବିଶେଷ କରି କଲେଜ ପିଲା ଟ୍ରେନକୁ ଅପେକ୍ଷା କରିଥାନ୍ତି।

ଷ୍ଟେସନ ଭିତରକୁ ପଶୁ ପଶୁ ଠିକ ସାମ୍ନା ବେଞ୍ଚ ଉପରେ ଗୋଟିଏ ପରିବାର ସ୍ୱାମୀ ସ୍ତ୍ରୀ ଓ ଛୋଟ ଛୋଟ ପିଲା ଦୁଇଟା। ବଡ଼ ପିଲାଟି ବୋଧେ ପାଞ୍ଚ ବର୍ଷର ହେବ ଆଉ ସାନଟି ଦୁଇ ବା ତିନି ବର୍ଷ ଭିତରେ। ସ୍ୱାମୀ ସ୍ତ୍ରୀଙ୍କ ଭିତରେ କଥା କଟାକଟି ଚାଲିଥାଏ ଓ ପିଲାଦୁହେଁ ନିଜ ନିଜ ଭିତରେ ଖେଳୁ ଥାଆନ୍ତି। ମାଆଟି ବିରକ୍ତ ହେଉଥାଏ, କହୁ ଥାଏ,”ଖାଲି ଘର ଘର ,ଛୁଟି ହଉ ହଉ ଗାଁକୁ ନ ଗଲେ ସବୁ ଯେମିତି ଭାସି ଯାଉଛି। ଆଉ କୁଆଡ଼େ ହେଲେ ଟିକେ ବୁଲିବା ନାହିଁ, ମୋ ସାଙ୍ଗମାନେ କିଏ କେତେ ଆଡେ ହୋଲିଡେ ଟ୍ରିପରେ ଯାଉଛନ୍ତି । ହେଇ ତ ମୋ ଭଉଣୀର ସ୍ୱାମୀ ବି ସେମାନଙ୍କୁ ସିକିମ ବୁଲେଇବାକୁ ନେଇଛି । ହେଲେ ଆମର ସେଇ ଗାଁ , ଗାଁକୁ ନଗଲେ ନଚଳେ।”

ଏତିକି ବେଳେ ସାନ ପିଲାଟା ଭେଁ ଭେଁ କରି କାନ୍ଦି ଉଠିବାରୁ ମାଆଟି କଥା ବନ୍ଦ କରି ପିଲାଆଡେ ମନଦେଲା, ମୁଁ ବି ସେଠୁ ପଳେଇ ଆସିଲି, ହେଲେ ସ୍ତ୍ରୀ ଲୋକଟିର କଥା , ମୋତେ ମୋର ଅତୀତର ଏଇମିତି ଏକ ଘଟଣା ସମ୍ପର୍କିତ ପୃଷ୍ଠାକୁ ନେଇଗଲା। ସେଇ ସ୍ତ୍ରୀ ଲୋକ ଭିତରେ ମୁଁ ଯେମିତି ମୋର ଛାଇ ଦେଖି ପାରୁଥିଲି।

ସାନପୁଅକୁ ସେତେବେଳେ ତିନିବର୍ଷ , ଆମେ ସମ୍ବଲପୁରରେ ଥାଉ । ଦଶହରା ଛୁଟି ଆରମ୍ଭ ହେବାକୁ ଦିନେ ଥାଏ , ରାତି ନଅଟା ହେବ, ସୁଟକେଶ କାଢି ମୁଁ ଲୁଗାପଟା ରଖାରଖି କରୁଥାଏ। ଗାଁକୁ ଯିବାକୁ ହେବ। କିଛି ସମୟ ଆଗରୁ ଆମ ଦୁଇଜଣଙ୍କ ଭିତରେ ଯୁକ୍ତି ତର୍କ ଚାଲିଥାଏ, ଆଗ ଗାଁକୁ ଯିବା କି ଆଗ କଟକ ଦୁର୍ଗାପୂଜା ଦେଖିବାକୁ ଯିବା।

