Latest Odisha News

BREAKING NEWS

ଅନଲାଇନ ମାଧ୍ୟମରେ ‘କଥାକାର ଅଡିଓ ବୁକ୍‍ସ’ ପ୍ରକାଶନର ସୁବର୍ଣ୍ଣ ଜୟନ୍ତୀ ପାଳନ

ଭୁବନେଶ୍ୱର: ଆମେ ଓଡ଼ିଆ , ଆମ ଓଡ଼ିଶା ଓ କଥାକାର ଅଡିଓ ବୁକସ ( କେ.ଏ.ବି ) ଆନୁକୂଲ୍ୟରେ କଥାକାର ଅଡିଓ ବୁକ୍‍ସର ‘ହାତବାକ୍‍ସ’ ଶୀର୍ଷକ ସୁବର୍ଣ୍ଣ ଜୟନ୍ତୀ ସଂସ୍କରଣର ଲୋକାର୍ପଣ କାର୍ଯ୍ୟକ୍ରମ ଅନଲାଇନ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି ।

BjdElectrycity

ଏହି ଅବସରରେ କେ.ଏ.ବି.ର ପଚାଶତମ ଭେଟି ଭାବରେ ପ୍ରତିଭା ରାୟଙ୍କ ଦ୍ୱାରା ଲିଖିତ ଏବଂ ତାଙ୍କର କନ୍ୟା ଆଦ୍ୟାଶା ଦାସଙ୍କର ସ୍ୱରରେ ପାଠ କରାଯାଇଥିବା ‘ପ୍ରେମ ପତ୍ର’ ନାମକ ଶ୍ରୁତିଗଳ୍ପର ଲୋକାର୍ପଣ କରାଯାଇଥିଲା । ‘ପ୍ରେମ ପତ୍ର’ରେ ମା’ ଓ ଝିଅଙ୍କର ସମ୍ପର୍କରେ ସୁକ୍ଷ୍ମତା, ସମ୍ବେଦନଶୀଳତା ଏବଂ ସୌନ୍ଦର୍ଯ୍ୟତାର ବିଭିନ୍ନ ଦିଗ ଓ ଦୃଷ୍ଟିକୋଣକୁ ଖୁବ୍‍ ପ୍ରାଞ୍ଜଳ ଓ ଜୀବନ୍ତ ଭାବରେ ଅବତାରଣା କରାଯାଇଥିବା ବିଷୟରେ ଆଦ୍ୟାଶା ଦାସ କହିଥିଲେ ।

ବିଶିଷ୍ଟ ସାହିତ୍ୟିକା ପ୍ରତିଭା ରାୟ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ।  ନୀରକ୍ଷର, ଚକ୍ଷୁହୀନ ଏବଂ ଓଡ଼ିଆ ଅକ୍ଷର ପଢ଼ିପାରୁ ନଥିବା ଜନସାଧାରଣଙ୍କ ପାଇଁ ପ୍ରକାଶିତ ଶ୍ରୁତି କାହାଣୀଗୁଡ଼ିକ ଖୁବ୍‍ ଉପାଦେୟ ସ୍ଥାପିତ ହେବ ବୋଲି ଶ୍ରୀମତୀ ରାୟ ମତ ପ୍ରକାଶ କରିଥିଲେ ।

ବିଶିଷ୍ଟ ସାହିତ୍ୟ ସମୀକ୍ଷକ ଯତୀନ୍ଦ୍ର କୁମାର ନାୟକ ମୁଖ୍ୟବକ୍ତା ଭାବରେ ଯୋଗଦେଇ ପ୍ରତିଭା ରାୟଙ୍କର ସୃଜନଶୀଳ ପ୍ରତିଭା ଓ ପାରଦର୍ଶିତା ଉପରେ ଆଲୋକପାତ କରିଥିଲେ । ମାନବ ଓ ନିର୍ଜୀବ ବସ୍ତୁ ମଧ୍ୟରେ ଅଦ୍ଭୁତ ସମ୍ପର୍କ ଏବଂ ନିର୍ଜୀବ ମଧ୍ୟରେ କଳ୍ପନାରେ ଜୀବନ ସଞ୍ଚାର କରିବାର କଳା କେବଳ ପ୍ରତିଭା ରାୟଙ୍କ ଲେଖନୀରେ ରହିଛି ବୋଲି ସେ କହିଥିଲେ ।

