Latest Odisha News

BREAKING NEWS

ଗାଁ ଓ ଗପ

ଗାଁ ଓ ଗପ

ଜ୍ୟୋତି ପ୍ରକାଶ ମହାପାତ୍ର

ଜେଜେମା ଥିବ । ସଂଜ ନଇଁ ଆସୁଥିବ । ବହଳିଆ ଅନ୍ଧାର ଘୋଡେ଼ଇ ଆଣୁଥିବ ଗାଁକୁ । ନଈ ପଠାରୁ କୁହୁଡ଼ି ରକମ ଧୂଆଁ ଢାଙ୍କି ଦେଉଥିବ । ଆଉ ସେଇଠି ଖଞ୍ଜା ଘର ମଝିରେ ଥିବ ଚୂଲିଟେ । ତିଆରି ଚାଲିଥିବ ଚକୁଳି ଆଉ କେତେ ରକମର ପିଠା । ଜେଜେମା ପଣତ ଭିତରେ ପଶି ପିଲାଏ ଶୁଣୁଥିବେ କାହାଣୀ । ଟୁଆଁଟୁଇଁ ଗପ, ରାଜା ଝିଅ ଓ ସାତ ତାଳ ପାଣି ଓ ପଙ୍କର କାହାଣୀ, ଡାହାଣୀ, ଚିରୁକୁଣୀ କେମିତି ନିଆଁ ପୁଏଁ ନିଶବ୍ଦ ରାତିରେ, ସେଇ ରହସ୍ୟର କାହାଣୀ ।

ସେଇ ଗପ ସାଙ୍ଗରେ ଡରରେ ଥରି ଯାଉଥିବେ ପିଲାଏ । ଜେଜେମା କୋଳରେ ଆଉରି ଜାକି ଦେଉଥିବେ ମୁହଁ । ରାଜା ପୁଅ କେମିତି ରାକ୍ଷସକୁ ମାରି ରାଜା ଝିଅକୁ ଆଣିଲା, ସେ ଗପ କହିଲା ବେଳକୁ ଆଖି ଆଗରେ ନାଚି ଯାଉଥିବ ସୁନା ଜରିଦିଆ ପୋଷାକ ପିନ୍ଧିଥିବା ରାଜାପୁଅ ଘୋଡ଼ା ଉପରେ ଚଢି ଆଗେଇ ଚାଲିଛି । ହାତରେ ଧରିଛି ତରୁଆଲ୍ । ବିନାଶ କରିବ ଶତ୍ରୁଙ୍କୁ ।

ସଂଜ ଯେତିକି ବହଳ ହୋଇ ଆସେ, ଜେଜେମାର କାହାଣୀ ପେଡ଼ି ସେତିକି ଖୋଲି ଖୋଲି ଯାଏ । ତୁଳସୀ ଚଉରା ମୂଳେ ପାଣି ଦେଇ ସଂଜରେ କାନିକୁ ବେକରେ ଗୁଡେ଼ଇ ସଭିଙ୍କ ଶୁଭ ମନାସୁ ଥିବା ଜେଜେମା ଥିଲା ପିଲାଙ୍କ ପାଇଁ ଅନ୍ତରଙ୍ଗ ଆକର୍ଷଣର କେନ୍ଦ୍ରବିନ୍ଦୁ । ସେଇ ଜେଜେମା କୋଉଠୁ କେବେ ଧାନ କି ବିରି ବିକି ରଖିଥିବା ଚାରିଣି, ଆଠଣି -ନାତି, ନାତୁଣୀଙ୍କ ହାତକୁ ବଢେଇ ଦିଏ ଆଇସକ୍ରିମ୍ କି ବାରମଜା କିଣି ଖାଇବାକୁ ।

ସେ ସମୟ ଥିଲା ଅଲଗା । ସେଠି ସ୍ୱପ୍ନ ଆଉ କାହାଣୀ ଭିତରେ ଛନ୍ଦି ହୋଇ ଯାଉଥିଲା ଜୀବନ । ଜୀବନର ରଂଗ ଥିଲା ଅଲଗା । ରଂଗରେ ଭରି ଯାଉଥିଲା ଜୀବନ ।

