Latest Odisha News

କରୋନା ସଂକ୍ରମଣର ଭୟ ରହୁଛି କି? ଆୟୁର୍ବେଦରୁ ପାଇବେ ଉପଶମ !

ଭୁବନେଶ୍ୱର: କରୋନା ଜ୍ୱାଳାରେ ଜଳୁଛି ସମଗ୍ର ବିଶ୍ୱ । ଏହି ସମୟରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ଅତି ଗୁରୁତ୍ୱପୂର୍ଣ୍ଣ ଅଟେ । କରୋନା ସଂକ୍ରମଣ ପାଇଁ କୌଣସି ନିର୍ଦ୍ଦିଷ୍ଟ ଔଷଧ ନଥିବାବେଳେ କେତେକ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରି ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ଆବଶ୍ୟକ ।

ଆୟୁର୍ବେଦର ବହୁ ପୁରାତନ ଚିକିତ୍ସା ପଦ୍ଧତିକୁ ଅନୁସରଣ କରି ସାଧାରଣ ଲୋକ କେତେକ ପ୍ରତିଷେଧକ ଗ୍ରହଣ କରିବା ସହ ସୁସ୍ଥ ଜୀବନ ଅତିବାହିତ କରିପାରିବେ । ବିଶେଷକରି ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଓ ସ୍ୱାସ୍ଥ୍ୟଗତ ସମସ୍ୟାରୁ ନିଜକୁ ରକ୍ଷା କରିବା ପାଇଁ କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ କେତେକ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିଛି । ଏଗୁଡ଼ିକ ଆୟୁର୍ବେଦ ସାହିତ୍ୟ ଓ ବୈଜ୍ଞାନିକ ସିଦ୍ଧାନ୍ତ ଦ୍ୱାରା ସ୍ୱୀକୃତ ।

ଅନ୍ତତଃ ଅଧଘଂଟା ପାଇଁ ଯୋଗାସନ, ପ୍ରାଣାୟମ ଓ ଧ୍ୟାନ ପାଇଁ ଆୟୁଷ ମନ୍ତ୍ରଣାଳୟ ସୁପାରିଶ କରିଛି ।

ହଳଦୀ, ଜିରା, ଧନିଆଁ ଏବଂ ରସୁଣର ବ୍ୟବହାର ରୋଷେଇରେ ଅଧିକ କରିପାରିବେ ।

ଆୟୁର୍ବେଦିକ ପଦ୍ଧତିରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି:

ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ପ୍ରତ୍ୟହ ଚବନପ୍ରାଶ ସେବନ କରନ୍ତୁ । ତେବେ ମଧୁମେହରେ ପୀଡ଼ିତ ବ୍ୟକ୍ତିମାନେ ବିନା ଚିନିଯୁକ୍ତ ଚବନପ୍ରାଶ ସେବନ କରିପାରିବେ । ହର୍ବାଲ ଚା, ତୁଳସୀ, ଡାଳଚିନି, ଗୋଲମରିଚ, ଶୁଣ୍ଠି ଓ ପିପ୍ପଳି ଦିନକୁ ଥରେ ବା ଦୁଇଥର ସେବନ କରିପାରିବେ । ଏହାକୁ ସୁସ୍ୱାଦୁ କରିବା ପାଇଁ ଲୁଣ କିମ୍ବା ଲେମ୍ବୁଜଳ ଆବଶ୍ୟକ ହେଲେ ମିଶାଇ ପାରିବେ । ଦିନକୁ ଥରେ ବା ଦୁଇଥର ୧୫୦ ମିଲିଲିଟର ଗରମ କ୍ଷୀରରେ ଅଧଚାମଚ ହଳଦୀଗୁଣ୍ଡ ମିଶାଇ ପିଇପାରିବେ ।

ନଡ଼ିଆ, ରାଶିତେଲ କିମ୍ବା ଘିଅ ଦୁଇ ନାକପୁଡ଼ାରେ ସକାଳେ ଓ ସନ୍ଧ୍ୟାରେ ଲଗାଇବା । ଗୋଟିଏ ଚାମଚ ନଡ଼ିଆତେଲ ପାଟିରେ ରଖି କୁଳି କରି ବାହାର କରି ଦିଅନ୍ତୁ । ତା ପରେ ଗରମପାଣିରେ ଭଲଭାବେ କୁଳି କରନ୍ତୁ । ଦିନକୁ ଥରେ ବା ଦୁଇଥର ଏହିପରି କଲେ ସ୍ୱାସ୍ଥ୍ୟ ପାଇଁ ଭଲ।

ଶୁଖିଲା କାଶ ଓ ଗଳା ସଂକ୍ରମଣ ଅନୁଭବ ହେଉଥିଲେ ପୋଦିନା ବା ଜୁଆଣି ଗରମ ପାଣିରେ ମିଶାଇ ଦିନକୁ ଥରେ ଏହାର ବାମ୍ଫ ନିଆଯାଇପାରିବ । କଫ ବା ଗଳା ସଂକ୍ରମଣ ହେଲେ ଚିନି ଓ ମହୁ ସହ ଲବଙ୍ଗ ଗୁଣ୍ଡ ମିଶାଇ ଦିନକୁ ଦୁଇରୁ ତିନିଥର ଖିଆଯାଇପାରିବ । ସାଧାରଣତଃ ଶୁଖିଲା କାଶ ଓ ଗଳା ସଂକ୍ରମଣରେ ଏହା ପ୍ରୟୋଗ କରାଯାଉଥିଲେ ମଧ୍ୟ ବେଶିଦିନ ଧରି ଏହା ଲାଗି ରହିଲେ ଡାକ୍ତରଙ୍କ ପରାମଶଁ ନିଆଯିବା ଆବଶ୍ୟକ ।

Leave A Reply

Your email address will not be published.