ଲୀଡ୍ସ: ଏଠାରେ ଚାଲିଥିବା ମହିଳା ଟି୨୦ ବିଶ୍ୱକପରେ ଭାରତ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି । ସ୍ମୃତି ମାନ୍ଧନାଙ୍କ ବିସ୍ଫୋରକ ବ୍ୟାଟିଂ ପରେ ଶ୍ରୀଚରଣୀଙ୍କ ଚମତ୍କାର ବୋଲିଂ ସହାୟତାରେ ଭାରତ ୯୫ ରନରେ ନେଦରଲାଣ୍ଡକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୫ ୱିକେଟ ବିନିମୟରେ ୨୦୯ ରନ କରିଥିଲା । ସ୍ମୃତି ୪୭ ବଲରେ ୭୪ ରନ କରିଥିଲେ । ଶେଫାଳୀ ବର୍ମା ୫୫ ରନର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ ।
ଜବାବରେ ନେଦରଲାଣ୍ଡ ୧୭.୩ ଓଭରରେ ୧୧୪ ରନ କରି ଅଲଆଉଟ ହୋଇ ଯାଇଥିଲେ । ବାବେଟ୍ଟେ ଡି ଲୀଡେ ସର୍ବାଧିକ ୨୮ ରନ କରିଥିଲେ । ୬ଜଣ ପ୍ଲେୟାର ଦୁଇ ଅଙ୍କ ଛୁଇଁ ପାରି ନଥିଲେ । ଶ୍ରୀଚରଣୀ ୪ଟି ଓ ଶେଫାଳୀ ବର୍ମା ୩ଟି ୱିକେଟ ନେଇ ବିପକ୍ଷ ଦଳର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । ସ୍ମୃତି ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଭାରତ ୨ଟି ମ୍ୟାଚରେ ୪ ପଂଏଟ ହାସଲ କରି ଗ୍ରୁପ ୧ରେ ଶୀର୍ଷ ସ୍ଥାନରେ ରହିଛି ।