ଶୀତ ସକାଳେ ନଡ଼ାରେ ନିଆଁ ପୁଉଁ ଥିବା ବେଳେ ଜେଜେ ବାପା ବି ତାଙ୍କ ସ୍ମୃତିର କାହାଣୀ ଶୁଣାଉ ଥିଲେ । ସେଥିରେ ଥିଲା ସାହସ ଓ ଦୃଢତାର ଉଦାହରଣ । ଅଧ ରାତିରେ କେମିତି ଭୂତ ଆସି ତାଙ୍କୁ ବିଲରେ ପାଣି ମଡ଼ାଇବା ପାଇଁ ଡାକି ନେଇଥିଲା ଓ ସେ ଭୂତକୁ ଓଲଟା ପାଣି ପିଆଇ ଦେଇଥିଲେ- କହିଲା ବେଳେ ପିଲାଟି କଳ୍ପନା ରାଇଜରେ ଦେଖୁଥିଲା ସେ ନିଜେ କିପରି ସେ ଭୂମିକାରେ ଅବତୀର୍ଣ୍ଣ ହୋଇଛି ।

ସ୍କୁଲରେ ସାର୍ କାହାଣୀ କହୁଥିଲେ । ମୋର ଆଜି ବି ମନେ ଅଛି- ପୃଥିବୀ ତା’ ଅକ୍ଷ ଚାରି ପଟେ ବୁଲୁଛି ବୋଲି ଦେଖାଇବା ପାଇଁ ଶିବ ସାର୍ ଗୋଟେ କମଳା ଲେମ୍ବୁ ନିଜ ବାଡ଼ିରୁ ତୋଳି ଆଣିଥିଲେ । ଯୋଉ ବେତ ଖଣ୍ଡିକ ଧରି ସେ କ୍ଲାସକୁ ଆସନ୍ତି, ତା’କୁ ହିଁ କମଳା ଭିତରେ ଭର୍ତି କରି ସେ ବୁଝେଇ ଦେଇଥିଲେ ଜଟିଳ ଭୂଗୋଳର ସହଜ ସମାଧାନ । ‘ଟମ୍ କକାଙ୍କ କୁଟୀର’ ସ୍କୁଲରେ ସାର୍ କହିଥିଲେ । ମୁଁ ଯେତେବେଳେ ଡିଗ୍ରୀ ପାଠ ପଢିଲି, ଆମ କଲେଜ ଲାଇବ୍ରେରୀରୁ ଯୋଉ ବହି ପ୍ରଥମେ ଇସୁ୍ୟ କରି ଆଣିଥିଲି, ସେଇଟି ଥିଲା ‘ଟମ୍ କକାଙ୍କ କୁଟୀର’ । ଗପ କହିବା ଆମକୁ ପର ପର୍ଯ୍ୟାୟରେ ଗପ ପଢିବା ପାଇଁ ପ୍ରୋତ୍ସାହିତ କରେ ।

ସେଇ ସମୟରେ ନା ଗାଁକୁ ସଡ଼କ ଥିଲା । ନା ବିଜୁଳି ସବୁ ସମୟରେ ରହୁଥିଲା । ହେଲେ ଗାଁରେ ଥିଲା ଆତ୍ମୀୟତା, ତୀବ୍ର, ନିବିଡ଼ ଅନ୍ତରଂଗତା ।

