Latest Odisha News

ସରଳା ଦେବୀଙ୍କଠାରୁ ପ୍ରମିଳା ମଲ୍ଲିକ: ୮୪ ବର୍ଷ ପରେ ବିଧାନସଭାକୁ ମିଳିଲା ଦ୍ୱିତୀୟ ବାଚସ୍ପତି

ଭୁବନେଶ୍ୱର: ୨୦୨୩, ସେପ୍ଟେମ୍ବର ୨୨ ତାରିଖ । ଓଡ଼ିଶା ଇତିହାସରେ ଏକ ବିଶେଷ ଦିନ  । ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବିଧାନସଭାରେ ଜଣେ ମହିଳା କରିବେ ଅଧ୍ୟକ୍ଷତା । ଆଜି ବିଧାନସଭା ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ପ୍ରମିଳା ମଲ୍ଲିକ ।

BjdElectrycity

ଯେହେତୁ ଆଉ କେହି ନାମାଙ୍କନ ପତ୍ର ଦାଖଲ କରିନ ଥିଲେ ତେଣୁ ପ୍ରମିଳା ମଲ୍ଲିକ ନିର୍ଦ୍ୱନ୍ଦ୍ୱରେ ବାଚସ୍ପତି ଭାବେ ନିର୍ବାଚିତ ହୋଇଥିଲେ । ସ୍ୱାଧୀନତା ପରେ ବିଧାନସଭାରେ ଅଧ୍ୟକ୍ଷ ଆସନ ଅଳଙ୍କୃତ କରିଛନ୍ତି ପ୍ରଥମ ମହିଳା ।

ଏହା ପୂର୍ବରୁ ଆଉ ଜଣେ ମହିଳା ବାଚିସ୍ପତି ବିଧାନସଭା ପରିଚାଳନା କରିଥିଲେ  । ସେ ହେଉଛନ୍ତି ସରଳା ଦେବୀ । ତେବେ ସରଳା ଦେବୀ ଥିଲେ ପ୍ରାକ ସ୍ୱାଧୀନତର ପ୍ରଥମ ମହିଳା ବାଚସ୍ପତି । କୁହାଯାଏ, ଯେଉଁବର୍ଷ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହେଲା ସେହିବର୍ଷ ଅର୍ଥାତ  ୧୯୩୬ରୁ ୧୯୪୧ ମସିହା ଯାଏ ପ୍ରଥମ ମହିଳା ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ । ତାଙ୍କର କାର୍ଯ୍ୟକାଳ ମଧ୍ୟରେ ସେ ଦିନଟିଏ ପାଇଁ ବାଚସ୍ପତି କାର୍ଯ୍ୟ ନିର୍ବାହ କରିଥିଲେ । ୧୯୩୯ ମାର୍ଚ୍ଚ ୨୪ ତାରିଖରେ ଦିନଟିଏ ପାଇଁ ସେ ବାଚସ୍ପତି ଆସନରେ ବସିଥିଲେ ।

ସେହି ଗୋଟିଏ  ଦିନରେ ସେ ନେଇଥିଲେ ବଡ ନିଷ୍ପତ୍ତି । ବିଧାନସଭାର ସମସ୍ତ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ ।

୧୯୦୪ ଅଗଷ୍ଟ ୧୯ ତାରିଖରେ ସରଳା ଦେବୀଙ୍କ ଜନ୍ମ । ସେ  ବିଧାୟକ ଥିବା ସମୟରେ ବହୁ ସଂସ୍କାର ମୂଳକ କାମ କରିଥିଲେ ।  ବିଧାନ ସଭାରେ ‘ବାଲ୍ୟବିବାହ ଆଇନର ସଂଶୋଧନ’ ଓ ‘ପୋଇଲି ପ୍ରଥା’ର ଉଚ୍ଛେଦ ପାଇଁ ଆଇନ ପ୍ରଣୟନ କରିବାକୁ ସରଳା ଦେବୀ ବିଲ୍ ଆଗତ କରିଥିଲେ । ଏହି ବିଲ୍‍ ଦ୍ୱୟ ବିଧାନ ସଭାରେ ଗୃହୀତ ହୋଇଥିଲା। ସେ ସମାଜରେ ପ୍ରଚଳିତ ବହୁବିଧ କୁପ୍ରଥା ବିରୋଧରେ ମଧ୍ୟ ବିଧାନସଭାରେ ସ୍ୱର ଉଠାଇଥିଲେ ।

