Latest Odisha News

ଭଲଖବର: କିପରି ‘ମୋବାଇଲ୍ ଆପ୍ସ’ ଚାଷ ଅମଳକୁ ଦ୍ୱିଗୁଣିତ କଲା , ଜାଣନ୍ତୁ…

ବରଗଡ଼: ବରଗଡ଼ ଜିଲ୍ଲା ବାଇଗପାଲି ଗ୍ରାମର ବଂଶୀଧର ନାୟକ ହେଉଛନ୍ତି ଜଣେ ସାଧାରଣ ଚାଷୀ । ଏହି ୨୯ ବର୍ଷୀୟ ଯୁବଚାଷୀ ଜଣକ ଗାଁ ପାଖ କଲେଜରୁ କଳାରେ ସ୍ନାତକ ପାଶ୍ କରିବା ପରେ ପରିବାର ଲୋକଙ୍କୁ ଚାଷକାର୍ଯ୍ୟରେ ସାହାଯ୍ୟ କରିବାକୁ ଲାଗିଲେ ।

ବଂଶୀଧରଙ୍କ ବାପାଙ୍କର ପ୍ରାୟ ୧୫ ଏକର ଚାଷଜମି ରହିଛି, ସେଥିରେ ସେ ଚାଷବାସ କରି ଗୁଜୁରାଣ ମେଣ୍ଟାଇଥାଆନ୍ତି । “ପାଠପଢା ମୋର ଠିକ୍ ଠାକ୍ ଚାଲିଥିଲେ ମଧ୍ୟ ଚାଷପ୍ରତି ମୋର ଆକର୍ଷଣ ରହିଥିଲା । ଦେଖିବାକୁ ଗଲେ ମୁଁ ଦଶମ ପାଶ୍ କରିବା ପରେ ବାପା ଓ ବଡ଼ଭାଇଙ୍କ ସହିତ ବିଲରେ ସେମାନଙ୍କୁ ସବୁବେଳେ ଚାଷକାମରେ ସାହାଯ୍ୟ କରିଥାଏ । ଧାନଚାଷ ସହିତ ଲଙ୍କା, ବାଇଗଣ, ଶୋରିଷ ମଞ୍ଜି, ଆଳୁ ଓ ଟମାଟୋ ଚାଷ ଆମର ହୁଏ ।

”ଏବେ ଆମେ ୧୨ ଏକର ଚାଷଜମିରେ ଧାନ ଚାଷ କରୁଥିବା ବେଳେ ଅବଶିଷ୍ଟ ବିଲରେ ପରିବା ଚାଷ କରୁଛୁ । ଗତ ୨ ବର୍ଷ ପୂର୍ବରୁ ଯେତେବେଳେ ଆମ ଚାଷରେ ପୋକ ହୋଇଗଲା ସେତେବେଳେ ଆମେ ଆମେ ପ୍ରକୃତରେ ଚିନ୍ତାରେ ପଡ଼ିଯାଇଥିଲୁ । ସେତେବେଳେ ସୌଭାଗ୍ୟକୁ ମୁଁ ଏକ ଟୋଲ୍ ଫ୍ରି ନମ୍ବର ପାଇଗଲି – ୧୮୦୦ -୪୧୯-୮୮୦୦- । ଏହି ନମ୍ବରକୁ ଫୋନ କରି ମୁଁ ଚାଷଜମିରେ ଲାଗିଥିବା ପୋକ କଥା କହିଲି । ଏହି ଅସୁବିଧାର ସମସ୍ତ ସମାଧାନର ସୂତ୍ର ମୋତେ ଜଣାଇଲେ ଫୋନ ମାଧ୍ୟମରେ ଜଣେ କୃଷି ବୈଜ୍ଞାନିକ । ତେଣୁ ମଝିରେ ମଝିରେ ମୁଁ ଏହି କୃଷି ବୈଜ୍ଞାନିକଙ୍କ ସହିତ ଯୋଗାଯୋଗରେ ରହିଲି । ଏବେ ମୋବାଇଲ୍ ଆପ୍ସ ଏବଂ କୃଷି ବୈଜ୍ଞାନିକଙ୍କ ସହଯୋଗରେ ମୁଁ କଞ୍ଚାଲଙ୍କା ଚାଷରୁ ୫୦,୦୦୦ ଟଙ୍କା ଲାଭ କରିପାରିଛି ।

ସେହିପରି ଭାବେ ବାଇଗଣ ଚାଷରୁ ମୁଁ ଏପର୍ଯ୍ୟନ୍ତ ୨୫, ୦୦୦ ହଜାର ଟଙ୍କା ଲାଭ କରିପାରିଛି । ରିଲାଏନ୍ସ ଫାଉଣ୍ଡେସନ ଦ୍ୱାରା ଅନୁଷ୍ଠିତ ହୋଇଥିବା ଡ଼ାଇଗ୍ନୋଷ୍ଟିକ୍ କ୍ୟାମ୍ପରେ ଯୋଗଦେବାକୁ ଯାଇଥିଲି । ସେଠାରେ ବୈଜ୍ଞାନିକମାନେ ବିଭିନ୍ନ ଚାଷ ସମ୍ପର୍କୀୟ ପରାମର୍ଶ ଆମକୁ ଦେଲେ, ଯାହାକୁ ଆମେ ଆମ ଚାଷକାର୍ଯ୍ୟରେ ଉପଯୋଗ କରି ବଡ଼ ଫାଇଦା ପାଇପାରୁଛୁ ବୋଲି ବଂଶୀଧର କହିଛନ୍ତି ।

ଏବେ ଏହି ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଆମେ କୃଷି ସମ୍ପର୍କରେ ବିଭିନ୍ନ ଉପାଦେୟ ସୂଚନା ପାଇ ଚାଷରେ ଲଗାଇ ଉତ୍ପାଦନକୁ ଦ୍ୱିଗୁଣିତ କରିପାରିବାରେ ସକ୍ଷମ ହୋଇପାରୁଛୁ । ଏବେ ଚାକିରି କରିଥିଲେ ଯେତିକି ଦରମା ହାସଲ କରିଥାଆନ୍ତି ତା’ଠାରୁ ଅଧିକ ମୁଁ ଚାଷରୁ ପାଇପାରୁଛି ବୋଲି ସଫଳ ଯୁବଚାଷୀ ବଂଶୀଧର କହିଛନ୍ତି ।

Leave A Reply

Your email address will not be published.