Latest Odisha News

BREAKING NEWS

କରୋନା: ଆରମ୍ଭରୁ ଆଜି ଯାଏଁ…

ରାତି ପାହିଲେ ଚାଲିଛି ଅଙ୍କ କଷା l
ସ°କ୍ରମିତଙ୍କ ସ°ଖ୍ୟା କେତେ ବଢିଲା !
ମୃତକଙ୍କ ସ°ଖ୍ଯା କେତେ ହେଲା ! ଆଶଙ୍କାରେ କେତେ ଲୋକଙ୍କୁ ଏକାନ୍ତରେ ରଖାଗଲା, ଏମିତି ଅନେକ l
ସାରା ପୃଥିବୀରେ ଏବେ ଭୟର ବାତାବରଣ l ସାରା ବିଶ୍ଵବାସୀ ଏବେ ଆତଙ୍କିତ l ପରମାଣୁ ଶକ୍ତିରେ ଶକ୍ତିଶାଳୀ ଦେଶମାନେ ଅଣୁଠାରୁ ଛୋଟ କରୋଣା ଭୂତାଣୁ ନିକଟରେ ଆତ୍ମସମର୍ପଣ କରିସାରିଲେଣି l  ମହାକାଶରେ ଜୀବନ ଖୋଜିବାରେ ଲାଗିପଡିଥିବା ବୈଜ୍ଞାନିକମାନଙ୍କୁ ମୃତ୍ୟୁ ଦୂତ ଏବେ ପରିହାସ କରୁଛି l ଆଉ ଜହ୍ନରେ ଘର କରିବାକୁ ମନ ବଳାଉଥିବା ମଣିଷ ଏବେ ଗୃହବନ୍ଦୀ l
ଆମେରିକା, ଇଟାଲୀ, ସ୍ପେନ୍ ଆଦି ଉନ୍ନତ ରାଷ୍ଟ୍ରଗୁଡିକ ଏବେ ଅସହାୟ ହୋଇପଡିଲେଣି l ରୋଗୀଙ୍କ ଚିକିତ୍ସା ପାଇଁ ଡାକ୍ତରଖାନାରେ ଜାଗା ନାହିଁ l ଶବସତ୍କାର ପାଇଁ କଫିନ୍ ମିଳୁନି l ସ୍ବାସ୍ଥ୍ୟସେବା ଯୋଗାଇ ଦେବା ନିମନ୍ତେ ଡାକ୍ତର, ନର୍ସଙ୍କ ଅଭାବ l ଚାରିଆଡେ ଅଭାବନୀୟ ଅବସ୍ଥା l ଭାବିବାକୁ ଭୟ l ଦେଖିବାକୁ ଡର l ଚିନ୍ତା କଲେ ଚେତା ଉଡିଯାଉଛି l ସବୁ ସମସ୍ୟା ସେହି କରୋଣା ପାଇଁ l
କରୋନା, ମୃତ୍ୟୁ ପାଇଁ କରୁଣାର ଅବତାର, ମଣିଷ ପାଇଁ ମୃତ୍ୟୁ ଦୂତ, ଆଉ ଜଗତ ପାଇଁ ଯନ୍ତ୍ରଣାର ଯୂପକାଠି l ନିର୍ଦ୍ଦୟ ଭାବରେ କାୟା ବିସ୍ତାର କରି ଚାଲିଛି କରୋଣା l ଅସ୍ଥିର ମଣିଷ ନିସ୍ତାର ପାଇଁ ଯେତେ ଉପାୟ କଲେ ବି ଜିତିବାର ଆଶା ସେତେ କ୍ଷୀଣ ମନେ ହେଉଛି ଏହି କ୍ଷୁଦ୍ରାଦପି କ୍ଷୁଦ୍ର ଭୂତାଣୁ ନିକଟରେ ।
ମଣିଷ ମଙ୍ଗଳ ପାଇଁ ବିଜ୍ଞାନ ଓ ବୈଜ୍ଞାନିକ ଗବେଷଣା l ହେଲେ ସେହି ବିଜ୍ଞାନ ଯେ ଜଗତ ଧ୍ବଂସର କାରଣ ହୋଇପାରେ ତାର ବିଭତ୍ସ ରୂପ ଏହି କରୋଣାର ସ°କ୍ରମଣ l ପରମାଣୁ ଯୁଦ୍ଧ ଠାରୁ ମଧ୍ୟ ଏହା ଆହୁରି ଭୟଙ୍କର l କାରଣ ଯୁଦ୍ଧର ତ ଶେଷ ଅଛି । ହେଲେ କରୋଣାକୁ ନିୟନ୍ତ୍ରଣ କରିବାର ଅନ୍ତ କେଉଁଠି ତାହା କାହାକୁ ଜଣାନାହିଁ l  ଚୀନର ସେହି ଦୂରଦୃଷ୍ଟିହୀନ ବୈଜ୍ଞାନିକ , ଯେଉଁମାନେ ଏମିତି ଏକ ଭୂତାଣୁ ସମ୍ପର୍କରେ ଗବେଷଣା କରିବା ଆଗରୁ ଏହାର ନିରାକରଣର ଉପାୟ ମଧ୍ୟ ଚିନ୍ତା କରିବା ଉଚିତ ଥିଲା l ‘ଆପଣା ହସ୍ତେ ଜିହ୍ଵାଛେଦି’ ନ୍ୟାୟରେ ଚୀନ୍ ବାସି ମାନସିକ ଓ ଶାରୀରିକ ଯନ୍ତ୍ରଣାରେ ଜର୍ଜରିତ ହେଉଥିବା ବେଳେ ସାରା ବିଶ୍ବ ଆକାଶକୁ ଘୋଡେ଼ଇ ରଖିଛି କରୋନା ସ°କ୍ରମଣର କଳାବାଦଲ ।  ହଜାର ହଜାର ଲୋକ ଅକାଳ ମୃତ୍ୟୁର ଶିକାର, ଲକ୍ଷ ଲକ୍ଷ ଲୋକ ସ°କ୍ରମିତ, କୋଟି କୋଟି ବିଶ୍ବବାସୀ ଭୟଭୀତ ଓ ଚିନ୍ତିତ l