ଓଡ଼ିଆ ଭାଷାକୁ ସରକାରୀ ଭାଷାରୂପେ ଗ୍ରହଣ କରିବା ପ୍ରୟାସରେ ସେ ଥିଲେ ପ୍ରଥମ ଓ ଅଗ୍ରଗଣ୍ୟ ମହିଳା । ୧୯୪୨-୧୯୫୨ ପର୍ଯ୍ୟନ୍ତ ଦୀର୍ଘ ଦଶବର୍ଷ ଧରି ସେ ଓଡ଼ିଶାର ସର୍ବପ୍ରାଚୀନ ସାହିତ୍ୟ ଅନୁଷ୍ଠାନ ଉତ୍କଳ ସାହିତ୍ୟ ସମାଜର ସମ୍ପାଦକ ଓ ଉପସଭାପତିଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ସେ ସମବାୟ ବ୍ୟାଙ୍କର ପ୍ରଥମ ମହିଳା ନିର୍ଦେଶକ ଥିଲେ ।

ସରଳା ଦେବୀ ଅଳ୍ପବୟସରୁ ସାହିତ୍ୟ ଚର୍ଚ୍ଚା ଆରମ୍ଭ କରିଥିଲେ । ସେ ଯୁଗରେ ‘ପରିଚାରିକା’ ନାମକ ଗୋଟିଏ ମାସିକ ପତ୍ରିକା ୧୩୨୫ରୁ ୧୩୨୭ ପର୍ଯ୍ୟନ୍ତ ପ୍ରକାଶିତ ହୋଇଥିଲା ।  ଏଥିରେ ସରଳା ଦେବୀଙ୍କର ବହୁ ରଚନା ଦେଖିବାକୁ ମିଳେ । ସେଗୁଡ଼ିକ ଭିତରୁ ‘ଧୈର୍ଯ୍ୟଶାଳୀ ସାମ୍ରାଜ୍ଞୀ – ଶୈବ୍ୟା’ , ‘କଳ୍ପିତ ମୃତ୍ୟୁ’ ଓ ‘ପ୍ରତୀକ୍ଷା’ ଅନ୍ୟତମ। ଅଳକା ଆଶ୍ରମରୁ ପ୍ରକାଶିତ ହାତଲେଖା ପତ୍ରିକା ‘ଅଳକା’ଠାରୁ ଆରମ୍ଭ କରି ‘ସହକାର’, ’ନବ ଭାରତ’ ଇତ୍ୟାଦି ଓଡ଼ିଶାର ବିଶିଷ୍ଟ ପତ୍ରପତ୍ରିକାରେ ତାଙ୍କର ଲେଖାମାନ ପ୍ରକାଶ ପାଉଥିଲା । ଲୋକଙ୍କୁ ସଚେତନ କରିବାର ଆବଶ୍ୟକତା ଉପଲବ୍ଧି କରି ଲୋକଶିକ୍ଷା ଉଦ୍ଦେଶ୍ୟରେ ଗାଁ ଲୋକଙ୍କ କଥା, ନାରୀର ଆଇନଗତ ଅଧିକାର ଆଦି ବିଷୟରେ ଛୋଟ ଛୋଟ ପୁସ୍ତକ ରଚନା କରି ତାହାର ପ୍ରଚାର-ପ୍ରସାର କରିଥିଲେ । ‘ହିନ୍ଦୁସ୍ତାନ ଗ୍ରନ୍ଥମାଳା’ ନାମକ ସଂସ୍ଥା ସ୍ଥାପନ କରି ସେ ତା’ର ସମ୍ପାଦିକା ରହିଥିଲେ । ସେ ‘ସବିତା’ ନାମକ ଗୋଟିଏ ପତ୍ରିକାର ସମ୍ପାଦନା ସହ ସେଥିରେ ନିଜର ମତାମତ ମଧ୍ୟ ପ୍ରକାଶ କରୁଥିଲେ   ।

Leave A Reply

Your email address will not be published.