ଅନ୍ନଦାତାଙ୍କ ପ୍ରତି ଅନ୍ୟାୟ ଆଉ କେତେ ଦିନ??

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’…

ସମଗ୍ର ଜନସଂଖ୍ୟାର ଏକ ବୃହତମ ଭାଗ ବା ୭୦ ପ୍ରତିଶତ ଜନତା କୃଷି କ୍ଷେତ୍ରରେ ନିୟୋଜିତ ଅର୍ଥାତ୍ କୃଷକ କିମ୍ବା କୃଷି ଶ୍ରମିକ । ବଡ଼ ଅଫିିସର, ନେତା, ମନ୍ତ୍ରୀଙ୍କ ଠୁ ଆରମ୍ଭ କରି ସାଧାରଣ ଲୋକମାନଙ୍କ ପର୍ଯ୍ୟନ୍ତ ସମସ୍ତେ ବଂଚିରହିବା ପାଇଁ ଚାଷର ଉତ୍ପାଦନ ଉପରେ ନିର୍ଭର କରନ୍ତି ଅର୍ଥାତ୍ ଚାଷୀ ଉପରେ ହିଁ ନିର୍ଭର କରନ୍ତି । ତେଣୁ ଚାଷୀ ବଂଚିଲେ ହିଁ ଦେଶ ବଂଚିବ । କିନ୍ତୁ ବାସ୍ତବତା ହେଉଛି ଦୀର୍ଘ ବର୍ଷର ସ୍ୱାଧୀନତା ପରେ ଚାଷୀ ସବୁଥିରୁ ବଂଚିତ । ଅବହେଳିତ ଓ ତଳିତଳାନ୍ତ । ସାରା ଜୀବନ ମାଟି ସହିତ ମାଟି ହୋଇ, ଖଟି ଖଟି ଚାଷୀଟିଏ ତା ପରିବାରକୁ ଭଲକରି ଗଣ୍ଡାଏ ଖାଇବାକୁ ଦେଇପାରୁ ନାହିଁ । ତା ପିଲାକୁ ପାଠ ପଢ଼ାଇ ପାରୁନାହିଁ । ସ୍ତ୍ରୀର ଦେହ ଖରାପ ହେଲେ ତା ପାଇଁ ଔଷଧ ବ୍ୟବସ୍ଥା କରିପାରୁନାହିଁ । ଚାଷୀଟି ବର୍ଷ ପରେ ବର୍ଷ ପିଢୀ ପରେ ପିଢୀ କେବଳ ପରିଶ୍ରମ କରି ଚାଲୁଛି । ହେଲେ ପୁରସ୍କାର ସ୍ୱରୁପ ତାକୁ କେବଳ ମିଳିଛି ଅସମ୍ମାନ, ଅସହାୟବୋଧତା ଓ ଦାରିଦ୍ର‌୍ୟ ।

