କଥିତ ଭାଷାଠାରୁ ଉପନ୍ୟାସର ଭାଷା ନିଶ୍ଚୟ ଅଲଗା ହେବ : ମନୋଜ ଦାସ

Photo © Saroj Bal

ମନୋଜ ଦାସ (୧୯୩୪) ଆଧୁନିକ ଓଡ଼ିଆ କଥାସାହିତ୍ୟର ବିଶ୍ୱକର୍ମା । ଉଭୟ ଓଡ଼ିଆ ଓ ଇଂରାଜୀରେ ଲେଖୁଥିବା ଏହି ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ଲେଖକ ସାହିତ୍ୟର ପ୍ରାୟ ସବୁ ବିଭାଗରେ ସିଦ୍ଧ ଓ ସମୃଦ୍ଧ । ଗଳ୍ପ ସଂକଳନ: ଆରଣ୍ୟକ, ଶେଷ ବସନ୍ତର ଚିଠି, ଅବୋଲକରା କାହାଣୀ, ଆବୁପୁରୁଷ ଓ ଅନ୍ୟାନ୍ୟ କାହାଣୀ, ଚତୁର୍ଥ ବନ୍ଧୁ ଓ ଅନ୍ୟାନ୍ୟ କାହାଣୀ, ଧୂମ୍ରାଭ ଦିଗନ୍ତ, ଭିନ୍ନ ମଣିଷ ଓ ଅନ୍ୟାନ୍ୟ କାହାଣୀ, କଥା ଓ କାହାଣୀ, ଲକ୍ଷ୍ମୀର ଅଭିସାର, ମନୋଜ ପଞ୍ଚବିଂଶତି । ଉପନ୍ୟାସ: ବୁଲ୍‍ଡୋଜର୍ସ, ପ୍ରଭଞ୍ଜନ, ଗୋଧୂଳିର ବାଘ, ଅମୃତ ଫଳ, ଆକାଶର ଇସାରା, ଶେଷ ତାନ୍ତ୍ରିକର ସନ୍ଧାନରେ । ପୁରସ୍କାର: ପଦ୍ମ ସମ୍ମାନ, ସରସ୍ୱତୀ ସମ୍ମାନ, ସାହିତ୍ୟ ଏକାଡେମୀ ପୁରସ୍କାର, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଶାରଳା ପୁରସ୍କାର, ବିଷୁବ ପୁରସ୍କାର, ଅତିବଡ଼ୀ ପୁରସ୍କାର, ସାହିତ୍ୟ ଏକାଡେମୀ ଫେଲୋସିପ୍‍ ଆଦି ଅସଂଖ୍ୟ । ସଂପ୍ରତି: ଶ୍ରୀଅରବିନ୍ଦ ଆନ୍ତର୍ଜାତିକ ଶିକ୍ଷାକେନ୍ଦ୍ର, ପଣ୍ଡିଚେରୀରେ ଅବସ୍ଥାପିତ । ଶ୍ରୀଯୁକ୍ତ ଦାସଙ୍କ ସହ ସରୋଜ ବଳଙ୍କ ସଂକ୍ଷିପ୍ତ ଆଳାପ :


ଆପଣ ଗଳ୍ପରେ ସୁପ୍ରତିଷ୍ଠିତ । ତେବେ ଉପନ୍ୟାସ ପ୍ରତି ଆଗ୍ରହୀ କାହିଁକି ହେଲେ? 

