Latest Odisha News

BREAKING NEWS

ଗଣେଶ୍ୱର ମିଶ୍ରଙ୍କ ଲେଖନୀରେ ଥିଲା ସାହିତ୍ୟ ଓ ସାମ୍ବାଦିକତାର ମିଶ୍ରଣ

ଭୁବନେଶ୍ୱର: ସାମ୍ବାଦିକତାର ଅଭିବୃଦ୍ଧିରେ ସାହିତ୍ୟର ଗୁରୁତ୍ୱ ହ୍ରାସ ପାଇଛି । ସ୍ଥାନୀୟ ଓ ଜାତୀୟ ସ୍ତରରେ ଦିନକୁ ଦିନ ସମ୍ବାଦ ପରିବେଷଣରେ ସାହିତ୍ୟ ଓ ସାହିତ୍ୟ ସମ୍ପର୍କିତ ଖବର ପାଇଁ ସ୍ଥାନ ସଙ୍କୁଚିତ ହେଉଛି । ଭୁବନେଶ୍ୱରସ୍ଥିତ ଜୟ ଭାରତ ସେଣ୍ଟରରେ ସତୀର୍ଥ ପକ୍ଷରୁ ଆୟୋଜିତ ଲେଖକ ଗଣେଶ୍ୱର ମିଶ୍ରଙ୍କ ଅଷ୍ଟମ ଶ୍ରାଦ୍ଧବାର୍ଷିକୀ ଅବସରରେ ଆୟୋଜିତ ସ୍ମୃତିସଭାରେ ବିଶିଷ୍ଟ ଅନୁବାଦ ଓ ଗବେଷକ ଅସିତ ମହାନ୍ତି ଏହା କହିଛନ୍ତି ।

‘ସାହିତ୍ୟ ଓ ସାମ୍ବାଦିକତା’ଶୀର୍ଷକ ଗଣେଶ୍ୱର ମିଶ୍ର ସ୍ମାରକୀ ବକ୍ତୃତାରେ ଶ୍ରୀ ମହାନ୍ତି କହିଥିଲେ, ଗଣେଶ୍ୱର ମିଶ୍ରଙ୍କ ଲେଖନୀରେ ସାହିତ୍ୟ ଓ ସାମ୍ବାଦିକତାର ମିଶ୍ରଣ ଥିଲା ।

Ganeswar Mishra Memorial Lecture Ganeswar Mishra Amalgamated Literature And Journalism In His Writings

ସାମ୍ବାଦିକତା ଚକ୍ଷୁରେ ଗଣେଶ୍ୱର ମିଶ୍ର ଯାହା ଅବଲୋକନ କରୁଥିଲେ ତାହା ତାଙ୍କ ଲେଖନୀ (ଫିଚର, ଉପନ୍ୟାସ)ରେ ପ୍ରତିଫଳିତ ହେଉଥିଲା । ପୁରୀ ଉପରେ ପର୍ଯ୍ୟବେଷିତ ଗଣେଶ୍ୱର ମିଶ୍ରଙ୍କ ଚର୍ଚ୍ଚିତ ଉପନ୍ୟାସ ‘ସାମୁଦ୍ରିକ’ ଏବଂ ‘ନେତା’କୁ ନେଇ ଶ୍ରୀ ମହାନ୍ତି କହିଥିଲେ, ଗଣେଶ୍ୱର ମିଶ୍ରଙ୍କ ଉପନ୍ୟାସରେ ମଣିଷର କଥା ଥିଲା । ସେ ମଣିଷର ମନୋବିଜ୍ଞାନକୁ ସଠିକ୍ ଭାବେ ଉପନ୍ୟାସରେ ପ୍ରତିଫଳିତ କରିଥିଲେ । ଯାହା ସେ ୪ରୁ ୫ ଦଶନ୍ଧି ଆଗରୁ ଲେଖିଥିଲେ, ତାହା ଏବେ ବି ଉଦବେଗର କାରଣ ହୋଇ ରହିଛି ଓ ନିୟମିତ ଖବର କାଗଜରେ ପ୍ରକାଶ ପାଉଛି ।