ଏବେ ପିଲାଏ କାହାଣୀ ଦେଖୁଛନ୍ତି ଟିଭିରେ । ଆପଣ ତା’କୁ ‘କାର୍ଟୁନ ଦେଖା’ ବୋଲି କହି ପାରନ୍ତି । ପିଲାଙ୍କ ପାଇଁ ହିରୋ ହେଉଛି କାଳ୍ପନିକ ଚରିତ୍ର- ଛୋଟା ଭୀମ, ଡୋରେମନ୍ । ଟିଭି ସାମ୍ନାରୁ ହଟିବା ପାଇଁ ସେମାନଙ୍କୁ ଫୁରସତ୍ ନାହିଁ । ଜେଜେମା ସେମିତି ନିଜ କାହାଣୀ ପେଡ଼ି ସାଙ୍ଗରେ ପାନ ଖଣ୍ଡେ ଖାଇ ଟିଭି ଦେଖୁଛି । ନା ତା’ ପାଇଁ କାହାଣୀ କହିବାର ସୁଯୋଗ ଅଛି ନା ନାତି, ନାତୁଣୀଙ୍କୁ କୋଳରେ ପୁରେଇ ଶୋଇ ଦେବାର ସମୟ ।

ତେବେ ସବୁ ଭିତରେ କାହାଣୀ କହିବା ଓ ଶୁଣିବା ପିଲାଙ୍କ କଳ୍ପନା ରାଜ୍ୟକୁ ବିସ୍ତାରିତ କରୁଥିଲା । ସେମାନେ କାହାଣୀ କହିବାର ଛନ୍ଦ ଶିଖୁଥିଲେ । କାହାଣୀରେ ଜୀବନ କେମିତି ବାନ୍ଧି ହୋଇଯାଏ, ତା’କୁ ଦେଖୁଥିଲେ । ଭଲ ମଣିଷ ହେବାର ମୂଳଦୁଆ ସେଇଠୁ ପଡ଼ୁଥିଲା ।

ଅବିକା ସବୁ ଅଛି । କାହାଣୀ ନାହିଁ । ଗପ ନାହିଁ । ନାହିଁ ପୁରୁଣା ଦିନର ଛପିଛପିକା ଜୀବନର ସେ ଆବେଗ ।

ତଥାପି ସମୟ ସିନା ବଦଳିଛି । ବେଶି କିଛି ଡେରି ଜମାରୁ ହୋଇନି । ଆମେ ଚାହିଁଲେ, ଗପ କହିବାର ପରଂପରାକୁ ଲେଉଟାଇ ଆଣିବା । ସ୍କୁଲରେ ଗୋଟାଏ ପିରିୟଡ଼୍ ରହୁ, ଯେଉଁଠି ସାର୍ ଖାଲି ଗପ କହିବେ । ଏବେକାର ସାର୍ମାନେ ତ ନିଜ ଜେଜେମା କାହାଣୀ ଶୁଣି ବଡ଼ ହୋଇଛନ୍ତି । ସ୍କୁଲ ପରିସୀମାରେ ଅନେକ ସଂସ୍କାର ଆସୁଛି । ଏଇ ଗୋଟିକ, ଗପ କହିବାର ଧାରା ତା’ ଭିତରେ ପଶୁ । ଅଙ୍ଗନବାଡ଼ିରେ ଜେଜେମାକୁ ଡାକି ଗପ କହିବାର ବ୍ୟବସ୍ଥା ଆରମ୍ଭ ହେଉ । ଜେଜେମା ଜୀବନର ନିଆଁ ସେକି ହୋଇ ଅଭଙ୍ଗା ମଣିଷ । ସେ ଆସୁ । ଗପ କହୁ । ସେମିତି- ଅନେକ ଭଲ ଭଲ ସିନେମା ପିଲାଙ୍କ ପାଇଁ ତିଆରି ହେଉଛି । ହେଲେ ଗାଁରେ ତାହା ପହଂଚି ପାରୁ ନାହିଁ । ଆମ ଭାଷାରେ ସେଇ ଚଳଚିତ୍ରକୁ ରୂପାନ୍ତରିତ କରି ଶିକ୍ଷା ବିଭାଗ କି ସଂସ୍କୃତି ବିଭାଗ ଆମରି ପିଲାଙ୍କୁ ଦେଖେଇ ପାରିଲେ, ଜୀବନରେ ମାନବିକତା ଓ ଆତ୍ମୀୟତା ଫେରି ଆସନ୍ତା ।

Leave A Reply

Your email address will not be published.