କ୍ଷମା କରିବେ, ଆପଣଙ୍କ ପ୍ରଶ୍ନରୁ ମନେ ହେବ ସତେ ଯେମିତି ପ୍ରତିଷ୍ଠା ଲାଭ ଉଦ୍ଦେଶ୍ୟରେ ଗଳ୍ପ ଲେଖୁଥିଲି ଏବଂ ଥରେ ପ୍ରତିଷ୍ଠା ନାମକ ସେ ଆସନ ଗୋଟିକ ହାସଲ୍‍ ହୋଇ ଯିବା ପରେ ଅନ୍ୟ କିଛି ସାହିତ୍ୟ ସୃଜନରେ ‘ଆଗ୍ରହୀ’ ହେବା ବାହୁଲ୍ୟ!
ବାସ୍ତବତା ତାହା ନୁହେଁ । ଆବାଲ୍ୟ ସାହିତ୍ୟ ସୃଜନ ମୋ ପାଇଁ ସ୍ୱତଃସ୍ଫୂର୍ତ୍ତ କର୍ମ ହୋଇଆସିଛି । ସାହିତ୍ୟ କ’ଣ ବୁଝିବା ପୂର୍ବରୁ ସ୍ୱର ସଂଯୋଜିତ ଗୀତ ଏବଂ ସାଧାରଣ ପଦ୍ୟ ରଚନା କରୁଥିଲି; ଲେଖିବାର ଶକ୍ତି ନଥିଲା । ପ୍ରଥମ ଗଳ୍ପ ‘ସମୁଦ୍ରର କ୍ଷୁଧା’ ଲେଖିବା ବେଳେ ବି ପ୍ରତିଷ୍ଠା ବ୍ୟାପାର ମନକୁ ଆସିନଥିଲା । ପ୍ରେରଣା ଚାଳିତ ହୋଇ ସେ ଗୋଟିକ ତଥା ପରବର୍ତ୍ତୀ ଯାବତୀୟ ଗଳ୍ପ ଲେଖିଛି । ଯଦି ପ୍ରତିଷ୍ଠା ମିଳିଛି, ତାହା ମୋ ପିଢ଼ିର ତଥା ଆପଣଙ୍କ ଭଳି ପରବର୍ତ୍ତୀ ପିଢ଼ିର ଗୁଣଗ୍ରାହୀମାନଙ୍କ ଶୁଭେଚ୍ଛାରୁ ।

ଏମିତି କିଛି କଥା ଅଛି କି ଯାହା ଗଳ୍ପରେ ନକହି କେବଳ ଉପନ୍ୟାସରେ କହି ହୁଏ?
ହଁ; ଏକଥା ଠିକ୍ । ଗଳ୍ପଟିଏ ସାଧାରଣତଃ ଗୋଟିଏ ବା ଯୋଡ଼ିଏ ତିନୋଟି ଘଟଣାକୁ କେନ୍ଦ୍ର କରି ରୂପାୟିତ ହୋଇଥାଏ । ସେହି ଘଟଣା ମାଧ୍ୟମରେ ଅବଶ୍ୟ ଏକ ବା ଏକାଧିକ ଚରିତ୍ରର ଝଲକ ଓ ଚାରିତ୍ରିକ ବିଶେଷତ୍ୱ ଫୁଟି ଉଠିଥାଏ । ମୁଁ ସଫଳ ଗଳ୍ପ କଥା କହୁଛି । କିନ୍ତୁ ଏକ ବା ଏକାଧିକ ଚରିତ୍ରର ବିକାଶ ସକାଶେ ଲୋଡ଼ା ବୃହତ୍ତର ପ୍ରେକ୍ଷାପଟ; ଦୀର୍ଘତର ପ୍ରଜ୍ଞାପନ । ବିଷୟବସ୍ତୁର ଯଦି କୌଣସି ଐତିହାସିକ ଗୁରୁତ୍ୱ ଥିବ, ତେବେ ଦୀର୍ଘତର ଆଖ୍ୟାନ ଅନିବାର୍ଯ୍ୟ । ତାହା ଉପନ୍ୟାସରେ ହିଁ ସମ୍ଭବପର ।

