Latest Odisha News

ହାର୍ଟଆଟାକ କ’ଣ ? କିପରି କରିବେ ଏହାର ପ୍ରାଥମିକ ଚିକିତ୍ସା, ଜାଣନ୍ତୁ

ଭୁବନେଶ୍ୱର: ଆଜିର ସମୟରେ ଅନେକ ଲୋକ ହାର୍ଟ ରୋଗରେ ପୀଡ଼ିତ ଥିବା ଦେଖିବାକୁ ମିଳୁଛି।  ବ୍ୟସ୍ତ ବହୁଳ ଜୀବନ ସହ ଅନିୟମିତ ଜୀବନଶୈଳୀ ଏସବୁର ମୁଖ୍ୟ କାରଣ ବୋଲି ଦର୍ଶାଯାଉଛି । ତେବେ କଣ ଏହି ହାର୍ଟଆଟାକ ? କିଭଳି କରିବେ ଏହାର ପ୍ରାଥମିକ ଉପଚାର ଆସନ୍ତୁ ଜାଣିବା…

ହାର୍ଟଆଟାକ କଣ?

ହୃତପିଣ୍ଡ ମାଂସପେଶୀକୁ ଅମ୍ଳଜାନ ଯୋଗାଉଥିବା ରକ୍ତନଳୀ ଅବରୁଦ୍ଧ ହୋଇଗଲେ ସଂପୃକ୍ତ ଅଂଶର ମାଂସପେଶୀ ଅମ୍ଳଜାନ ପାଇପାରେ ନାହିଁ ଏବଂ ମୃତ୍ୟୁ ହୋଇଯାଏ, ଫଳରେ ହୃତପିଣ୍ଡର ସମସ୍ତ ମାଂସପେଶୀ କିଛି ସମୟ ପର୍ଯ୍ୟନ୍ତ କାର୍ଯ୍ୟ କରନ୍ତି ନାହିଁ । ଏହାକୁ ହାର୍ଟଆଟାକ କୁହାଯାଏ । ଏହି ରୋଗ ହଠାତ୍ ହୋଇଥାଏ ।

ଲକ୍ଷଣ: ହୃତପିଣ୍ଡର ମାଂସପେଶୀରେ ଅମ୍ଳଜାନ ଅଭାବ ହେଲେ ଛାତିକୁ ଚିପି ହେଲାଭଳି ଏକ ଯନ୍ତ୍ରଣା ହୋଇଥାଏ । ଏହି ଯନ୍ତ୍ରଣା ଛାତିର ବାମ କାନ୍ଧ, ବାମ ବାହୁ, ଗଳା କିମ୍ବା ପେଟ ପର୍ଯ୍ୟନ୍ତ ଯାଇଥାଏ ।

ଶ୍ଵାସକ୍ରିୟା କଷ୍ଟଦାୟକ ହୁଏ ଏବଂ ପେଟରେ ମଧ୍ୟ ଯନ୍ତ୍ରଣା ହୁଏ । ଦେହରୁ ପ୍ରଚୁର ପରିମାଣର ଝାଳ ବୁହେ ।ବାନ୍ତି ଲାଗେ ବା ବାନ୍ତି ହୁଏ । ମୁହଁ ସିଠୁଆ ପଡିଯାଏ । ନାଡୀର ଗତି ଅନିୟମିତ ହୁଏ କିମ୍ବା ବନ୍ଦ ହୋଇଯାଏ ।

କଣ କରିବେ?

ରୋଗୀକୁ ସାନ୍ତ୍ଵନା ଦେବା ସହିତ ସ୍ଥିର ଓ ନିଶ୍ଚଳ ରହିବା ପାଇଁ କୁହନ୍ତୁ । ଡାକ୍ତରୀ ସାହାଯ୍ୟ ପାଇବା ପାଇଁ ଶୀଘ୍ର ବ୍ୟବସ୍ଥା କରନ୍ତୁ । ଆହତ ବ୍ୟକ୍ତିଙ୍କୁ ଚାଲିବାକୁ ଦିଅନ୍ତୁ ନାହିଁ ।

ବ୍ୟକ୍ତିଙ୍କର ଚେତା ଥିଲେ ତାକୁ ଆଉଜି କରି ବସାଇ ରଖିବା ସହ ତାଙ୍କ ଦୁଇ ଆଣ୍ଠୁକୁ ଟେକି ଜଙ୍ଘ ଓ ନଳୀ ଗୋଡ ମଝିରେ ତକିଆ ରଖି ଦିଅନ୍ତୁ । ଏପରି କଲେ ଆହତ ବ୍ୟକ୍ତିଙ୍କୁ ସାମାନ୍ୟ ଆରାମ ଲାଗିଥାଏ । ଏହାଦ୍ଵାରା ଛାତିର ଯନ୍ତ୍ରଣା କମ୍ ହୋଇଥାଏ ଏବଂ ଶ୍ଵାସକ୍ରିୟା ସହଜଦାୟକ ହୋଇଥାଏ ।

ପିନ୍ଧିଥିବା ଲୁଗା ବିଶେଷ କରି ଗଳା ପାଖର ଲୁଗାକୁ ଢିଲା କରିଦିଅନ୍ତୁ । ବ୍ୟକ୍ତି ଅଚେତ ହୋଇଥିଲେ DRABC କ୍ରମ ଅନୁସାରେ ଉପଚାର କରନ୍ତୁ । ଶୀଘ୍ର ଡାକ୍ତରଖାନା ପଠାଇବାର ବ୍ୟବସ୍ଥା କରନ୍ତୁ ।

ଅନେକ ସମୟରେ ହାର୍ଟ ଆଟାକ ହେଲେ ଶ୍ଵାସକ୍ରିୟା ଚାଲୁଥିଲେ ମଧ୍ୟ ହୃତପିଣ୍ଡର ସ୍ପନ୍ଦନ ବନ୍ଦ ହୋଇଯାଏ । ହୃତପିଣ୍ଡର ସ୍ପନ୍ଦନ ୩ ମିନିଟ୍ ରୁ ଅଧିକ ସମୟ ବନ୍ଦ ହେଲେ ରୋଗୀର ମସ୍ତିଷ୍କ ଓ ଅନ୍ୟ ଅଂଶ ନଷ୍ଟ ହୋଇଥାଏ । ଏବଂ ତା’ର ମୃତ୍ୟୁ ହୋଇଯାଏ ।

ଏହି ସମୟରେ ଶ୍ଵାସକ୍ରିୟା ଏବଂ ହୃତପିଣ୍ଡ କାର୍ଯ୍ୟ କରିବା ବନ୍ଦ କରିଦିଏ । ତେଣୁ CRP ଆରମ୍ଭ କରି ଏବଂ ଆବଶ୍ୟକ ହେଲେ ଡାକ୍ତରଖାନାରେ ପହଞ୍ଚାଇବା ପର୍ଯ୍ୟନ୍ତ ତାହାକୁ ଚାଲୁରଖନ୍ତୁ । ଉକ୍ତ ବ୍ୟକ୍ତିଙ୍କୁ କୌଣସି ଖାଦ୍ୟ ଓ ପାନୀୟ ଦିଅନ୍ତୁ ନାହିଁ ।

Leave A Reply

Your email address will not be published.