ପି.ଜି କରିବା ସମୟରେ ମୋର ବାହାଘର। ପଢା ଭିତରେ ହିଁ ବଡପୁଅର ଜନ୍ମ, ପଢ଼ା ସରୁ ସରୁ ଚାକିରୀ। ପ୍ରଥମ ପୋଷ୍ଟିଂ ବଲାଙ୍ଗୀର ମହିଳା ମହାବିଦ୍ୟାଳୟରେ। ସେ ଭିତରେ ପୁରୋହିତବାବୁଙ୍କର ବଦଳି ବିଭିନ୍ନ ଯାଗାକୁ ହେଉଥାଏ। ଏଣୁ ଛୁଟି ହେଲେ ସେ ଆମ ପାଖକୁ ନହେଲେ ଆମେ ତାଙ୍କ ପାଖକୁ ଯାଉଥିଲୁ। ସାନପୁଅକୁ ତିନିବର୍ଷ ହେଲାବେଳକୁ ପୁରୋହିତ ବାବୁଙ୍କର ସମ୍ବଲପୁର ବଦଳି ହେଲା, ଓ ମୁଁ ମଧ୍ୟ ସରକାରଙ୍କୁ ଆବେଦନ କରି ସମ୍ବଲପୁର ବଦଳି ହେଇ ଆସିଲି। ଏଣୁ ବହୁବର୍ଷ ପରେ ଏକାଠି ରହିବାର ସୁଯୋଗ ମିଳିଲା। ପଢ଼ାପଢି ଓ ଚାକିରୀ ଜୀବନର ବ୍ୟସ୍ତତା ଭିତରେ କେବଳ ଶ୍ୱଶୁର ଘର ଗାଁ ଓ ପତିଙ୍କ କାର୍ଯ୍ୟକ୍ଷେତ୍ର ବ୍ୟତୀତ ଅନ୍ୟ କୌଣସି ଜାଗାକୁ ବୁଲିଯିବାର ସୁଯୋଗ ହେଇନଥିଲା। ଏଣୁ ପୁରୋହିତ ବାବୁ ନିଜେହିଁ କହିଥିଲେ ଏଥର କଟକ ଦୁର୍ଗା ପୂଜା ଦେଖିବାକୁ ଯିବା।

ମୋର ମଧ୍ୟ ଇଛା ହେଇଗଲା। ମନରେ ଭାବୁଥାଏ ଯାହେଉ ଏଥର କଟକ ଯିବାର ସୁଯୋଗ ମିଳିବ ; ପ୍ରଥମେ ଓଡ଼ିଶା ପ୍ରସିଦ୍ଧ କଟକ ଦୁର୍ଗାମେଢ଼ ଦେଖିବା , କିଛି ଲୁଗାପଟା କିଣାକିଣି କରିବା ଓ ତାପରେ ଗାଁକୁ ଯିବା। ମାତ୍ର ପୁରୋହିତ ବାବୁଙ୍କ ଇଚ୍ଛା ଗାଁରେ ବାପା ମାଆ ଏକୁଟିଆ ରହୁଛନ୍ତି, ସେମାନେ ଆମର ଛୁଟିକୁ ଅତି ଆଗ୍ରହର ସହ ଅପେକ୍ଷା କରିଥାନ୍ତି ସେଥିପାଇଁ ଆଗ ସେଠାକୁ ଯିବା। ମୁଁ କିନ୍ତୁ ଜାଣିଥାଏ ଗାଁକୁ ଯିବାମାନେ ଛୁଟି ସରିବା ପୂର୍ବରୁ ଜମା ବାହାରି ହେବନାହିଁ। ଯୁକ୍ତି ତର୍କ ବି ହେଲା , ପ୍ରଥମେ ମୁଁ ଯୁକ୍ତି କି ମନଦୁଃଖ କଲେ ବି ପୁରୋହିତ ବାବୁଙ୍କ କଥା ଯେ ନିହାତି ଯୁକ୍ତିଯୁକ୍ତ ସେ କଥା ବୁଝିବା ବୟସ ହୋଇ ସାରିଥିଲା।

ପ୍ରକୃତରେ ଗାଁରେ ସେତେବେଳେ ବାପା ଆଉ ମାଆ ରହୁଥାଆନ୍ତି , ପୁଅଝିଅ ସମସ୍ତେ ଅଲଗା ଅଲଗା ଜାଗାରେ। ସେମାନେ ଆମମାନଙ୍କ ଛୁଟିକୁ ଚାତକ ପରି ଚାହିଁ ବସିଥାନ୍ତି, “କେବେ ଆସିବେ?” ଆଜି ପରିଣତ ବୟସରେ ନିଜେ ମଧ୍ୟ ସେଇ ସିଣ୍ଡ୍ରୋମର ଶୀକାର।