କରୋନାର ଉତ୍ପତ୍ତି ସ୍ଥାନ ଚୀନର ହୁବାଇ ପ୍ରଦେଶ ର ରାଜଧାନୀ ଉହାନ୍ ସହର । ଯେହେତୁ ଏହା ଏକ ଥଣ୍ଡା ଶର୍ଦ୍ଦି ଭଳି ରୋଗ, ତେଣୁ ପ୍ରଥମରୁ କେହି ଏହା ପ୍ରତି ଗୁରୁତ୍ୱ ଦେଉନଥିଲେ l  କିନ୍ତୁ କ୍ରମେ ଏପରି ରୋଗୀଙ୍କ ସ°ଖ୍ଯା ବୃଦ୍ଧି ପାଇବା ଓ ଔଷଧ ଦ୍ବାରା ଭଲ ନହେବା , ଚିକିତ୍ସବିଜ୍ଞାନୀମାନଙ୍କ ପାଇଁ ଚିନ୍ତାର କାରଣ ହୋଇଗଲା l ସେତେବେଳେ ସମସ୍ତେ ଅନୁଭବ କଲେ ଏହା ଏକ ନୂଆ ରୋଗ ଓ ନାମ ରଖାଗଲା କୋଭିଡ୍- ୧୯ l ଯାହାକି ସାଧାରଣରେ କରୋନା ରୋଗ ଭାବରେ ଅଭିହିତ ହେଲା ।
କରୋନା ଏକ ନୂଆ ରୋଗ ସତ; ହେଲେ ଏହାର ଲକ୍ଷଣ ସବୁ ପୁରୁଣା l ସାଧାରଣ ଥଣ୍ଡା ଶର୍ଦ୍ଦି ପରି ଏହାର ଲକ୍ଷଣଗୁଡିକ ହେଲା ନାକରୁ ପାଣି ବୋହିବା, ମୁଣ୍ଡବ୍ୟଥା ହେବା, କାଶ ହେବା ଓ ଗଳାରେ କଫ ଜମିବା, ତଣ୍ଟି ଦରଜ ଲାଗିବା ଓ ଜ୍ବର ହେବା l ଏହାଛଡା ବାନ୍ତି ବାନ୍ତି ଲାଗିବା ସହିତ ନିଶ୍ୱାସ ନେବାରେ କଷ୍ଟ  ହେବା l କରୋଣା ଏକ ଛୁଆଁ ରୋଗ । ରୋଗୀର କାସ ଓ ଛିଙ୍କର ଡ୍ରପଲେଟ୍ ବା ରେଣୁ ଦ୍ବାରା ମଧ୍ୟ ରୋଗ ସ°କ୍ରମିତ ହୋଇଥାଏ l ସ°କ୍ରମିତ ଲୋକଙ୍କ ଦେହରେ ପ୍ରଥମରୁ ଏହି ଲକ୍ଷଣ ଦେଖାଦେଇନଥାଏ l ସେ ସମ୍ପୂର୍ଣ୍ଣ ସୁସ୍ଥ ଅନୁଭବ କରୁଥାନ୍ତି l କିନ୍ତୁ କିଛି ଦିନ ପରେ ତାଙ୍କ ଦେହରେ ରୋଗର ଲକ୍ଷଣ ପ୍ରକାଶ ପାଏ l ସେତେବେଳକୁ ସେ ମିଳାମିଶା କରିଥିବା ଲୋକମାନଙ୍କୁ ନିଜ ଅଜଣାତରେ ରୋଗ ବାଣ୍ଟି ସାରିଥାନ୍ତି l ତେଣୁ କରୋଣା ର ଲୁଚକାଳି ଖେଳ ସମସ୍ତଙ୍କ ପାଇଁ ଚିନ୍ତା ର କାରଣ ହୋଇଛି ଓ ଆଖି ପିଛୁଳାକେ ଶହଶହ ଲୋକ ଏଥିରେ ଆକ୍ରାନ୍ତ ହେଉଛନ୍ତି l ୨୦୨୦ ଆରମ୍ଭରୁ  କରୋଣା ସ°କ୍ରମଣ ମହାମାରୀ ର ରୂପ ନେଇସାରିଲାଣି l ସେଥିପାଇଁ ବିଶେଷଜ୍ଞମାନେ ମତ ଦିଅନ୍ତି ଯେ,ଏହି ମହାମାରୀ କବଳରୁ ରକ୍ଷା ପାଇବାର ସହଜ ଉପାୟ ହେଲା ନିଜକୁ ସମସ୍ତଙ୍କ ପାଖରୁ ଦୂରେଇ ରଖିବା, ହାତ ଦୁଇଟିକୁ ବାରମ୍ବାର ସାବୁନରେ କୋଡିଏ ସେକେଣ୍ଡ୍ ଯାଏଁ ଧୋଇ ସଫା ରଖିବା ଓ ନିୟମିତ ରୋଗପ୍ରତିରୋଧ ସୃଷ୍ଟିକାରୀ ଖାଦ୍ୟ ଖାଇବା l