ଏହି ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଡକ୍ଟର ହୃଶିକେଷ ମଲ୍ଲିକ କହିଥିଲେ, ଗଣେଶ୍ୱର ମିଶ୍ର ଯଦିଓ ଇଂରାଜୀ ସାହିତ୍ୟ ପଢ଼ାଉଥିଲେ ତଥାପି ସେ ଓଡ଼ିଆ ସାହିତ୍ୟର ଗଭୀରକୁ ଯାଇଥିଲେ, ଓଡ଼ିଆ ସାହିତ୍ୟକୁ ଭଲ ଭାବେରେ ବୁଝିଥିଲେ । ଫକୀର ମୋହନ ସେନାପତି ଓ ଗୋପୀନାଥ ମହାନ୍ତିଙ୍କ ପରେ ଗଣେଶ୍ୱର ମିଶ୍ର ଓଡ଼ିଆ ଉପନ୍ୟାସ ଲେଖନୀକୁ ନୂଆ ଦିଗ ଦେଇଥିବା କହିଥିଲେ ଶ୍ରୀ ମଲ୍ଲିକ ।

 

ଗଣେଶ୍ୱର ମିଶ୍ରଙ୍କ ସହ ଦୀର୍ଘ ବର୍ଷର ସମ୍ପର୍କକୁ ନେଇ ବିଶିଷ୍ଟ ଅନୁବାଦକ ସୁଭାଷ ଶତପଥୀ କହିଥିଲେ, ଶ୍ରୀ ମିଶ୍ରଙ୍କ କଥା ବହୁ ଛାତ୍ରଛାତ୍ରୀଙ୍କ ଜୀବନରେ ପରିବର୍ତ୍ତନ ଆଣି ପାରିଛି । ସେହିଭଳି ବରିଷ୍ଠ ଅନୁବାଦ ପ୍ରଫେସର ଯତୀନ୍ଦ୍ର କୁମାର ନାୟକ କହିଥିଲେ, ଶ୍ରୀ ମିଶ୍ର ଡକ୍ୟୁମେଣ୍ଟେସନରେ ବିଶ୍ୱାସ କରୁଥିଲେ ଏବଂ ଏଥିପ୍ରତି ଅନ୍ୟମାନଙ୍କୁ ଅନୁପ୍ରାଣିତ କରୁଥିଲେ ।

ଶ୍ରୀ ନାୟକ କହିଥିଲେ, ବିଦେଶରେ ଶିକ୍ଷା ଗ୍ରହଣ କରି ଏବଂ ଜଣେ ଇଂରାଜୀ ଶିକ୍ଷକ ହୋଇଥିଲେ ମଧ୍ୟ ଶ୍ରୀ ମିଶ୍ର ଛିନ୍ନ ମୂଳ ନଥିଲେ । ସେ ବିନ୍ଦୁ ଭିତରେ ସିନ୍ଧୁ ଦେଖି ପାରୁଥିଲେ । ତାଙ୍କ ହୃଦୟରେ ଓଡ଼ିଆ ଭାଷା ଓ ପୁରୀ ସଦାସର୍ବାଦା ଥିଲା । ତାଙ୍କ ଲେଖନୀରେ ପୁରୀର ଭାଷା ଓ ସଂସ୍କୃତିର ଝଲକ ଦେଖିବାକୁ ମିଳେ ।

କଥାକାର ବିରାଜ ମୋହନ ଦାସ ଧନ୍ୟବାଦ ଅର୍ପଣ କରି କହିଥିଲେ, ଗଣେଶ୍ୱର ମିଶ୍ରଙ୍କ ଲେଖନୀ ଯୁବପିଢ଼ିଙ୍କୁ ଅନୁପ୍ରାଣିତ କରୁଛି । ଗବେଷକମାନେ ତାଙ୍କ ଲେଖାର ନୂଆ ଦିଗରେ ଅନ୍ୱେଷଣ କରିବାର ଆବଶ୍ୟକତା ରହିଛି ।

Leave A Reply

Your email address will not be published.