ଚାଷୀର ଉତ୍ପାଦନକୁ ଉଚିତ୍ ଦାମ୍ ମିଳୁନାହିଁ । ବଜାରର ଷଡ଼ଯନ୍ତ୍ର ଯୋଗୁ ଚାଷୀ ଉତ୍ପାଦନକୁ ବିକିବା ବେଳେ କମ୍ ଦାମ୍‌ରେ ବିକ୍ରି କରୁଛି ଓ ସେହି ଉତ୍ପାଦନକୁ ପୁନଶ୍ଚ କିଣିବା ବେଳେ ଚଢ଼ା ଦାମ୍‌ରେ କିଣିବାକୁ ବାଧ୍ୟ ହେଉଛି । ଚାଷୀ ଘିଅ ମିଶା କ୍ଷୀର ଲିଟର ପ୍ରତି ୨୦ ଟଙ୍କାରେ ବିକୁଥିବା ବେଳେ, ସେଥିରୁ ଘିଅ କାଢ଼ି ୩୦ ଟଙ୍କାରେ ବିକ୍ରି ହେଉଛି । ଚାଷୀ ଟମାଟୋ ବିକିବା ବେଳେ କିଲୋ ୨ ଟଙ୍କାରେ ବିକୁଛି ଓ ସେହି ଟମାଟୋ ଶୀତଳ ଭଣ୍ଡାର ବୁଲି ଆସିବା ପରେ ଚାଷୀ ୪୦ ଟଙ୍କାରେ କିଣୁଛି । ସବୁଜ ବିପ୍ଳବର ୫୦ ବର୍ଷର ଅଭିଜ୍ଞତା ପରେ ଜଣାଗଲା ଯେ, ସାର ବିହନ ଓ କୀଟନାଶକ କଂପାନୀ ମାନେ ତ ପ୍ରଚୁର ଲାଭବାନ୍ ହେଲେ, ଅପର ପକ୍ଷରେ ଚାଷୀଟି ଭୟଙ୍କର କ୍ଷତିର ଶିକାର ହେଲା । ଚାଷରେ ଭୀଷଣ କ୍ଷତି ସହି ସହି ଚାଷୀଟି ଚାଷ ଛାଡ଼ିବାକୁ ବାଧ୍ୟ ହେଲା ନଚେତ୍ ଆତ୍ମହତ୍ୟାର ରାସ୍ତା ବାଛିନେଲା । ଗତ ୧୫ ବର୍ଷ ମଧ୍ୟରେ ଆମ ଦେଶରେ ପ୍ରାୟ ୨.୫ ଲକ୍ଷ ଚାଷୀ ଆତ୍ମହତ୍ୟା କରିଛନ୍ତି ।

ବଡ଼ କ୍ଷୋଭର ବିଷୟ ଯେ, ସାରା ଜୀବନ ଖଟି ଖଟି ଲୋକମାନଙ୍କ ପେଟକୁ ଆହାର ଯୋଗାଉଥିବା ଜନସଂଖ୍ୟାର ଏକ ବୃହତ ଅଂଶ ଚାଷୀ ମାନଙ୍କର ସୁରକ୍ଷା ପାଇଁ ସରକାର କୌଣସି ପ୍ରକାର ବ୍ୟବସ୍ଥା କରିନାହାନ୍ତି । ସରକାରୀ କର୍ମଚାରୀ ମାନେ ସର୍ବନିମ୍ନ ୧୨,୫୦୦ ରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦରମା ଓ ପେନ୍‌ସନ୍ ପାଉଥିବା ବେଳେ ଚାଷୀ ପାଇଁ ଏକ ଟଙ୍କାର ବି ସୁରକ୍ଷା ବ୍ୟବସ୍ଥା ନାହିଁ । କୋଟି କୋଟି ଚାଷୀ ମୂଲିଆଙ୍କ ଠୁ ଆଦାୟ କରାଯାଉଥିବା ରାଜସ୍ୱକୁ ମାତ୍ର ୧.୭୩ ଭାଗ ସରକାରୀ କର୍ମଚାରୀ ଓ ନେତା, ମନ୍ତ୍ରୀ ବାଂଟି ନେଉଥିବା ବେଳେ ଚାଷୀମାନେ ସମସ୍ତ ପ୍ରକାର ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଭୟଙ୍କର ଦୁଃଖ ଦୁର୍ଦ୍ଦଶା କାଳାତିପାତ କରୁଛନ୍ତି । ଓଡ଼ିଶାର ବାର୍ଷିକ ୩୯ ହଜାର କୋଟି ଟଙ୍କା ବଜେଟ୍‌ରୁ ୧୯ ହଜାର କୋଟି ଟଙ୍କା ସରକାରୀ ଚାକିରିଆଙ୍କ ଦରମାରେ ଖର୍ଚ୍ଚ ହେଉଛି । ‘ଜୟ ଜବାନ-ଜୟ କିଷାନ’ କେବଳ କଥାରେ ହିଁ ରହିଛି । ଜବାନ୍‌ଟିଏ ମରିଗଲେ ତାକୁ ବିଭିନ୍ନ ବାଟରେ ସମ୍ମାନୀତ କରାଯାଉଥିବା ବେଳେ ଅନ୍ନଦାତା ଚାଷୀଟିଏ ଶୋଷଣରେ ସଢ଼ି ସଢ଼ି ବାଧ୍ୟ ହୋଇ ଆତ୍ମହତ୍ୟା କଲେ ତା ପାଇଁ ବିଧାନ ସଭାରେ ୧ ମିନିଟ୍‌ର ଶୋକ ପ୍ରସ୍ତାବ ବି ନାହିଁ । ପରମ୍ପରା ନାହିଁ କହି ତାଚ୍ଛଲ୍ୟ କରାଯାଉଛି । ଯିଏ କଲମ ଧରୁଛି ତାକୁ ଲକ୍ଷ ଲକ୍ଷ ଟଙ୍କା ଦରମା ଓ ପେନ୍‌ସନ୍‌, କିନ୍ତୁ ଯିଏ ଲଙ୍ଗଳ କଂଟି ଧରି ଜନତାର ପେଟକୁ ଆହାର ଯୋଗାଉଛି, ତା ପାଇଁ ସୁରକ୍ଷା ବ୍ୟବସ୍ଥା ନାହିଁ କାହିଁକି?-ଏ ନିୟମ କ’ଣ ପାଇଁ?