କରୋଣା ସାରା ବିଶ୍ବ ପାଇଁ ଆତଙ୍କ ସୃଷ୍ଟି କରିଥିବା ବେଳେ ଆମ ଦେଶ ଭାରତ ବା ସେଥିରୁ ବାଦ୍ ପଡନ୍ତା କିପରି ? ଶହେ ତିରିଶ କୋଟି ଜନତାଙ୍କ ଏହି ବିଶାଳ ଦେଶରେ କରୋଣା ସ°କ୍ରମଣ ଆରମ୍ଭ ହେଲେ ତାକୁ ନିୟନ୍ତ୍ରଣ କରିବା ଖୂବ୍ କଷ୍ଟ । ତେଣୁ ଭାରତ ସରକାରଙ୍କ ପକ୍ଷରୁ ୨୦୧୯ ମସିହା ଶେଷ ଭାଗରୁ ପ୍ରସ୍ତୁତି ଆରମ୍ଭ ହୋଇଗଲା ମହାମାରୀ କରୋଣାକୁ ପ୍ରତିହତ କରିବା ପାଇଁ l ପ୍ରଥମେ ଆନ୍ତର୍ଜାତିକ ବିମାନ ବନ୍ଦରମାନଙ୍କରେ ଯାତ୍ରୀ ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷାକୁ କଡାକଡି କରିଦିଆଗଲା l
ଦେଶରେ ପ୍ରଥମ କରୋନା ଆକ୍ରାନ୍ତଙ୍କ ସନ୍ଧାନ ମିଳିଲା ୨୦୨୦ ଜାନୁଆରୀ ୩୦ ତାରିଖରେ l ସେହିଦିନ ଠାରୁ କେନ୍ଦ୍ର ସରକାର କରୋନାର ମୁକାବିଲା ପାଇଁ ତତ୍ପର ହୋଇ ଉଠିଲେ ଓ ରାଜ୍ୟ ସରକାରମାନଙ୍କୁ ସଜାଗ ରହିବା ପାଇଁ ପରାମର୍ଶ ଦେଲେ ।
ଆମ ରାଜ୍ୟ ଓଡ଼ିଶାରେ ପ୍ରଥମ କରୋନା ଆକ୍ରାନ୍ତଙ୍କ ସନ୍ଧାନ ମିଳିଥିଲା ମାର୍ଚ୍ଚ ୧୬ ତାରିଖରେ l ସେ ଥିଲେ ବିଦେଶରୁ ଆସିଥିବା ଭୁବନେଶ୍ୱରର ଜଣେ ଯୁବକ । ତା’ପର ଠାରୁ ରାଜ୍ୟ ସରକାର ଯୁଦ୍ଧ କାଳୀନ ଭିତ୍ତିରେ କରୋଣା ଆକ୍ରାନ୍ତଙ୍କ ଚିକିତ୍ସା, ସ୍ବାବ୍ ପରୀକ୍ଷା ଓ ସ°କ୍ରମଣର ଆଶଙ୍କା ଥିବା ଲୋକମାନଙ୍କ ସଙ୍ଗନିରୋଧ ରହଣୀ ନିମନ୍ତେ ବ୍ୟବସ୍ଥା କରିବାରେ ଲାଗିପଡିଲେ l ଏଥିପାଇଁ ରାଜ୍ୟରେ ସ୍ବତନ୍ତ୍ର କରୋନା ଚିକିତ୍ସା ପାଇଁ ଡାକ୍ତରଖାନାମାନ ସ୍ଥାପନ କରାଗଲା l କରୋଣା ରୋଗ, ସ୍ବାବ୍ ପରୀକ୍ଷାରୁ ହିଁ ଜଣାପଡିଥାଏ l ପୂର୍ବରୁ ଏହି ପରୀକ୍ଷା କେବଳ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ରରେ କରାଯାଇଥିଲା l ପରେ ଭୁବନେଶ୍ୱର AIMS, କଟକର ଶ୍ରୀରାମଚନ୍ଦ୍ର ଭେଷଜ ମହାବିଦ୍ୟାଳୟ, ବୁର୍ଲାର ଭିମ୍ସାର ଓ ବ୍ରହ୍ମପୁରର MKCGମେଡିକାଲ କଲେଜରେ ମଧ୍ୟ ଏହି ପରୀକ୍ଷା ସୁବିଧା ଉପଲବ୍ଧ ହୋଇପାରିଲା l Quarantine ବା ସଙ୍ଗରୋଧରେ, ସ°କ୍ରମଣର ଆଶଙ୍କା କରାଯାଉଥିବା ଲୋକମାନଙ୍କୁ ରଖାଯିବା ନିମନ୍ତେ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠାରେ ସ୍ବତନ୍ତ୍ର ବ୍ୟବସ୍ଥା କରାଗଲା l ସଙ୍ଗରୋଧ ସମ୍ପର୍କରେ ସଚେତନତା ସୃଷ୍ଟି ନିମନ୍ତେ ଗାଁ ଗହଳିରେ ବିଶେଷ ଭୂମିକା ଗ୍ରହଣ କଲେ ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀମାନେ l ରାଜ୍ୟ ବାହାରୁ ଆସିଥିବା ଲୋକମାନଙ୍କୁ ଚିହ୍ନଟ କରି ନାମ ପଞ୍ଜିକରଣ କରିବା, ହାତ ଧୋଇବା ଉପରେ ଗୁରୁତ୍ୱ ଦେବା ଓ ଘର ବାହାରକୁ ନଯିବା ପାଇଁ ଲୋକମାନଙ୍କୁ ଘରଘର ବୁଲିଝାଇବାରେ ଲାଗି ପଡିଲେ ସେମାନେ l