ଏତେ ଉପକ୍ରମ ଭିତରେ ମୁଁ ଅସଲ କଥାଟା ଭୁଲି ଯାଇଛି। ମନ ଭିତରେ କେଁ ରଖି ମୁଁ ସୁଟକେଶ ସଜାଡୁ ଥାଏ , ସୁଦାମ ଆସି ଡାକିଲେ ମାଆ ,ରୋଷେଇ ସାରିଲାଣି । ସୁଦାମ ଯଦିଓ ଅଫିସ ପିଅନ ଥିଲେ , ଆମ ପୂର୍ଵରୁ ଯେଉଁ ଅଫିସର ଥିଲେ ,ତାଙ୍କ ସମୟରୁ ସେହି କ୍ୱାର୍ଟସର ଗୋଟିଏ ପାଖରେ ରହୁଥିଲେ ଓ ସେ ପରିବାରର ଜଣେ ସଦସ୍ୟ ପରି ଥିଲେ ।

ସେତେବେଳେ ରାତି ନଅଟା ବେଳକୁ ଟି ଭି ରେ ପ୍ରଥମେ ସମ୍ବାଦ ଓ ପରେ ପରେ ବୁନିୟାଦ ଧାରାବାହିକ ଦେଉଥାଏ ,ସେ ଭିତରେ ଆମର ରାତି ଖାଇବା ସରିଯାଏ । ପୁରୋହିତ ବାବୁବି ଡାକଦେଲେ, ଚାଲ ବାଢ଼ିବ , ଆଗ ଖାଇଦେବା, ପରେ ଲୁଗାପଟା ରଖିବି।

ସୁଟକେଶ ସେଇମିତି ଖୋଲା ଥାଏ, ବନ୍ଦ କରିବାକୁ ମନେନାହିଁ,ମୁଁ ଚାଲି ଆସିଲି। ଦୁଇପୁଅ ମୋ ସାଙ୍ଗରେ ଥିଲେ, ବଡ଼ ମୋ ପଛେ ପଛେ ଆସିଲା ,ହେଲେ ସାନ ସେଇଠି ସୁଟକେଶ ପାଖରେ ଖେଳୁଥାଏ। ଖାଇବା ଥାଳି ପାଖରେ ବଡ଼ ପୁଅକୁ ବସେଇ ମୁଁ ସାନକୁ ଡାକୁଥାଏ ସେ କିନ୍ତୁ ଆସୁନଥାଏ। ବଡ଼କୁ ଖାଇବାକୁ ବାଢି ଦେଇ ମୁଁ ତାକୁ ଆଣିବାକୁ ଯିବି ବୋଲି ଭାବୁଥାଏ। ପୁରୋହିତ ବାବୁ ରୁଟି ଖଣ୍ଡେ ପାଟିରେ ପୁରେଇଛନ୍ତି କି ନାହିଁ ସାନ ହଠାତ ଭିତର ରୁମରୁ କାନ୍ଦି କାନ୍ଦି ଦଉଡ଼ି ଦଉଡ଼ି ଆସିଲା ,କହୁଥାଏ ,”ବାପା ମୁଁଇ ,ବିଷ ଖାଇ ଦେଇଛେ, ମୁଁଇ ମରି ଯାଉଛେ।” ଆମେ କିଛି ବୁଝି ପାରୁ ନଥାଉ !

ଏତେ ଛୋଟ ପିଲାଟା ବିଷ ବିଷୟରେ କ’ଣ ଜାଣିଛି ? ବିଷ ପାଇଲା କୁଆଡୁ ? ବିଷ ଖାଇଲେ ମରିବା କଥା ସେ କେମିତି ଜାଣିଲା ? ସେତେବେଳେ ସେସବୁ ଭାବିବାକୁ ବି ସମୟ ନଥାଏ, ଏତିକି ବୁଝି ପାରିଲୁ ଯେ ନିଶ୍ଚୟ କିଛି ଅଖାଦ୍ୟ ଖାଇଦେଇଛି, ଓ ତାକୁ ଖରାପ ଲାଗୁଛି। ସେତେବେଳକୁ ଆଖି ତାର ଲାଲ ହେଇଯାଇଥାଏ, ପାଟିରୁ ଲାଳ ବାହାରି ପଡୁଥାଏ। ମୁଁ ସୁଦାମକୁ ଉଷୁମ ଲୁଣ ପାଣି ଗ୍ଲାସେ ଆଣିବା ପାଇଁ କହିଲି। ସେ ଦଉଡ଼ି ଯାଇ ପାଣି ନେଇ ଆସିଲେ, ଭାବିଥିଲି ଲୁଣ ପାଣି ପିଏଇ ବାନ୍ତି କରେଇଦେବି ଯାହା ଖାଇଥିଲେ ବି ବାହାରି ଯିବ ,ହେଲେ ସେ ଢୋକେ କି ଦୁଇ ଢୁକା ଲୁଣପାଣି ପିଇଛିକି ନାହିଁ ଚେତା ହରେଇ ମୋ କାନ୍ଧରେ ମୁଣ୍ଡ ରଖିଦେଲା। ସେତେବେଳକୁ ପୁରୋହିତ ବାବୁ ଖାଇବା ଅଧାରେ ଛାଡି ପେଣ୍ଟସାର୍ଟ ପିନ୍ଧି ବାହାରିଲେଣି, ଘରେ ଯେଉଁ ଅବସ୍ଥାରେ ଥିଲି ସେଇ ଘରପିନ୍ଧା ଶାଢ଼ୀ ପିନ୍ଧି ମୁଁ ବି ସାଙ୍ଗେ ସାଙ୍ଗେ ବାହାରି ପଡ଼ିଲି ।