ଯୁକ୍ତି ପାଇଁ କୁହାଯାଉଛି ଯେ, ବଜାର ଦରଦାମ୍ ବଢ଼ୁଥିବାରୁ ସରକାରୀ ଚାକିରିଆଙ୍କ ଦରମା ବଢ଼ିଲା । ତାହେଲେ ଏହି ଯୁକ୍ତିର ଆଧାରରେ ଚାଷୀର ଉତ୍ପାଦନର ମୂଲ୍ୟ ବୃଦ୍ଧି ହେବ ନାହିଁ କାହିଁକି? ସରକାରୀ କର୍ମଚାରୀ ମାନେ ତ ଯେଉଁ ବଜାର ଉପରେ ନିର୍ଭର କରି ଚଳୁଛନ୍ତି ଚାଷୀ ବି ତ ସେହି ବଜାର ଉପରେ ନିର୍ଭର କରି ଚଳୁଛି । ତେବେ ସରକାର ଧାନର ଉପଯୁକ୍ତ ମୂଲ୍ୟ ବୃଦ୍ଧି କରୁନାହାନ୍ତି କାହିଁକି? ସର୍ବନିମ୍ନ ସହାୟକ ମୂଲ୍ୟ ନାମରେ ଯେତିକି ଟଙ୍କା ଦିଆଯାଉଛି ସେହି ମୂଲ୍ୟରେ ଆଜିର ମହଙ୍ଗା ବଜାରରେ ଚାଷୀର ପରିବାର ଚଳିବ କିପରି? ସବୁ ଦ୍ରବ୍ୟର ମୂଲ୍ୟ ପୁର୍ବ ତୁଳନାରେ ଶତାଧିକ ଗୁଣ ବଢ଼ିଥିବା ବେଳେ, ଧାନର ମୂଲ୍ୟ ବୃଦ୍ଧି ପାଇଁ ସରକାର କୁଣ୍ଠିତ କାହିଁକି? ପ୍ରଥମେ ସୁନାର ଆଧାରରେ ହିଁ ଟଙ୍କା ଛପା ଯାଉଥିଲା । ଟଙ୍କା ବିନିମୟର ମାଧ୍ୟମ ଭାବେ ବ୍ୟବହାର ହେଉଥିଲା ଏବଂ ହେଉଅଛି । ସୁନା ଥିଲା ଟଙ୍କା ଛପାଇବାର ଆଧାର ସ୍ତମ୍ଭ । ୧୯୭୨ ମସିହାରେ ସୁନାର ଭରି ପ୍ରତି ମୂଲ୍ୟ ଥିଲା ୨୪୦ ଟଙ୍କା ଓ ଧାନର କ୍ୱିଂଟାଲ୍ ପ୍ରତି ମୂଲ୍ୟ ଥିଲା ୮୦ ଟଙ୍କା । ଆଜି ସୁନା ମୂଲ୍ୟ ପ୍ରାୟ ୧୬୬ ଗୁଣ ବଢ଼ି ହୋଇଛି ୪୦ ହଜାର ଟଙ୍କା । ସେହି ଅନୁସାରେ ଧାନର କ୍ୱିଂଟାଲ୍ ପ୍ରତି ମୂଲ୍ୟ ମଧ୍ୟ ସେତିକି ଗୁଣ ବଢ଼ି ୫ ହଜାର ଟଙ୍କାରୁ ଉର୍ଦ୍ଧ୍ୱ ହେବା କଥା । ତା’ହେଲେ ସନ୍ତୁଳନ ରକ୍ଷା ହୋଇଥାନ୍ତା । କିନ୍ତୁ ଆଜି ଚାଷୀ ଧାନ କ୍ୱିଂଟାଲରେ ଅନେକ କ୍ଷତି ସହୁଛି ।