ଆସ୍ତେ ଆସ୍ତେ ଆମ ରାଜ୍ୟ ସମେତ ସାରା ଦେଶରେ କରୋନା ସ°କ୍ରମିତଙ୍କ ସ°ଖ୍ୟା ବୃଦ୍ଧି ପାଇବାରେ ଲାଗିଲା l ତେଣୁ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ କ୍ରମେ ସାରା ଦଶବାସୀ ୨୦୨୦ ମାର୍ଚ୍ଚ ୨୨ତାରିଖରେ ଜନତା କର୍ଫ୍ୟୁରେ ସାମିଲ ହେଲେ l ସାରା ଦିନ ଗାଁ ଠାରୁ ସହର ପର୍ଯ୍ୟନ୍ତ ସବୁଠାରେ ବାଟ ଘାଟ ହାଟ ବଜାର ସବୁ ଶୁନ୍ ଶାନ୍ ହୋଇଗଲା । ପ୍ରଧାନମନ୍ତ୍ରୀଙ୍କ ଅନୁରୋଧକୁ ସାରା ଦେଶବାସୀଙ୍କ ସମର୍ଥନ, ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ବିତ କଲା l ସେହିଦିନ ସନ୍ଧ୍ୟା ପାଞ୍ଚଟାରେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ସାରା ଭାରତବାସୀ ତାଳି ବଜାଇ, ଥାଳି ବଜାଇ ଘଣ୍ଟ ଘଣ୍ଟା ବଜାଇ କରୋଣା ସ°କ୍ରମଣକୁ ରୋକିବା ଦିଗରେ ଦିନରାତି କାମ କରୁଥିବା ଡାକ୍ତର, ନର୍ସ, ସ୍ବାସ୍ଥ୍ୟ କର୍ମୀ, ପୋଲିସ, ସାମ୍ବାଦିକ ଓ ପ୍ରଶାସନିକ ଅଧିକାରୀମାନଙ୍କୁ କୃତଜ୍ଞତା ଜଣାଇଥିଲେ ।ଏଦିଗରେ ଓଡିଶା ଆଉ ପାଦେ ଆଗେଇ ଗଲା l ମାର୍ଚ୍ଚ ୨୩ରୁ ଏପ୍ରିଲ ୪ ତାରିଖ ଯାଏଁ ସାରା ରାଜ୍ୟରେ ଲକଡାଉନ୍ ଘୋଷଣା କରାଗଲା । କିନ୍ତୁ ତ୍ବରିତ ସ°କ୍ରମଣକୁ ରୋକିବା ନିମନ୍ତେ ଭାରତ ସରକାରଙ୍କ ପକ୍ଷରୁ ସାରାଦେଶରେ ମାର୍ଚ୍ଚ ୨୪ରୁ ଏପ୍ରିଲ ୧୪ ତାରିଖ ଯାଏଁ ଲକଡାଉନ୍ ଜାରି କରାଗଲା l
ଲକଡାଉନ୍ ସମୟରେ ସଡ଼କ ଚଳାଚଳ ଠାରୁ ଆରମ୍ଭ କରି ରେଳ ଚଳାଚଳ ଓ ବିମାନ ଚଳାଚଳକୁ ବନ୍ଦ କରିଦିଆଗଲା l କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ, ଗ୍ରସୋରୀ, ଫଳ, ପନିପରିବା, ଔଷଧ, କ୍ଷୀର ଦୋକାନ ଓ ପେଟ୍ରୋଲ୍ ପମ୍ପ୍ ଆଦିକୁ ଛାଡି ଆଉ ସବୁ ଦୋକାନ ବଜାର ବନ୍ଦ ରଖିବା ନିମନ୍ତେ ନିର୍ଦ୍ଦେଶ ଦିଆଗଲା ।  ଅନୁମତିପ୍ରାପ୍ତ ଗାଡି ମଟର ଛଡା ଅନ୍ୟ ସବୁ ଯାନବାହନ ଚଳାଚଳ ଉପରେ କଟକଣା ଲାଗୁକରାଗଲା l ଲୋକମାନେ ଯେପରି ଅଯଥାରେ ବାହାରେ ନ ବୁଲନ୍ତି ସେଥିପାଇଁ ପୋଲିସ ପକ୍ଷରୁ କଡାକଡି ଭାବରେ କାର୍ଯ୍ୟାନୁଷ୍ଠାନ ନେବା ନିମନ୍ତେ ନିର୍ଦ୍ଦେଶ ଦିଆଗଲା l ବେଶି ଗୁରୁତ୍ବ ଦିଆଗଲା ସାମାଜିକ ଦୂରତା ଉପରେ l ଅଧିକାଂଶ ଲୋକ ମାନିଲେ l ଅମାନିଆ ଲୋକଙ୍କ ପାଇଁ ପୋଲିସକୁ କଠୋର ପଦକ୍ଷେପ ନେବାକୁ ମଧ୍ୟ ପଡିଲା l