ପ୍ରଥମ ଉପନ୍ୟାସର ପ୍ରକାଶନ କେବେ ହୋଇଥିଲା ଓ ସେତେବେଳେ ପାଠକଙ୍କ ପ୍ରତିକ୍ରିୟା କିପରି ଥିଲା? 
ପ୍ରଥମ ଇଂରାଜୀ ଉପନ୍ୟାସ Cyclones ୧୯୮୭ ମସିହାରେ ପ୍ରକାଶ ପାଇଥିଲା । ଏକାବେଳେ ଦିଲ୍ଲୀ, ଲଣ୍ଡନ ଏବଂ ନିୟୁୟର୍କରେ । ଭାରତବର୍ଷରେ ବିଂଶ ଶତାବ୍ଦୀର ଚତୁର୍ଥ ଓ ପଞ୍ଚମ ଦଶକରେ ଅଭୂତପୂର୍ବ ପରିବର୍ତ୍ତନମାନ ଘଟୁଥିଲା : ଆସିଥିଲା ସ୍ୱାଧୀନତା; ରାଜତନ୍ତ୍ର ଏବଂ ପରେପରେ ସାମନ୍ତବାଦ ସମାପିତ ହେଲା । କେତେକ ସ୍ଥାନରେ ପାରମ୍ପରିକ ପଲ୍ଲିଗ୍ରାମମାନ ଅକସ୍ମାତ-ପ୍ରାୟ ସହର ବଜାରରେ ପରିଣତ ହୋଇଗଲେ। ଦେଶର ବୃହତ୍ତର ଜନତା ସେ ପାଇଁ ପ୍ରସ୍ତୁତ ନ ଥିଲେ । ବିପୁଳ ବିସ୍ମୟ ଓ ଭାବନା-ବିପର୍ଯ୍ୟୟ, ତଜ୍ଜନିତ ଆଚରଣଗତ ବିଭ୍ରାଟ– ଏସବୁ ଭିତରେ ମୁଖ୍ୟ ଚରିତ୍ରର ବ୍ୟକ୍ତିଗତ ସଂକଟ ତଥା ତା’ର ଚୈତ୍ୟଗତ ପ୍ରଗତି ଏ ଉପନ୍ୟାସର ଆଭିମୁଖ୍ୟ ।
ଏଭଳି ଉପନ୍ୟାସଟିଏ କିମ୍ବା ମୋର ଯେକୌଣସି ଉପନ୍ୟାସ ବ୍ୟାପକ ଜନପ୍ରିୟତା ଲାଭ କରିବ– ମୁଁ ସେ ଆଶା କରିନାହିଁ । ଆଶୁ ଜନପ୍ରିୟତାକୁ ମନରେ ରଖି ମୁଁ ଲେଖି ନାହିଁ । ତେବେ ଭାରତରେ ସବୁଠାରୁ ସମ୍ମାନିତ ଇଂରାଜୀ ସମାଲୋଚକମାନେ ତାକୁ ଉଚ୍ଛ୍ୱସିତ ପ୍ରଶଂସା କରିଥିଲେ । ଇଂଲଣ୍ଡ ଓ ଆମେରିକାର ପତ୍ରପତ୍ରିକାରେ ମଧ୍ୟ ବହିଟି ପ୍ରଶଂସିତ ହୋଇଥିଲା । କିନ୍ତୁ ଭାରତର ପତ୍ରପତ୍ରିକାସବୁ ଅଧିକାଂଶ ମୁଁ ଦେଖିଛି । ବିଦେଶୀ ସମୀକ୍ଷା ଦେଖିବାର ସୁଯୋଗ ପାଇନାହିଁ ।

ପ୍ରଥମ ଉପନ୍ୟାସର ପ୍ରକାଶନରେ କିଛି ସମସ୍ୟା ଉପୁଜିଥିଲା କି? ପ୍ରଥମ ଉପନ୍ୟାସକୁ ନେଇ ଆପଣ କେତେ ସନ୍ତୁଷ୍ଟ ଥିଲେ?
ପ୍ରକାଶନରେ କିଛି ସମସ୍ୟା ଉପୁଜି ନାହିଁ । ମୋର Crocodile’s Lady ଗଳ୍ପ ସଂକଳନ ଆଶାତୀତ ସଂଖ୍ୟାରେ ବିକ୍ରି ହୋଇଥିଲା । ତା’ର ପ୍ରକାଶକ ଉପନ୍ୟାସଟିଏ ପାଇଁ ମୋତେ ବାରମ୍ବାର ତାଗିଦା ଦେଉଥିଲେ । ପାଣ୍ଡୁଲିପି ପାଇବା ମାତ୍ରେ ପ୍ରକାଶ କରିଦେଲେ- ମୋତେ ପ୍ରୁଫ୍ ଦେଖିବାର ସୁଯୋଗ ନଦେଇ । ବର୍ତ୍ତମାନ ବହିଟି A Tiger at Twilight ସହ ଏକତ୍ର ପେଙ୍ଗୁଇନ୍ ସଂସ୍ଥା ଦ୍ୱାରା ପ୍ରକାଶିତ ହୋଇଚାଲିଛି । A Tiger at Twilight ମଧ୍ୟ ପ୍ରଥମେ ଇଂରାଜୀରେ ଲିଖିତ । ଉପନ୍ୟାସ ଦୁଇଟିର ଓଡ଼ିଆ ନାମ ‘ପ୍ରଭଞ୍ଜନ’ ଏବଂ ‘ଗୋଧୂଳିର ବାଘ’ ।