ଏହାକୁ ଅସମ୍ଭବ ବା କଳ୍ପନା କହି ଏଡ଼ାଇ ନଦେଇ, ଏହା ପଛରେ ଥିବା ଯୁକ୍ତି, ଆବଶ୍ୟକତା ଓ ଏକ ବୃହତତ୍ତ ଭାଗ ଜନତାର ଜୀବନ ଜୀବିକାର ସୁରକ୍ଷାର ବିଷୟକୁ ମାନବିକତାର ହୃଦୟ ନେଇ ବୁଝିବାକୁ ହେବ । ଚାଷ ଓ ଚାଷୀକୁ ହୀନ ଦୃଷ୍ଟିରେ ଦେଖୁଥିବା, ହାୱାରେ ଉଡ଼ୁଥିବା ତଥା ପରିବର୍ତନକୁ ଡରୁଥିବା ବୁଦ୍ଧିଜୀବୀମାନେ ଚାଷୀମାନଙ୍କର ଏହି ଦାବିକୁ ନାକ ଟେକୁଥିବା ବେଳେ ବାସ୍ତବରେ ଏହାକୁ ଏଡ଼ାଇ ଯିବା ସରକାରଙ୍କ ପକ୍ଷେ ସହଜ ହେବ ନାହିଁ । ଜନସଂଖ୍ୟାର ଏକ ବୃହତ ଅଂଶକୁ ଉପେକ୍ଷିତ କରି ସେମାନଙ୍କ ରକ୍ତ ମାଂସକୁ ଶୋଷଣ କରି, ସେମାନଙ୍କର ଶବ ଉପରେ ତଥାକଥିତ ବିକାଶର ଯେଉଁ ସୌଧ ତୋଳାଯାଉଛି ତାହା କଦାପି ଚିରସ୍ଥାୟୀ ହେବ ନାହିଁ । ଚାଷୀମାନଙ୍କର ସାମାଜିକ ସୁରକ୍ଷାକୁ ଧ୍ୟାନ ନଦେଇ ତଥା ଅନ୍ନଦାତା ମାନଙ୍କ ପ୍ରତି ଚାଲୁଥିବା ଐତିହାସିକ ଅନ୍ୟାୟ ଯଦି ବଳବତର ରଖାଯାଏ, ତାହେଲେ ଆସନ୍ତା ଭବିଷ୍ୟତରେ ଏହା ସରଳ ଶାନ୍ତିପ୍ରିୟ ଚାଷୀ ମାନଙ୍କୁ ବିଦ୍ରୋହୀ କରି ଗଢ଼ି ତୋଳିବ ।

ଭିରଙ୍ଗ, ତୀରଣ, ଜଗତ୍‌ସିଂହପୁର