ଲକଡାଉନ୍ ସମୟରେ ବିବାହ ବ୍ରତ, ସଭା ସମିତି, ଉତ୍ସବ ପାଳନ ଉପରେ ଅଙ୍କୁଶ  ଲାଗିଲା । ଦେବାଳୟ ଓ ଧର୍ମପୀଠଗୁଡିକ ହୋଇଗଲା ଶୁନଶାନ୍ l
ଲକଡାଉନ୍ ସମୟରେ ସବୁ ବନ୍ଦ ରହିବାରୁ ବୁଲା ପଶୁ ଖାଦ୍ୟାଭାବର ଶିକାର ହେଲେ । ଅନେକ ବଦାନ୍ୟ ବ୍ୟକ୍ତି ପ୍ରତିଦିନ ସେମାନଙ୍କୁ ଖାଦ୍ୟ ଦେବାକୁ ଆରମ୍ଭ କରିଦେଲେ l କରୋନାର ପ୍ରତିରୋଧ ପାଇଁ ଅନେକ ସାମାଜିକ ସ°ଗଠନ ଆଗେଇ ଆସିଲେ । ଲୋକମାନଙ୍କୁ ମାସ୍କ, ସାବୁନ, ଶୁଖିଲା ଖାଦ୍ୟ ଆଦି ବାଣ୍ଟିବା ସହିତ  ସାମାଜିକ ଦୂରତା ରକ୍ଷା କରିବା ଓ ହାତ ବାରମ୍ବାର ସଫା କରିବା ପାଇଁ ସଚସେତନ କରିବାରେ ଲାଗିପଡିଲେ l

ଅଧିକ ପଢନ୍ତୁ: ରୂପ, ଭେକ ସବୁ ବଦଳିବ…

କରୋଣା ସ°କ୍ରମଣ ଯୋଗୁଁ ପ୍ରବାସୀମାନେ ଘର ମୁହାଁ ହେବାକୁ ଆରମ୍ଭ କରିଦେଲେ l  ଯିଏ ଯେଉଁଠି ଥିଲେ ସମସ୍ତେ ଚାଲିଲେ ନିଜ ଗାଁକୁ ବା ସହରକୁ l ଏହି ସମୟରେ ଲକଡାଉନ୍ ଘୋଷଣା ଯୋଗୁଁ ଅନେକ ଲୋକ ଅଧବାଟରେ ଅଟକିଗଲେ l ବାଟରେ ଅଟକିଥିବା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଲେ l ସେମାନେ  କିଭଳି ନିଜ ଘରେ ପହଞ୍ଚିବେ ସେଥିପାଇଁ ସବୁ ରାଜ୍ୟର ସରକାର ପଦକ୍ଷେପ ନେଲେ  l ବାକି ଯେଉଁମାନେ ରହିଗଲେ ସେମାନଙ୍କୁ ଅସ୍ଥାୟୀ ଶିବିରମାନଙ୍କରେ ରଖାଗଲା ଓ ସରକାର ସେମାନଙ୍କର ଖିଆପିଆର ଦାୟିତ୍ବ ନେଲେ l
ହୋଟେଲ ସବୁ ବନ୍ଦ ରହିଥିବାରୁ ଆମ ରାଜ୍ୟର ସହର ମାନଙ୍କରେ ଆହାର କେନ୍ଦ୍ରଗୁଡିକ ଖୋଲା ରଖାଯାଇ ଲୋକମାନଙ୍କୁ ସୁଲଭ ମୂଲ୍ୟରେ ଖାଦ୍ୟ ଯୋଗାଇ ଦିଆଗଲା l
ଗରିବ ଦିନ ମଜୁରିଆ ମାନେ  ହାତ ବାନ୍ଧି ବସିଲେ । ସେମାନଙ୍କ ଖାଦ୍ୟପେୟ ପାଇଁ ସରକାର ବିଶେଷ ଧ୍ୟାନ ଦେଲେ । ସ୍ବେଚ୍ଛାସେବୀ ସଙ୍ଗଠନ ମାଧ୍ୟମରେ ସେମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଗଲା l ଗାଁଗହଳରେ ଏହି ଦାୟିତ୍ବ ତୁଲାଇଲେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ l
ଯାହା ଯେମିତି ଚାଲିଥିଲା l ହଠାତ୍ ମାର୍ଚ୍ଚ  ୩ ତାରିଖ ଦିନ ଭୁବନେଶ୍ବରରେ ନୂଆ ୧୪ଟି ଏବଂ କଟକ  ଓ ଭଦ୍ରକରେ ଗୋଟିଏ ଗୋଟିଏ ରୋଗୀଙ୍କର ସନ୍ଧାନ ମିଳିଲା l ତେଣୁ ରାଜ୍ୟ ସରକାର ଏପ୍ରିଲ୍ ୩ତାରିଖ ରାତିରୁ ୫ ତାରିଖ ରାତି ୮ଟା ଯାଏ ଭୁବନେଶ୍ୱର, କଟକ, ଭଦ୍ରକ ଆଦି ଅଞ୍ଚଳରେ କର୍ଫ୍ୟୁ ଜାରିକଲେ l ୪୮ ଘଣ୍ଟା ପାଇଁ ସେସବୁ ଅଞ୍ଚଳରେ ଜୀବନଯାତ୍ରା ଥପ୍ ହୋଇଗଲା l ପୁନଶ୍ଚ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧରେ ସାରା