ବିଶ୍ୱ ଉପନ୍ୟାସ ସ୍ତରରେ କୌଣସି ଗୋଟିଏ ବା ଏକାଧିକ ଓଡ଼ିଆ ଉପନ୍ୟାସର ନାଁ ରହିବାର ଯୋଗ୍ୟତା ଅଛି କି? ଆପଣଙ୍କ ବିଚାରରେ ସେସବୁ କେଉଁ ଉପନ୍ୟାସ? କାହିଁକି ଯୋଗ୍ୟ?
ଅବଶ୍ୟ ଅଛି । ଗୋପୀନାଥଙ୍କ ‘ପରଜା’, କାହ୍ନୁଚରଣଙ୍କ ‘ଶାସ୍ତି’ ଏବଂ କାଳିନ୍ଦୀଚରଣଙ୍କ ‘ମାଟିର ମଣିଷ’ । ଆହୁରି କେତେକ ବହି । କିନ୍ତୁ ବିଶ୍ୱସ୍ତରୀୟ ଗୁଣଗତ ଯୋଗ୍ୟତା ଥିଲେ ହିଁ ଉପନ୍ୟାସଟିଏ ସେହି ସ୍ୱୀକୃତି ପାଇବ, ତାହା ନୁହେଁ । ଅନ୍ୟାନ୍ୟ ବହୁ କଥାର ଭୂମିକା ଥାଏ ।

ଆଜିକାଲି ଉପନ୍ୟାସର କଳେବର ଓ ପାଠକୀୟତା ଉଭୟ କମିବାରେ ଲାଗିଛି ବୋଲି ଚର୍ଚ୍ଚା ହୁଏ । ଆଠଶ’ ହଜାରେ ପୃଷ୍ଠା ତ ଦୂରର କଥା, ତିନିଶ’ ପୃଷ୍ଠିଆ ଉପନ୍ୟାସ ବି ଆଜିକାଲି କେହି ଲେଖୁନାହାନ୍ତି । ଏ ପରିବର୍ତ୍ତନକୁ ଆପଣ କିପରି ସ୍ୱୀକାର କରିବେ? କ’ଣ କହିବେ ବର୍ତ୍ତମାନର ଔପନ୍ୟାସିକମାନଙ୍କୁ?
ଟଲଷ୍ଟୟଙ୍କ War and Peace ବା ଡୋଷ୍ଟୋଇଭସ୍କିଙ୍କ Brothers Karamazov ଯେମିତି ପୃଥୁଳତା ସତ୍ତ୍ୱେ ଉପନ୍ୟାସ, ହେମିଂୱେଙ୍କ Old Man and the Sea ମଧ୍ୟ ସେମିତି କ୍ଷୀଣ କଳେବର ସତ୍ତ୍ୱେ ଉପନ୍ୟାସ । ପ୍ରଶ୍ନ ହେଲା, କଳେବର ନିର୍ବିଶେଷରେ ବହିଟିଏ ତା’ ଚରିତ୍ର ଦୃଷ୍ଟିରୁ ଯଥାର୍ଥ ଉପନ୍ୟାସ ପଦବାଚ୍ୟ କି ନୁହେଁ । ଯାହା କିଛି ଉପନ୍ୟାସ ଭାବରେ ବିଜ୍ଞପିତ, ସେସବୁରୁ ଅନେକଗୁଡ଼ିଏ ମୂଲ୍ୟବୋଧ ଦୃଷ୍ଟିରୁ ଉପନ୍ୟାସ ନହୋଇ ପାରନ୍ତି । ବର୍ଣ୍ଣାଡ୍ ଶ’ଙ୍କର Plays Pleasant and Unpleasant ବହିର ଭୂମିକାରେ ପଢ଼ିଥିଲି : ‘ପ୍ରକାଶଯୋଗ୍ୟ ହେବନାହିଁ – ଉପନ୍ୟାସଟିଏ ଏଡେ଼ ବାଜେ ନହୋଇପାରେ; କିନ୍ତୁ ପ୍ରକାଶଯୋଗ୍ୟ ହେବନାହିଁ- ଉପନ୍ୟାସଟିଏ ଏଡେ଼ ଭଲ ହୋଇପାରେ!’ ଅର୍ଥାତ୍ ଅନେକ ଉତ୍କୃଷ୍ଟ ଉପନ୍ୟାସ ପ୍ରକାଶର ସୁଯୋଗ ପାଏନା; ପାଇଲେ ବି ସ୍ୱୀକୃତି ପାଇଁ ଶତକଟିଏ ଲାଗିଯାଇପାରେ ।
ପାଠକୀୟତା କମିବା କଥା ଆପଣ ଓଡ଼ିଆ ବା ଭାରତୀୟ ପରିପ୍ରେକ୍ଷୀରେ କହୁଛନ୍ତି ନା ବିଶ୍ୱ ପରିପ୍ରେକ୍ଷୀରେ? ବିଶ୍ୱ ପରିପ୍ରେକ୍ଷୀରେ କମିଥିବା ଭଳି ମନେହୁଏନା ।