ଠିକ ବେଳକୁ ଆଲମାରୀ ଚାବି ବି ମିଳୁନଥାଏ। ସୁଦାମ ଦଉଡ଼ି ଯାଇ ତାଙ୍କ ପର୍ସ ନେଇଆସି କହିଲେ, “ଏଥିରେ କିଛି ଟଙ୍କା ଅଛି,ଆପଣ ଶୀଘ୍ର ଡାକ୍ତରଙ୍କ ପାଖକୁ ଯାଆନ୍ତୁ,ମୁଁ ବଡ଼ବାବୁଙ୍କୁ ଖୁଏଇ ପିଏଇ ଶୁଏଇ ଦେଇଥିବି। ସେତେବେଳେ ତ ମୋବାଇଲ ନଥିଲା, ଆମେ ତାଙ୍କୁ , ଆମର ଜଣେ ଘନିଷ୍ଠ ବନ୍ଧୁ ଶର୍ମା ବାବୁଙ୍କୁ ଫୋନ କରିଦେବାକୁ କହି ପୁଅକୁ ଧରି ବାହାରି ଆସିଲୁ। ସାଙ୍ଗେ ସାଙ୍ଗେ ସ୍କୁଟରରେ ନେଇ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ରାଓଙ୍କ ପାଖରେ ପହଞ୍ଚି ଗଲୁ , ସେ ସେତେବେଳେ ଆମ କ୍ଵାଟର୍ସରୁ ହସ୍ପିଟାଲ ଯିବା ରାସ୍ତାରେ ଅଶୋକା ଟକିଜ ନିକଟରେ ଗୋଟିଏ ଭଡ଼ାଘରେ ରହୁଥିଲେ । କଲିଂ ବେଲ ମାରିଲୁ, ସେ ନିଜେ କବାଟ ଖୋଲିଲେ ଓ ସବୁ ଶୁଣି ଡାକ୍ତରଖାନା କୁ ଶୀଘ୍ର ନେଇଯିବାପାଇଁ ପରାମର୍ଶ ଦେଲେ। କହିଲେ,”ଆପଣ ଜଲଦି ହସ୍ପିଟାଲ ଯାଆନ୍ତୁ, ମୁଁ ବି ପହଞ୍ଚୁଛି ।”