ଭାରତବାସୀ ଏପ୍ରିଲ ୫ତାରିଖ ରାତି ୯ଟାରେ ଦୀପ ଜାଳି କରି କରୋନାକୁ ପ୍ରତିରୋଧ କରିବା ନିମନ୍ତେ କାମନା କଲେ l

ଏପ୍ରିଲ ଆଠ ତାରିଖରେ ଭାରତବର୍ଷରେ କରୋନା ସ°କ୍ରମିତଙ୍କ ସ°ଖ୍ୟା ପାଞ୍ଚହଜରକୁ ଟପିଗଲା l ସେହିଦିନ ସରକାର ଘୋଷଣା କଲେ ଏପ୍ରିଲ ନଅ ତାରିଖରୁ ପଦାକୁ ପାଦ କାଢିଲେ ମାସ୍କ ବ୍ୟବହାର କରିବାଟା ବାଧ୍ୟତାମୂଳକ କରିଦିଆଗଲା l ଆଉ ସେହି ଏପ୍ରିଲ ନଅ ତାରିଖରେ ଆମ ରାଜ୍ୟ ସରକାର ଲକଡାଉନ୍ ଅବଧି ଏପ୍ରିଲ ତିରିଶ ତାରିଖ ଯାଏ ବଳବତ୍ତର ରହିବା ପାଇଁ ଘୋଷଣା କଲେ ଓ ଶିକ୍ଷାନୁଷ୍ଠାନଗୁଡିକ ଜୁନ୍ ୧୭ଯାଏଁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଲେ l
ସେହିଭଳି ଯେଉଁ ସବୁ ଅଞ୍ଚଳରୁ କରୋନା ସ°କ୍ରମିତଙ୍କ ସୂଚନା ମିଳୁଥିଲା , ସେସବୁ ଅଞ୍ଚଳକୁ ସମ୍ପୂର୍ଣ୍ଣ ଅବୋରଧ କରାଯାଇ ଘରଘର ବୁଲି ସବୁ ଲୋକଙ୍କର ସ୍ବାସ୍ଥ୍ୟ ପରୀକ୍ଷା ନିମନ୍ତେ ଗୁରୁତ୍ୱ ଦିଆଗଲା । ସେ ଅଞ୍ଚଳର ରାସ୍ତାଘାଟକୁ ଅଗ୍ନିଶମ ବାହିନୀ ଦ୍ବାରା ବିଶୋଧନ କରାଗଲା ।ସମ୍ପୂର୍ଣ୍ଣ ଅଞ୍ଚଳକୁ କିପରି ସ°କ୍ରମଣ ମୁକ୍ତ କରାଯିବ ସେଥିପ୍ରତି ଗୁରୁତ୍ୱ ଦିଆଗଲା ।
କରୋଣା ସ°କ୍ରମଣର ବିଶେଷତ୍ୱ ହେଲା ଯେଉଁମାନେ ସ°କ୍ରମିତ ବୋଲି ଜଣାପଡନ୍ତି ସମସ୍ତଙ୍କ ଦେହରେ ରୋଗର କୌଣସି ଲକ୍ଷଣ ନଥାଏ l ସେମାନଙ୍କୁ ଡାକ୍ତରଖାନାରେ ଡାକ୍ତରଙ୍କ ନିରୀକ୍ଷଣରେ ରଖାଯାଇଥାଏ l ସେମାନଙ୍କ ମଧ୍ୟରୁ ଅଳ୍ପ କେତେଜଣଙ୍କ ଠାରେ ରୋଗର ବିଭିନ୍ନ ଲକ୍ଷଣ ପ୍ରକାଶ ପାଇଥାଏ l ସେମାନେ ଡାକ୍ତରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରୁହନ୍ତି l ଅତିଶୟ ରୋଗୀ ମାନଙ୍କୁ ICU ରେ ଭେଣ୍ଟିଲେଟର୍ ସପୋର୍ଟରେ ରଖାଯାଏ l
କରୋନା ସ°କ୍ରମିତଙ୍କ ମୃତ୍ୟୁ ହାର ମାତ୍ର ଦୁଇ ପ୍ରତିଶତ l ଅଧିକାଂଶ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥାନ୍ତି l ତେଣୁ ଏହି ରୋଗ ପାଇଁ ଆତଙ୍କିତ ହେବା ଅନୁଚିତ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି l