ଆପଣ ଯେଉଁ ଧାରା, ଶୈଳୀ ଓ ଧରଣର ଉପନ୍ୟାସ ଲେଖନ୍ତି, ତା’ ପଛରେ କାହାର ଆଦର୍ଶ ରହିଛି? ନା ତାହା ସମ୍ପୂର୍ଣ୍ଣ ସ୍ୱକୀୟ? 
ମୁଁ ଯଦି ଗୋଟିଏ ଧରଣର ଉପନ୍ୟାସ ଲେଖିଥାନ୍ତି, ତେବେ ହୁଏତ ସେସବୁ ପଛରେ କୌଣସି ବା କାହାର ଆଦର୍ଶର ସଚେତନ ବା ଅଚେତନ ପ୍ରଭାବ ରହିବାର ସମ୍ଭାବନା ଥା’ନ୍ତା । ମୋର ପାଞ୍ଚଗୋଟିଯାକ ମୁଖ୍ୟ ଉପନ୍ୟାସରୁ ପ୍ରତିଟିର ଆଭିମୁଖ୍ୟ ଅନ୍ୟଠାରୁ ଭିନ୍ନ । ‘ପ୍ରଭଞ୍ଜନ’ କଥା ପୂର୍ବରୁ କହିଛି । ‘ଗୋଧୂଳିର ବାଘ’ରେ କେତୋଟି ବିଲୁପ୍ତପ୍ରାୟ ଚରିତ୍ରକୁ ଓ ପରିସ୍ଥିତିକୁ ମୁଁ ଧରିରଖିବାର ପ୍ରୟାସ କରିଛି । ‘ତନ୍ଦ୍ରାଲୋକର ପ୍ରହରୀ’ ଏପରି ଗୋଟିଏ ସମ୍ପ୍ରଦାୟର ଆଲେଖ୍ୟ, ଯେଉଁ ‘ଓଝା’ ବା ‘ଗୁଣୀ’ ସମ୍ପ୍ରଦାୟ ମୋହରି ଜୀବଦ୍ଦଶାରେ ବିଲୁପ୍ତ ହୋଇଗଲେ । ଅବଶ୍ୟ ସେ ଉପନ୍ୟାସରେ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଉପାଦାନ ରହିଛି ମଧ୍ୟ ।
‘ଆକାଶର ଇସାରା’ ଏକ ଗତିଶୀଳ ଆତ୍ମାର ସ୍ଥୂଳ ଜୀବନରେ ଅଭିଜ୍ଞତାର କାହାଣୀ । ‘ଅମୃତ ଫଳ’ ମାନବତାର ଶାଶ୍ୱତ ଅମୃତ ଅଭୀପ୍ସାର ଆଲେଖ୍ୟ ତଥା ତା’ର ପୂର୍ଣ୍ଣତା ଦିଗରେ ଏକ ସଙ୍କେତ ।
ଏସବୁ ମୋର ନିଜସ୍ୱ ପ୍ରେରଣା-ପ୍ରସୂତ ଉପନ୍ୟାସ । ଆପଣଙ୍କ ଭାଷାରେ ‘ସ୍ୱକୀୟ’ ।

କଥିତ ଭାଷାଠାରୁ ଉପନ୍ୟାସର ଭାଷା କ’ଣ ଅଲଗା ହେବା ଉଚିତ?
କଥିତ ଭାଷାଠାରୁ ଉପନ୍ୟାସର ଭାଷା ନିଶ୍ଚୟ ଅଲଗା ହେବ । କଥିତ ଭାଷା ହେଲା ଭାଷା; ଉପନ୍ୟାସ ହେଲା ସାହିତ୍ୟ । ତେବେ ଗୋଟାଏ ଚରିତ୍ରର ବାସ୍ତବତା ଫୁଟାଇବା ନିମନ୍ତେ ଆପଣ ତା’ ମୁହଁରେ ତା’ର କଥିତ ଭାଷା ଦେଇ ପାରନ୍ତି । କିନ୍ତୁ ଉପନ୍ୟାସର ସାମଗ୍ରିକ ଗୁରୁତ୍ୱ ପାଇଁ ତାହା ମଧ୍ୟ ଅପରିହାର୍ଯ୍ୟ ନୁହେଁ ।

……………………
ମନୋଜ ଦାସଙ୍କ ‘ଶ୍ରେଷ୍ଠ ଗଳ୍ପ’ ପଢିବାକୁ ଚାହାନ୍ତି? ତଳ ଲିଙ୍କ୍ କୁ ଅନୁସରଣ କରନ୍ତୁ :
https://www.amazon.in/gp/offer-listing/B07P9YZ1N8/ref=dp_olp_new_mbc?ie=UTF8&condition=new