ଆମେ ଡାକ୍ତରଖାନାରେ ପହଞ୍ଚଲା ବେଳକୁ ଘଟଣାର ପ୍ରାୟ ପନ୍ଦର ମିନିଟ ହେଇଗଲାଣି, ସେଠି ଡିଉଟିରେ ଥିବା ଡାକ୍ତର ଶିଶୁରୋଗ ବିଶେଷଜ୍ଞଙ୍କୁ ଔପଚାରିକ ଖବର ପଠେଇଲେ, କିନ୍ତୁ ତାଙ୍କ ଆସିବା ପୂର୍ବରୁ ହିଁ ଫୋନରେ ବୁଝି ଚିକିତ୍ସା ଆରମ୍ଭ କରିଦେଲେ, ନାକ ବାଟେ ନଳୀରେ କିଛି ଦ୍ରବଣ ପୁରେଇ ପେଟରେ ଥିବା ବିଷାକ୍ତ ପଦାର୍ଥ ବାହାର କରିବାକୁ ଲାଗିଗଲେ। ପୁଅ କଣ ଖାଇଛି ବୋଲି ପଚାରିବାରୁ ଆମେ କିଛି କହି ପାରୁନଥାଉ। ସେମାନଙ୍କ ପରାମର୍ଶକ୍ରମେ ଡାକ୍ତରଖାନାରୁ ସୁଦାମକୁ ଫୋନ କରି ସୁଟକେଶ ପାଖରେ କିଛି ଔଷଧ ପଡିଛି କି ଦେଖ ବୋଲି କହିବାରୁ, କିଛି ସମୟ ପରେ ସେ ଫୋନ କଲେ ଗୋଟିଏ ଡାଇଜେପମ ଔଷଧ ଷ୍ଟ୍ରିପ ପଡିଛି, ସେଥିରୁ ଚାରିଟା ଟେବଲେଟ ଖାଲି ଅଛି। କେଉଁ କାଳରୁ ସେଇ ଟାବଲେଟ ମୋର ଅଣ୍ଟା ବିନ୍ଧା ପାଇଁ ଅଣା ହେଇଥିଲା ଓ ମୋର ଅବହେଳାରୁ ସୁଟକେଶ ଭିତରେ ପଡି ରହିଥିଲା। ଏ ଟୋକା ଗୋଲାପି ରଙ୍ଗର ଟାବଲେଟକୁ ଚକଲେଟ ବୋଲି ଖାଇ ଦେଇଛି। ଡାକ୍ତରମାନେ ଡାଇଜେପମ ଟାଵଲେଟ ମଗେଇ କିଛି ଟେଷ୍ଟ କଲାପରେ ନିଷ୍ପତ୍ତିରେ ପହଞ୍ଚିଲେ ଯେ ସେ ଡାଇଜେପମ ହିଁ ଖାଇଛି।

ଶର୍ମା ବାବୁ ବି ସାଙ୍ଗେ ସାଙ୍ଗେ ତାଙ୍କର କାର ନେଇ ପହଞ୍ଚି ଯାଇଥାନ୍ତି, ଦରକାର ହେଲେ ବୁର୍ଲା ନେଇଯିବା। ସେ ଯାହାହେଉ ପ୍ରାୟ ଘଣ୍ଟାକର ପରିଶ୍ରମ ପରେ ଡାକ୍ତରମାନେ କହିଲେ ଆଉ ବିପଦ ନାହିଁ, ପୁଅର ବି ସେନ୍ସ ଆସି ଯାଇଥାଏ ।ତାକୁ ବେଡକୁ ନେଇ ସାଲାଇନ ଡ୍ରିଫ୍ଟ ଦିଆ ଯିବ ବୋଲି କଥା ହେଲା। ଆମ ଦୁର୍ଭାଗ୍ୟକୁ ସେଦିନ ଶିଶୁରୋଗ ବିଭାଗ ସବୁ ବେଡ଼ ଭର୍ତ୍ତି। ବେଡ଼ ନଥିବାରୁ ଶର୍ମାବାବୁ ତାଙ୍କ ଘରକୁ ଯାଇ ଗୋଟେ ଫୋଲଡିଂ ଖଟ ନେଇ ଆସିଥିଲେ, ଓ ସାରାରାତି ଆମ ସାଙ୍ଗରେ ସେଇଠି ଡାକ୍ତର ଖାନାରେ ଥିଲେ । ସକାଳୁ ଆମ ମାଆ ପୁଅଙ୍କୁ ଘରେ ପହଞ୍ଚେଇ ଦେଇ ଶର୍ମାବାବୁ ଫେରି ଥିଲେ। ସୁଦାମ ଓ ଶର୍ମାବାବୁଙ୍କର ସାହଯ୍ୟ ଜୀବନ ଥିବା ପର୍ଯ୍ୟନ୍ତ କେବେ ବି ଭୁଲି ହେବନାହିଁ। ତା ପରଠୁ ଔଷଧ ତାଲା ଦିଆ ଗୋଟେ ଛୋଟ ବାକ୍ସରେ ରଖାହେଲା। ସେ ବି ଏକ ଦଶହରା ଥିଲା ଯାର ଭୟଙ୍କର ସ୍ମୃତି ଏବେବି ମନର ଝରକା ଡେଇଁ ଜୋର ଜବରଦସ୍ତି ପଶି ଆସେ,ମନେ ପକେଇ ଦିଏ ଯେ ସାଧରଣ ଅବହେଳା ବି ବିପଦର କାରଣ ହେଇପାରେ।

Leave A Reply

Your email address will not be published.