ଏପ୍ରିଲ ୧୪ରେ ଲକଡାଉନ୍ ଶେଷ ହେବାର ଥିଲା l କିନ୍ତୁ ସ°କ୍ରମଣର ସ୍ଥିତିକୁ ଦେଖି ରାଜ୍ୟ ସରକାର ରାଜ୍ୟରେ ଏହାକୁ ଏପ୍ରିଲ ଶେଷ ଯାଏଁ ବଢାଇ ଦେଲେ l ଅନ୍ୟ ପକ୍ଷରେ ମାନ୍ୟବର ପ୍ରଧାନମନ୍ତ୍ରୀ ଏପ୍ରିଲ୍ ୧୪ତାରିଖ ସକାଳ ୯ଟା ବେଳେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇ ଲକଡାଉନ୍ କୁ ସାରା ଦେଶରେ ମେ ତିନି ତାରିଖ ଯାଏ ବଢାଇଦେଲେ l ତେବେ ଏହି ସମୟରେ ଚାଷ କାମ ଓ ଗ୍ରାମୀଣ ଉଦ୍ୟୋଗଗୁଡିକୁ ଏଥିରୁ କଟକଣା ମୁକ୍ତ ରଖାଗଲା l ଏହି ସମୟରେ ଦେଶର ଅଧିକ ସ°କ୍ରମିତ ଅଞ୍ଚଳ ଗୁଡିକୁ ହଟ୍-ସ୍ପଟ୍ ଭାବରେ ଘୋଷଣା କରାଯାଇ ସେସବୁ ଅଞ୍ଚଳରେ କଟକଣାକୁ
କଡାକଡି କରାଗଲା l ସେହି ହଟ୍-ସ୍ପଟ୍ ମଧ୍ୟରେ ଆମ ରାଜ୍ୟର ଭୁବନେଶ୍ୱର ସହର ମଧ୍ୟ ଥିଲା l କାରଣ ରାଜ୍ୟର ମୋଟ୍ କରୋଣା ସ°କ୍ରମିତଙ୍କ ମଧ୍ୟରୁ ଅଧାରୁ ଅଧିକ ଥିଲେ ଭୁବନେଶ୍ୱର ବାସିନ୍ଦା l ତେଣୁ ସହରର ସବୁ ଲୋକଙ୍କ ସ୍ବାବ୍ ପରୀକ୍ଷା ପାଇଁ ବ୍ୟବସ୍ଥା କରାଗଲା l ଏଥିପାଇଁ ସହରର ବିଭିନ୍ନ ସ୍ଥାନରେ ଶିବିର ମାନ କରାଯାଇ ସ୍ବାବ ସ°ଗ୍ରହ କରାଗଲା l
ଲକଡାଉନ୍ ସମୟରେ ସାଧାରଣ ରୋଗର ଚିକିତ୍ସା ପାଇଁ ଡାକ୍ତରଙ୍କ ପାଖକୁ ଯିବା ସମ୍ଭବ ହେଲାନାହିଁ l ସେଥିପାଇଁ ସରକାରଙ୍କ ପକ୍ଷରୁ ଟେଲି ମେଡିସିନର ବ୍ୟବସ୍ଥା କରାଗଲା l ଲୋକମାନେ ଟେଲିଫୋନ ମାଧ୍ୟମରେ ଡାକ୍ତେରୀ ପରାମର୍ଶ ପାଇପାରିଲେ l ଏଥିପାଇଁ ଅନେକ ଅବସରପ୍ରାପ୍ତ ଡାକ୍ତର ସହଯୋଗର ହାତ ବଢାଇ ରୋଗୀସେବାରେ ଧ୍ୟାନ ଦେଲେ l
ଏପ୍ରିଲ ୨୨ତାରିଖରେ ଦେଶରେ କରୋଣା ସ°କ୍ରମିତ ଙ୍କ ସ°ଖ୍ୟା ହଜାରକୁ ଟପିଗଲା l ସେତେବେଳେ ଆମ ରାଜ୍ୟରେ ସ°କ୍ରମିତଙ୍କ ସ°ଖ୍ୟା ପହଞ୍ଚିଲା ୮୩ରେ ଏବଂ ଏପ୍ରିଲ ୨୫ ତାରିଖରେ ଏହି ସ°ଖ୍ୟା ୧୦୦ ଟପିଗଲା l ଦେଖାଗଲା ବାଲେଶ୍ବର, ଭଦ୍ରକ ଓ ଯାଜପୁର ଆଦି ଜିଲ୍ଲା ଗୁଡିକରେ ସ°କ୍ରମିତଙ୍କ ସ°ଖ୍ଯା ବୃଦ୍ଧିପାଉଛି  l ତେଣୁ ସେହି ଜିଲ୍ଲାରେ ଏପ୍ରିଲ ୨୩ ରାତି ୧୦ଟାରୁ ୨୬ତାରିଖ ସକାଳ ୧୦ଟା ଯାଏଁ ୬୦ ଘଣ୍ଟିଆ ସଟଡାଉନ୍ ବା ସମ୍ପୂର୍ଣ୍ଣ ଅବରୋଧ ଅଞ୍ଚଳ ଭାବରେ ଘୋଷଣା କରାଗଲା ଏବଂ ସେହି ସବୁ ଅଂଚଳରେ ସ୍ବାସ୍ଥ୍ୟ କର୍ମୀମାନେ ଘରଘର ବୁଲି ଲୋକମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ରେ ଲାଗିପଡିଲେ l ଅନ୍ୟପକ୍ଷରେ ହଟ୍-ସ୍ପଟ୍ ବ୍ୟତୀତ ଅନ୍ୟ ସବୁ ଅଞ୍ଚଳରେ ଏପ୍ରିଲ ୨୬ ତାରିଖରୁ ଦୋକାନ ବଜାର ଖୋଲିବା ଦିଗରେ କେନ୍ଦ୍ର ସରକାର କିଛି କୋହଳ ନିତି ଅବଲମ୍ବନ କଲେ  l ସାମାଜିକ ଦୂରତା ପାଳନ ପୂର୍ବକ କିଣା ବିକା କାର୍ଯ୍ୟ ପରିଚାଳନା ପାଇଁ ନିର୍ଦ୍ଦେଶ ଦିଆଗଲା l