କେ.ଏ.ବିର ପ୍ରତିଷ୍ଠାତା ସୁଖେନ୍ଦୁ ପଟ୍ଟନାୟକ, ୨୦୨୦ ମସିହା ଜୁଲାଇ ମାସରେ ଶୁଭାରମ୍ଭ ହୋଇଥିବା କେ.ଏ.ବି, ୧୦୦ଟି ସପ୍ତାହରେ ୧୦୦ଟି କାଳଜୟୀ କାହାଣୀକୁ ଅଡିଓ ଜରିଆରେ ପ୍ରକାଶ କରିବାକୁ ଯାଉଛି ବୋଲି ସୂଚନା ପ୍ରଦାନ କରିଥିଲେ ।

ଏହି ଅବସରରେ ପ୍ରତିଭା ରାୟଙ୍କର ଜୀବନୀ ଆଧାରିତ ‘ଟାଇମ୍‍ ପାସ୍‍’ ଓ ସରୋଜ ବଳଙ୍କ ଦ୍ୱାରା ପ୍ରସ୍ତୁତ ଏକ ବୃତ୍ତଚିତ୍ର ଏବଂ ଓମ୍‍ ପ୍ରକାଶ ମହାନ୍ତିଙ୍କ ଦ୍ୱାରା ପରିକଳ୍ପିତ ଅନ୍ୟ ଏକ ପ୍ରାମାଣିକ ଚିତ୍ର ପ୍ରଦର୍ଶନ କରାଯାଇଥିଲା । ଆଦ୍ୟାଶା ଦାସ ତାଙ୍କ ମା’ଙ୍କ ଦ୍ୱାରା ଲିଖିତ ‘ପଦ୍ମ ପତ୍ରରେ ଢଳ ଢଳ’ ଶୀର୍ଷକ କବିତା ଆବୃତ୍ତି କରିଥିଲେ ।

ନଳିନୀପ୍ରଭା ପଟ୍ଟନାୟକଙ୍କର ସୁମଧୁର ଶଙ୍ଖଧ୍ୱନୀରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଶୁଭ୍ରାଲିନା ମହାନ୍ତି, ସ୍ୱର୍ଗତଃ ପ୍ରତିଭା ପଟ୍ଟନାୟକଙ୍କ ଆତ୍ମାର ସଦ୍‍ଗତି କାମନା କରି ନୀରବ ପ୍ରାର୍ଥନା କରାଯାଇଥିଲା । ଆମେ ଓଡ଼ିଆ – ଆମ ଓଡ଼ିଶା’ର ପ୍ରତିଷ୍ଠାତା ଧୀରେନ୍ଦ୍ର କର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଓ  ସଂଗୀତଜ୍ଞ କୈଳାସ ବୈଷ୍ଣବ, ଦେବୀ ଶୁଭଦ୍ରାଙ୍କର ଆରାଧନାରେ ଏକ ମର୍ମସ୍ପର୍ଶୀ ଭଜନ ପରିବେଷଣ କରିଥିଲେ । ପରିଶେଷରେ ଶୋଭାଶ୍ରୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

ସମଗ୍ର ଅଧୀବେଶନକୁ ପ୍ରଶାନ୍ତ ଭୂୟାଁ  ସଂଯୋଜନା ଏବଂ ଡିଜିଟାଲ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ତଥା ଦେଶ ଏବଂ ଦେଶ ବାହାରେ ରହୁଥିବା ଅନେକ ଲେଖକ , ପ୍ରକାଶକ ଏବଂ ବହୁ ବିଶିଷ୍ଟ ବ୍ୟକ୍ତି ଅନଲାଇନ ମାଧ୍ୟମରେ ଭାଗ ନେଇଥିଲେ ।

Leave A Reply

Your email address will not be published.