ଆମରାଜ୍ୟର ବଡ ସମସ୍ୟା ହୋଇ ଦେଖାଦେଲେ ପ୍ରବାସୀ ଶ୍ରମିକ । ସେମାନଙ୍କ ଯୋଗୁ ସ°କ୍ରମଣ ବୃଦ୍ଧି ପାଉଥିବା ଦେଖାଗଲା l ଲୁଚି ଛପି ଗଳାବାଟ ଦେଇ ଘର ମୁହାଁ ହେଲେ ସେମାନେ l କିଏ ଆମ୍ବୁଲାନ୍ସରେ ଚିକିତ୍ସାର ବାହାନା କରି ଆସିଲେ ତ କିଏ ପୁଣି ଖାଦ୍ୟ ସାମଗ୍ରୀ ନେଇ ଆସୁଥିବା ଗାଡି ମଟରରେ ଲୁଚି ଲୁଚି ଆସିଲେ l ଏମିତି କି ସଡକ ପଥରେ ଆସିବା ସମ୍ଭବପର ନ ହେବାରୁ, ଚେନ୍ନାଇରେ ଅଟକି ରହିଥିବା କିଛି ଯୁବକ ଦୁଇ ଲକ୍ଷ ଟଙ୍କାରେ ଏକ ଯନ୍ତ୍ରଚାଳିତ ଡଙ୍ଗା ଭଡା କରି ଜୀବନକୁ ବାଜି ଲଗାଇ ସମୁଦ୍ର ପଥରେ ରାଜ୍ୟ କୁ ଫେରିଥିଲେ l ବଡ କରୁଣ ଥିଲା ସେମାନଙ୍କ ଯାତ୍ରା l ତେଣୁ ଗ୍ରାମକୁ ଆସୁଥିବା ପ୍ରବାସୀମାନଙ୍କ ନାମ ପଞ୍ଜୀକରଣ ଓ ସେମାନଙ୍କୁ ୧୪ ଦିନ ସଙ୍ଗରୋଧ ଭାବରେ ରଖିବା ନିମନ୍ତେ ସରକାର ଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଗଲା l ଏହି ସମୟରେ ସେମାନଙ୍କୁ ଖାଦ୍ୟପେୟ ଓ ଚିକିତ୍ସା ସୁବିଧା ମାଗଣାରେ ଯୋଗାଇ ଦିଆଗଲା l ଏହି କାର୍ଯ୍ୟର ସୁପରିଚାଳନା ନିମନ୍ତେ ସବୁ ସରପଞ୍ଚ ଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ପ୍ରଦାନ କରାଗଲା l
ଆମ ଦେଶରେ କରୋନା ଏବେ ମଧ୍ୟ ନିୟନ୍ତ୍ରଣରେ ରହିଛି । ଆମେ ଏଯାଏଁ ଷ୍ଟେଜ 3 ବା ଗୋଷ୍ଠୀ ସ°କ୍ରମଣକୁ ଯାଇନାହୁଁ l ସେଥିପାଇଁ ସରକାରଙ୍କ ପକ୍ଷରୁ ବାରମ୍ବାର ଅନୁରୋଧ କରାଯାଉଛି ସାମାଜିକ ଦୂରତା ରକ୍ଷା କରନ୍ତୁ, ଅଯଥାରେ ବାହାରେ ବୁଲନ୍ତୁ ନାହିଁ l ହାତକୁ ନିୟମିତ ସବୁନରେ ଧୁଅନ୍ତୁ l
ଯଦି ଆପଣ ରାଜ୍ୟ ବାହାରୁ ଆସିଛନ୍ତି କିମ୍ବା ରାଜ୍ୟ ବାହାରୁ ଆସିଥିବା ଲୋକଙ୍କ ସହ ମିଶିଛନ୍ତି ତେବେ ତଥ୍ୟ ଲୁଚେଇ ନରଖି ସରକାରଙ୍କ ୧୦୪ ନମ୍ବରକୁ ଟେଲିଫୋନ କରି ନିଜ ନାମ ପଞ୍ଜିକରଣ କରନ୍ତୁ l ଆରୋଗ୍ୟ ସେତୁ ଆପ୍ କୁ ନିଜ ମୋବାଇଲରେ ଡାଉନଲୋଡ୍ କରି ନିଜର ତଥା ନିଜ ଆଖପାଖ ଓ ଦେଶ ଦୁନିଆର କରୋଣା ସ୍ଥିତି ସମ୍ପର୍କରେ ଜାଣନ୍ତୁ l ସତର୍କ ରୁହନ୍ତୁ,  ସାମାଜିକ ଦୂରତା ଅବଲମ୍ବନ କରନ୍ତୁ ଓ ଆଶଙ୍କା ଉପୁଜିଲେ ଡେରି ନକରି ଫୋନ୍ ଯୋଗେ ଡାକ୍ତରଙ୍କ ପରାମର୍ଶ କରନ୍ତୁ l ଡାକ୍ତରଂକ ପରାମର୍ଶ କ୍ରମେ ପଦକ୍ଷେପ ନିଅନ୍ତୁ ଓ ସୁସ୍ଥ ରୁହନ୍ତୁ l

କାର୍ଯ୍ୟକ୍ରମ ନିଷ୍ପାଦକ, ଦୂରଦର୍ଶନ କେନ୍ଦ୍ର, ଭୁବନେଶ୍ବର

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।
Leave A Reply

Your email address will not be published.